ବିଭୁ ସାମନ୍ତ
ଜଙ୍ଗଲ ଯିବୁ !
କୋଳି ଖାଇବୁ ,
ବାଘ ଆସିଲେ… ଡରିବୁନି ?
ଏତିକି କହି
ସେ ଫୁଙ୍କିବା ଆଗରୁ ମୁଁ
ତା’ ଆଖି ଯୋଡ଼ାକ ବନ୍ଦ କରିଦିଏ ।
ପୌଷ ସିନା ପାଉଁଶ ତଳୁ
ମେଲାଣି ମାଗେ
ହେଲେ ମାଘ ବାଘ ହୋଇ
ମାଡ଼ି ଆସେ
ସେ କି ବୁଝେ ?
ଜାନୁଆରି ଆଉ କନିଆରୀର
ପ୍ରେମ କାହାଣୀ !
ଜଣେ ମିଠା ବୁଣିବୁଣି
ଝରିଯାଏ,
ଜଣେ ପତ୍ରଝଡ଼ାରେ
ପ୍ରୀତି ସାଉଣ୍ଟେ,
ଜଙ୍ଗଲ ଜହ୍ନରାତି
ଶିକାରୀ ଆଉ ପଦ୍ମପୋଖରୀ
ମୃଗାକ୍ଷର ଫୁଲଶରରେ
ମୁଁ ନିଜେ ଶରବିଦ୍ଧ ବ୍ୟାଧ
ଆଉ ତୁ…
କଳା ଚାନ୍ଦୁଆ ତଳେ
ଝୁଲି ପଡ଼ିଥିବା
ମଖମଲି ଅଭେଦ୍ୟ ଶ୍ଵେତପଦ୍ମ ।
ଫୁଏଣ୍ଟୋଲ୍ସିଂ, ଭୁଟାନ
ଲେଖକ ପରିଚୟ
କେହିଜଣେ କହିଥିଲେ, ଲେଖକ କେବେ ଜଣେ ପ୍ରେମିକ ହୋଇ ପାରିବନି, ଠିକ୍ କି ନା ଜାଣେନା ! ହେଲେ ମୋ ଲେଖାରେ ମୁଁ ନିଜେ ଅନେକ ଚରିତ୍ରକୁ ନିଜ ଭିତରେ ପାଏ । କେବେ ସମୟ ସହ ବହି ନେତ ପରି ଫରଫର ଉଡୁଥାଏ ତ କେବେ, ମଝି ନଈର ଟାପୁ ପରି ମୁଣ୍ଡ ଟେକି ଠିଆ ହୁଏ । ପେଶାରେ ଜଣେ ମ୍ୟାନେଜର ଆଉ ନିଶାରେ ଲେଖକଟିଏ । ନିଜ ମାଟିଠୁ ଦୂରରେ ଥାଇ ଝୁରିହୁଏ ଆଉ ତାକୁ ଶବ୍ଦରେ ଗୁନ୍ଥିବାର କର୍ମଶାଳାରେ ନିଜେ ସିଝୁଥାଏ ।