ରଞ୍ଜନ କୁମାର ମହାନ୍ତି
ମା’ଲୋ !
ନିଆଁ ହେଇ ନିଆଁକୁ ଡରୁଛୁ ?
ତୁ ଜଳିଲେ ଇତିହାସ ହେଉ,
ଜାଳିଲେ ଇତିହାସ ହୁଏ…
ଯା !
ପାଣି ହେଇ ବହି ଯା
ଧୋଇ ଦେଇ ସମୟର ପରଳ
ଚିରି ଦେଇ ପାପୁଲିର ଭୂଗୋଳ
ଦେଖିବୁ
ପରିବର୍ତ୍ତନ ତୋ ପଣତରେ, ଝିଅ !
ଖୋଲି ଦେ କେଶ
ସକାଳ ଆସୁ
ଋତୁକୁ କି ଅପେକ୍ଷା
ବସନ୍ତରେ ଝାଡ଼ି ଦେ ପତ୍ରସବୁ
ବୈଶାଖରେ କଅଁଳି ପାରିଲେ
ଶ୍ରାବଣରେ ଶୁଖିଲା ରହିଲେ
ଶରତରେ ଦେବୀ ସିନା ହେବୁ …
ମିଶିଯିବା ଲକ୍ଷ୍ୟ ନୁହେଁ ତୋର
ସ୍ୱପ୍ନ ହେଇ ଅନ୍ଧାର ରାତିରେ,
ନଈ ହେଇ ସାଗର ଛାତିରେ,
ଜହ୍ନ ହେଇ ଉଆଁସ ତିଥିରେ,
ଶୁଣିଲୁନି ଜମା,
ଜାଳିଦେଲୁ
ସ୍ୱାଧୀନତାକୁ ବେଦୀରେ
ସ୍ୱପ୍ନସବୁକୁ ଚୁଲିରେ
ଏବେ ଅଟକିଲୁ କାହିଁକି ?
ଦେ, ଜାଳିଦେ
ସେ ଅସୂର୍ଯ୍ୟଂସ୍ପୃଶ୍ୟାର ପରିଚୟକୁ
ପୋଡ଼ି ପାଉଁଶ କରି ଦେ ସେ ଦସ୍ତାବିଜକୁ
ଯିଏ ଅନେଇ ବସିଥାଏ
ତୋ ଚିତ୍କାରକୁ ଲେଖିବାକୁ …
ପାରିଲେ ନାରୀ ହେବୁ
ନପାରିଲେ ଆଜୀବନ ଯୁଝୁଥିବୁ
ମା’ରେ !
କେତେ ଆଉ ଦୁନିଆ ପାଇଁ ଫାଟୁଥିବୁ
ଥରେ ଫାଟିଯା ନିଜ ପାଇଁ
ଜନ୍ମ ଦେ ନିଜକୁ
ଖୋଜି ନେ ତୋର ସେ ଆତ୍ମପରିଚିତି
ଏ ରାତିର ଅନ୍ତିମ ପୃଷ୍ଠାରୁ
ଅବା ଏ ପୃଥିବୀରେ ଏନ୍ତୁଡ଼ିଶାଳରୁ ।
ବାଲେଶ୍ୱର, ମୋ – ୮୬୫୮୫୭୪୯୪୫
ଲେଖକ ପରିଚୟ
ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପନ ପରେ ବର୍ତ୍ତମାନ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ । ମୋ ଆଖପାଖର ଜୀବନ ଓ ସେମାନଙ୍କର ସଙ୍ଘର୍ଷ ଆଉ ସ୍ୱପ୍ନ ହିଁ ମୋତେ ସାହିତ୍ୟ ମନସ୍କ କରେଇଛି ପିଲାଦିନୁ । ଉଭୟ କବିତା ଆଉ ଗଳ୍ପ ଲେଖିବାକୁ ଭଲ ପାଏ l