ଶିବାଶିଷ ପାଢ଼ୀ

ସାମାନ୍ୟ ଅସୁସ୍ଥ ଥିଲା ଦେହ । ବାପା ନିଜେ ଯାଇଥିଲେ ସରକାରୀ ଡାକ୍ତରଖାନା । ଆଶାନୁରୂପ ଭାବେ କିଛି ସାଧାରଣ ଔଷଧ ଦେଇ ସିଧା ବଡ଼ ଡାକ୍ତରଖାନାକୁ ରେଫର୍ କରିଦେଇଥିଲେ ଡାକ୍ତର । ଏମିତି ଅନେକଥର ହୁଏ । ଥରେଥରେ ଭଲ ହୋଇଯାଆନ୍ତି ବାପା ତ କେବେକେବେ ବାହାରକୁ ନେବାକୁ ପଡ଼େ ।

ଅନେକଗୁଡ଼ିଏ ପରୀକ୍ଷା ପାଇଁ ଲେଖି ଦେଇଥିଲେ ଡାକ୍ତର । କଥାଟିକୁ ହାଲୁକା ଭାବେ ନେଇଥିଲୁ ଆମେ । କିନ୍ତୁ ସେ ସାମାନ୍ୟ ଅବହେଳା ହିଁ କାଳ ହୋଇଥିଲା । ଦିନକ ଭିତରେ ଗୁରୁତର ହୋଇଯାଇଥିଲେ ବାପା । ଆମେ ସିଧା ଚାଲି ଆସିଥିଲୁ ବଡ଼ ଡାକ୍ତରଖାନାକୁ । ପଡ଼ୋଶୀ ଅନିତା ମାଉସୀଙ୍କ ଦାୟିତ୍ୱରେ ଛୋଟ ଝିଅକୁ ଛାଡ଼ି ମାଆ, ଶ୍ରୀୟା ଓ ମୁଁ । ବିଗିଡ଼ି ଯାଉଥିଲା ବାପାଙ୍କ ଅବସ୍ଥା । ବିଭିନ୍ନ ପରୀକ୍ଷା କରାଯାଉଥିଲା । ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାକୁ ପଡୁଥିଲା । ତାସହ ଦୌଡ଼ିବାକୁ ପଡୁଥିଲା ଔଷଧ ଦୋକାନକୁ । ବହୁତ ଅଧିକ ଖରାପ ଚିନ୍ତା ମାଡ଼ି ବସେ ମୋତେ ।

ସେ ଧାଁଧପଡ଼ ତ ଠିକ, କିନ୍ତୁ ଏ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷାର ରିପୋର୍ଟ ଦେଖାଇବା କାମଟି ବହୁତ କଷ୍ଟ ଲାଗେ ମୋତେ । କାଳେ ଡାକ୍ତର କିଛି ଅଶୁଭ କଥା କହିବେ । କଣ ହୋଇଥିବ ? ବାପା ଚାଲିଯିବେ କି ହଠାତ ? ଛାଡି ମୋର ଧଡ଼ଧଡ଼ ହୁଏ । ହାତ ଥରେ । ବାପାଙ୍କ ପାଖରେ ରହିବା ଛଡ଼ା ଅନ୍ୟ କୌଣସି କାମ କରିପାରେନି ମାଆ । ଆମେ ଦୁଇ ମାଆପୁଅ ଭାରି ଧର୍ଯ୍ୟହରା । କିନ୍ତୁ ଶ୍ରୀୟା ଏସବୁରେ ଭାରି ଦକ୍ଷ ।

ସେ ହିଁ ଆମକୁ ସାହସ ଦିଅନ୍ତି । ବାପାଙ୍କ ସମ୍ପୂର୍ଣ ଯତ୍ନ ନେବା ସହ ଡାକ୍ତରଙ୍କ ସହ ଆଲୋଚନା କରନ୍ତି । ଭିତରକୁ ତ ଯାଏନି କବାଟ ବାହାରେ ଜଗିଥାଏ ମୁଁ ।ସେଇଠୁଁ ଦେଖୁଥାଏ ଡାକ୍ତରଙ୍କ କଥା ଶୁଣି ଶ୍ରୀୟାଙ୍କ ଚେହେରାରେ ଆସୁଥୁବା ଭାବକୁ । ସେ ଖୁସି ଜଣାଗଲେ ଜାଣେ ସବୁ ଠିକ ଅଛି । ଆଶ୍ୱସ୍ତ ଲାଗେ ମୋତେ । ଆଜି ବି ସେମିତି ହିଁ ହୋଇଥିଲା । ଶ୍ରୀୟା ଫେରିକି କହିଥିଲେ କିଛି ହୋଇ ନାହିଁ । ସାମାନ୍ୟ ଭୁତାଣୁ ଜନିତ ଜ୍ୱର । ବାପା ଦୁର୍ବଳ ଅଛନ୍ତି ତ ଏଣୁ ଏମିତି ବଢ଼ି ଯାଇଛି । ଦୁଇ ଦିନରେ ଠିକ ହୋଇଯିବେ ବାପା ।

