ଦେବବ୍ରତ ବାରିକ
ଗତିଶୀଳ ଜୀବନ କେବେକେବେ ଅମାନିଆ ବାଟରେ ପାଦ ରଖ ଦିଏ । ବଞ୍ଚିବାରର ରାହା ଖୋଜୁ ଥାଏ । ସଙ୍ଘର୍ଷ ଆଉ ଅକୁହା ଯନ୍ତ୍ରଣାକୁ ମନରେ ମାରି ପିଲାଙ୍କ ଭବିଷ୍ୟତ ପାଇଁ କିଛି ଦାୟିତ୍ଵକୁ ମୁଣ୍ଡରେ ମୁଣ୍ଡେଇ ଚାଲିଥାଏ । ବନ୍ତଳା ଏକ ଛୋଟ ଗାଆଁଟିଏ । ସେହି ଗାଆଁରେ ସ୍କୁଲ କହିଲେ ମାଇନର ଶ୍ରେଣୀ ପର୍ଯ୍ୟନ୍ତ ଅଛି ତେଣୁ ମାମୁନି ଅଷ୍ଟମ ଶ୍ରେଣୀରେ ପଢିବା ପାଇଁ ପାଖ ଗାଆଁରେ ଥିବା ହାଇସ୍କୁଲରେ ନାମ ଲେଖାଇଛି । ସେ ଶ୍ରେଣୀରେ ଭଲ ପାଠ ପଢେ । ସ୍କୁଲ ସାରମାନେ ମଧ୍ୟ ପ୍ରଶଂସା କରନ୍ତି । ମାମୁନି ଦେଖିବାକୁ ବି ଭାରି ସୁନ୍ଦର । ବାପାମାଆଙ୍କ ଅଲିଅଳି ଗୋଟିଏ ବୋଲି ଝିଅ । ସବୁଦିନ ଭଳି ଆଜି ବି ସେ ପାଠ ପଢିବା ଉଦ୍ଦେଶ୍ୟରେ ସ୍କୁଲକୁ ଯାଉଥିଲା । ଛୁଟି ହେଲାପରେ ଘରକୁ ଫେରି ଆସୁଥିଲା । ସବୁଦିନ ବହୁତ ମନ ଖୁସିରେ ସ୍କୁଲରୁ ଘରକୁ ଫେରେ । ସେଦିନ ବହୁତ ଖୁସି ହୋଇ ଘରକୁ ଫେରୁଥିଲା । ଫେରିଲାବେଳେ ମନେମନେ ଭାବୁଥିଲା ସେ ଭଲ ପାଠ ପଢି ବଡ଼ ହେଲେ ବଡ଼ ଚାକିରିଟିଏ କରିବ, ବାପାମାଆଙ୍କର ନାଆଁ ରଖିବ । ଦୁଃଖର ଦିନ ସରି ପୁଣି ଖୁସିର ଲହରୀ ଖେଳିବ ତା ପରିବାରରେ । ଏହି ସମୟରେ ଗାଆଁଆଡୁ ଜଣେ ଲୋକ ଆସି କହିଲା :
– ମାମୁନି…ମାମୁନି ….ତୋ ବାପାଙ୍କର ଆଜି ଗାଆଁ ପାଖ ଆମ୍ବ ଗଛ ପୋଲ ପାଖରେ ଆକ୍ସିଡେଣ୍ଟ୍ ହେଇଯାଇଛି । ମୁଣ୍ଡରେ ପଥର ବାଜିଛି । ବହୁତ ରକ୍ତ ବୋହୁଛି । ଶୀଘ୍ର ଘରକୁ ଚାଲ୍ । ଡାକ୍ତରଖାନାକୁ ଶୀଘ୍ର ନନେଲେ ଅସୁବିଧା ହେବ । ଆମ୍ବୁଲାନ୍ସ ଆସିଗଲାଣି ।
ସେ ଲୋକର କଥା ସରିଛି କି ନାହିଁ ମାମୁନି ସିଧା କାନ୍ଦିକାନ୍ଦି ଏକମୁହାଁ ହୋଇ ଘରକୁ ଦୌଡ଼ିବାକୁ ଲାଗିଲା । ଆସି ଦେଖେ ତ ଘରେ ତାଲା ପଡ଼ିଛି । କ’ଣ କରିବ ଭାବି ଘର ବାରଣ୍ଡାରେ ବସି ପଡ଼ିଲା । ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କ’ଣ ଭାବୁଥିଲା କେଜାଣି ।
“ଏ ମାମୁନି…ମାମୁନି… ! ଶୁଣୁଛୁ , ତୋ ବାପାଙ୍କୁ ତୋ ମାଆ ଆଉ ଗାଆଁ ଲୋକ ସାଥିରେ ଡାକ୍ତରଖାନାକୁ ନେଇଛନ୍ତି । ତୁ ଜମା ବ୍ୟସ୍ତ ହୁଅ ନା । ସେ ଶୀଘ୍ର ଭଲ ହୋଇଯିବେ । ନେ ପାଣି ଟିକେ ପିଇ ଦେ’ ।” ମାମୁନିକୁ ତା’ର ଜଣେ ସମ୍ପର୍କୀୟ ନାନୀ କହିଲେ । ହେଲେ ମାମୁନି ମନରେ ଅନେକ ଚିନ୍ତା । ଦୁଃଖ ବି ଏକା ଆସେ ନାହିଁ । ଆସିଲେ ସେ ପିଲା କୁଟୁମ୍ବ ଧରି ଆସିଥାଏ । ବାପା କଥା ସେ ମନେମନେ ଚିନ୍ତା କରୁଥାଏ । ଆଖିରେ ଥାଏ ଅନେକ ପ୍ରଶ୍ନ ଅନେକ ଲୁହର ଧାର । ବାପା କେମିତି ଥିବେ । ସେ ଶୀଘ୍ର ଭଲ ହେବେ କି ନାହିଁ ? କେତେ ଥର ତାଙ୍କୁ ମାଆ ବୁଝାଇ କହିଛି । ମଦ ପିଇବ ନାହିଁ । ମଦ ପିଇ ଜୋର୍ ରେ ଗାଡ଼ି ଚଳେଇବ ନାହିଁ । ଗାଡ଼ି ଚଳାଇଲାବେଳେ ହେଲମେଟ ପିନ୍ଧିବ । ଦରକାର ନଥିଲେ ଘରୁ କୁଆଡ଼େ ଯିବ ନାହିଁ । ହେଲେ ବାପା କ’ଣ ବୁଝୁଥିଲେ ! ଓଲଟି ମାଆକୁ ଗାଳି କରୁଥିଲେ, ମାରୁ ଥିଲେ । ହେଲମେଟ ନପିନ୍ଧିଲେ କେଉଁ ପୋଲିସ୍ ତାକୁ ଧରିବ ? କେବେ ବି ବାପା ମାଆ କଥାକୁ ମାନିଲେ ନାହିଁ । ମୁଁ ତ ଛୋଟ ପିଲା, ମୋ କଥାକୁ କିଏ ପଚାରେ ! କେତେଥର କହିଛି ବାପାଙ୍କୁ, ମଦ ନପିଇବାକୁ । ଜୋର୍ ରେ ଗାଡ଼ି ନଚଲାଇବାକୁ । ଗାଡ଼ିରେ ଯିବାବେଳେ ହେଲମେଟ ପିନ୍ଧିବାକୁ ।
ଏମିତି ଭାବୁଭାବୁ ହଠାତ ଆମ୍ବୁଲାନ୍ସ ଆସି ଘର ଦୁଆରେ ଛିଡ଼ା ହୋଇଗଲା । ଉଠି କି ଦୌଡ଼ିଗଲା ମାମୁନି ବାପା ବାପା କହି । ଯାଇ ଦେଖେ ତ ବାପା ତା’ର ଆଉ ନାହାଁନ୍ତି । ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବୋଲି ଡାକ୍ତରଖାନା ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା ।
ସଙ୍ଗେ ସଙ୍ଗେ ପରିବେଶ କାନ୍ଦ ବୋବାଳିରେ ଫାଟିଗଲା । ମାମୁନି ଆଉ ତା ମାଆ ମୁଣ୍ଡ ପିଟିପିଟି କାନ୍ଦୁଥାନ୍ତି । ଆଜି ମାମୁନି ବାପଛେଉଣ୍ଡ ହୋଇଗଲା ।କାହାକୁ ବାପା ବୋଲି ଡାକିବ ? କିଏ ତାର ଯତ୍ନ ନେବ ? କିଏ ତାକୁ ପାଠ ପଢେଇବ ? ମାମୁନିର ଆଖିରୁ ଝରି ଯାଉଥିଲା ଲୁହ ନଈ । ମାମୁନିର ମାଆର ଅବସ୍ଥା ତ ନ କହିବା ଭଲ । ସେ ଜଣେ ସାଧାସିଧା ସରଳ ନୀରିହା ସ୍ତ୍ରୀଲୋକ । କାହାକୁ କିଛି କହନ୍ତି ନାହିଁ । ନିଜ ଘରେ ନିଜ କାମ କରନ୍ତି । ଅଳ୍ପ ବୟସରେ ବିଧବା ହେଇଯିବେ ବୋଲି ସେ କେବେ ସ୍ୱପ୍ନ ରେ ଭାବି ନଥିଲେ । ଭାଗ୍ୟର ବିଡ଼ମ୍ବନା । କିଏ କଣ ବା କହିପାରିବ ! ମାତ୍ର ଭଗବାନ ଏ ଦୁଃଖ କାହାକୁ ନଦିଅନ୍ତୁ । ମାଆ ଝିଅ କେଉଁ ଜନମରେ କି ଦୋଷ କରିଥିଲେ କିଏ ଜାଣିଛି । ଏଇ ଜନମରେ ତାହା ଭୋଗିବାକୁ ପଡ଼ିଲା । ମାମୁନିର ବାପା ବି ଭାରି ଭଲ ଲୋକ ଥିଲା । ମଦ ସିନା ପିଏ । ହେଲେ କାହାକୁ କେବେ ଖରାପ ବ୍ୟବହାର କରେନି । ଲୋକମାନେ ପରସ୍ପରକୁ କୁହାକୁହି ହେଉଥିଲେ ।
ମାମୁନିର ବାପା ହେଲମେଟ ପିନ୍ଧିଥିଲେ ହୁଏତ ବଞ୍ଚି ଯାଇଥାନ୍ତା । କିଏକିଏ କହୁଥିଲେ ସେ ମଦ ନ ପିଇଥିଲେ ବଞ୍ଚି ଯାଇଥାନ୍ତେ । କିଏକିଏ କହୁଥିଲେ ଗାଡ଼ି ଦ୍ରୁତ ଗତିରେ ଥିଲା ବୋଲି ଭାରସାମ୍ୟ ହରାଇବାରୁ ଏ ପ୍ରକାର ଅଭାବନୀୟ ଘଟଣା ଘଟିଲା । କିଏ କହୁଥିଲା ହେଲମେଟ ଯୋଗୁଁ ଗୋଟିଏ ସୁଖର ପରିବାରରେ ଦୁଃଖ ଭରିଗଲା । ମାମୁନି ଏବେ କ’ଣ କରିବ ? ପାଠ ପଢି ବଡ଼ ଚାକିରି କରିବ ନା ପାଠ ପଢାରେ ତା’ର ଡୋରି ବନ୍ଧା ହେବ ? ଏମିତି ଅନେକ କଥା । ସେପଟେ କୋକେଇରେ ବୁହା ହେଲେଣି ମାମୁନିର ବାପା । କାନ୍ଦ ବୋବାଳି ଭିତରୁ.. ଶୁଭୁଥିଲା
ରାମ ନାମ ସତ୍ୟ ହେ….
ହରି ନାମ ସତ୍ୟ ହେ….
ଆସା ମୋ ଅଧୁରା ରହିଗଲା, ବାପା !
ଫେରିବ କି ମୋ ପାଇଁ
ଅଳି କରିବିନି ତୁମ ପାଖେ କେବେ
ଚାଲି ଗଲ କାଇଁ ପାଇଁ…. ?
ଆନନ୍ଦପୁର, କେନ୍ଦୁଝର, ସମ୍ପାଦକ ପ୍ରୀତି ପ୍ରଣତି
ଲେଖକ ପରିଚୟ
ଲେଖିକ ଗଳ୍ପ, କବିତା ସହିତ ଏକପଦୀ ଲେଖାଲେଖି କରନ୍ତି । “ପ୍ରୀତି ସୁବର୍ଣ୍ଣ” ତାଙ୍କର ପ୍ରଥମ ଗଳ୍ପ ସଂକଳନ ଓ ପରେପରେ ପ୍ରକାଶ ପାଇଛି ତାଙ୍କର ଦୁଇଟି କବିତା ସଂକଳନ “ପ୍ରୀତି ସ୍ପର୍ଶରେ କାର୍ତ୍ତିକ” ଓ “ବୈଶାଖୀର ବାଲିଝଡ଼” । ପିଲାଦିନୁ ଲେଖାଲେଖିରେ ରୁଚି ରଖୁଥିବା ଦେବବ୍ରତ ମାତ୍ର ମାତୃଭାଷା ମୋହରେ ଜଣେ ଯୁବଲେଖିକ ଭାବେ କଥାସାହିତ୍ୟ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । “ପ୍ରୀତି ପ୍ରଣତି ସାହିତ୍ୟ ପରିବାର”ର ପ୍ରତିଷ୍ଠାତା ଓ ସମ୍ପାଦକ ଭାବେ ବର୍ତ୍ତମାନ ସେ କାର୍ଯ୍ୟରତ ।