ସତ୍ୟନାରାୟଣ ଗନ୍ତାୟତ

ନିକଟରେ ଆମର ୟୁନିଭର୍ସିଟି ପଢାବେଳର ସେହି ସାଙ୍ଗଟି ସହ ଦେଖା ହୋଇଥିଲା, ଯିଏ ସେତେବେଳେ ନିଜ ପକେଟ ଖର୍ଚ୍ଚ ଉଠାଇବା ପାଇଁ ସେ ବେଳର ଗୋଟେ ପ୍ରସିଦ୍ଧ ପାରିବାରିକ ପତ୍ରିକାର “ପାଠକଙ୍କ ପ୍ରଶ୍ନ ଓ ଆମ ଉତ୍ତର” ବିଭାଗର ସମ୍ପାଦନା ସହ ଜଡ଼ିତ ହୋଇ ପ୍ରଶ୍ନଙ୍କ ଉତ୍ତର ଦେବା କ୍ରମରେ ଥରେ “ଦୁନିଆରେ ସବୁଠୁ ସୁନ୍ଦର କଣ ?’ ବୋଲି ପ୍ରଶ୍ନ ପୁଚ୍ଛିଥିବା ଜଣେ ହାଉଳା ପାଠକଙ୍କୁ “ପର ସ୍ତ୍ରୀ” ଲେଖି ବାଉଳା ଉତ୍ତରଟେ ଦେଇଥିଲା ! ବାବୁଙ୍କ ଏ ରଙ୍ଗୀଲା ଉତ୍ତର ପଢି ପତ୍ରିକାର ପାଠକେ, ବିଶେଷତଃ ପାଠିକାଏ ପତ୍ରିକାର ମୁଖ୍ୟ ସମ୍ପାଦକଙ୍କୁ ରାଗିମାଗି ଏମିତି ମୁହଁଫଟା ଜବାବ ଦେଇଥିଲେ ଯେ ତୁରିତେ ୟାକୁ ସେ ପତ୍ରିକାରୁ ବିଦା କରାଯାଇଥିଲା ।

ଏବେ ଏତେ ବର୍ଷ ପରେ ତା’କୁ ଦେଖନ୍ତେ ଆମ ମନରେ ପୁଣି ସେଇ ମହାର୍ଘ ପ୍ରଶ୍ନଟି ମଥା ତୋଳିଲା । ତ’ ଆମେ ମନ ମନ୍ଥନାରମ୍ଭ କଲୁ । ହଁ, କାହାକୁ କୋଉଟା ସୁନ୍ଦର ତାହା ନିଶ୍ଚେ ବ୍ୟକ୍ତିଗତ ମାମଲା । ଏମିତିରେ ସୌନ୍ଦର୍ଯ୍ୟ କୁଆଡ଼େ ଦେଖିବା ଲୋକଙ୍କ ଆଖିରେ ହିଁ ଲାଖିଥାଏ । ତେଣୁ ତ’ ଆମର ସେଇ ସୌମ୍ୟ ଦର୍ଶନ ରଙ୍ଗୀଲା ସାଙ୍ଗ ଜଣକ ବି କଲେଜ ପଢା ପରେପରେ ଘରଲୋକ ତା’ ହାତକୁ ଦି’ ହାତ କରିବାର ମହାନ ବାସନା ନେଇ ଅତ୍ର ତତ୍ର ସର୍ବତ୍ର ପାତ୍ରୀ ଖୋଜା ଚଳାଇଥିବା ବେଳେ ନିଦାବିଷ୍ଣୁ ପ୍ରାୟେ ରହିରହି ଅବଶେଷେ ଦିନେ ତାଙ୍କ ପଡ଼ିଶା ଘରର ଛାମୁଦାନ୍ତ ଆଗକୁ ବାହାରି ଆସିଥିବା ଓ ପୁଅ ପିଲାଙ୍କ ପରି ଘର୍ଘର ସ୍ୱରାଧିକାରିଣୀ ହେବା ସହ ଗାଏ ମୋଟ କିସ୍କିନ୍ଧ୍ୟା ସୁନ୍ଦରୀ ଜାତୀୟା ଝିଅଟି ସହ ଫେରାର୍ ହୋଇଯାଇ ତାକୁ ହିଁ ରେଜିଷ୍ଟ୍ରୀ ବିବାହ କରି ଘରକୁ ଫେରି “ଆମକୁ ଗ୍ରହଣ କରିବ ତ କର, ନୋହିଲେ ଆମେ ଚାଲିବୁ” କହନ୍ତେ ନିଜନିଜ ଘରର ଏକମାତ୍ର ସନ୍ତାନମାନଙ୍କ ଏମନ୍ତ ମହାଧମକକୁ ତଥାକଥିତ ଅଡ଼ିଶାପଡ଼ିଶା ଘର ଲୋକେ ଅଗତ୍ୟା ଗ୍ରହଣ କରି ନେବାକୁ ବାଧ୍ୟ ହୋଇଥିଲେ । ଏଥିରୁ ଜାଣନ୍ତୁ ଯେ କିସ୍କିନ୍ଧ୍ୟା ସୁନ୍ଦରୀ ସୁଦ୍ଧା କେମିତି ଅନ୍ୟ ଦୃଷ୍ଟିରେ ଦିବ୍ୟ ସୁନ୍ଦରୀ ହୋଇପାରନ୍ତି !

ଏ ସୃଷ୍ଟି ହିଁ ସୌନ୍ଦର୍ଯ୍ୟମୟ । ତେଣୁ ତ ଭକ୍ତକବି ଗାଇ ଯାଇଛନ୍ତି “ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି ଏ ସୃଷ୍ଟି ଅମୃତମୟ ହେ, ଜାଗ ନରନାରୀ ଅମୃତ ସନ୍ତତି ପିଅ ସେ ଅମୃତ ପୟ ହେ !” ତେଣୁ ସବୁଠୁ ସୁନ୍ଦର କଣ ପଚାରିଲେ ଯେକେହି ପହିଲେ ଏ ସୃଷ୍ଟିର ଫୁଲଙ୍କୁ କହିପାରେ, କାରଣ କାନ୍ତ କୋମଳ ଫୁଲ ବାସ୍ନା ବିତରି ଫୁଟିଥାଏ, ମଧୁରାନନ୍ଦ ବିତରି ପୁଣି ମାଟିରେ ଲୋଟିଯିବା ପାଇଁ । ତାକୁ କିଏ ତୋଳିଲା, ତୁଚ୍ଛା ମଣିଷ କାମରେ ଲାଗିଲା କି ସୃଷ୍ଟି କର୍ତ୍ତାଙ୍କ ଗଳା ମଣ୍ଡନ କଲା ସେଥକୁ ତା’ ଏତେ ଟିକେ ନିଘା ନଥାଏ । ଏହା ହିଁ ସତ୍ କର୍ମର ସୌନ୍ଦର୍ଯ୍ୟ, ଯାହା ଅନନ୍ୟ ନିଶ୍ଚୟ ।

ଏଥୁତ୍ତାରେ ପୁଣି ସେଇ ନିଃସର୍ତ୍ତ ଭଲପାଇବା ହିଁ ମନକୁ ଆସେ ସର୍ବାଧିକ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ । ସ୍ୱତଃ ଜନ୍ମଦାତ୍ରୀ ମାଆ ଆସିଯାଆନ୍ତି ମନ ଭିତରକୁ । ମାଆମାନେ ସବୁ ଜାଣନ୍ତି । ମନ ପଢି ପାରନ୍ତି । ସନ୍ତାନ ପାଇଁ କେବଳ ତ୍ୟାଗ କରିବା ହିଁ ଜାଣନ୍ତି, ଯାହା ଏ ସଂସାରରେ ସବୁଠୁ ସୁନ୍ଦର ଓ ସବୁଠୁ ମୂଲ୍ୟବାନ କର୍ମ । ମାଆ’ର ସ୍ନେହାର୍ଦ୍ର ଚାହାଣିରେ ସନ୍ନିହିତ ଆତ୍ମିକ ସୌନ୍ଦର୍ଯ୍ୟର ଚିତ୍ରାୟନ ସତରେ ଅସମ୍ଭବ ।

ଅନୁରୂପ ଭାବରେ ଅନ୍ୟ ଦୃଷ୍ଟିରେ ବି ନିଜେ ସବୁଠୁ ସୁନ୍ଦର ହେବା ଚାହି। ଏହା ବାହ୍ୟତଃ ଦୁରୂହ ପ୍ରତେ ହେଉଥିଲେ ହେଁ ପ୍ରକୃତ ପକ୍ଷେ ଆଦୌ ଅସମ୍ଭବ ନୁହେଁ । ଶ୍ରେଷ୍ଠ ପ୍ରାଣୀ ମଣିଷ ବୋଲାଇବା ପାଇଁ ପର ଦୁଃଖରେ ଦୁଃଖୀ ଓ ପର ସୁଖରେ ସୁଖୀ ହେବା ତ ପ୍ରାଥମିକତା ଅଟେ । ଏନେଇ କଥାଏ ମନେ ପଡୁଛି । ଥରେ ଚକ୍ଷୁ, ଗଳା, ନାସା, କର୍ଣ୍ଣ, ଅସ୍ଥିଶଲ୍ୟ ଓ ହୃଦୟ ଆଦିଙ୍କ ବିଶେଷଜ୍ଞ ଡାକ୍ତରମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ କଥା ଉଠନ୍ତେ ସଭିଏଁ ନିଜ ନିଜ ଅଙ୍ଗଙ୍କ ଗୁରୁତ୍ୱ ବଖାଣିଲେ । ତେବେ ସବା ଶେଷେ ହୃଦୟ ବିଶେଷଜ୍ଞ କହିଲେ ଆପଣମାନେ ସଭିଏଁ ଗୁରୁତ୍ୱପୂର୍ଣ୍ଣ । ତେବେ ମୁଁ ହିଁ ସର୍ବାଧିକ ଗୁରୁତ୍ୱ ବହନ କରେ, ହୃଦୟର ଦୁକଦୁକି ନେଇ ! ତେଣୁ ତ ହାର୍ଟକୁ ସୁଇଟ୍ ହାର୍ଟ କୁହାଯାଏ । ସତରେ ହୃଦୟବତ୍ତାଠୁ ବଳି ସୁନ୍ଦର କ୍ୱଚିତ ଥାଇପାରେ ।

ହୃଦୟବତ୍ତା ସ୍ୱତଃ ସର୍ବୋତୋ ଭାବେ ସୁନ୍ଦର ଲାଗେ ଯେବେ ଅନ୍ୟର ଭୁଲକୁ ଭୁଲି ଭଲପାଇବା ଓ ଦଣ୍ଡିବା ବଦଳରେ କ୍ଷମା କରିଦେବା ଭଳି ଉଦାରତା ହିଁ ସହୃଦୟତାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଫଳଶ୍ରୁତି ସ୍ୱରୂପ ମିଳେ ଆତ୍ମ ସନ୍ତୋଷ ଯାହା ଏକ ସୁନ୍ଦର ଓ ମହତ୍ତର ପ୍ରାପ୍ତି ।

ଏ ବିପୁଳ ପୃଥ୍ଵୀରେ ସବୁଠୁ ସୁନ୍ଦର ପଛରେ ଧାବମାନ ହେବା ଭିତରେ ଅନେକ କିଛି ସବୁଠୁ ସୁନ୍ଦର ପ୍ରତୀୟମାନ ହେଉଥିଲେ ହେଁ ମଣିଷ ଯେବେ ଅନ୍ତର୍ମୁଖୀ ହୋଇ ନିଜ ଅଭ୍ୟନ୍ତରକୁ ନିଜ ତୃତୀୟ ନୟନ ଫେଡ଼ି ଥରୁଟେ ସନ୍ଦର୍ଶନ କରିବ ତ ଅଚିରେ ଭେଟ ହେବ ତାର ସବୁଠୁ ସୁନ୍ଦର ଓ ସବୁଠୁ ଅମୂଲ୍ୟ ସମ୍ପଦ ଆତ୍ମା ସହ । ​ସେଇ ଆତ୍ମା ଶରୀର ପରି ନଶ୍ୱର ନହୋଇ ଶାଶ୍ୱତ ଓ ଅବିନଶ୍ୱର । ଫୁଲ ମଉଳି ଯାଏ, ମଣିଷର ବିବିଧ ରୂପ ତ ଆଦୌ ସ୍ଥାୟୀ ନୁହଁନ୍ତି । ଏ ସଂସାରରେ ସବୁ ଅଳୀକ, ସବୁ କ୍ଷଣସ୍ଥାୟୀ। କିନ୍ତୁ ପରମାତ୍ମାଙ୍କ ସହ ଜଡ଼ିତ ଆତ୍ମା ହିଁ ସ୍ଥାୟୀ ଓ ସମ୍ପର୍କିତ କରାଇପାରେ ପରମାତ୍ମାଙ୍କ ସହିତ । ଆତ୍ମା ସତତ ସୁବିମଳ ଓ ପବିତ୍ର ପ୍ରେମର ଆଧାର । ଆତ୍ମିକ ପ୍ରେମ ଆପଣାଇବା ହିଁ ସ୍ୱର୍ଗୀୟାନନ୍ଦ ଲାଭ ସମ ।ସୃତରାଂ ଚିରନ୍ତନ ସୌନ୍ଦର୍ଯ୍ୟ ଆତ୍ମାରେ ହିଁ ସନ୍ନିହିତ । ତେଣୁ ତ’ ଆତ୍ମା ହିଁ ସବୁଠୁ ସୁନ୍ଦର ବୋଲି ନିଶ୍ଚେ କହିହେବ ।

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *