ଉତ୍କଳ ସାହିତ୍ୟ ସମାଜର ୧୧୨ତମ ସମାବର୍ତ୍ତନ ସମାରୋହ ଉଦ୍ଯାପିତ

ଭୁବନେଶ୍ଵର : ସାଧନା ଏକ ନିରନ୍ତର ପ୍ରକ୍ରିୟା । ପ୍ରତିକୂଳ ପରିସ୍ଥିତିରେ ସାଧନା କରି ସଫଳତା ଲାଭ କରିଥିବା ବ୍ୟକ୍ତିମାନେ ଉତ୍ତରପିଢି ପାଇଁ ପ୍ରେରଣା ଓ ଉଦାହରଣ ସାଜିଥାନ୍ତି ବୋଲି କହିଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ । ଶତାବ୍ଦୀଭବନରେ ଆୟୋଜିତ ଉତ୍କଳ ସାହିତ୍ୟ ସମାଜର ୧୨୨ତମ ସମାବର୍ତ୍ତନ ସମାରୋହକୁ ଉଦ୍ଘାଟନ କରି ଜଷ୍ଟିସ ଦାଶ, ସାହିତ୍ୟ ସମାଜର ପ୍ରତିଭା ପୂଜା ପରମ୍ପରାକୁ ପ୍ରଶଂସା କରିବା ସହ ଏହି ଧାରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ସମାବର୍ତ୍ତନ ସମାରୋହରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ ସାହିତ୍ୟ ସମାଜକୁ ଓଡ଼ିଆ ସାହିତ୍ୟର ଐତିହ୍ୟ ଓ ପରମ୍ପରାର ଜଗୁଆଳି ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଶିଷ୍ଟ ସାରସ୍ଵତ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଶ୍ରୀ ଆଚାର୍ଯ୍ୟ କହିଲେ ଯେ, ଆଧ୍ୟାତ୍ମିକତା ସହ ପ୍ରଯୁକ୍ତିବିଦ୍ୟା ସାହିତ୍ୟରେ ଯୋଡ଼ି ହେଲେ ଏହା ବିଶ୍ଵସ୍ତରୀୟ ହୋଇପାରିବ । ଏହି ସମାରୋହରେ କୃପାସାଗର ସାହୁଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’, ରବି ସ୍ଵାଇଁଙ୍କୁ ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’, ଡକ୍ଟର ବୈଜୟନ୍ତୀ ମିଶ୍ରଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’, ଡାକ୍ତର ପ୍ରସନ୍ନ କୁମାର ରାଠୋରଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’, ଦୁର୍ଗାଚରଣ ଷଡ଼ଙ୍ଗୀଙ୍କୁ ‘ଗଙ୍ଗାଧର ମେହେର କବିତ ସମ୍ମାନ’, ଡକ୍ଟର ବେଣୁଧର ପାଢୀଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ଆଲୋଚନା ସାହିତ୍ୟ ସମ୍ମାନ’, ଡକ୍ଟର ରାଜକିଶୋର ପାଢୀଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ’, କ୍ଷୀରୋଦ ପରିଡ଼ାଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’, ଡକ୍ଟର ସଂଗୀତା ରଥଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’, ଗୌରାଙ୍ଗ ଚରଣ ପରିଡ଼ାଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’, ରବି ରଥଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’, ରତ୍ନାକର ବେହେରା (ସର୍ବଗିଳା)ଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’, ରମା ଦେବୀଙ୍କୁ ‘ବିଶ୍ଵନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’, ଯୋଗାନନ୍ଦ ସାହୁଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ’, ବି. ବୁଦ୍ଧପ୍ରସାଦ ରାଓଙ୍କୁ ‘କବିଚନ୍ଦ୍ର ସଙ୍ଗୀତଗୁରୁ ସମ୍ମାନ’, ଦେବାଶିଷ ମହାପାତ୍ରଙ୍କୁ ‘ଭିକାରି ବଳ କଣ୍ଠଶିଳ୍ପୀ ସମ୍ମାନ’, ସତ୍ୟନାରାୟଣ ମିଶ୍ରଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’, ସତ୍ୟନାରାୟଣ ଗନ୍ତାୟତଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’, ନଗେନ୍ଦ୍ରନାଥ ସ୍ଵାଇଁଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ’, ଶୈଳରାଣୀ ମିଶ୍ରଙ୍କୁ ‘ବାଗ୍ମୀ ବିଶ୍ଵନାଥ କର ସମ୍ପାଦନା ସମ୍ମାନ’, ବିଜୟ କୁମାର ପ୍ରଧାନଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହା ସହ ଅତିଥିମାନଙ୍କ ଦ୍ଵାରା ‘ପ୍ରତିଭା ପ୍ରଣାମ-୨୦୨୪’ ଓ ଅନୁଷ୍ଠାନର ବାର୍ତ୍ତାପତ୍ର ‘ସାହିତ୍ୟ ସନ୍ଦେଶ’ ଉନ୍ମୋଚିତ ହୋଇଥିଲା ।

ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଂଗଠନ ସମ୍ପାଦକ ଡକ୍ଟର ସୁନାମଣି ରାଉତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ତପନ କୁମାର ସ୍ଵାଇଁଙ୍କ ସମେତ ରୀତା ରାୟ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଅଧିକାରୀ, ବିଶ୍ଵମିତ୍ରା ମିଶ୍ର, ଗୋପା ଦାସ, ଡକ୍ଟର ସରସ୍ଵତୀ ପାତ୍ର, ଡକ୍ଟର ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ସମ୍ମାନିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଦେଇଥିଲେ । ଶଶିକାନ୍ତ ରାଉତ, ସରୋଜ ସାମଲ, ସୁକାନ୍ତ ପ୍ରସାଦ ନନ୍ଦ, ଶିବଶିଷ କର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *