ସତ୍ୟନାରାୟଣ ଗନ୍ତାୟତ

ଠିକ୍ ଠଉରାଇଛନ୍ତି, ଏମିତି “ହଁ ଭଲ ଅଛି” କହିବା ଅର୍ଥ ନିଶ୍ଚୟ ଜଣେ କେହି “କେମିତି ଅଛନ୍ତି ?” ବୋଲି ପଚାରି ଅଛନ୍ତି ! ଫଳତଃ ଅନାୟାସରେ ନିର୍ଗତ ହୋଇଅଛି ଆପାତତଃ ସରଳ ସ୍ୱାଭାବିକ ମନେ ହେଉଥିବା ମାତ୍ର ତିନୋଟି ଶବ୍ଦ ସମ୍ବଳିତ ଏହି ମହାର୍ଘ ବାକ୍ୟ : ହଁ, ଭଲ ଅଛି !

ଆପଣ ଜଣକୁ ଦେଖିଲେ । ସେ ବି ଆପଣଙ୍କୁ । ଏ କ୍ଷେତ୍ରରେ ସବା ଆଗେ ଆଉ କ’ଣ ବା ପଚରା ଯାଇପାରେ ଯେ ? ତେଣୁ ଉଭୟ ଭଦ୍ରାମି ବଜାୟ ରଖିବାକୁ ଯାଇ ପରସ୍ପରକୁ ପଚାରି ପକାନ୍ତି : ଆପଣ କେମିତି ଅଛନ୍ତି ?

ତେବେ ଅସଲ କଥାଟି ହେଲା ପଚାରିବା ବ୍ୟକ୍ତି ସଚରାଚର ଏମିତି ପଚରାଯାଏ ବୋଲି ପଚାରି ଦେଇଥାନ୍ତି ସିନା, ସତରେ ମନ କର୍ଣ୍ଣ ଡେରି ଉତ୍ତର ଶୁଣି ସେନେଇ ଅନ୍ତତଃ ନିମିଷେ ଭାବିବାକୁ ବି ଆଦୌ ପ୍ରସ୍ତୁତ ନଥାନ୍ତି । ଏ ପ୍ରଶ୍ନ ଶୁଣିଥିବା ବ୍ୟକ୍ତି ଯଦି ଏକଥା ଜାଣିଥାନ୍ତି, ତେବେ ସେ ଗତାନୁଗତିକ ଭାବେ “ହଁ, ଭଲ ଅଛି” କହି ଉତ୍ତର ଫେରାଇଥାନ୍ତି । ଅନ୍ୟଥା ଯେବେ ଏକଥା ନଜାଣି କିଞ୍ଚିତ ସରଳ ସ୍ୱଭାବର ଲୋକ ହୋଇଥାନ୍ତି ତ’ ପ୍ରଶ୍ନକର୍ତ୍ତାଙ୍କ ଆଗରେ ନିଜର ଯାବତ ସୁଖଦୁଃଖ ବଖାଣି ଅନର୍ଗଳ ଗପି ଚାଲନ୍ତି, କାଳେ ତାଙ୍କଠୁ କିଛି ସାନ୍ତ୍ଵନା, ସମାଧାନ ବା ସମବେଦନା ଟିକିଏ ମିଳିଯିବ ! ଅତି ନିକୁଛରେ ଗମ୍ଭୀର ମନ ଏବଂ ଓଜନିଆ ହୃଦୟ କାଳେ ଟିକେ ଉଶ୍ୱାସ ଲାଗିବ । ହେଲେ ବିଡ଼ମ୍ବନାର ବିଷୟ ଏହିକି ଯେ ପ୍ରଶ୍ନକର୍ତ୍ତା ମହାଶୟ ଏଥକୁ ପ୍ରସ୍ତୁତ ନଥାନ୍ତି ଓ ତାଙ୍କଠାରେ ସମୟ ବି ନଥାଏ । ଅଗତ୍ୟା ଏଭଳି ବ୍ୟକ୍ତିଙ୍କୁ “ହଁ ଭଲ ଅଛି” କହି ଦେବା ଯଥାର୍ଥ ମନେ ହୋଇଥାଏ । ଏହା ସହଜ ଓ ଆପଦ ଶୂନ୍ୟ ମଧ୍ୟ । ତେଣୁ ତ’ ଏହା ସମକାଳରେ ବହୁଳ ବ୍ୟବହୃତ ହେଉଛି ।

ଫେର୍ ଆଜିକାଲି ଯେତେ ଅସହଜାବସ୍ଥା ଭୋଗୁଥିଲେ ହେଁ ଯା’ ବାଧା ତାକୁ ଇ’ ଜଣା । ତାହା ଆଉ କେହି ଏମିତି ଅକାଳେ ସକାଳେ ଦେଖୁଦେଖୁ ପଚାରି ଦେବା ମାତ୍ରେ ତାଙ୍କ ଆଗରେ ଏକାନଟେ ଉଗାଳି ପକାଇବା ଅର୍ଥ ନିଜ ଦୁର୍ବଳତାକୁ ନିଜେ ନିଜେ ବିଜ୍ଞପିତ କରିବା । ଶୁଣିବାକୁ ଟାକି ବସିଥିବା ଲୋକ ମିଛିମିଛିକା “ଆଃ ଚୁଃ ଚୁଃ” ରେ ଆପ୍ୟାୟିତ କରି ପ୍ରକାରାନ୍ତରେ ଆହୁରି ଦୟନୀୟ କରି ପକାଇବେ । ତେଣୁ ନିଜେ ନିଜର ଲୁହ ପୋଛି, ନିଜେ ନିଜକୁ ପ୍ରଶଂସିବା ଶିଖିବା ଭଳି ଦୁରୂହ କାମଟି “ହଁ,ଭଲ ଅଛି” ଏହି ତିନୋଟି ମାତ୍ର ଶବ୍ଦ ଉଚ୍ଚାରି ଆପଣା ମହତ ଆପେ ରଖି ଆରମ୍ଭ କରି ହୁଏ । ତେଣିକି ଆଉ କେହି କିଛି ଶୁଣାଇବାର ସମ୍ଭାବନା ନଦାରଦ ହୋଇଯାଏ ।

ଏମିତି “ହଁ,ଭଲ ଅଛି” ନାନାଦି କାରଣରୁ କୁହା ହୋଇ ଆସୁଛି । ତା’ ଭିତରେ ଲୁଚି ଯାଉଛି କାହାର ନିଜର ବୋଲି ଘରଟିଏ ନଥିବା ଦୁଃଖ ତ’ ଆଉ କାହା ବାଳୁଙ୍ଗା ପୁଅ କରୁଥିବା ହରକତ । ପୁଣି କେହି ନକହି ଲୁଚାଇ ଦେଇଥାନ୍ତି ଋଣ ଯନ୍ତାରୁ ମୁକୁଳି ପାରୁ ନଥିବା ଯନ୍ତ୍ରଣା ତ’ ଆଉ କିଏ ଯୌତୁକ ଲୋଭି ଜହ୍ଲାଦଙ୍କ ନିର୍ଯାତନା ସହି ନପାରି ମରୁମରୁ ଦୈବାତ ବଞ୍ଚି ଯାଇ ଶାଶୁଘରୁ ବାପଘରକୁ ଫେରି ଆସିଥିବା ବିବାହିତା ଝିଅ ଭୋଗୁଥିବା ଅକଥନୀୟ ବେଦନା !

ବେଳେବେଳେ “ମାଆଟିଏ’ ହଁ ରେ ବାବୁ ଭଲ ଅଛି” କହି ମିଛ ହସଟେ ହସିଥାଏ ମୁଖରା ବୋହୁର କଣ୍ଢେଇ ବନି ସାରିଥିବା ପୁଅର “ମାଆ, କେମିତି ଅଛୁ?” ପ୍ରଶ୍ନରେ । ଅଫିସ ଦପ୍ତରରେ ତ’ ନିଜ କଷ୍ଟ ନିଜ ଭିତରେ ସମାହିତ କରିବା ଏକାନ୍ତ ଜରୁରୀ । ଉପରେ ଉପରେ ହେଉ ପଛେ ହସି ହସି ନିଜେ ସବୁବେଳେ ସକାରାତ୍ମକତାର ଲେପ ମୁହଁରେ ବୋଳିବାକୁ ଆପାତତଃ ବାଧ୍ୟ ।

