ଲୋପାମୁଦ୍ରା ପରିଡ଼ା
ଶିଖ ପୁଅ …
ସତ୍ୟକୁ ଆୟୁଧ କରିବା ଶିଖ
ମୁଠେଇ ଧର ତୋ ମାଆର ପଣତ
ମୁଠା ଶକ୍ତ କର
ଯେମିତି କେହି ଚାହିଁବାର ସାହାସ କରିବେନି
ଆଜନ୍ମ ।
ପ୍ରକୃତି ସାରା ତୋର ମାଆ
ଜଗ ପୁଅ
ନିଜକୁ ଜଗ
ସବୁ ପରିସ୍ଥିତିରେ ନାରୀଟିଏ ପାଇଁ
ସମ୍ମାନ ବାଢି ରଖ ।
ମନେରଖ
ନାରୀ ତାକୁହି ବୁଲି ଚାହେଁ
ହୃଦୟ ଦିଏ
ଝୁରେ
ଯିଏ ତାକୁ ଚାବୁକରେ ନୁହେଁ
ହଳେ ଆଖିର ଭାବରେ
ସ୍ମିତକୁ ଆଞ୍ଜୁଳିରେ ମଲ୍ଲୀ ପରି ରଖେ
ତାକୁ ରାଧା ପାଲଟାଏ
ଯିଏ ତାର ଲଜ୍ଜାକୁ ସମ୍ମାନ ସହ
ସାଇତି ପାରେ ।
ବୁଝ ପୁଅ
ନା’ର ମାନେ “ନା” ହିଁ
ପ୍ରକୃତିକୁ ତାର ଋତୁ ଅନୁସାରେ ଫଳବତୀ ହବାକୁ ବାଟ ଦେ
ଦେ ତାକୁ ତୋ ଆକାଶର ଛାତି
ଯାହା ନାଆଁ “ଭରସା”
ସିଏ ଗଢୁ ନୀଡ଼ …
ତା ଖୁସିରେ
ତୁ କେବଳ ଯତ୍ନ ନେ
ମାଟି ବୋଳି ଦେ କାନ୍ଥରେ
ନହେଉ ଫାଟ
ସିଏ ତାର ଆଙ୍କୁ ଥାଉ ପିଠଉର ସଂସାର ।
ନଖିମାନେ ମରି ଯାଆନ୍ତୁ
ପାଉଁଶ ହେଇ ବହି ଯାଆନ୍ତୁ ଅବା ଉଡ଼ି ଯାଆନ୍ତୁ
ପ୍ରବୃତ୍ତିରୁ ତୋର
ଶିବ ହ
“ମୁଁ ଅଛି ତୋ ସାଥେସାଥେ” ଏତିକି କହି ଦେଖ
ତୋ ଅଗଣା ସାରା ସିଏ ଫୁଟେଇ ଦବ ସହସ୍ର ସୁଗନ୍ଧ ।
ତା ଆଖିରେ
ବିଶ୍ବାସ ହେଇ ବଞ୍ଚ,
ଘୋଡ଼େଇ ଦେଉଥାଆ ପ୍ରତିଥର
ତା’ ଅନ୍ୟମନସ୍କତାରେ
ଖସି ପଡୁଥିବା କାନ୍ଧକୁ ଓଢଣୀଟେ ।
ସେ ଜନ୍ମଜାତ ଦେବୀ
“ବିଜୟା”
ତୋ ଯଶ ବାନା
ତା ଅଗଣାରେ ।
ଏତିକି
ମନେରଖ …।
ପାନାଥୁର, ବାଙ୍ଗାଲୋର
ଲେଖକ ପରିଚୟ
ଏକାଧାରରେ ଜଣେ ଚିତ୍ରକର, ଗାଳ୍ପିକ ଓ କବି । ସୃଜନ ହିଁ ତାଙ୍କ ନିଶା କହିଲେ ଅତ୍ୟୁକ୍ତି ହେବନି । ବେଳେବେଳେ ବହି ପଢି ତାର ଚମତ୍କାର ସମୀକ୍ଷା ବି କରିଥାନ୍ତି ସେ ।