ଇତିଶ୍ରୀ ନାୟକ, ଗାର୍ଗୀ ଶତପଥୀଙ୍କୁ ‘ଲେଖନୀ ଧାରା’ ସମ୍ମାନ

ଭୁବନେଶ୍ୱର : ଗଣମାଧ୍ୟମ ଗୁଡ଼ିକରେ ବିଭିନ୍ନ ସ୍ତମ୍ଭକାରଙ୍କ ଆଲେଖ୍ୟରେ ଯେତେବେଳେ ପ୍ରେମ ଓ ବିପ୍ଲବର ସମ୍ବନୟ ରହେ, ସେତେବେଳେ ଯୁବ ସମାଜ ତାକୁ ଅନୁଶୀଳନ କରି ନୂତନ ସମାଜ ସୃଷ୍ଟି ପାଇଁ ଆଗଭର ହୁଏ ବୋଲି ବିଦ୍ୟା ଫାଉଣ୍ଡେସନ ପକ୍ଷରୁ ‘ଓଡ଼ିଆ ଅସ୍ମିତାର ପରିଚୟ ଅ ରୁ କ୍ଷ’ ଶୀର୍ଷକ ସ୍ତମ୍ଭ ଆଲେଖ୍ୟ ପ୍ରଦର୍ଶନୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମଙ୍ଗଳବାର ବୁଦ୍ଧ ମନ୍ଦିର ପରିସରରେ ସ୍ତମ୍ଭକାର ପ୍ରହ୍ଲାଦ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ତମ୍ଭକାର ଅଧ୍ୟାପକ ବିଶ୍ଵରଞ୍ଜନ ଯୋଗ ଦେଇ କହିଥିଲେ, ‘ପ୍ରେମ କରିଥିବା ମଣିଷ ହିଁ ପରିବର୍ତ୍ତନ ପାଇଁ ବିପ୍ଲବ ସୃଷ୍ଟି କରିପାରେ । ଭଗବାନ ଶ୍ରୀକୃଷ୍ଣ କେବଳ ଗୋପୀ ନାରୀଙ୍କ ବଂଶୀଧାରୀ ପ୍ରେମିକ ନଥିଲେ , ସେ ହିଁ ମହାଭାରତ ଚକ୍ରୀ ଥିଲେ । ଗ୍ରୀସରେ ଆଗାଥନ୍, ସକ୍ରେଟିସ, ପ୍ଲାଟୋଙ୍କ ସାନ୍ଧ୍ୟ ସମ୍ମିଳନୀରେ ପ୍ରେମ ହିଁ ଏକମାତ୍ର ଶକ୍ତି, ଯାହା ସମଗ୍ର ବିଶ୍ୱକୁ ବିଜୟ କରିବାକୁ ସମର୍ଥ ବୋଲି ଘଷଣା କରି ସ୍ତମ୍ଭକାରଙ୍କ ସୃଷ୍ଟି ସମାଜକୁ ଦିଗଦର୍ଶନ ଦିଏ ।’

ସେହିପରି ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ନୂଆ ପିଢି ସ୍ତମ୍ଭ ଆଲେଖ୍ୟ ପଢୁ ଓ ତର୍ଜମା କରି ସାହସର ସହ ପ୍ରଶ୍ନ କରି ଶିଖୁ ବୋଲି କହିଥିଲେ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ନିଜ ଅପମାନର ଆକ୍ରୋଶ ଓ ନିଷ୍ପ୍ରଭ ବୁଦ୍ଧିଜୀବି ଏବଂ ଦିଗହରା ସମାଜ ଉଲ୍ଲେଖ କରି ସାଧନା ଗଭୀର ଅଧ୍ୟବସାୟ ବିନା ସଫଳ ଉଚ୍ଚକୋଟୀର ପାଠକଙ୍କୁ ଆକୃଷ୍ଟ କରିବା ଭଳି ସ୍ତମ୍ଭ ଲେଖିବା ସମ୍ଭବ ନୁହେଁ ବୋଲି କହିଥିଲେ । ଅତୀତରେ ଉତ୍କଳମଣି ଗୋପବନ୍ଧୁ ଏବଂ ଉତ୍କଳ ଗୌରବ ମଧୁସୂଦନ ପ୍ରମୁଖ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଜ୍ଞାନ ଓ ଦକ୍ଷତା ଅର୍ଜନ କରି କାଳଜୟୀ ଆଲେଖ୍ୟ ଦେଇଥିଲେ । ହରେକୃଷ୍ଣ ମହତାବଙ୍କ ‘ଗାଁ ମଜଲିସ’ ଓ ରାଧାନାଥ ରଥଙ୍କ ‘ଝିଟିପିଟି କହେ’ ପଢିବାକୁ ଲୋକେ ଚାତକ ଭଳି ଚାହିଁ ରହୁଥିଲେ ବୋଲି ପ୍ରକାଶ କରିଥିଲେ ।

ଏହାସହିତ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିବାନୁଯାୟୀ ସ୍ତମ୍ଭକାରମାନେ ଶାସକଙ୍କୁ ସତର୍କ କରାଇବା ସହ ଓ ନାଗରିକଙ୍କୁ ସମସ୍ୟା ଓ ଅଧିକାର ବାବଦରେ ସଚେତନ କରିବାର ଗୁରୁଦାୟିତ୍ଵ ନେଇଥାଆନ୍ତି । ଯୁବତୀ ଯୁବକମାନେ ଆଲେଖ୍ୟ ପଢନ୍ତୁ ଓ ଚର୍ଚ୍ଚା କରନ୍ତୁ । ସ୍ତମ୍ଭ ହେଉଛି ସମ୍ବାଦପତ୍ରର ଦମ୍ଭ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳ ଉପସଭାପତି ଦୀପକ ମାଲବ୍ୟ, ପ୍ରଗତିବାଦୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବୈଦ୍ୟୁତିକ ଗଣମାଧ୍ୟମ ଆଙ୍କର ଇତିଶ୍ରୀ ନାୟକ ଓ ସ୍ତମ୍ଭକାର ଗାର୍ଗୀ ଶତପଥୀଙ୍କୁ ‘ଲେଖନୀ ଧାରା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଫାଉଣ୍ଡେସନ ଅଧ୍ୟକ୍ଷା ଡା. ସୁଦୀପ୍ତା ହୋତା ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ସିମନ୍ତିନୀ ଜେନା ଓଡ଼ିଆ ଅସ୍ମିତା ଓ ସ୍ତମ୍ଭ ଆଲେଖ୍ୟ ଏବଂ ସଂଗଠକ ଦେବୀପ୍ରସାଦ ପୃଷ୍ଟି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ସଙ୍ଗୀତା ଦାସ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *