ଶ୍ରୀପ୍ରଦା ଶତରୂପା

ପ୍ରଭୁ ପ୍ରଭୁ ବୋଲି ଯେତେ ମୁଁ ଖୋଜିଲି ପ୍ରଭୁଙ୍କୁ ପାଇଲି ନାହିଁ
ଯେତେ ନାମ ଧରି ଡାକିଲି ତାହାଙ୍କୁ ଉତ୍ତର ନଦେଲେ ସେହି ।

ବୁଲିଲି ମନ୍ଦିର-ଦର୍ଗା-ଗୀର୍ଜାଘର ଆୟତ-ଶ୍ଳୋକ-ହିମନ ଗାଇ
ପୂଜିଲି ଭଜିଲି ଉପବାସ କଲି ନାନା ଉପଚାରେ ମୁହିଁ ।

ଭୁଲି ମୋର କର୍ମ ଗୁହାରି କରିଲି ଦିଅ ଦିଅ ଆହେ ଦିଅଁ
ଚାଦର ଭୋଗ କି ମହମବତୀ ଧୂପ ଯାହା ଇଚ୍ଛା ତାହା ନିଅ ।

ମାନସିକ ମୋର ପୁରା ହେଲେ କଲି ପ୍ରଭୁଙ୍କ ବିଜ୍ଞାପନ
ଇଚ୍ଛା ମୋର ଯେବେ ନପୂରିଲା କଲି ଦ୍ୱିତୀୟ ପ୍ରଭୁ ସନ୍ଧାନ ।

ବାରମ୍ବାର ଯେବେ ନୈରାଶ୍ୟ ଜ୍ଵାଳାରେ ଘାରି ହେଲା ମୋର ପ୍ରାଣ
ଆତ୍ମଜ୍ଞାନାମୃତ ଲାଭ କଲି ଯାଇ ସଦଗୁରୁଙ୍କ ଶ୍ରୀଚରଣ ।

ଅଜ୍ଞାନତା ଅମା ଅପସରି ଗଲା ତତ୍ତ୍ବ ଗୁରୁ କୃପା ବଳେ
ଦେଖିଲି ପ୍ରଭୁଙ୍କ ଅବିକଳ ରୂପ ମୋ ମନର ସ୍ଥିର ଜଳେ ।

ବର୍ଣ୍ଣନାତୀତ ସେ ଦିବ୍ୟ ଅନୁଭବ ଜାଣେ ଏକା ଅନୁଭବୀ
ଧନ୍ୟଧନ୍ୟ ଗୁରୁ ଧରାଇଥିବାରୁ ପ୍ରଭୁଙ୍କ ଘରର ଚାବି ।

ଆଠଗଡ଼, କଟକ

ଲେଖକ ପରିଚୟ

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ରେ ଜନ୍ମିତା ଶତରୂପା ମିଶ୍ର ଜଣେ ଉଦୀୟମାନ ଯୁବ ସାହିତ୍ୟିକା ଭାବରେ ଖ୍ୟାତିସମ୍ପନ୍ନା । ସମ୍ପ୍ରତି ସ୍ନାତକ ଶେଷ ବର୍ଷ ପଦାର୍ଥବିଜ୍ଞାନ ବିଭାଗର ଏହି ଛାତ୍ରୀ ଜଣକ ପ୍ରାୟ ଦଶ ବର୍ଷ ଧରି ସାରସ୍ୱତ ସାଧନା କରୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *