ଭାଗ୍ୟଶ୍ରୀ ନନ୍ଦ
“ଗୁକାରୋନ୍ଧକାରସ୍ତୁ ଗୁକାରସ୍ତନ୍ନବର୍ତ୍ତକଃ,
ଅନ୍ଧକାର ନିବୃତ୍ୟାୟ ଚାରୁରିତ୍ୟଭିଧୀୟତେ।”
ଅର୍ଥାତ୍ ‘ଗୁ’ ଅର୍ଥ ଅନ୍ଧକାର, ‘ରୁ’ ଅର୍ଥ ଅଜ୍ଞାନ। ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକକୁ ପ୍ରଦାନ କରିବାରେ ଶିକ୍ଷକମାନେ ସମର୍ଥ ହୋଇଥିବାରୁ ତାଙ୍କୁ ‘ଗୁରୁ’ ଆଖ୍ୟା ପ୍ରଦାନ କରାଯାଇଛି ।
ଆମ ଭାରତବର୍ଷରେ ଗୁରୁଙ୍କ ସ୍ଥାନ ଶ୍ରେଷ୍ଠ ଅଟେ । ଜନ୍ମରୁ ଶୈଶବ, ଶୈଶବରୁ ବାଲ୍ୟାବସ୍ଥା, ବାଲ୍ୟାବସ୍ଥାରୁ କିଶୋରବସ୍ଥା ଏବଂ ବୟସର ସ୍ୟାହାନ୍ନ ପର୍ଯ୍ୟନ୍ତ ପ୍ରତ୍ୟେକଟି ମଣିଷ ପାଇଁ ଗୁରୁଟିଏ ଆବଶ୍ୟକ ହୋଇଥାଏ । ସର୍ବଶ୍ରେଷ୍ଠ ଗୁରୁ ପରମାତ୍ମା ଏବଂ ନିଜ ପିତାମାତା । ଦେଖିବା ପାଇଁ ଚାହିଁଲେ ଏ ଜୀବଜଗତର ପ୍ରତିଟି କୋଣ ଅନୁକୋଣରେ ଗୁରୁଙ୍କ ଦର୍ଶନ କରିହେବ ।
“ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା । ଚକ୍ଷରୁନ୍ନିଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ ।”
ଏହିମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛନ୍ତି । ଗୁରୁ ଏକ ମହାନ ବ୍ୟକ୍ତିତ୍ୱକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇପାରେନା, ତାହା ଗୁରୁକୃପା ଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରଯାଇଥାଏ । ପୁରାଣମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ପବିତ୍ର ସତ୍ତା ଓ ଏକ ଅନୁଭବ । ସେଥିପାଇଁ ଏହା ବର୍ଣ୍ଣିତ ହୋଇଛି ଯେ , ପ୍ରଥମ ଗୁରୁ ମାତା, ଦ୍ଵିତୀୟ ଗୁରୁ ଆଚାର୍ଯ୍ୟ, କର୍ମଗୁରୁ ପିତା , ଧର୍ମଗୁରୁ ମନ୍ତ୍ରଦାତା, ପୂର୍ବପୁରୁଷମାନେ ଆମର ଆତ୍ମାଗୁରୁ, କର୍ମକାଣ୍ଡରେ ପୁରୋହିତ ଗୁରୁ , ନିୟମକାରକ ଗୁରୁ ଵୃହସ୍ପତି, ସର୍ବଜୀବଙ୍କ ଗୁରୁ ହେଲେ ବ୍ରହ୍ମା, ପରମାତ୍ମା ସ୍ୱୟଂ ଗୁରୁ ।
ପୁରାଣ ଚରିତ୍ର ଅନୁସାରେ ଅବଧୂତ ବା ଦତ୍ତାତ୍ରେୟ ମୁନି ଚବିଶ ଗୁରୁ କରିଥିଲେ । ବେଦବ୍ୟାସଙ୍କୁ ଗୁରୁଙ୍କ ଗୁରୁ ବୋଲି କୁହାଯାଏ । ବେଦ ଓ ପୁରାଣ ସହିତ ସେ ହିନ୍ଦୁ ମହାକାବ୍ୟ ମହାଭାରତର ରଚୟିତା । ପର୍ଶୁରାମଙ୍କୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ବୋଲି କୁହାଯାଏ । ସେ ପିତାମହ ଭୀଷ୍ମ ଏବଂ ଓ ଦ୍ରୋଣାଚାର୍ଯ୍ୟଙ୍କ ମୁଖ୍ୟ ଗୁରୁଥିଲେ । ସେ ଦୁର୍ଯୋଧନଙ୍କ ପ୍ରିୟ ବନ୍ଧୁ ତଥା କୁନ୍ତିଙ୍କ ଜ୍ୟେଷ୍ଠପୁତ୍ର କର୍ଣ୍ଣଙ୍କୁ ମଧ୍ୟ୍ୟ ଯୁଦ୍ଧ ବିଦ୍ୟା ଶିଖାଇଥିଲେ । ଦ୍ରୋଣାଚାର୍ଯ୍ୟଙ୍କୁ ସବୁଠାରୁ ଲୋକପ୍ରିୟ ପୌରାଣିକ ଗୁରୁ ବୋଲି କୁହାଯାଏ । ଦ୍ରୋଣାଚାର୍ଯ୍ୟ ଉଭୟ ପାଣ୍ଡବ ଓ କୌରବଙ୍କ ଗୁରୁ ଥିଲେ । ହସ୍ତିନାପୁର ରାଜାମାନଙ୍କୁ ଯୁଦ୍ଧ ବିଦ୍ୟା ଶିଖାଇଥିଲେ ଦ୍ରୋଣାଚାର୍ଯ୍ୟ । ଏକଲବ୍ୟ ଦ୍ରୋଣାଚାର୍ଯ୍ୟଙ୍କୁ ଅନୁସରଣ କରି ଯୁଦ୍ଧକଳାର ଜ୍ଞାନ ଆହରଣ କରିଥିଲେ । ବାଲ୍ମିକୀ ପବିତ୍ର ଗ୍ରନ୍ଥ ରାମାୟଣର ରଚୟିତା । ଭଗବାନ ରାମଙ୍କର ସେ ଗୁରୁ ଥିଲେ । ଏହାସହିତ ରାମ ଓ ସୀତାଙ୍କ ପୁତ୍ର ଲବ ଓ କୁଶଙ୍କ ଗୁରୁ ମଧ୍ୟ ଥିଲେ । ବଶିଷ୍ଠଙ୍କୁ ଜଣେ ମହାନ୍ ସପ୍ତର୍ଷି କୁହାଯାଏ । ରାଜା ଦଶରଥଙ୍କ ପୁତ୍ର ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ସେ ଗୁରୁ ଥିଲେ । ସେହିପରି ଅନ୍ୟ ଜଣେ ଗୁରୁ ହେଉଚନ୍ତି ବିଶ୍ୱାମତ୍ର । ସେ ପବିତ୍ର ଗାୟତ୍ରୀ ମନ୍ତ୍ରର ରଚୟିତା । ଏହା ସହିତ ସେ ରାମ ଓ ଲକ୍ଷ୍ମଣଙ୍କ ଗୁରୁ ଥିଲେ। ବେଦଶାସ୍ତ୍ର ବ୍ୟତୀତ ଯୁଦ୍ଧ ବିଦ୍ୟାରେ ମଧ୍ୟ ସେ ନିପୁଣ ଥିଲେ । ଦେବତାମାନଙ୍କ ଗୁରୁ ହେଉଛନ୍ତି ବୃହସ୍ପତି। ଭୃଗୁ ମୁନିଙ୍କ ପୁତ୍ର ହେଉଛନ୍ତି ଶୁକ୍ରାଚାର୍ଯ୍ୟ । ସେ ଦୈତୀ, ଦାନଵ ଏବଂ ରାକ୍ଷସ ମାନଙ୍କ ଗୁରୁ ଥିଲେ । ମହାଭାରତରେ ସେ ଭୀଷ୍ମ ପିତାମହଙ୍କ ପରାମର୍ଶଦାତା ଥିଲେ । ଯୁବାବସ୍ଥାରେ ସେ ତାଙ୍କୁ ରାଜନୀତି ବିଜ୍ଞାନ ଶିକ୍ଷା ଦେଇଥିଲେ । ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ଗୌତମ ବୁଦ୍ଧଙ୍କ ଗୁରୁ ଥିଲେ ଏକ ଜରାଗ୍ରସ୍ତ ବ୍ୟକ୍ତି, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ । ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କର ଗୁରୁ ଥିଲେ । ସେହିପରି ଚାଣକ୍ୟ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଗୁରୁ ଥିଲେ | ଶିବାଜୀ ମହାରାଜଙ୍କର ଗୁରୁ ଥିଲେ ସ୍ୱାମୀ ରାମ ଦାସ ।
ଯୁଗେଯୁଗେ ଗୁରୁ-ଶିଷ୍ୟ ପରମ୍ପରା ସହିତ ଗୁରୁଦକ୍ଷିଣା ମଧ୍ୟ୍ୟ ଜଡ଼ିତ । ଆଋଣୀ, ଏକଲବ୍ୟ , ଭୃଗୁ , ନଚିକେତା , ଉପମନ୍ୟୁ ଆଦି ଅନେକ ଶିଷ୍ୟ ଗୁରୁଭକ୍ତି ପାଇଁ ଅମର ହୋଇ ଯାଇଛନ୍ତି । ଗୁରୁଭକ୍ତିର ପରାକାଷ୍ଠା ଦେଖାଇ ଏକଲବ୍ୟ ତାଙ୍କର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଦାନ କରିଥିଲେ । କୃଷ୍ଣ-ବଳରାମ ମଧ୍ୟ ଅନୁରୂପ ଭାବରେ ଗୁରୁଦକ୍ଷିଣା ସ୍ୱରୂପ ଯମରାଜଙ୍କ ନିକଟରୁ ଗୁରୁଙ୍କର ଏକମାତ୍ର ପୁତ୍ର ପୁନର୍ଦତଙ୍କୁ ଫେରାଇ ଆଣିଥିଲେ ।
ଭାରତବର୍ଷରେ ଗୁରୁ ପରମ୍ପରା ଶ୍ରୀମନ୍ନାରାୟଣଙ୍କ ଠାରୁ ଆରମ୍ଭ ହୋଇ, ଆଦିଶଙ୍କରଙ୍କ ପର୍ଯ୍ୟନ୍ତ ଦୀର୍ଘ ବର୍ଷର ଯାତ୍ରାରେ । ଗୁରୁମାନେ ହିଁ ଶିଷ୍ୟଙ୍କୁ ସବୁବେଳେ ସତ୍ପଥର ଯାତ୍ରୀ ହେବା ପାଇଁ ମାର୍ଗଦର୍ଶନ ଦେଇଥାନ୍ତି । ସେଥିପାଇଁ ଭାଗବତକାର ସନ୍ଥ ଜଗନ୍ନାଥ ଦାସ କହିଥିଲେ, “ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ୍ ଈଶ୍ୱର ।” ପୌରାଣିକ ଯୁଗରେ ଗୁରୁ ସଙ୍ଗ ଲାଭ କରିବା ପାଇଁ, ଶିଷ୍ୟମାନଙ୍କୁ ପିତାମାତାମାନେ ପୂର୍ବ ପ୍ରସ୍ତୁତି କରାଉଥିଲେ । ଏହି ଗୁରୁ-ଶିଷ୍ୟଙ୍କ ପରମ୍ପରା ଆଜିର ନୁହେଁ। ବହୁ ପ୍ରାଚୀନ। ହିନ୍ଦୁ ପୌରାଣିକ ଶାସ୍ତ୍ରରେ ଗରୁ–ଶିଷ୍ୟଙ୍କ ଅନେକ କାହାଣୀ ଲିପିବନ୍ଧ ହୋଇ ରହିଛି । ପୌରାଣିକ କଥାବସ୍ତୁ କୁହେ, ରାଜ ଉଆସ ଛାଡ଼ି ରାଜକୁମାର ଓ ରାଜକୁମାରୀମାନେ ଗୁରୁକୁଳ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ଶିକ୍ଷା ସମାପ୍ତ ହେବାପରେ ହିଁ ସେମାନେ ରାଜ ଉଆସକୁ ଫେରୁଥିଲେ ।
ଯେତେବେଳେ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ଲୋକେ ବାନର ରାକ୍ଷସ ସମ ଜୀବନ ଅତିବାହିତ କରୁଥିଲେ ସେତେବେଳକୁ ଭାରତରେ ‘ଗୁରୁ ଶିଷ୍ୟ’ ପରମ୍ପରା ବିକଶିତ ହୋଇସାରିଥିଲା ।
ବେଦ ଗ୍ରନ୍ଥଗୁଡି଼କ ‘ଗୁରୁ’ ତାଙ୍କ ‘ଶିଷ୍ଯ’ଙ୍କୁ ଦେଉଥିଵା ଶିକ୍ଷାର ଅଂଶବିଶେଷ ମାତ୍ର । ଜ୍ଞାନ ଗ୍ରହଣରେ ବୟସର ବିଚାର କରାଯାଏ ନାହିଁ। ଏହି ପ୍ରସଙ୍ଗରେ ମହର୍ଷି ମନୁ କହିଛନ୍ତି ଯେ, କେବଳ କେଶ ପାଚିଗଲେ ଜଣେ ବୃଦ୍ଧ ହୋଇଯାଏ ନାହିଁ । ଯିଏ ଯୁବକ ହେଲେ ମଧ୍ୟ୍ୟ ଜ୍ଞାନପିପାସୁ ହୋଇ ଅଧ୍ୟୟନରତ ତାଙ୍କୁ ଦେବତାମାନେ ମଧ୍ୟ୍ୟ ବୃଦ୍ଧ ହୋଇ ଜାଣିଥାନ୍ତି । ସେହିପରି ମହାକବି କାଳିଦାସ କୁମାର ସଂଭବମ୍ ମହାକାବ୍ୟରେ ପାର୍ବତୀଙ୍କ ତପସ୍ୟା ପରିପ୍ରେକ୍ଷୀରେ ବର୍ଣ୍ଣନା କରିଛନ୍ତି – “ନ ଧର୍ମବୃଦ୍ଧେଷୁ ବୟ ସମୀକ୍ଷ୍ୟତେ ।” ତେଣୁ ଅଳ୍ପ ବୟସର ବ୍ରାହ୍ମଣ ମଧ୍ୟ୍ୟ ବୟସ୍କ ବ୍ୟକ୍ତିଙ୍କୁ ବେଦ ଓ ଶାସ୍ତ୍ର ଶିକ୍ଷାଦାନ କରି ତାଙ୍କର ଗୁରୁ ହୋଇ ପାରନ୍ତି । ମନୁ ସଂହିତାର ଦ୍ଵିତୀୟ ଅଧ୍ୟ୍ୟାୟରେ ୧୪୬ତମ ଶ୍ଳୋକରେ ମନୁ କହିଛନ୍ତି – “ଜନ୍ମଦାତା ଏବଂ ବେଦବିଦ୍ୟାଦାତାଙ୍କ ମଧ୍ୟ୍ୟରେ ବେଦବିଦ୍ୟାଦାତା ହିଁ ମହାନ ।” ସର୍ବପଲ୍ଲୀ ରାଧାକ୍ରିଷ୍ଣନ କହିଛନ୍ତି- ଜଗତ ହେଉଛି ଆତ୍ମାମୟ | ଜୀବତ୍ମା ଏହାରି ମଧ୍ୟ୍ୟରେ ଘୁରି ଘୁରି ଜନ୍ମଗ୍ରହଣ କରୁଛି | ଏଣୁ ପ୍ରତ୍ୟେକ ଜୀବତ୍ମାର ଲକ୍ଷ୍ୟ ହେଉଛି ପରଂବ୍ରହ୍ମ ସହିତ ଜଡ଼ିତ ହୋଇଯିବା ଓ ପୂର୍ଣ୍ଣାବସ୍ଥା ପ୍ରାପ୍ତ ହେବା । ଯେପରି ନଦୀନାଳ ଗୁଡ଼ିକର ଶେଷ ଲକ୍ଷ୍ୟ ହେଉଛି ନିଜକୁ ସାଗରରେ ମିଶାଇଦେବା, ଆତ୍ମାର ଉନ୍ନତି ନିମନ୍ତେ ସତକର୍ମ ଓ ଐଶୀଶକ୍ତି ଆବଶ୍ୟକ । ଏହି ଐଶୀଶକ୍ତି ଓ ପ୍ରେରଣା ଗୁରୁଙ୍କଠାରୁ ହିଁ ଆସିଥାଏ ।”
ଏଣେ ଆଧୁନିକତାର ଦ୍ୱାହି ଦେଇଥିବା ମାନବସମାଜ ଧୀରେ ଧୀରେ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରାର ପବିତ୍ର ସମ୍ପର୍କକୁ ଭୁଲିବାକୁ ନଲାଗି ଏହାକୁ ଆପଣାଇବାର ପ୍ରୟାସ କରିଲେ, ଆଧୁନିକତା ମଧ୍ୟ୍ୟରେ ଆମର ସଂସ୍କୃତି ପରମ୍ପରା, ବେଦ, ପୁରାଣ, ଉପନିଷଦର ପୁନଃବିକାଶ ଓ ଗଠନ ହୋଇପାରିବ ।
ଭି.ଏସ.ଏସ. ନଗର, ଭୁବନେଶ୍ୱର, ମୋ – ୯୪୩୭୭୬୩୪୯୧
ଲେଖକ ପରିଚୟ
ମାତ୍ର ଆଠ ନଅ ବୟସରୁ, ସାଙ୍ଗସାଥୀ ମାନଙ୍କ ସହ ଖେଳିବା ବୁଲିବା ସମୟରେ ଶବ୍ଦକୁ ଗୁନ୍ଥି କବିତାର ରୂପ ଦେବାର ପ୍ରୟାସ ଆରମ୍ଭ କରିଥିଲି । ଧୀରେଧୀରେ ଏହି ପ୍ରକ୍ରିୟାରେ ଗଳ୍ପ ମଧ୍ୟ୍ୟ ଯୋଡ଼ି ହୋଇ ଯାଇଥିଲା । ବହିଟିଏ ପାଇଲେ ଖୁସିରେ ପଢିବା ସହିତ, ଲେଖିବାର ଅଭ୍ୟାସ ମୋତେ ଜୀବନ୍ତ ହୋଇ ରହିବାର ଅନୁଭୂତି ସହ ପରିଚିତ କରାଉଥିଲା । ଜୀବନର ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ହସ, ଲୁହ, ରାଗ, ଦୁଃଖ ଏବଂ ଭିନ୍ନ ଭିନ୍ନ ଚରିତ୍ରର ସମାହାରରେ କିଛି ଗଳ୍ପ ଏବଂ କବିତାର ସୃଷ୍ଟି ହୋଇପାରିଛି ।