ଅରୁଣ କୁମାର ମିତ୍ର

ସୁନେଲି ସୂର୍ଯ୍ୟ କିରଣୋଜ୍ଜଳ ପ୍ରାତେ
ପରିଚ୍ଛନ୍ନ ନୀଳ ଗଗନର କୋଳେ
ରଙ୍ଗର ପସରା ଧରି ତାଙ୍କ କଶି ହାତେ
ଛୋଟ ଆମ ଶିଶୁ ଆନନ୍ଦେ ହୋଲି ଖେଳେ ।
ଯୁବକ ଯୁବତୀ ରାଶିରାଶି ରଙ୍ଗା ମୁହଁ
ଉଛୁଳି ପଡ଼ିଲା ଆନନ୍ଦ ଘନ ବେଳ
ପଲ୍ଲୀର ପଥେ ରଙ୍ଗିଲା ସଭିଙ୍କ ଦେହ
ଫଗୁଣ ପବନେ କରିଅଛନ୍ତି ମେଳ ।
ବସନ୍ତ ଆସି କେବେଠୁ ପହଂଚିଲାଣି
ନାତିଶୀତୋଷ୍ଣ ପରିବେଶ ବିରାଜିତ
ରଙ୍ଗର ପର୍ବ ହୋଲିର ଦିନଟି ମାନି
ଶିଶୁରୁ ବୃଦ୍ଧ ସଭିଏଁ ଉପସ୍ଥିତ ।
ଅବିର ଉଡ଼ଇ ପଲ୍ଲୀରେ ପଲ୍ଲୀରେ
ନଗର ଶହର ଜନପଦେ ଜନପଦେ
କେତେ ପ୍ରକାରର ରଙ୍ଗ ମାଖି ଶ୍ରୀମୁଖରେ
ଆଳିଙ୍ଗନରେ ବ୍ୟସ୍ତ କେ କାହା ସାଥେ ।
ଫୁଲ ବଗିଚାରେ ମାଳତୀର ଗହନରେ
ମଧୂ ଲାଗି ଭିଡ଼ କରନ୍ତି ମହୁମାଛି
ପଳାଶର ବନ ଦିଶେ ସୁନ୍ଦର ଦୂରେ
ଶାଖାରେ କୋଇଲି ପହଂଚିଛି ଖୋଜିଖୋଜି ।
ନୂତନ ରଙ୍ଗରେ ନୂତନ ରୂପରେ ସାଜି
କୁସୁମାକର ଯେ ଭୀଷଣ ଅହଙ୍କାରେ
ରୂତୁରାଜ ପାଇଁ ବନଲତା ଆସି ଆଜି
ମିଳନର ଲାଗି ମୁହଁ ବିରହର ଭାରେ ।
ସକାଳରୁ ଅପରାହ୍ନ ହେଲାଣି ବୋଧେ
ରଙ୍ଗରେ ରଙ୍ଗୀନ ପ୍ରକୃତି ପବନ ମାଟି
ଦେଖା ଗଲା ଚାହିଁ ରବିର କିରଣ କ୍ରୋଧେ
ଆଜି ଦିଶେ ସବୁ ସୁନ୍ଦର ପରିପାଟୀ ।
ଯାଜପୁର ରୋଡ଼, ଯାଜପୁର
ଲେଖକ ପରିଚୟ
କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।
