ଭୁବନେଶ୍ଵର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ‘ଇଣ୍ଡିଆନ ମେଟାଲସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ସ୍ଵସ୍ତି ପ୍ରିମିୟମରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିନ୍ଦୀ କବି ଓ ଲେଖିକା ପ୍ରଫେସର ସବିତା ସିଂହ ଶ୍ରୀ ଛୋଟରାୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କର ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖକଙ୍କୁ ତାମ୍ରଫଳକ, ଉପାୟନ ସହ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ କଳା କ୍ଷେତ୍ରରେ ଜୀବନବ୍ଯାପୀ ସାଧନା ପାଇଁ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ଚିତ୍ରଶିଳ୍ପୀ ମହାରଥାଙ୍କୁ ଅଢେଇ ଲକ୍ଷ ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି ।
ଉତ୍ସବରେ ଅଧ୍ୟକ୍ଷତା କରି ‘ଇଣ୍ଡିଆନ ମେଟାଲସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା କହିଲେ, ଶାରଳା ପୁରସ୍କାର ବିଜେତା ଶ୍ରୀ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରିଆସିଛନ୍ତି । ପୁରସ୍କୃତ ଗଳ୍ପ ସଂକଳନରେ ସେ ଜୀବନର ଅନେକ ସାଧାରଣ ତତ୍ତ୍ଵକୁ ଅସାଧାରଣ ଉଚ୍ଚତାକୁ ନେଇ ପାରିଛନ୍ତି, ଯାହା କେବଳ ସୁଖପାଠ୍ୟ ନୁହେଁ, ଶିକ୍ଷଣୀୟ ଓ ଅନୁକରଣୀୟ ମଧ୍ୟ । ଓଡ଼ିଆ ଭାଷା ସାହିତ୍ୟର ସମୂହ ବିକାଶ ଓ ସମୃଦ୍ଧି ପାଇଁ ଚାରି ଦଶନ୍ଧି ତଳେ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ । ଓଡ଼ିଶାର କଳା ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ଦିଗରେ ଏହି ପୁରସ୍କାର ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରିଛି ।
ମୁଖ୍ୟଅତିଥି ପ୍ରଫେସର ସବିତା ସିଂହ କହିଲେ ଯେ ସାହିତ୍ୟ ମଣିଷ ଦ୍ଵାରା ନିଜସ୍ଵ ଖୁସି ଏବଂ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ । ଏହି ଖୁସି ବିଶ୍ଵର ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଏବଂ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ । ଏହି ସମସ୍ତ ସାମାଜିକ କାର୍ଯ୍ୟର କେନ୍ଦ୍ରରେ ଥାଏ ପ୍ରେମ, ଯାହାକୁ କବିତା ମୁକ୍ତ ଭାବରେ ଉପସ୍ଥାପନ କରେ । ଏହା କେବଳ ଓଡ଼ିଆ ସାହିତ୍ୟ ପାଇଁ ନୁହେଁ, ସାରା ବିଶ୍ଵର ସାହିତ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ । ଶ୍ରୀ ଛୋଟରାୟ କହିଛନ୍ତି, “ମୁଁ ଲେଖେ ନାହିଁ କୌଣସି ବୁଝି ହେଉନଥିବା ଉପଭୋକ୍ତା ପାଇଁ, ଯାହା ଉପରେ ମୋର କୌଣସି ବିଶ୍ଵାସ ନାହିଁ । ମୁଁ କେବଳ ମୋ ପାଇଁ ଲେଖେ, ଆଉ ମୋର କିଛି ବନ୍ଧୁମାନଙ୍କ ପାଇଁ । ଆଉ ମୁଁ ପୁଣି ଲେଖେ ସମୟ କାଟିବାର ଶ୍ଲେଷକୁ ଲାଘବ କରିବା ପାଇଁ । ମୋର ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଁ ଶାରଳା ପୁରସ୍କାର ଉଦ୍ୟୋକ୍ତାମାନଙ୍କ ପାଖରେ ଚିର କୃତଜ୍ଞ ।”

 
             
                                                