ଅନେକ ସମୟ ପରେ ହସୁଥିଲେ ଶ୍ରେୟା ଏବଂ ମୋତେ ଲାଗୁଥିଲା ଯେମିତି ଶ୍ରେୟା ନୁହନ୍ତି ସାକ୍ଷାତ ମା ଦୁର୍ଗା ଆଶ୍ୱାସନା ଦେଉଛନ୍ତି ମୋତେ । ଏମିତି ହିଁ ହୁଏ ଆମ ଘରେ । ଶ୍ରୀୟା ହିଁ ସବୁବେଳେ ସବୁ ବିପଦରେ ଆଗରେ ରହନ୍ତି । ବାପାଙ୍କ ଚିନ୍ତାରେ ମୁଁ ବି ଭୁଲିଯାଇଥିଲି, କିନ୍ତୁ ଏବେ ମୋର ମନେପଡ଼ି ଯାଉଥିଲା ଅଫିସରେ ବାକିଥିବା ଅନେକ ଜରୁରୀ କାମ । ମୋର ଫେରିଯିବାଟା ବହୁତ ଜରୁରୀ ଥିଲା, ତାସହ ଛୁଆର ଚିନ୍ତା । ଶ୍ରୀୟା ବି ଜାଣିଥିଲେ ସବୁ । ମୁଁ ପଚାରିଥିଲି
ମୁଁ କେମିତି କରିବି ?

ତୁମେ ଯାଅ । ମାଆ ଅଛନ୍ତି ଆଉ ମୁଁ ତ ଅଛି । କହିଥିଲେ ଶ୍ରୀୟା ଯେମିତି ସବୁଥର କହନ୍ତି ସେ । ଆଉ ତାଙ୍କରି ସେ ଆଶ୍ୱାସନା ଶୁଣିକି ଲାଗେଯେମିତି କୌଣସି ଉଚ୍ଚ ପାହାଡ଼ ଉପରେ ଭାସୁଥିବା ମେଘ ଭିତରେ ପଶିଯାଏ ମୁଁ । ଏକ ଶୀତଳ ଛୁଆଁ ମନକୁ ସତେଜ କରିଦିଏ । ଦୂରକୁ ଚାଲିଯାଏ ସମସ୍ତ ଚିନ୍ତା ଏବଂ ଆଶଙ୍କା ।

ଶୋଇଥିଲେ ବାପା । ପାଦକୁ ଛୁଇଁ ବାହାରି ଆସିଲି ମୁଁ । ତରତର ହୋଇ ପାର୍କିଂରେ ଥିବା ଗାଡ଼ି ପାଖକୁ ଆସୁଥିଲି ମୁଁ । ହଠାତ ମୋ ଆଖି ପଡ଼ିଲା ଗାଡ଼ିରୁ ବାହାରି ଆସୁଥିବା ଏକ ଆଧୁନିକା ମହିଳାଙ୍କ ଉପରେ । ଯେମିତି ସ୍ୱତଃପୂର୍ତ୍ତ ଭାବେ ଅଟକିଗଲା ମୋର ପାଦ । ସ୍ନେହା ତ !!! ଧକ୍ କଲା ମୋର ଛାତି । ପ୍ରାୟ ପନ୍ଦର ବର୍ଷ ପରେ ଦେଖୁଥିଲି ସ୍ନେହାକୁ । ସମ୍ପୂର୍ଣ ଆଧୁନିକ ଗେଟଅପ୍ । ଚେହେରାରେ ଭାରି ମେକଅପ୍ । ଆଖିରେ କଳା ଚଷମା । ଲାଗୁଥିଲା ଯେମିତି ବାଟବଣା ହୋଇଯାଇଛି ବୟସ ।

ବହୁତ ଭଲ ପାଉଥିଲି ମୁଁ । ଦିନେ ମୋ ପ୍ରେମରେ ଉବୁଟୁବୁ ଥିଲା ଏଇ ସ୍ନେହା । କଥା ବାହାଘର ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଏକ ପଦସ୍ଥ ଅଧିକାରୀଙ୍କ ପ୍ରସ୍ତାବ ଆସୁଆସୁ ବଦଳି ଯାଇଥିଲା ସେ । ସେତେବେଳେ ଭାରି ମନ ଦୁଃଖ କରିଥିଲି ମୁଁ । ପ୍ରାୟ ଛଅ ମାସ ଧରି ପାଗଳଙ୍କ ଭଳିଆ ବୁଲିଥିଲି । ଚାକିରିରୁ ଛୁଟିନେଇ ପୁରୀ ଯାଇ ରହିଥିଲି ଦୁଇ ମାସ । ଜଗନ୍ନାଥଙ୍କୁ ମନଇଚ୍ଛା ଗାଳି ଦେଇଥିଲି । ହଠାତ ସାମ୍ନାରେ ଥିଲା ସେ । ହସି ଦେଇଥିଲା । ଲାଗିଥିଲା ଯେମିତି କିଛି ବି ମନେନାହିଁ ତାର ।

