ସତ୍ୟନାରାୟଣ ଗନ୍ତାୟତ

ବୋଇଲା ଭଙ୍ଗାଗଢାର ଏ ଦୁନିଆ । ଆମେ ଏନେଇ ଚିନ୍ତିବା ଆରମ୍ଭ କରନ୍ତେ କାନରେ ଫେର୍ ଅବଲୀଳା କ୍ରମେ ଗୁଞ୍ଜରିତ ହୋଇଉଠିଲା ଜଣେ ସଦା ସୁମହାନ ସଙ୍ଗୀତଜ୍ଞ ଗାଇ ଯାଇଥିବା ଚିର ଅଭୁଲା ଗୀତରୁ ପଦେ : “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବରେ ମନ, ପୁରୁଣା ହେବ !”
ତ’ ଏହା ଶୁଣିବା ଆମକୁ ସଙ୍ଗେସଙ୍ଗେ ମନେପକାଇ ଦେଲା କେମିତି ଆମ ନିଜ ପୈତୃକ ଘରଟି ଯାବତ ନିୟମିତ ରକ୍ଷଣାବେକ୍ଷଣ ସତ୍ତ୍ୱେ କୁଆଡ଼େ ପୁରୁଣା ପୁରୁଣା ଲାଗୁଛି ଓ ତଜ୍ଜନିତ କାରଣରୁ ଆମ ଘର ପଛ ପାଖରେ ଥିବା ଖାଲି ସ୍ଥାନରେ ଆଉ ଏକ ନୂଆ ଘର ତୋଳିବା ନେଇ ଆମ ପତ୍ନୀ ଆମକୁ ନିତିପ୍ରତି କରି ଆସୁଥିବା ଅଭିଯୋଗ ।
ତେବେ ଏ କ୍ଷେତ୍ରରେ ଆମ ସୌଭାଗ୍ୟ ଯେ ଆମ ପରିବାରର ଏକାନ୍ତ ଆପଣାର ହୋଇ ଆମକୁ ସହଯୋଗ କରି ଆସୁଛନ୍ତି ଈଶ୍ୱର ରାଓ ନାମଧେୟ ଜନୈକ ରାଜମିସ୍ତ୍ରୀ । ଅଗତ୍ୟା ବ୍ୟତିବ୍ୟସ୍ତ ହୋଇ ଏ କ୍ଷେତ୍ରରେ ଏକ ଶେଷ ସିଦ୍ଧାନ୍ତ ନେବାକୁ ତାଙ୍କୁ ଡାକିଲୁ । ତ’ ସେ ତତ୍କାଳ ଆସିଗଲେ । ତେବେ ସେ ସବୁ ଶୁଣିବା ପରେ ଆମ ପତ୍ନୀଙ୍କୁ ଆଚମ୍ବିତା କରିଦେଇ କହିଲେ ଯେ, ଆମ ଘରଟି ପୁରୁଣା ହୋଇଥିଲେ ବି କେମିତି ଏବେବି ଅନେକ ନୂଆ ତୋଳା ଘରଙ୍କଠୁ ସୁଦ୍ଧା ସଶକ୍ତ ରହିଛି । ନୂଆ ଘର ତୋଳିବା ଅର୍ଥ ତାଙ୍କ ପାଇଁ ନୂଆ ଆୟ ହେଲେହେଁ ସେ ଘରର ବି ରକ୍ଷଣାବେକ୍ଷଣ କେମିତି ଆମ ପାଇଁ ଆହୁରି ଜଞ୍ଜାଳ ଆଣିଦେବ ସେନେଇ ଈଶ୍ୱର ରାଓ ଅତି ପ୍ରାଞ୍ଜଳ ଭାବରେ ଵୁଝାଇଲେ । ଇତି ମଧ୍ୟରେ ଆମ ପତ୍ନୀ ଚାହା ପ୍ରସ୍ତୁତ କରିବା ପାଇଁ ଘର ଭିତରକୁ ଯାଆନ୍ତେ ଏହି ମଉକାରେ ଈଶ୍ୱର ରାଓ ମୋ ପାଖକୁ ଆସି କାନରେ ଚୁପିଚୁପି କହିଲେ : ମୁଁ ଠିକ ଠଉରାଇ ପାରୁଛି ସାର୍, ଅସଲରେ ମାଡ଼ାମ୍ ଆପଣଙ୍କ ପଡ଼ିଶା ଘରର ରିନୋଭେସନ ଦେଖି ସେମାନଙ୍କ ପରି ଖାସ୍ କିଛି କରି ଏ କଲୋନୀର ସଭିଙ୍କୁ ଆମ ଘରର ନୂଆ ରୂପ ଦେଖାଇବା ପାଇଁ ଚାହୁଁଛନ୍ତି । ଆପଣ ତ ଜାଣନ୍ତି ସାର୍ , ମୁଁ କେମିତି ସବୁବେଳେ ଠିକ୍ ସଯେସନ୍ ଦେଇଥାଏ । ତେଣୁ ତ ମୁଁ ଏବେ ବଡ଼ ରାଜମିସ୍ତ୍ରୀ ହୋଇଥିଲେ ବି ରିପେୟାର ମିସ୍ତ୍ରୀ ଈଶ୍ୱର ରାଓ ନାମରେ ସଭିଏଁ ମୋତେ ଡାକିଥାନ୍ତି । ମୁଁ ଯେବେ ଯାହା କହିଛି ଆପଣ ଓ ମାଡ଼ାମ୍ ମାନି ଆସିଛନ୍ତି । ଏଥର ଦେଖନ୍ତୁ ମୁଁ ମାଡ଼ାମଙ୍କୁ ମନେଇ ଆପଣଙ୍କ ଘରକୁ ଏମିତି ଗୋଟେ ଗ୍ରାଣ୍ଡ ଲୁକ୍ ଦେବି ଯେ ସତରେ ସଭିଏଁ ତାଜୁବ୍ ହୋଇଯିବେ ।
ସେଇଆ ହେଲା । ପତ୍ନୀ ଆମ ଘରର ଲୁକ୍ ପଡ଼ିଶା ଘରଠୁ ବି ବଢିଆ ହେବ ଶୁଣି ଶୀଘ୍ର କାମ ଆରମ୍ଭ କରିବା ପାଇଁ କହନ୍ତେ ଘରର ଫ୍ରଣ୍ଟ୍ ଏଲେଭେସନ୍ କିଛି ବାସ୍ତୁ ଅନୁକୂଳ କରିବା ଆଳରେ ନୂଆ କରି ଓ ଘରର ପ୍ରବେଶ ଦ୍ୱାର ଓ ଗେଟ୍ ଆଦିରେ ପୁରୁଣା କାନ୍ଥ ବଦଳରେ ନୂଆ ମାର୍ବଲ ଓ ଗ୍ରାନାଈଟ ଲଗାଇ ଦେବା ସହ ଘରର ନାମ ଓ ମାଲିକଙ୍କ ନେମ୍ ପ୍ଲେଟ୍ ବି ଗ୍ରାନାଇଟ ଯୋଗେ ଲେଖାଇ ଫାଟକ ନୂଆ କରି ତହିଁରେ ସୁଦୃଶ୍ୟ ଆଲୋକ ବି ଖଞ୍ଜି ଦିଅନ୍ତେ ବାହାରକୁ ଆମ ପୁରୁଣା ଘରଟା ସମ୍ପୂର୍ଣ୍ଣ ନୂଆ ଘର ଭଳି ଦିଶିଲା ଓ ଆମ ପତ୍ନୀ ଏଣିକି ରାଜମିସ୍ତ୍ରୀ ଈଶ୍ୱର ରାଓଙ୍କୁ ହିଁ ଏସବୁ ମାମଲାରେ ଯଥାର୍ଥ ପରାମର୍ଶଦାତା ମଣି ତାଙ୍କ ଦ୍ଵାରା ଘରର ଭିତରେ ବି କାନ୍ଥ ମାନଙ୍କରେ ଭଳିକି ଭଳି ନୂଆ ରୂପ ଦେବା ସହ ପୁରୁଣା କାଠ ଆଲମାରୀମାନଙ୍କୁ ଆଉ ଆଗଭଳି ହତାଦର ନକରି ତହିଁରେ ଓ ଘରେ ବ୍ୟବହୃତ ସକଳ କାଠ ସରଞ୍ଜାମ ମାନଙ୍କରେ ସନ୍ମାଇକା ପେଣ୍ଟିଂ ଆଦି ଲଗାଇ ଆବଶ୍ୟକତା ଅନୁସାରେ ମରାମତି କରାଇ ଅର୍ଖ ନୂଆ ରୂପ ଦେଲେ । ଏସବୁ ମରାମତି ପରେ କେବଳ ଘରେ ପଡ଼ି ରହିଥିବା କିଛି ଅତିପୁରୁଣା ଟେବୁଲ ଫ୍ୟନ ଓ ଏକ ଅବ୍ୟବହୃତ ଭୋଲଟେଜ୍ ଷ୍ଟାବିଲାଇଜର୍ ଯାହା ବଦଳାଇବାକୁ ପଡ଼ିଲା ।
ବାସ୍ , ଏଥର ପତ୍ନୀ ଆଉ ନୂଆ କିଣିବା କଥା ଭୁଲି ଯାଇଛନ୍ତି । ନୋହିଲେ ସେଇ ଈଶ୍ୱର ରାଓଙ୍କ ପୁତୁରା ଖୋଲିଥିବା ସାଇକେଲ ରିପାୟାରିଂ ସପ୍ ପଠାଇ ଆମ ଝିଅ ବାହା ହୋଇଯିବା ପରେ ଆଉ ବ୍ୟବହାର ନହୋଇ ଘରେ କୋଣଠେସା ହୋଇ ପଡ଼ି ରହିଥିବା ପୁରୁଣା ଲେଡ଼ିବାର୍ଡ ସାଇକେଲଟିକୁ ସଜାଡ଼ି ନୂଆ କଲର ଦେଇ ଆଣି ତାହା ଚଢି ଆମେ ମର୍ଣ୍ଣିଂ ସାଇକ୍ଲିଂ ଆରମ୍ଭ କଲେ ବି ସେ ସମଝଦାର ଭଙ୍ଗୀରେ କେବଳ ସ୍ମାଇଲ୍ ଦେଉଛନ୍ତି ।
ଏମିତି ନୂଆ ଘରର ନୂଆ ଅନୁଭବ ସତ୍ତ୍ୱେ ଦିନେ ପତ୍ନୀ କହି ଉଠିଲେ : ଆରେ ହେ, ମୁଁ ତ ଏ ଘର ସଜଡ଼ା ଚକ୍କରରେ ବୁଡ଼ି ରହି ଝିଲିସ୍ ବ୍ୟୁଟି ପାର୍ଲୋର୍ ଯିବା ଭୁଲି ଯାଇଛି ! ଆଜି ନଗଲେ ନଚଳେ !
ତ’ ଆମେ ବି କହି ଉଠିଲୁ : ସବୁକଥାରେ ରିପେୟାର୍ ଗୋଟେ କଣ ମ ? ତମକୁ ବିଧାତା ଗଢିବାବେଳୁ ହିଁ ଯାହା ଯାହା ବୋଳାବୋଳି କରିବା କଥା ସବୁ କରି ତୋଫା ତୋରା ଓ ଡଉଲ ଡାଉଲିଆ ଫିନିସ୍ କରି ଓକେ ବନାଇ ଯେମିତି ପଠାଇ ଛନ୍ତି ନା, ସେ ବିଚାରୀ ଝିଲି ବା ଆଉ କଣଟା ଆଲୁଅ କରି ପକାଇବ ଯେ ?
ପତ୍ନୀ ଆମ କଥାରେ ସଲଜ୍ଜା ହୋଇ କହି ଉଠିଲେ : ନୂଆ ନୂଆ ହୋଇ ତମ ଘରକୁ ଆସିଥିବାବେଳେ ଏପରି ରସରସିଆ କଥାମାନ କହିଥିଲେ ଭଲା କିଛି କାମ ଦେଇଥାନ୍ତା, ହେଲେ ଏବେ ଆମ ପରି ସ୍ତ୍ରୀ ଲୋକମାନଙ୍କ ପାଇଁ ପରା ନିୟମିତ ବ୍ୟୁଟି ଟ୍ରିଟମ୍ୟାଣ୍ଟ୍ , ବୁଟିକ୍ ଭିଜିଟ୍ ଓ କିଟି ପାର୍ଟି ଆଦି ଜରୁରୀ ହୋଇଗଲାଣି, ଦିହ ପାଇଁ ଯେତିକି ମନ ପାଇଁ ତହୁଁ ବଳି !!
ତେବେ କ୍ଷଣେ ରହି ସେ ବାହାରି ଯିବାବେଳେ ପୁଣି ଆମକୁ ତୀର୍ଯ୍ୟକ ଚାହାଣୀ ସହ ନିଜ ମୁହଁରେ ସରସତା ମାଖି କହିଲେ : ବୁଝୁଛି ଏଣିକି ଆମ ଦିହିଁଙ୍କୁ ଆମ ମନଟିମାନଙ୍କୁ ବି ନୂଆପଣରେ ସଜାଇବା ଲୋଡ଼ା, ନୁହେଁ ? “
ଆମେ ମନେମନେ ଧନ୍ୟବାଦ ଦେଲୁ ଈଶ୍ୱର ରାଓଙ୍କୁ ତାଙ୍କ କୃତ ସେଇ ମହାର୍ଘ ମରାମତିଙ୍କ କରାମତି ପାଇଁ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
