ତାରାପ୍ରସାଦ ଜେନା

ପ୍ରୀତି ଏକ ଜହ୍ନରାତି ଜୋଛନାର ତାରାଫୁଲ ଅଭିସାର
ପ୍ରୀତି ଏକ ମଧୁଗୀତି କାମନାର ସାରା ଗେଲ ଅବସର ।
ପ୍ରୀତି ଏକ ମାଦକତା ଚୋରା ପ୍ରୀତି ଫଗୁଣର ଫଗୁରଙ୍ଗ
ପ୍ରୀତି ଏକ ଆଦିମତା ପ୍ରତିଶ୍ରୁତି ମିଳନର ଅନ୍ତରଙ୍ଗ ।
ପ୍ରୀତି ଏକ ଅଭିନୟ ମନଗ୍ରାହୀ ପ୍ରଣୟର ଅନୁମୋଦ
ପ୍ରୀତି ଏକ ପରିଚୟ ଭଲବହି ହୃଦୟର ଅନୁଚ୍ଛେଦ ।
ପ୍ରୀତି ଏକ ପରକୀୟା ହାବଭାବ ଲୋକଲଜ୍ଜା ହରବର
ପ୍ରୀତି ଏକ ମୋହମାୟା ଅନୁଭବ ସାଜସଜ୍ଜା ଆଡ଼ମ୍ବର ।
ପ୍ରୀତି ଏକ ଅଳସର ନିଦରାତି ସ୍ବପ୍ନଆଖି ସମ୍ଭାବନା
ପ୍ରୀତି ଏକ ବିଳାସର ଚଉକତି ପ୍ରାଣସୁଖୀ ଉଦ୍ଦୀପନା ।
ପ୍ରୀତି ଏକ ଅନିଶାର ପରାଭବ ଅସ୍ତବ୍ୟସ୍ତ ମରୀଚିକା
ପ୍ରୀତି ଏକ ମନୀଷାର ଅଭିନବ ଅନଭ୍ୟସ୍ତ ପ୍ରହେଳିକା ।
ପ୍ରୀତି ଏକ ମଧୁଶାଳା ସୁରାସାକୀ ଯଉବନ ମନତୋଷ
ପ୍ରୀତି ଏକ ଭାବଭୋଳା ଟକାଟକି ଅପଘନ ରଙ୍ଗରସ ।
ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ମୋ – ୯୩୪୮୦୫୪୩୦୦
ଲେଖକ ପରିଚୟ
ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !