ବିନୟ ମହାପାତ୍ର
ସ୍ୱାତୀ ଗୋଟିଏ ସୁନ୍ଦର ଝିଅର ନାଆଁ । ମୋ ଅଫିସର ମୋର ଜଣେ ସହକର୍ମୀ । ଖୁବ୍ ସୁନ୍ଦର, ଗୋରା ତକତକ ଦୁଧଅଳତା ତାର ଦେହର ରଙ୍ଗ । ସ୍ଵାତୀ କହିଲେ, ମନରେ ଯେତିକି ନିସ୍କପଟତା, ପବିତ୍ରତା ଏବଂ ସୌନ୍ଦର୍ଯ୍ୟର କଳ୍ପନା କରାଯାଇପାରେ, ତା’ଠାରୁ ଢେର ବେଶୀର ଗୋଟିଏ ମୁର୍ତ୍ତିକଳ୍ପ ଦେବୀର ରୂପ ଥିଲା ସ୍ଵାତୀ । ଯାହାକୁ ଦେଖିଲେ ମନରେ ଏକ ଶିହରଣ ଖେଳି ଯାଏ । କିନ୍ତୁ ଏ ଆକର୍ଷଣ କେବଳ ଦେହର କିମ୍ବା ରୂପର ନୁହେଁ ବରଂ ଆତ୍ମିକ ସ୍ଥରର ଏକ ନିବିଡ଼ ଆକର୍ଷଣର ଅନୁଭବ ହୁଏ । ଏ ଆକର୍ଷଣ କେବଳ ପାଇଯିବାର ନୁହେଁ, ବରଂ ନିଜକୁ ସମର୍ପି ଦେବାର ମୋହ ଆସିଯାଏ ମନରେ ।
ଏଇ ଅଳ୍ପଦିନ ହେଲା ସେ ବଦଳି ହୋଇ ଆସିଥାଏ ଆମ ଅଫିସକୁ । କିନ୍ତୁ କାହିଁକି କେଜାଣି ପ୍ରଥମ ଦିନର, ପ୍ରଥମ ଦେଖାରେ ତାର ଗୋଟିଏ ଛବି ଆଙ୍କି ହୋଇଯାଇଥିଲା ମୋ ହୃଦୟର ଗଭୀରତମ ପ୍ରଦେଶରେ, ମୋ ମନର ଖାଲି କାନଭାସରେ । ଖୁବ ସ୍ପଷ୍ଟ ନହେଲେ ବି ସେତେଟା ଅସ୍ପଷ୍ଟ ବି ନଥିଲା ସେ ରୂପ । ବିଶ୍ୱାସ ହୁଏନା, ଥରଟିଏ ଦେଖାରେ କିଏ କଣ କାହା ମନ ଭିତରେ ଏମିତି ଘର କରି ଯାଇପାରେ ! କାହାର ସମୁଦାୟ ମନ ଉପରେ ଏମିତି କବଜା କରି ନେଇପାରେ ! କେବେ ନିରୋଳା ମୁହୁର୍ତ୍ତରେ ଏକୁଟିଆ ବସିଲେ କେବଳ ତାରି କଥା ହିଁ ଭାବିବାକୁ ଭଲ ଲାଗେ, ଆଖି ବନ୍ଦ କରି ତାର ହସହସ ମୁହଁକୁ କଳ୍ପନାରେ ଆଙ୍କିନେବାକୁ ଖୁବ୍ ମନ ହୁଏ ।
ମୋ ସାମ୍ନା ଟେବୁଲରେ ତାର ସିଟ୍ । ସିଏ କେବେ ବି ଅଫିସ୍ ଲେଟ୍ ହେବାର ମୁଁ ଦେଖିନି । ଭାରି ପଙ୍କଚୁଆଲ ଥିଲା ସିଏ । ସବୁ କାମରେ ପରଫେକ୍ଟ । ମୁଁ ଅଫିସ ପହଞ୍ଚିବା ଆଗରୁ ସେ ତା ସିଟରେ ବସି ସାରିଥାଏ । ସବୁବେଳେ ତା ମୁଁହରେ ବହୁତ ମିଠାମିଠା ପତଳା ହସଟିଏ ଲାଗି ରହିଥାଏ । ସେ ହସ କିନ୍ତୁ ଆମନ୍ତ୍ରଣର ନୁହେଁ, ଅଭିନନ୍ଦନ କିମ୍ବା ନମସ୍କାର ପରି ତ ମୋଟେ ଲାଗେନି, ବରଂ ଏମିତି ଲାଗେ, ଯେମିତି ସେ ହସ ଏକ ଛୋଟିଆ ପ୍ରଶ୍ନବାଚୀ, ସତେ ଅବା ପଚାରୁଛି, କେମିତି ଅଛନ୍ତି ? ଆପଣଙ୍କର ସବୁ ଭଲ ତ !
ସ୍ୱାତୀ ଆମ ଅଫିସକୁ ଆସିଲା ପରେ ଅଫିସ ଭିତରେ ସବୁଦିନିଆ ନିୟମିତ କାର୍ଯ୍ୟ ସହିତ ଆଉ ଏକ ନୂଆ କାମ ଯୋଡ଼ି ହୋଇ ଯାଇଥିଲା । ସ୍ୱାତୀ ଆମ ଅଫିସର ପ୍ରଥମ ମହିଳା କର୍ମଚାରୀ ନଥିଲା । ତା ଆଗରୁ ବି ଅନେକ ମହିଳା କର୍ମଚାରୀ ଏ ଅଫିସରେ କାମ କରିଛନ୍ତି । ସ୍ୱାତୀ ମଧ୍ୟ ଜଣେ ମହିଳାଙ୍କ ସ୍ଥାନରେ ଏଠାକୁ ବଦଳି ହୋଇ ଆସିଥିଲା । କିନ୍ତୁ ଅସଲ କଥା ହେଲା, ସ୍ୱାତୀ ପୂର୍ବରୁ କେହିଜଣେ ଏତେ ସୁନ୍ଦର ସାଧାସିଧା ସରଳ ମହିଳା ଏ ଅଫିସକୁ ଆଗରୁ କେବେ ଆସିନଥିଲେ ।
ସ୍ୱାତୀ ହିଁ ପ୍ରଥମ ମହିଳା ଯିଏ ଅଳ୍ପ ବହୁତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେଣୁ ଅଫିସର ଅଳସ ମୁହୁର୍ତ୍ତରେ ଅନେକ ସମୟରେ ତାରି ଚର୍ଚ୍ଚାର ଏକ ଚାପା ଗୁଞ୍ଜରଣ ଲାଗି ରହିଥାଏ, ଏବଂ ଏହି ଆଲୋଚନା ସମସ୍ତଙ୍କ ମନରେ ନୂତନ ସ୍ପୁର୍ତ୍ତି ଭରି ଦେଉଥିଲା । ଅବଶ୍ୟ ଏ ଗୁଞ୍ଜରଣ କେବଳ ସ୍ୱାତୀର ଅନୁପସ୍ଥିତିରେ ହିଁ ଶୁଭୁଥିଲା । ସେ ଅଫିସ ଆସିବା ଆଗରୁ କିମ୍ବା ଅଫିସ ଛାଡ଼ିବା ପରେ ଏଇଟା ଗୋଟାଏ ନିୟମିତ ଘଟଣା ହୋଇଯାଇଥିଲା । ସାଧାରଣତଃ ଏପରି ହେବା କିଛି ଅସ୍ଵାଭାବିକ ଘଟଣା ନଥିଲା । କୌଣସି ଏକ ଯୁବତୀକୁ ନେଇ ତାର ରୂପ, ତାର ଚାଲିଚଳନ, ତାର ବ୍ୟବହାର, ସର୍ବୋପରି ତାର ପ୍ରେମ ପ୍ରସଙ୍ଗ ବିଷୟରେ ସମସ୍ତେ ଯେପରି ବହୁତ କୌତୁହଳି ହୋଇ ଯାଆନ୍ତି । କିଛି ନଜାଣି ନଶୁଣି ନିଜର ମନଗଢା ଗଳ୍ପରେ ନାୟିକା କରିଦିଅନ୍ତି ତାକୁ ।
ପ୍ରାୟ ସବୁ ପ୍ରକାରର, ସବୁ ବୟସର ପୁରୁଷ ଏପରି ଆଲୋଚନାରୁ ଆମୋଦ ଗ୍ରହଣ କରିପାରନ୍ତି, ମନ୍ତବ୍ୟ ଦେଇପାରନ୍ତି, ତିନି ତୁଣ୍ଡରେ କେବେ ଛେଳି କୁକୁର ପାଲଟିଯାଏ, ପୁଣି କେବେ କୁକୁର ଛେଳିରେ ବଦଳିଯାଏ । ସବୁକିଛି ଚଳେ ପୁରୁଷ ସମାଜରେ, ଅନ୍ୟ ଘରର ଝିଅବୋହୂ ବିଷୟରେ ଗୁଲିଖଟି କରିବା ହେଉ ଅବା ରାସ୍ତା କଡ଼ରେ ରୋମିଓ ସାଜି ଅସଭ୍ୟ କମେଣ୍ଟ କରିବାରେ କେବେ କୁଣ୍ଠାବୋଧ ହୁଏନି । କିନ୍ତୁ କେବଳ ଗୋଟିଏ କଥା ହଜମ ହୁଏନି, ସେଇଟା ହେଉଛି ନିଜ ପରିବାରର କୌଣସି କନ୍ୟା କିମ୍ବା ମହିଳାଙ୍କ ବିଷୟରେ ଏପରି ଆଲୋଚନା କେବେ କେହି ବରଦାସ୍ତ କରେନି । ଯଦି କେହି କେବେ କିଛି କହି ଦେଲେ ସେଠାରେ ମାରିବା ମରିବା ପର୍ଯ୍ୟନ୍ତ କଥା ଚାଲିଯାଏ । ସମସ୍ତଙ୍କ ପାଇଁ ନିଜ ସୁନା ତ ସୁନା, କିନ୍ତୁ ବାକି ଦୁନିଆ ଯାକର ସବୁ ସୁନା ଭେଣ୍ଡି ପାଲଟିଯାଆନ୍ତି ଯେପରି । କେମିତି ଏପରି ଦୋହରା ମାନସିକତା ନେଇ ଚାଲନ୍ତି ଏ ନିର୍ଲଜ୍ଜ ପୁରୁଷମାନେ ?
