ରାମକୃଷ୍ଣ

ହୁଗୁଳା ହାତ ମୁଠାରୁ
ଲଗାମ ଖସି ଯାଉଥିବାବେଳେ
ଫେରି ଆସିଲେ ପୁନର୍ବାର ସମସ୍ତେ,
ପାଦ ଶବ୍ଦରେ ଭରିଗଲା ଘର ଓ ଅଗଣା ।

ବାଘର ବନ୍ଦ ପାଟି ଚିରି
ଠେକୁଆମାନେ ଜନ୍ମ ନେଲେ
କଳାହାଣ୍ଡିଆ ମେଘ ମୁଣ୍ଡ ଟେକିଲା
ଆଗ୍ନେୟଗିରିର ଗର୍ଭରୁ
ଚାଟଶାଳୀରୁ ଚଉଠି ରାତି ଯାଏ
ଲମ୍ବିଥିବା ଶବ୍ଦର ପଟୁଆର୍
ଧନ, ଜନ, ଗୋପ, ଲକ୍ଷ୍ମୀ
ଲେଉଟି ଆସିଲେ ସମସ୍ତେ
ଦରବାରରେ ସୁରକ୍ଷିତ
ନିଜ ନିଜର ନିର୍ଦ୍ଧାରିତ ସ୍ଥାନକୁ ।

ଧଳା ଉତ୍ତରୀୟରେ ବନ୍ଧା
ବ୍ୟାକୁଳ ସ୍ଵପ୍ନମାନେ ଫେରି ଆସିଲେ
ଉଜାଣି ପବନରେ
କାଦୁଅର ଗନ୍ଧରେ ଡେଇଁଲା ନାକପୁଡ଼ା
କପାଳରେ ଫୁଟିଲା ଝାଳ
ଆଖ ବୁଜି ହୋଇଗଲା ।

ନିଶ୍ଵାସର ମହ୍ଲାରରେ
ରକ୍ତର ନିଆଁରେ ଓଦା ହେଲା ଓଠ
ଶବାଧାରରୁ ହୁଗୁଳା ହାତ ମୁଠାରେ
ଲଗାମ୍ ଭିଡ଼ିଲି
ବର୍ଷା, ବିଜୁଳି, ଘଡ଼ଘଡ଼ି
ଖଳଖଳ ଜଳ ଋତୁସ୍ରାବ
ମଦ ଓ ଆମିଶ ଗନ୍ଧରେ
ଉତ୍ସବ ମୁଖର ହେଲା
ମରୁଡି ବିଧ୍ଵସ୍ତ ଗୋଟେ ଗାଁ ।

କୁଦୋପାଲି, ବରଗଡ଼

ଲେଖକ ପରିଚୟ

ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।

Related Posts

Leave a Reply

Your email address will not be published. Required fields are marked *