ରାଜଧାନୀ ପୁସ୍ତକମେଳା ଉଦ୍ଘାଟିତ

ଭୁବନେଶ୍ଵର : ସହିଦନଗର ଦୁର୍ଗାପୂଜା ପଡ଼ିଆଠାରେ ୨୫ତମ ରାଜଧାନୀ ପୁସ୍ତକମେଳା ଉଦ୍ଘାଟିତ ହୋଇଯାଇଛି । ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହାକୁ ଉଦ୍ଘାଟନ କରିଥିଲେ । ରାଜଧାନୀ ପୁସ୍ତକମେଳା କମିଟି ଓ ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ଉପେନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ସଂଘମିତ୍ରା ମିଶ୍ର, ମୁଖ୍ୟବକ୍ତା ଭାବେ ପୀତବାସ ରାଉତରାୟ, ସମ୍ମାନିତ ଅତିଥି ଭାବେ ଅଭୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏହାସହିତ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲାବେଳେ ରମେଶ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭ୍ୟ ବୀରକିଶୋର ପ୍ରଧାନ ଓ କମଳିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଏହି ମେଳା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ବହୁ ପ୍ରତିଷ୍ଠିତ ପ୍ରକାଶକ ଏହି ପୁସ୍ତକମେଳାରେ ଯୋଗ ଦେଇଛନ୍ତି । ବିଭିନ୍ନ ଭାଷାର ସାହିତ୍ୟ ପୁସ୍ତକ ସହିତ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପ୍ରସ୍ତୁତି ଷ୍ଟଲ ଲାଗିଛି । ଏଥିସହିତ ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଷ୍ଟଲ ମଧ୍ୟ ସାମିଲ ହୋଇଛି ।

ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ ସମ୍ମିଳନୀ, ବ୍ୟଙ୍ଗ କବି ସମ୍ମିଳନୀ ଆୟୋଜିତ ହେବ । ଉଦଯାପନୀରେ ଓଡ଼ିଆ ସାହିତ୍ୟର ୧୨ଟି ବିଭାଗରେ ଗତ ୩ ବର୍ଷ ମଧ୍ୟରେ ପ୍ରକାଶିତ ଶ୍ରେଷ୍ଠ ପୁସ୍ତକକୁ ‘ରାଜଧାନୀ ପୁସ୍ତକମେଳା ପୁରସ୍କାର’ ପ୍ରଦାନ କରାଯିବ ।

Related Posts

Leave a Reply

Your email address will not be published. Required fields are marked *