ମୋ ବୟସର ଯୁବକଟିଏ ଏପରି ଆଲୋଚନାରୁ ଭରପୂର ମଜ୍ଜା ନେବା କଥା, ଏବଂ ନିଜ ତରଫରୁ ଦୁଇ ଚାରୋଟି ରସାଳ ଉପାଖ୍ୟାନ ଶୁଣାଇ ନିଜେ ଆମୋଦିତ ହୋଇ ବାକି ସଭାସଦ୍ ମାନଙ୍କୁ ଆମୋଦର ଖୁରାକ ଯୋଗାଇ ଦେବା କଥା । କିନ୍ତୁ କାହିଁକି କେଜାଣି, ସ୍ୱାତୀ ବିଷୟରେ ଏପରି ଆଲୋଚନାକୁ ମୁଁ ମୋଟେ ସହ୍ୟ କରି ପାରୁନଥିଲି । ବରଂ ଇର୍ଷା ଏବଂ କ୍ରୋଧ ଆସି ଯାଉଥିଲା ମୋ ମନରେ । ସତେ ଅବା, ସ୍ୱାତୀ ମୋର ନିଜସ୍ଵ ସଂପତ୍ତିମାନଙ୍କ ଭିତରେ ଗୋଟିଏ ଅତି ମୂଲ୍ୟବାନ ରତ୍ନ । ସ୍ଵାତୀକୁ ଏପରି ଖୋଲାଖୋଲି ଭାବେ ଗୁଲି ଗଳ୍ପର ବିଷୟବସ୍ତୁ କରିଦେବା ନିହାତି ଅଭଦ୍ରାମୀ ଓ ଅଶୋଭନୀୟ ମନେ ହେଉଥିଲା । ମନହୁଏ ଏଇ ସବୁ ଅଭଦ୍ର, ବଡ଼କୁହା ମାନଙ୍କ ମୁହଁରେ ମୁଥ ମାରି ସମସ୍ତଙ୍କ ମୁହଁ ଫଟାଇ ଦେବି । କିନ୍ତୁ ସେ ପରିସ୍ଥିତିରେ ନିଜକୁ ବଡ଼ ଅସହାୟ ମନେ କରୁଥିଲି ।
ସ୍ୱାତୀକୁ ଏପରି, ଏତେଟା ନିଜସ୍ୱ ଏବଂ ଏତେ ଆପଣାର ଭାବିବା ପଛରେ ମୋର କୌଣସି ବଳିଷ୍ଠ ତର୍କ ଥିବା ଭଳି ମନେହୁଏନା । ସ୍ୱାତୀ, ନା’ ମୋର ସମ୍ପର୍କୀୟା ଥିଲା, ନା’ ମୋର ପ୍ରେମିକା, ନା’ ମୋର ବାନ୍ଧବୀ ନା’ ମୋର ସହପାଠୀ । ସିଏ ତ ଅନ୍ୟମାନଙ୍କ ଭଳି କେବଳ ଏକ ସହକର୍ମୀ ଥିଲା । ଯେତିକି ହକ୍ ମୁଁ ତା ଉପରେ ଦାବି କରିପାରିବି, ସେତିକି ହକ୍ ଅନ୍ୟକେହି ବି ଦାବି କରିପାରିବ । ମୁଁ ତ ତା ପାଇଁ ସେମିତି କିଛି ସ୍ପେଶାଲ୍ ମଧ୍ୟ ନଥିଲି, ନା ସ୍ୱାତୀ ପାଇଁ ନା ଆଉ କାହା ପାଇଁ । ସ୍ୱାତୀ ମନରେ ମୋ ପାଇଁ ସେପରି କିଛି ବିଶେଷ ଭାବନା ଥିଲା ପରି କେବେ ଲାଗୁ ନଥିଲା । ସହକର୍ମୀ ହିସାବରେ ସମସ୍ତଙ୍କ ସହିତ ତାର ସମାନ ବ୍ୟବହାର ଥିଲା । ଏପରିକି ଆମେ କିଛି ଅଫିସିଆଲ୍ କଥାବାର୍ତ୍ତା ଛଡ଼ା କେବେ ଅନ୍ୟ କୌଣସି ବିଷୟରେ କିଛି ବି ଆଲୋଚନା କରିନୁ । ଫାଇଲ ଦବାନବା ଛଡ଼ା ଆଉ କିଛି ଦିଆନିଆ ବି ନଥିଲା ଆମ ଭିତରେ । ତା’ଛଡ଼ା ଅଫିସ ଟାଇମ୍ ପରେ ବାହାରେ କେଉଁ ପାର୍ଟି, ପିକନିକ୍ କିମ୍ବା ମେଳା ମହୋତ୍ସବରେ କେବେ ବି ଆମର ଦେଖା ହୋଇନି । ସ୍ୱାତୀ ପରି ଗୋଟିଏ ଗମ୍ଭୀର ସ୍ଵଭାବର ଝିଅଠାରୁ ଏପରି କିଛି ଆଶା କରିବା ମଧ୍ୟ ବୃଥା ଥିଲା ।
କିନ୍ତୁ, ସ୍ୱାତୀ ପାଖରେ ଏମିତି କଣ ଥିଲା ? ଯାଦୁ କଲା ପରି ମୁଁ ତା ଆଡ଼କୁ ଧୀରେଧୀରେ ଟାଣି ହୋଇ ଯାଉଥିଲି । ମୁଁ ସ୍ୱାତୀକୁ ମୋର ଖୁବ୍ ବ୍ୟକ୍ତିଗତ ଏବଂ ଆତ୍ମିକ ସମ୍ପତ୍ତି ପରି ଭାବୁଥିଲି, ଯଦିଓ ସେମିତି କିଛି ବିଶେଷ ପରିସ୍ଥିତି ନଥିଲା ! ଅଜାଣତରେ ମାନସିକ ସ୍ତରରେ ମୁଁ ତାର ଏତେ ନିକଟତର ହୋଇଯାଇଥିଲି ଯେ ମୋର ଭୟ ହେଉଥିଲା, କେବେ ଜାଣତ ଅଜାଣତରେ ମୁଁ ତା ହାତକୁ ଧରି ପକାଇବି, ଅବା ଆପଣ ଜାଗାରେ ତୁମେ ବୋଲି ସମ୍ବୋଧନ କରିଦେବି । ଯଦି କେବେ ଏପରି କିଛି ଅସ୍ଵାଭାବିକ ଘଟଣା ଘଟେ ତେବେ ସେଇଟା କିଛି ବିଚିତ୍ର ହେବନି ବୋଧ ହୁଏ । ମୁଁ ସବୁବେଳେ ଯେପରି ତାହାରି ଭାବନାର ଅଥଳ ସମୁଦ୍ରରେ ଉବୁଟୁବୁ ହେଉଥିଲି, କେଉଁ ମୁହୁର୍ତ୍ତରେ କିଛି ବି ଘଟିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ସତରେ ମୁଁ ମୋ ମନକୁ ନିଜ କାବୁରେ ରଖି ପାରୁନଥିଲି !
ଏସବୁ ଏପରି କାହିଁକି ହେଉଥିଲା, ଅନେକ ସମୟରେ ମୁଁ ମୋ ନିଜକୁ ପଚାରେ, ମୁଁ କଣ ସ୍ୱାତୀର ସଜ ଫୁଟା ଗୋଲାପ ଫୁଲ ପରି ସୁନ୍ଦର ରୂପ ପଛରେ ପାଗଳ ହୋଇଯାଇଛି ? ତାର ଏଇ ସୁନ୍ଦର ନୀଳନୀଳ ଆଖି ଦୁଇଟି ମୋତେ ମତୁଆଲା କରିଦେଉଛି ? ନା ତାର ଗୋଲାପି ଓଠ ଦୁଇଟି ? ନା ତାର ପୂର୍ଣ୍ଣ ଯୌବନା ସୁଗଠିତ ରୂପ ମୋତେ ଭ୍ରମର ପରି ମତୁଆଲା କରିଦେଉଛି ? ମନ କିନ୍ତୁ ଦୋଦୋ ପାଞ୍ଚ ହୁଏ ଜବାବ୍ ଦେଇପାରେନା, ତାର ରୂପର ଆକର୍ଷଣକୁ ତ ନା କରି ହେବନି, କିନ୍ତୁ ଅନେକ ସୁନ୍ଦରୀ ଯୁବତୀଙ୍କୁ ଦେଖିଛି ଜୀବନରେ । ହେଲେ ଆଉ କାହା ପଛରେ ମନ ଏପରି କେବେ ଧାଇଁ ଯାଇନି ! କିନ୍ତୁ ସ୍ୱାତୀ ପଛରେ ଏପରି ମାରାଥନ ରେସ୍ କାହିଁକି ଲଗାଉଛି ।
