ଭୁବନେଶ୍ୱର : କପିଳେନ୍ଦ୍ରଦେବ ନଥିଲେ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ସାରଳା ଦାସ ନଥାନ୍ତେ । ତାଙ୍କୁ ଓଡ଼ିଆରେ ମହାଭାରତ ଲେଖିବା ପାଇଁ ସଂସ୍କୃତ ପଣ୍ଡିତମାନେ ବିରୋଧ କରୁଥିଲେ । କପିଳେନ୍ଦ୍ରଦେବ ହିଁ ତାଙ୍କୁ ରାଜଦରବାରକୁ ନିମନ୍ତ୍ରଣ କରି ସରଳ ଭାଷାରେ ମହାଭାରତ ଲେଖିବା ପାଇଁ ଉତ୍ସାହିତ କରିଥିଲେ । ଏହାସହ ଦରବାରର ଅନ୍ୟ ପଣ୍ଡିତଙ୍କୁ କେବଳ ରାଜଦରବାରରେ ଆମ ଗୌରବକୁ ସୀମିତ ନରଖିବାକୁ ପରାମର୍ଶ ଦେଇଥିଲେ । କପିଳେନ୍ଦ୍ରଦେବଙ୍କ ଏହି ନିଷ୍ପତ୍ତି ପାଇଁ ଆଜି ଘରେଘରେ ଓଡ଼ିଆ ମହାଭାରତ ପଢା ହେଉଛି । ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ଲେଖକ ଡା. ଇନ୍ଦ୍ରମଣି ଜେନାଙ୍କ ଲିଖିତ ପୁସ୍ତକ ‘ଦିଗବିଜୟୀ ଗଜପତି (ବିଜୟ ବାହୁଡ଼ା)’ ଓ ସମ୍ପାଦିତ ପୁସ୍ତକ ‘ଆମ ଚଳଣି, ଆମ ଚରିତ୍ର। ଆମ ଚମକ’ର ଲୋକର୍ପଣ ଉତ୍ସବରେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହା କହିଛନ୍ତି ।
ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯକ୍ରମରେ ଶ୍ରୀ ହରିଚନ୍ଦନ ଆହୁରି କହିଲେ, ଯେଉଁ ରାଜ୍ୟ ଦିନେ ଗଙ୍ଗାରୁ କୃଷ୍ଣା ନଦୀ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା, ସେ ଜାତି ଶୋଇପଡ଼ିଲେ ହେବ ନାହିଁ । ଉତ୍କଳର ପୂର୍ବପୁରୁଷ ସଂଗ୍ରାମୀ, ଲଢୁଆ ବୀର ଥିଲେ । ସେ ଗର୍ବିତ ଇତିହାସକୁ ଭୁଲିଗଲେ ହେବ ନାହିଁ । ଓଡ଼ିଆ ଜାତି ଦୁର୍ଦ୍ଧର୍ଷ ସାମରିକ ଜାତି ଓ ଗଜପତି କପିଳେନ୍ଦ୍ରଦେବ ଥିଲେ ଦୁର୍ଦ୍ଧର୍ଷ ସମ୍ରାଟ । ଜୀବନରେ ସେ ପରାଜୟର ସ୍ଵାଦ ଚାଖିନାହାନ୍ତି । ତାଙ୍କ ଦିଗବିଜୟୀ କାହାଣୀ ସର୍ବଦା ଏ ଜାତିକୁ ଅନୁପ୍ରାଣିତ କରୁଥିବ ।
ସମ୍ମାନିତ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଇତିହାସର ଉପାଦାନ ଆମକୁ ଉଦବୁଦ୍ଧ କରେ । ତେଣୁ ଅତୀତକୁ ଓଡ଼ିଶାବାସୀଙ୍କ ମାନସପଟରେ ସରଂକ୍ଷିତ ରଖିବା ଐତିହାସିକମାନଙ୍କର ଗୁରୁଦାୟିତ୍ଵ । ଇତିହାସ ଏପରି ଲେଖାଯିବା ଆବଶ୍ୟକ, ଯାହା ପାଠକଙ୍କ ମଧ୍ୟରେ ଶିହରଣ ଖେଳାଇ ପାରୁଥିବା । କପିଳେନ୍ଦ୍ରଦେବଙ୍କ ବିଷୟରେ ଲିଖିତ ଏହି ପୁସ୍ତକ ଜଗନ୍ନାଥ ଚେତନା ଓ ସ୍ବାଭିମାନର କଥା କହୁଛି । ଇତିହାସ ଏକ ବଡ଼ ଘଟଣା । ଏହାକୁ ରୋମାଞ୍ଚିତ କରିବା ଭଳି ଲେଖାଯିବା ଆବଶ୍ୟକ । ଓଡ଼ିଶାର ଇତିହାସ ଯେପରି ଓଡ଼ିଶାର ପ୍ରତି ବିଦ୍ୟାଳୟରେ ବାଧ୍ୟତାମୂଳକ ହେବ, ସେଥିପ୍ରତି ସମସ୍ତେ ଏକମତ ହେବା ଆବଶ୍ୟକ । ଜାତୀଯତା ଓ ସ୍ୱାଭିମାନ ଅଭାବର ମୁଖ୍ୟ କାରଣ ହେଲା ଆମେ ଆମ ଇତିହାସକୁ ନେଇ ଯେତିକି ସଚେତନ ହେବା କଥା, ସେତିକି ନୋହୁଁ । ସଚେତନ କରାଇବା ପାଇଁ ଇତିହାସ ଏକ ମାଧ୍ୟମ । କପିଳା ରାଉତ କପିଳେନ୍ଦ୍ରଦେବ ହେବା, କେବଳ ଏଇ ଉତ୍କଳରେ ହିଁ ସମ୍ଭବ । ଯେଉଁମାନେ ପାରିବାରିକ ଶାସନ କଥା କହୁଛନ୍ତି, ଉତ୍ତରାଧିକାରୀ ସୂତ୍ରରେ ରାଜତନ୍ତ୍ରକୁ ଉପଭୋଗ କରିବା କଥା କହୁଛନ୍ତି, ସେମାନେ ଓଡ଼ିଶାର ଗୌରବମୟ ଇତିହାସ ପଢିବା ଆବଶ୍ୟକ ।
ମୁଖ୍ୟବକ୍ତା ବିଶିଷ୍ଟ ଐତିହାସିକ ପ୍ରଫେସର ନୀହାରରଞ୍ଜନ ପଟ୍ଟନାୟକ କହିଥିଲେ, ନିଜ ଅତୀତ ପିଢିଙ୍କ ଶୌର୍ଯ୍ୟ, ସଂସ୍କୃତି, ପରମ୍ପରା, ପରାକ୍ରମ ବିଷୟରେ ଯେଉଁ ଜାତି ଜାଣେ, ସେ ଜାତି ସେତିକି ଆଗକୁ ବଢେ । କପିଳେନ୍ଦ୍ରଦେବଙ୍କ ଭଳି ମହାନାୟକଙ୍କ ବିଷୟରେ ଲେଖିଥିବାରୁ ଶ୍ରୀ ଜେନାଙ୍କୁ ଯେତେ ସାଧୁବାଦ ଦେଲେ ମଧ୍ୟ କମ ହେବ । ପ୍ରଫେସର ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରି ଏହି ପୁସ୍ତକ ଜାତୀୟ ବୀରତ୍ଵ ଭାବନାକୁ ଉଦ୍ରେକ କରିଛି ବୋଲି କହିଥିଲେ ।
ଲେଖକ ଶ୍ରୀ ଜେନା କହିଥିଲେ, ଗଜପତି କପିଳେନ୍ଦ୍ରଦେବଙ୍କର ୧୪୬୪ ମସିହାରେ ବିଶାଳ ଓଡ଼ିଶା ରାଷ୍ଟ୍ର, ତାଙ୍କର ସାମରିକ ସଫଳତା, ସାଂସ୍କୃତିକ ବିକାଶ ଓ ଆର୍ଥିକ ସ୍ଵଚ୍ଛଳତା ଓଡ଼ିଆଙ୍କ ଜୀବନରେ ଜନଜାଗରଣ ଆଣି ପଞ୍ଚଦଶ ଶତାବ୍ଦୀର ଭାରତ ବର୍ଷରେ ଶ୍ରେଷ୍ଠ ହିନ୍ଦୁ ରାଜ୍ୟ ଭାବେ ଖ୍ଯାତି ଆଣିଥିଲା । ଡାକ୍ତର ପ୍ରେରଣା ବିଶ୍ବାଳ ମଞ୍ଚ ପରିଚାଳନା କରିଥିବା ବେଳେ ଡାକ୍ତର ସୋମନାଥ ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ ।