କବିତା ମୋତେ ଛାଡ଼ୁନଥିଲା, ମୁଁ ବି ତାକୁ ଛାଡ଼ି ପାରିଲି ନାହିଁ

ଅନେକ କାଳଜୟୀ କବିତାର ସ୍ରଷ୍ଟା ସିଏ । ଚିରନ୍ତନ ସତ୍ୟର ସନ୍ଧାନ ପଥର ଯାତ୍ରୀ ସେ । ପ୍ରେମର ଦିବ୍ୟତାକୁ ଅନୁଭବ କରିପାରୁଥିବା ମହାନ କବି ସେ । ତାଙ୍କୁ ପାଇବାକୁ ହେଲେ, ଖୋଜିବାକୁ ହେବ ‘ଶ୍ରୀ ରାଧା’ର ଦିବ୍ୟ ପ୍ରେମ ଏବଂ ମୃତ୍ୟୁର ଚେତନା ମଧ୍ୟରେ, ତାଙ୍କୁ ପୁଣି ଠାବ କରିହେବ “ଅନେକ କୋଠରୀ’ ମଧ୍ୟରେ, ‘ସପ୍ତମ ଋତୁ’ରେ, ପୁଣି ‘ଶ୍ରୀ ପଳାତକ’, ‘ସଚ୍ଚିତ୍ର ଅନ୍ଧାର’ରେ; ଏମିତି ଅନେକ କାଳଜୟୀ କବିତା ଗୁଚ୍ଛ ମଧ୍ୟରେ । ତାଙ୍କ ନାମ ସହ ଜଡ଼ିତ ହୋଇ ରହିଛି ପୁରସ୍କାରମାନଙ୍କର ଏକ ଶୃଙ୍ଖଳିତ ଧାଡ଼ି । ଯେମିତି କି ସରସ୍ୱତୀ ସମ୍ମାନ, ପଦ୍ମଭୂଷଣ, ପଦ୍ମଶ୍ରୀ, ଅତିବଡ଼ି ଜଗନ୍ନାଥ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ଅନେକ । ଏତେ ସବୁ ସମ୍ମାନର ଅଧିକାରୀ ହୋଇ ସୁଦ୍ଧା ଅହଂ ଭାବ ତିଳେ ମାତ୍ର ତାଙ୍କୁ ସ୍ପର୍ଶ କରିପାରିନାହିଁ । ନମ୍ରତା ହିଁ ତାଙ୍କର ଆଭୂଷଣ ଏ କଥାକୁ ଅସ୍ୱୀକାର କରିହେବ ନାହିଁ । କି ସରଳ କେତେ ସୁନ୍ଦର ତାଙ୍କ ବ୍ୟକ୍ତିତ୍ୱ । ବାସ୍ତବିକ ତାଙ୍କୁ ଯିଏ ଭେଟିଛି ସିଏ ଏକା ଅନୁଭବ କରିପାରିଛି । ଏଇ ନିକଟରେ ୮୭ ବର୍ଷ ବୟସ(ଡିସେମ୍ବର ୧୩ତାରିଖ ଜନ୍ମଦିନ)ରେ ପାଦ ଥାପିଛନ୍ତି ସେ । ଜନ୍ମଦିନ ଅବସରରେ ତାଙ୍କ ବାସଭବନରେ ଭେଟିଛନ୍ତି ମୁଗ୍ଧ ପାଠିକା ଦିଲୀପା ପାତ୍ର

ବର୍ତ୍ତମାନ କିଛି ଲେଖୁଛନ୍ତି କି ସାର୍‍ ? ଏବେ କିଛି ସର୍ଜନ ଜାରି ରହିଛି ?
ମଝିରେ ମଝିରେ ଲେଖୁଛି, ‘ସମ୍ବାଦ’ରେ ବାହାରି ପଡୁଛି । ସେଇଭଳି କେତଟା ହେଇଗଲେ ବହି ଖଣ୍ଡେ କରିବି । ଏବେ ନିକଟରେ, ବୋଧେ ଗତ ସପ୍ତାହରେ ‘ସମ୍ବାଦ’ରେ ବାହାରିଥିଲା ଗୋଟେ କବିତା ‘ରାକ୍ଷାସୀ’ ।


ଆପଣ ଜଣେ ପ୍ରଶାସନିକ ଅଧିକାରୀ ଥିଲେ, ତା’ ପରେ ପୁଣି ପରିବାର; ଏତେ ସବୁ ଭିତରେ ଏ ସୃଜନ ଜଗତ, କେମିତି ତାକୁ ନିୟନ୍ତ୍ରଣ କରିଛନ୍ତି?
ନା, ମୁଁ ନିୟନ୍ତ୍ରଣ କରିପାରିନି । ପରିବାରକୁ ଯେତିକି ଧ୍ୟାନ ଦେବା କଥା, ମୁଁ ଦେଇପାରିନି । କିନ୍ତୁ କ’ଣ କରିବି? କବିତା ଯେତେବେଳେ ଆସୁଥିଲା, ସେ ମୋତେ ଛାଡୁନଥିଲା, ମୁଁ ବି ତାକୁ ଛାଡି଼ ପାରିଲି ନାହିଁ । ସୁତରାଂ ସେ ସବୁକୁ ନେଇ ଚଳିବାକୁ ପଡି଼ଲା ।


ପ୍ରଥମ କବିତା କେବେ ଲେଖିଥିଲେ? ଅର୍ଥାତ ଆପଣ କେତେ ବର୍ଷ ବୟସରେ ପ୍ରଥମ କବିତା ଲେଖିଥିଲେ?
ମୁଁ କଲେଜରେ ପଢ଼ିଲା ବେଳେ । ରେଭେନ୍ସା କଲେଜରେ ପଢ଼ିଲା ବେଳେ ବୋଧେ ତୃତୀୟ ବର୍ଷ କି ଚତୁର୍ଥ ବର୍ଷ, ୧୯୫୪-୫୫ ମସିହାରେ ଲେଖିଥିଲି । ତା’ ଆଗରୁ କିଛି କବିତା ଲେଖିଥିଲି ପୁରୀ କଲେଜରେ ଆଇଏ ପଢ଼ିଲା ବେଳେ । କିନ୍ତୁ ପ୍ରକୃତରେ କବିତା କ୍ଷେତ୍ରରେ ପ୍ରବେଶ କଲି ରେଭେନ୍ସା କଲେଜରେ ପଢ଼ିଲା ବେଳକୁ ।

ଆପଣ ପ୍ରଥମ କବିତା ଲେଖିବା ବେଳେ ପ୍ରେରଣା କେଉଁଠୁ ପାଇଥିଲେ?
ପ୍ରେରଣା କିଛି ନାହିଁ, କବିତା ଆସି ପହଞ୍ଚି ଯାଏ । ପହଞ୍ଚିକି ମୋତେ କହେ, ତମେ ମୋତେ ଲେଖ । ସୁତରାଂ କବି ଲେଖିବାକୁ ବାଧ୍ୟ ହୁଏ । କାହାର ପ୍ରେରଣା ସେମିତି ନ ଥିଲା ।

ଗୋଟେ କୋଳାହଳ ପରିବେଶରେ ମଧ୍ୟ ଗୋଟେ ଗଳ୍ପକୁ ନିମନ୍ତ୍ରଣ କରିହେବ, ଲେଖିହେବ । କବିତା ଲେଖିବାକୁ ହେଲେ ଗୋଟେ ନିରାପଦ ପରିବେଶ ଦରକାର ହୁଏ କି?
ଉଭୟଟା ସମୟ ସାପେକ୍ଷ । ଏବଂ ନିଜର ଗୋଟେ ପ୍ରେରଣା ନ ଥିଲେ ସେଇଟା ଲେଖିହେବନି । ଗଳ୍ପ ହେଉ କି କବିତା ହେଉ, ତା’ ଭିତରେ କିଛି ପାର୍ଥକ୍ୟ ନାହିଁ । କାରଣ, ସେ ଗୋଟେ ଅନ୍ୟ ଜଗତକୁ ଯିବାକୁ ହୁଏ, ଗଳ୍ପ ହେଉ କି କବିତା ହେଉ । ସୁତରାଂ କବି କହିବା ଉଚିତ୍‍ ନୁହେଁ ଯେ, ମୁଁ ଶ୍ରେୟସ୍କର । ଭଲ ଗଳ୍ପଟିଏ ବି ମୋ ମନକୁ ଖୁବ୍‍ ଆଲୋଡି଼ତ କରେ ।

ଓଡ଼ିଆ ସାହିତ୍ୟ ଜଗତରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଟିକେ ପଛରେ ରହିଗଲା ଭଳି ମନେହୁଏ, ସେ ବାବଦରେ ଆପଣଙ୍କ ମତ କ’ଣ ?
ତା’ କାହିଁକି କହିବେ । କୁନ୍ତଳା କୁମାରୀ ସାବତ, ବିଦ୍ୟୁତପ୍ରଭା ଦେବୀ ବହୁତ ସ୍ୱୀକୃତି ପାଇଛନ୍ତି । ତାପରେ ଯେଉଁ ନାରୀ ଲେଖିକାମାନେ ଆସିଲେ, ଦୀର୍ଘକାଳ ଧରି ସେମାନେ ସାଧନା କରିନାହାନ୍ତି । ସୁତରାଂ ସେମାନେ ଯେଉଁ ସ୍ୱୀକୃତି ପାଇବା କଥା, ସେ କଥା ପାଇନାହାନ୍ତି । କିନ୍ତୁ ସାହିତ୍ୟ କ୍ଷେତ୍ରରେ କେହି ସେମାନଙ୍କୁ ଅବହେଳା କରିନି । ଗଳ୍ପ କ୍ଷେତ୍ରରେ ଦେଖନ୍ତୁ ବୀଣାପାଣି ମହାନ୍ତି, ଅର୍ଚ୍ଚନା ନାୟକ, ଏ ସମସ୍ତେ ବହୁତ ସ୍ୱୀକୃତି ପାଇଛନ୍ତି ।

କିନ୍ତୁ ସମସ୍ତଙ୍କର ଲେଖା ନାରୀକୁ କେନ୍ଦ୍ରକରି ?
ନାଇଁ, ସେମାନେ କେବଳ ନାରୀ ଚରିତ୍ର ସମ୍ବଳିତ କବିତା ଲେଖିନାହାନ୍ତି । ସେମାନଙ୍କର ଗଳ୍ପ ମଧ୍ୟ ନିଜ ଗୁଣରେ ଉତ୍ତୀର୍ଣ୍ଣ । କେବଳ ନାରୀ ଚରିତ୍ରକୁ ପ୍ରାଧ୍ୟାନ୍ୟ ଦେଲା ଭଳିଆ ମନେହୁଏ ନାହିଁ ।

ମନୋଜ ଦାସଙ୍କ ସହ ଆପଣଙ୍କ ସମ୍ପର୍କ କେମିତି ?
ମୁଁ ତାଙ୍କୁ ବହୁତ ସମ୍ମାନ କରେ । ମୁଁ ତାଙ୍କ ପାଖାପାଖି ହୋଇପାରିନି । ସେ ଆମକୁ ଛାଡି଼ ଚାଲିଗଲେ, ସେଇଟା ବହୁତ ଦୁଃଖର ବିଷୟ । କେବଳ ସାହିତ୍ୟ ନୁହେଁ, ତାଙ୍କର ଚେତନା ଖୁବ୍‍ ଉଚ୍ଚାଙ୍ଗ । ତାଙ୍କୁ ମୁଁ ସଦାବେଳେ ସମ୍ମାନ କରେ ।


ମନୋଜ ଦାସଙ୍କ ସହ ଆପଣଙ୍କର କିଛି ସ୍ମରଣୀୟ ମୁହୂର୍ତ୍ତ ଅଛିକି, ଯାହା ଆଜି ବି ମନେପଡ଼େ ?

ବିଶେଷ ସେମିତି ନାହିଁ । କଲେଜରେ ପଢ଼ିଲା ବେଳେ ଆମେ ଗୋଟେ ବର୍ଷ ଉପର ତଳ ହୋଇ ପଢ଼ୁଥିଲୁ । ସେତେବେଳେ ଆମର କିଛି ସମ୍ପର୍କ ନ ଥିଲା । ତା’ ପରେ ପରବର୍ତ୍ତୀ ସମୟରେ ତାଙ୍କର ସାହିତ୍ୟ ସାଧନା ଯୋଗୁଁ ଆମର ସମ୍ପର୍କ ହେଲା ଏବଂ ମୁଁ ତାଙ୍କୁ ସଦାବେଳେ ନିଜର ନମସ୍ୟ ବୋଲି ଭାବେ ।



ଦିଲୀପା ଜଣେ ଯୁବ ଲେଖିକା । ଘର ବ୍ରହ୍ମପୁର ସହରରେ । କ୍ଷୁଦ୍ର ଗଳ୍ପ ରଚନାରେ ତାଙ୍କର ରୁଚି । ସେ କାଳଜୟୀ ସାହିତ୍ୟ ଅଧ୍ୟୟନରେ ବିଶେଷ ରୁଚି ରଖନ୍ତି । ପ୍ରିୟ ଲେଖକମାନଙ୍କୁ ସାକ୍ଷାତ କରିବା ତାଙ୍କର ସୁବବେଳେ ଅଭିଳାଷ ଥାଏ ।

Related Posts

Leave a Reply

Your email address will not be published. Required fields are marked *