କେମିତି ଅଛ ସ୍ନେହା ? ପଚାରିଥିଲି ମୁଁ । ହସି ଦେଉଥିଲା ସେ । କହିଥିଲା କେମିତି ଜଣାପଡୁଛି ? ଭଲ ଅଛି । ଏବେ ୟା’ଙ୍କର ପୋଷ୍ଟିଙ୍ଗ ଏଇଠି । ଆମେ ରହୁଛୁ ସେକ୍ଟର ନଅରେ । କେବେ ଆସ ପୁରୁଣା ପାଠର ଆଲୋଚନା କରିବା । ଦୁଷ୍ଟାମୀର ସହ କହୁଥିଲା ସେ । କଣ ଘରେ ଆଉ କେହି ନାହାନ୍ତି କି ? ତୁମ ଶାଶୂଶ୍ୱଶୁର ? ଶୁଣିଥିଲି ଅବିନାଶ ଗୋଟିଏ ବୋଲି ପୁଅ ।

ଆଉ କିଏ ? ପୁଅ ପଢୁଛି ଦିଲ୍ଲୀରେ । ଆଉ ବୁଢ଼ାବୁଢ଼ୀ ତ ଗାଆଁରେ ଅଛନ୍ତି । ପାରୁଛନ୍ତି ଯେତେଦିନ ସେଇଠି ଥାଆନ୍ତୁ । ସେ ଝାମେଲାରେ କିଏ ପଶିବ ? ଟଙ୍କା ଦେଇଦେଲେ କାମ ସରିଲା । ମୁଁ ସେ ଗାଆଁଫାଆଁ ଯାଏନି । ତାଙ୍କ ପୁଅ କେବେକେମିତି ଯାଆନ୍ତି । ପୁଣି ହସୁଥିଲା ସେ । ହେଲେ ମୋତେ ଲାଗୁଥିଲା କୌଣସି ରାକ୍ଷସୀ ଯେମିତି ଅଟ୍ଟହାସ୍ୟ କରୁଥିଲା । ମୁଁ ସେକଥା ଆଉ ଶୁଣୁ ନଥିଲି । ପଚାରିଥିଲି, ଏପଟେ କୁଆଡେ ?

ଜଣେ ବନ୍ଧୁର ମାଆ ଆଡମିଟ ଅଛି ତ ! ଦେଖିବାକୁ ଆସିଛି । କେଜାଣି କେଉଁଠି ଅଛି ସେ ବୁଢ଼ୀ ଯେ ? କହି ମୋବାଇଲ କାଢୁ ଥିଲା ସେ । ମୋତେ ପଚାରିଥିଲା -ତୁମେ କୁଆଡ଼େ ?

ମୁଁ ବି ସେମିତି ହିଁ ଜଣକୁ ଦେଖିବାକୁ ଆସିଥିଲି, କହି ମୋ ଗାଡ଼ି ଆଡ଼କୁ ଚାଲି ଯାଉଥିଲି । ଆରେ ନମ୍ବର ତ ଦିଅ ! କହିଥିଲା ସ୍ନେହା । ହେଲେ ମୁଁ ଆଉ ଫେରିକି ତାକୁ ଚାହିଁ ନଥିଲି । ଫେସବୁକରେ ଦେଖାହେବ କହି ମୁଁ ଷ୍ଟାର୍ଟ କରିଥିଲି ଗାଡ଼ି ।

ମୋ ସାମ୍ନାକୁ ବାରମ୍ବାର ଆସିଯାଉଥିଲା ଶ୍ରୀୟାଙ୍କ ଚେହେରା ଏବଂ କାନକୁ ଶୁଣାଯାଉଥିଲା ‘ମୁଁ ଅଛି’, ‘ମୁଁ ଅଛି’ । ଆଜି ଜଗନ୍ନାଥଙ୍କୁ ପନ୍ଦର ବର୍ଷ ତଳେ କରିଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ହାତ ଯୋଡ଼ିଥିଲି ମୁଁ । ପାଟିରୁ ଯେମିତି ବାହାରି ଯାଉଥିଲା ଧନ୍ୟବାଦ ଭଗବାନ ।

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।

Related Posts

Leave a Reply

Your email address will not be published. Required fields are marked *