ସତରେ ଭଲ ରହିବା ଓ ନରହିବା ଦୁଇଟି ସବୁବେଳେ ଐକାନ୍ତିକ ଭାବେ ବ୍ୟକ୍ତିଗତ ବ୍ୟାପାର । ତେଣୁ କା’ ଆଗେ କିଆଁ କହିବା ଯେ ? ଭୁଲରେ “ଭଲ ନାହିଁ” କହୁକହୁ କାହାର ନଶୁଣିବା ଭଳି ଅଭିନୟ ଆରମ୍ଭ ହୋଇଯିବ ନତୁବା ସେ ବି ସମଭାବରେ “ମୋର… ଆମର ବି ପରା …” ଆଦି ସମ୍ବଳିତ ଡିଟୋ ଡିଟୋ ବଖାଣ ସୁରୁ କରିଦେବ ଯେ କହିଥିବା ଲୋକ କିଆଁ ମିଛୁଟାରେ କହିଲି ବୋଲି ଭାଳି ହେବା ଇ’ ସାର ହେବ ସିନା !

“ହଁ ଭଲ ଅଛି” କହିବା ସତରେ ଭଲ, ମହତ୍ତର । ଏହା ସୁଖ

ଦୁଃଖ ମଧ୍ୟ ଦିନ ପରେ ରାତି ପରି ଦୁନିଆର ଏକ ରୀତି ବୋଲି ସୂଚାଇ ସହିବା ମଣିଷ ଯେ ସତରେ କେତେ ମହାନ ତାହା ପ୍ରତିପାଦନ କରିଥାଏ । ସକାରାତ୍ମକତାର ପ୍ରତୀକ ଏହି ବାକ୍ୟ ଜୀବନ ଜୀଇବା କଳାକୁ ସହଜରେ ଶିଖାଇ ଥାଏ । ଏହା ସଭିଙ୍କ ସହ ସମ୍ପର୍କିତ ହେବାର ସହଜ ଓ ସରଳ ମାଧ୍ୟମ ମଧ୍ୟ । ସତ ଦୁଃଖ ଭୁଲି ଏମିତି ମିଛେମିଛେ “ଭଲ ଅଛି” କହିବା ଭଲ, କାରଣ ସୁଖ ଓ ଦୁଃଖ ଉଭୟ ଏବେ କୋଉ ଚିରସ୍ଥାୟୀ ଯେ’ ଅବିକଳ ବଖାଣି ପୁନଃପୁନଃ ଦହଗଞ୍ଜ ଭୋଗୁଥିବା, କହିଲେ ?

ଏ ଦିଗରେ ସାମାଜିକ ଗଣମାଧ୍ୟମ ମାନେ ବେଶ୍ ଆଖି ଦୃଶିଆ ପ୍ରଦର୍ଶନ କରନ୍ତି । ବାସ୍ତବତାକୁ ଛାଣି ବହାରେ ଝଲସାନ୍ତି ତୋଫା ତୋରା ରୂପ, ପର୍ଦ୍ଦା ପଛରେ କିନ୍ତୁ ଲୁଚି ରହିଥାଏ ଯାବତ ଜଞ୍ଜାଳଗ୍ରସ୍ତ ମଳିନ ରୂପ ! ଏଣେ ଅସଲ ରୂପ ଅପରିବର୍ତ୍ତିତ ରହିଥାଏ ସିନା ତେଣେ ତୋଫା ରୂପ କିନ୍ତୁ ଲାଇକ କମେଣ୍ଟ ସାଉଁଟି ଚାଲିଥାଏ ।

ଏମିତି “ଭଲ ଅଛି’ କହିକହି ଏହା କ୍ରମେ ଅଭ୍ୟାସରେ ପରିଣତ ହୋଇଯାଏ । ତେବେ ଏମିତି କହି ଆଉ ସଭିଙ୍କୁ ଭଳେଇ ହୁଏ ଏକା ନିଜ ଭିତରେ ଥିବା ‘ମୁଁ’ଟିକୁ ଛାଡି ! ଯେବେ ସେଇ ଆପଣାର ଏକମାତ୍ର ଆତ୍ମୀୟ ‘ମୁଁ’ଟି ବି ଉପସ୍ଥିତ ସକଳ ନେତି ନେତିକୁ ଲଙ୍ଘି ଏକ ଅସ୍ତିସୂଚକ “ହଁ, ମୁଁ ଭଲ ଅଛି” ବୋଲି ଗୁଣୁଗୁଣେଇବାରମ୍ଭ କରେ, ସେତେବେଳେ ସତରେ ସୁଦିନ ଆସି ଯାଇଛି ବୋଲି ହେବ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *