ଭାସ୍ଵତୀ ବାସୁ
ବହୁତ ଦିନ ହେଇଗଲା
ମୁଁ ପ୍ରେମ କରିନି
ବହୁତ ଦିନ …
ଦିଇଟା ବଣି ନିଇତି ଆସି ବସନ୍ତି
ଝରକା ସେପଟେ
ପୁରା ସକାଳ କିଚି ମିଚି ଝଗଡ଼ା,
ପେନ୍ଥାଏ ଟଗର ଆପେ ଫୁଟି ଝରିପଡ଼େ
ବାରଣ୍ଡାର ଏକେଲା କୋଣରେ
ଗୋଲାପ ସାଙ୍ଗରେ ମୁହଁ ଦେଖାଦେଖି ନାହିଁ,
ଚେନାଏ ଖରା ଆସିବ ହିଁ ଆସିବ
କି ଗ୍ରୀଷ୍ମ, କି ଶୀତ
ତା ମୁହଁ ବି ଆଜିକାଲି ଗୁମ୍,
ମୋ ପୁରୁଣା ପ୍ରେମିକ
ସପ୍ତାହକୁ ଫାଳେ ଲେଖାଏଁ ଚିଠି
ଲେଖେ ଆଉ ଚିରେ
ମୋ ଡାକବାକ୍ସ ଖାଲି,
ମୁଁ ଅଧୁଆ ପାଦରେ ବାହାରୁ ଆସେ
ଖଟରେ ଚଢ଼େ
ତଥାପି ବିଛଣା ଚଦର ତୋଫା ସଫା
ଧୂଳି ନାହିଁ କି ମଳି ନାହିଁ,
ମୋ ସ୍ୱାମୀ ନିଶ୍ଚିନ୍ତରେ ଅଫିସ ଯାଆନ୍ତି
ମସଲା ବାଟିଲା ବେଳେ ଚୁଡ଼ି ଝମଝମ
“ହାତର ଶଙ୍ଖା ବଜର ହଉ” ଆଈ କହିଥିଲା
ବେଳେବେଳେ ସେ ବଜର
ଶିରା କାଟି ରକ୍ତ ବାହାର କରିଦିଏ
ଚଳିବ …
ଛୁଆଙ୍କ ଏଇଟା ଖାଇବିନି ସେଇଟା ଖାଇବିନି ଭିତରେ
ମୁଁ କଣ ଗୋଟେ ଭୁଲିଯାଏ ପ୍ରତିଦିନ
ଯେତେ ମନେପକାଏ, ମନେପଡ଼େନା
ହେଃ ପୋଡ଼ା ମନ …
ସଞ୍ଜବେଳେ ଧୁଆଧୁଇ ହେଇ
ଦୁଆର ପାଖରେ ବସେ
ଦିନସାରା ଗିଳିଥିବା ସିଝୁକଣ୍ଟାକୁ
ଆରାମରେ ପାକୁଳି କରେ
ଓଠ ଫାଙ୍କରେ ଜମିଥିବା ରକ୍ତ ପୋଛୁପୋଛୁ
ହଠାତ ମନେ ପଡ଼ିଯାଏ,
ବହୁତ ଦିନ ହେଇଗଲା
ମୁଁ ପ୍ରେମ କରିନି
ବହୁତ ଦିନ … ।
ଭୁବନେଶ୍ୱର, ଖୋର୍ଦ୍ଧା, ମୋ – ୯୯୩୮୭୧୩୩୪୬
ଲେଖକ ପରିଚୟ
ବାବୁଜୀଙ୍କ ଯିବା ପରେ ସେଇ ଶୁନ୍ୟ କାଳରେ ହିଁ ମୁଁ କବିତା ଲେଖିବା ଆରମ୍ଭ କଲି କହିଲେ ଚଳେ । କବିତା ମୋ ପାଇଁ ମାନସିକ ଯନ୍ତ୍ରଣା ନିବୃତ୍ତିର ଗୋଟେ ବାଟ ପାଲଟିଗଲା । ଜୀବନର ଯାବତୀୟ ଉତ୍ଥାନପତନ କବିତା ଆକାରରେ ବାହାରି ଆସେ ଆଉ ମୁଁ ଶାନ୍ତ ହୁଏ । ମୋ କବିତା ମୋ ଡାଏରି ଭଳି । କବିତା ଲେଖେ କାରଣ ମୁଁ ଅନ୍ତର୍ମୁଖୀ । ବାହାରେ ଖୁବ ହସେ ହେଲେ ମନ ଖୋଲି ପାରେନା । ଡରେ । କବିତାରେ ବହୁତ ସତ “ରୂପକ” ପଛରେ ଲୁଚେଇ କହିଦେଇ ହୁଏ । “ବାଦଶାହ ଓ ପ୍ରେମିକା” ଏବଂ “ବାଟ ଅବାଟ” ନାମରେ ଏଯାବତ ଦୁଇଖଣ୍ଡ ସଂକଳନ ପ୍ରକାଶିତ ହୋଇସାରିଛି ।