ସ୍ୱାତୀର ନିର୍ମଳ ନିଷ୍ପାପ ହୃଦୟ ମୋତେ ଟାଣି ନେଉଛି ? ହେଲେ ତା ବିଷୟରେ ମୋତେ କଣ ବା ଜଣା ଅଛି ? ତା ହୃଦୟ ଆଉ ତାର ମନ ବିଷୟରେ ମୁଁ କଣ ବା ଜାଣିଛି ? କେବଳ ଅଫିସିଆଲ ଫରମାଲିଟି ବ୍ୟତୀତ ଆମେ କେବେ ଖୁସିରେ ଭଲରେ ଦି’ପଦ କଥା ବି ହୋଇନୁ ! ନା ହାତ ଧରାଧରି ହୋଇ କେବେ ପାର୍କରେ ବୁଲିଛୁ ନା କେବେ ସିନେମା କି ଥିଏଟର ଯାଇଛୁ ନା ରେଷ୍ଟୁରାଣ୍ଟରେ କେବେ ଲଞ୍ଚ କି ଡିନର କରିଛୁ ? କଣ ଜାଣିଛି ମୁଁ ତା ବିଷୟରେ ? କେମିତି କହିଦେବି, ତାର ବକ୍ଷୋଜଠାରୁ ବିଶାଳ ତାର ହୃଦୟ, ତା ସ୍ମିତ ହସ ପରି ନିର୍ମଳ ତାର ମନ ?? ଏ ସବୁ ସତ୍ତ୍ଵେ ମୋ ମନ କିନ୍ତୁ ଏସବୁ ଯୁକ୍ତିକୁ ସ୍ଵୀକାର କରି ପାରୁନଥିଲା କି ମୁଁ ସ୍ୱାତୀର ମନ ଆଉ ହୃଦୟ ବିଷୟରେ କିଛି ବି ଜାଣିନି ବୋଲି ।
ମୋତେ ବୁଝେଇବାକୁ ମୋ ମନ ତାର ଦଲିଲ୍ ଶୁଣାଇ ଯାଏ । କହେ, ‘ଏତେ ସୁନ୍ଦର ମୁଖ ଆଉ ତାର ରୂପର ଜ୍ୟୋତି କେବଳ ଏକ ନିର୍ମଳ ହୃଦୟର ଆଭା ହୋଇପାରେ । କଳୁଷିତ ହୃଦୟର ଭାବ, ମୁଖର ଏ ଛଟାକୁ ମଳିନ କରିଦିଏ ।‘ ହେଲେ ସ୍ୱାତୀର ସୌନ୍ଦର୍ଯ୍ୟ କେବଳ ଏକ ରକ୍ତ ମାଂସର ତିଆରି ପ୍ରତିମାଟିଏ ନଥିଲା, ତା ମୁଖର ଆଭା, ତା ହୃଦୟର ଆଇନା ଥିଲା, ଯେଉଁ ଆଇନାରେ ତାର ହୃଦୟର ପବିତ୍ରତା ଜଳରେ ଚନ୍ଦ୍ରମାର ପ୍ରତିବିମ୍ବ ପରି ସ୍ପଷ୍ଟ ଦେଖା ଯାଉଥିଲା । ତାର ସ୍ମିତ ହସ, ତାର ମଧୁ ଭରା ମନର ପ୍ରତିବିମ୍ବ ଥିଲା, ଏକ କପଟି ମନ ଏପରି ମଧୁର ସ୍ମିତ ହସର ଜନନୀ କେବେ ବି ହୋଇ ନପାରେ !
ଅନେକ ସାବଧାନତା ପରେ ମଧ୍ୟ ଶେଷରେ ଦିନେ ମୁଁ ଧରାପଡ଼ି ଯାଇଥିଲି ସ୍ୱାତୀ ପାଖରେ । ଏମିତି ଦିନେ ଅଫିସରେ, ମୁଁ ଫାଇଲ୍ ଉପରୁ ମୁହଁ ଉଠାଇ, ଦାନ୍ତରେ କଲମକୁ କାମୁଡ଼ି ଧରି, ନିର୍ମିନେଶ ନୟନରେ, ଏକ ଲୟରେ, କେଜାଣି କେତେ ସମୟ ଧରି ସ୍ୱାତୀର ମୁହଁକୁ ଏକ ଧ୍ୟାନରେ ଚାହିଁ ରହିଥିଲି, ଯେପରି ମୋର ହୋସ ନଥିଲା । ହଠାତ ମୋର ମୋହ ଭଗ୍ନ ହେଲା, ଯେତେବେଳେ ସ୍ୱାତୀ ମୋ ଟେବୁଲ ସାମ୍ନାକୁ ଆସି, ମୋ ଟେବୁଲରେ ଖଟ ଖଟ କରି ମୋତେ ପଚାରିଲା କଣ ଦେଖୁଛନ୍ତି ?
ଭୟାନକ ସ୍ୱପ୍ନ ଦେଖି ହଠାତ ନିଦରୁ ଉଠିଲା ପରି ମୁଁ ଚମକି ପଡ଼ିଲି, ମୋ ମୁହଁର ସବୁଯାକ ରକ୍ତ ସତେଯେପରି ଶୁଖିଗଲା ପରି ଲାଗିଲା । ପ୍ରକୃତିସ୍ଥ ହେଲା ପରେ ବି ମୋ ପାଟି ଖନି ମାରି ଯାଉଥିଲା । ଚୋରି ଧରା ପଡ଼ିଗଲା ପରେ ଯେପରି ଅବସ୍ଥା ହୁଏ ଠିକ୍ ସେପରି ପରିସ୍ଥିତିରେ ମୁଁ ଥିଲି । ପାଟି ମୋର ଖନି ମାରି ଯାଉଥିଲା ତଥାପି, ଏଁ…., ନା’…. ନା’….. କିଛି ନାହିଁ, ମାନେ ମୁଁ ଏମିତି…….. ମୁଁ କିନ୍ତୁ କିଛି ଜବାବ ଖୋଜି ପାଉନଥିଲି । ସତେଅବା, ଆଚାର ବୋତଲରୁ ଆଚାର ଚୋରି କରୁକରୁ ବିଚରା ପିଲାଟିଏ ମାଆ ସାମ୍ନାରେ ଧରାପଡ଼ି ଯାଇଛି । ଆଚାର ନେଉନି ବୋଲି ସଫେଇ ଦେଇପାରୁନି, କାରଣ ଆଚାର ବୋତଲଟା ଏବେ ଯାଏ ଯେ ହାତରେ ସେମିତି ଦରଖୋଲା ଅବସ୍ଥାରେ ଅଛି ! ସେମିତି ଏକ ସ୍ଥିତିରେ ମୁଁ ରଙ୍ଗେ ହାତ୍ ଧରାପଡ଼ି ଯାଇଥିଲି ।
– କିଛି ନାହିଁ ମାନେ ? ମୁଁ ଦେଖୁଛି, ଅଧ ଘଣ୍ଟାଏ ହେବ, ଆପଣ ଏମିତି ମୋ ମୁହଁକୁ ଚାହିଁ ରହିଛନ୍ତି, କଣ ଭାବୁଛନ୍ତି ? ସ୍ୱାତୀ ଟିକିଏ ବିରକ୍ତି ଭରା ସ୍ୱରରେ ମୋତେ ପଚାରିଲା ।
– କିଛି ନାହିଁ, ବାସ୍ ଏମିତି, ନା ନା ସେ କିଛି ନୁହେଁ… ବଡ଼ ଅପ୍ରସ୍ତୁତ କଣ୍ଠରେ ମୋର ଜବାବ ଥିଲା ।
– ଓଃ, ଦେହ ଭଲ ନାହିଁ ବୋଧ ହୁଏ ଆପଣଙ୍କର !
– ଆରେ ନା, ନା, ମୋ ଦେହ ଠିକ୍ ଅଛି, ହେଲେ…., ହେଲେ, ହଠାତ୍ ମୁଁ ଚୁପ୍ ହୋଇଗଲି ।
– ହେଲେ ? ହେଲେ.. କଣ ? ସ୍ୱାତୀ କଣ୍ଠରେ କଠୋରତା ନଥିଲା, କିନ୍ତୁ କୋମଳତା ବି ନଥିଲା । ସେ କଣ୍ଠରେ ଯେପରି ମାଆର ଦାଗିଦର ସ୍ୱର ଭରିଥିଲା ।
ସ୍ୱାତୀର ଏ ପ୍ରଶ୍ନର ଉତ୍ତରରେ ମୁଁ କଣ କହିବି, କିଛି ଭାବି ପାରୁନଥିଲି । କହିବାକୁ ତ ବହୁତ କିଛି ଥିଲା ମୋ ପାଖରେ । କିନ୍ତୁ ଏପରି ପରିସ୍ଥିତିରେ ମୁଁ ବଡ଼ ଅପ୍ରସ୍ତୁତ ମନେ କରୁଥିଲି । ତଥାପି ବଡ଼ କଷ୍ଟରେ ଅନେକ ସାହସ ଏକାଠି କରି ପ୍ରଥମଥର ପାଇଁ ସ୍ୱାତୀର ନା ନେଇ ମୁଁ କହିଲି,
– ସ୍ୱାତୀ, ତୁମକୁ କହିବା ପାଇଁ ମୋ ପାଖରେ ବହୁତ କଥା ଅଛି, କିନ୍ତୁ…. ସେସବୁ ଏମିତି ଏଠାରେ କହିବା ସମ୍ଭବ ନୁହେଁ, ମାନେ…… ମାନେ…..
ମୋର ଏପରି ଅପ୍ରତିଭ ବ୍ୟବହାର ଦେଖି ଠୋଠୋ ହୋଇ ହସି ଉଠିଥିଲା ସ୍ୱାତୀ, ସତେଯେପରି ଚପଳତାମୟୀ ପ୍ରଗଳ୍ଭା କିଶୋରୀଟିଏ । ତାର ସେଇ ହସରେ ମୁଁ ଆହୁରି ନର୍ଭସ ହୋଇ ଯାଉଥିଲି । ବହୁତ ସମୟ ହତବାକ୍ ହୋଇ ବସିରହିବା ପରେ, ହଠାତ୍ ଚଉକି ଛାଡ଼ି ମୁଁ ଠିଆ ହୋଇପଡ଼ିଲି ଏବଂ କହିଲି,
– ପ୍ଲିଜ୍ ସ୍ୱାତୀ, ତୁମେ ଏପରି ହସନା, ପ୍ଲିଜ୍ (ମୋର ମନେ ନାହିଁ କିପରି ଭାବରେ ମୁଁ ତାର ନାମ ଏବଂ ଆପଣ ଜାଗାରେ ତୁମେ ବୋଲି ଉଚ୍ଚାରଣ କରିଗଲି) ।
– ତୁମକୁ ମୋର ଅନେକ କିଛି କହିବାକୁ ଅଛି, ହେଲେ ମୋର ସେ ସାହସ ନାହିଁ, ସବୁକଥା ତୁମକୁ ଖୋଲି କହିଦେବା ପାଇଁ, ମୋତେ ଡର ଲାଗୁଛି । କାଳେ ମୋ କଥାରେ ତୁମ ମନରେ କଷ୍ଟ ହେବ, କିମ୍ବା ତୁମେ ମୋତେ ଭୁଲ ବୁଝିନେବ ।
– ଆରେ ମୋତେ କଷ୍ଟ କାହିଁକି ହେବ, ଆପଣ ଏମିତି କଣ କଣ କହିବେ ଯେ ? କିଛି ଚିନ୍ତା କରନ୍ତୁ ନାହିଁ, ଯାହା କହିବା କଥା ଖୋଲି କୁହନ୍ତୁ, ମୁଁ କିଛି ବି ଭାବିବି ନାହିଁ ।
– ହୁଁ, ହେଲେ ଏବେ, ଏମିତି, ଏଇଠି…? ନା’ ନା’ ଏମିତି ନୁହେଁ, ଯଦି କିଛି ନଭାବିବେ, ତେବେ ନିରୋଳାରେ କେବେ ଦି ‘ଘଡ଼ି ବସି କଥା ହୋଇପାରିବା ? ଏତିକି କହି ମୁଁ ଚୁପ୍ ହୋଇଗଲି ।
ମୋ କଥା ଶୁଣି, ସ୍ୱାତୀ କିଛି ସମୟ ପାଇଁ ନିରବ ଏବଂ ଗମ୍ଭୀର ଭାବେ ଠିଆ ହୋଇରହିଲା, ଯେପରି ସେ ମନେମନେ ମୋ କଥାର ଗମ୍ଭୀରତାକୁ ମାପି ନେବାକୁ ଚାହୁଁଥିଲା । ମୋ ପାଖରେ କଣ ଏମିତି ସିକ୍ରେସି ଅଛି, ଯେଉଁଥିପାଇଁ ତା ସହିତ ମୋତେ ଦି’ଘଡ଼ି ନିରୋଳା ସମୟ ଦରକାର ? କିଛି ସମୟ ଭାବିବା ପରେ ସେ କହିଲା, ‘ଆଚ୍ଛା, ଠିକ୍ ଅଛି । କେବେ ସମୟ ସୁବିଧା ଦେଖି ଆସନ୍ତୁ ମୋ ବସା ଆଡ଼କୁ ।
ସମୟ ସୁବିଧାକୁ ଅପେକ୍ଷା କରିବା ପାଇଁ, ମୋ ପାଖରେ ଆଉ ଧୈର୍ଯ୍ୟ ନଥିଲା । ସେଇଦିନ ସଂଧ୍ୟାରେ, ମୁଁ ସ୍ୱାତୀର ବସାରେ ପହଞ୍ଚି ଯାଇଥିଲି । ସିଏ ବି ଥିଲା ତା ବସାରେ ସତେଯେମିତି ମୋ ଅପେକ୍ଷାରେ । ତା ଓଠରେ ସେଇ ସ୍ମିତ ହସ ଏବେବି ସେମିତି ଥିଲା, ଯାହାର ମାନେ ମୁଁ ଆଜି ଯାଏ ବୁଝିପାରୁ ନଥିଲି । ଏକ ସ୍ଵାଭାବିକ ଗମ୍ଭୀର ଝିଅର ରୁଚିକୁ ନେଇ ତା ଘରର ସାଜସଜ୍ଜା ବି ବହୁତ ସିମ୍ପଲ ଏବଂ ସୁନ୍ଦର ଥିଲା । ସାଧାରଣ ଶିଷ୍ଟତା ଦେଖାଇ ଆମେ ସାମ୍ନାସାମ୍ନି ହୋଇ ସୋଫାରେ ବସି ଗଲୁ । ସାମାନ୍ୟ ଶିଷ୍ଟାଚାର ଚାହା ବିସ୍କୁଟ ସରିବା ପରେ ଏବଂ କିଛି ସମୟର ନିରବତାରେ କଟିଯିବା ପରେ, ସ୍ୱାତୀ ଆରମ୍ଭ କଲା, ‘ଏବେ କୁହନ୍ତୁ, ଆପଣ କଣ କହିବାକୁ ଚାହୁଁଥିଲେ ।‘
ପ୍ରଥମେ ମୁଁ ମୋ ନିଜକୁ ଟିକେ ସଜାଡ଼ି ନେଲି । ମୋ ମନର ବିକ୍ଷିପ୍ତ ଭାବନା ସବୁକୁ ଏକାଠି ଶବ୍ଦରେ ସଜାଡ଼ି ଆକାର ଦେବାକୁ ବହୁତ ଚେଷ୍ଟା କରୁଥିଲି, କିନ୍ତୁ ଶବ୍ଦ ସବୁ ଯେପରି ମୋର କଥା ମାନୁ ନଥିଲେ । କଥାଟା କିପରି କେଉଁଠୁ ଆରମ୍ଭ କରିବି ବୋଲି ବଡ଼ ଅସମଞ୍ଜସ ସ୍ଥିତିରେ ଆମର କିଛି ସମୟ ଏମିତି ଚାଲିଗଲା । ହେଲେ, ତଥାପି ମୁଁ ମୋ ଶବ୍ଦମାନଙ୍କୁ ଗୋଟିଏ ସୂତାରେ କ୍ରମାନ୍ଵୟରେ ସଜାଡ଼ି ପାରୁନଥିଲି । ହଠାତ୍ ଅପ୍ରସ୍ତୁତ ଭାବେ ମୋ ମୁହଁରୁ ବାହାରି ପଡ଼ିଲା,
– ସ୍ୱାତୀ, ତୁମେ ମୋତେ ବିବାହ କରିବ ??
ସେତେବେଳକୁ ଭାବାବେଗରେ ମୋ ମୁହଁ ଲାଲ କି ସେଥା ପଡ଼ି ଯାଇଥିଲା ସେ କଥା ମୋତେ ଜଣାନାହିଁ, କିନ୍ତୁ ମୋ କଥା ଶୁଣି ସ୍ୱାତୀର ମୁହଁ ଏକଦମ୍ ଲାଲ ହୋଇ ଯାଇଥିଲା । ସେ କିଛି ସମୟ ହତବାକ୍ ହୋଇ ବଡ଼ ନିରୀହ ଚାହାଣିରେ, ମୋ ମୁହଁକୁ ଅନେଇ ରହିଲା । ଯେପରି ସେ ବୁଝି ପାରୁନଥିଲା, ମୁଁ ଏମିତି କଣ କହିଦେଲି । ସେ ହୁଏତ ଭାବିଥିଲା, ପ୍ରଥମେ ମୁଁ ତାର ରୂପର ପ୍ରଶଂସା କରିବି, ମୁଁ ତାକୁ କେତେ ଭଲପାଏ ବଖାଣି ହେବି, ପୁଣି ଶେଷରେ ତାକୁ ପ୍ରଣୟ ନିବେଦନ କରିବି । ଯାହାକୁ ସେ ଖୁବ୍ ସହଜରେ ପ୍ରତ୍ୟାଖ୍ୟାନ କରି ଦେଇ ପାରିବ, କିନ୍ତୁ ଏ କଣ, ମୁଁ ଯେ ତାକୁ ସିଧା ବିବାହ ପ୍ରସ୍ତାବ ଦେଇ ଦେଇଥିଲି ।
ଭଲପାଇବା ଏତେ ଗଭୀର ନହେଲେ କିଏ କଣ କାହାକୁ ସିଧା ବିବାହ ପ୍ରସ୍ତାବ ଦେଇପାରେ ? ମୋ ପ୍ରସ୍ତାବକୁ ସେ ନା କରିବ କି ହଁ, ଭାବିପାରୁ ନଥିଲା । ନା କରିବ ତ କିପରି ନା କହିବ, ହୁଏତ ତାର ବାଟ ଖୋଜୁଥିଲା ସ୍ୱାତୀ ! ଧୀରେଧୀରେ ସ୍ୱାତୀର ମୁହଁ ଗମ୍ଭୀର ହୋଇ ଆସୁଥିଲା, ସେଇ ଗମ୍ଭୀରତା ଭିତରେ ଦୁଇଟି କରୁଣ ଆଖି ମୋ ଉପରେ ଘୁରିଯାଇ ଝରକା ବାଟେ କାହିଁ କେତେ ଦୂରରେ କେଉଁ ଅତୀତରେ ବୋଧହୁଏ ହଜିଗଲା ।
ମୁଁ ନିରବତା ଭାଙ୍ଗି କହିଲି,
– ଦେଖ ସ୍ୱାତୀ, ବିବାହ ପାଇଁ ମୁଁ ତୁମକୁ ବାଧ୍ୟ ତ କରି ପାରିବିନି ! ମୁଁ ତୁମର ଉତ୍ତର ଏବେ ସାଙ୍ଗେସାଙ୍ଗେ ବି ମାଗୁନି । ତୁମେ କାହା ସହିତ କେବେ ବିବାହ କରିବ, ସେଇଟା ତୁମର ନିଜ ଇଚ୍ଛା ଉପରେ ନିର୍ଭର କରୁଛି । କିନ୍ତୁ ମୁଁ କେବଳ ଏତିକି କହିବାକୁ ଚାହୁଁଛି, ତୁମେ ଯେବେ ବି ବିବାହ କରିବାକୁ ସ୍ଥିର କରିବ, ଥରେ ମୋ ପ୍ରସ୍ତାବ ଉପରେ ନିଶ୍ଚୟ ବିଚାର କରିବ । ତୁମକୁ ମୁଁ ଜୀବନସାଥୀ ରୂପରେ ପାଇଲେ ବହୁତ ଖୁସି ହେବି । ମୋତେ ଲାଗିବ, ସତେଯେପରି ମୋତେ ମୋର ସାତଜନ୍ମ ତପସ୍ୟାର ସଫଳତାର ଫଳ ମିଳିଗଲା । ହୁଏତ ତୁମେ ମୋ ପାଇଁ ମୋ ଜୀବନର ସର୍ବଶ୍ରେଷ୍ଠ ଉପହାର ହେବ ।
ଏକା ନିଶ୍ଵାସରେ ଏତିକି କହିସାରିବା ପରେ ମୁଁ କହିଲି,
– ଆଚ୍ଛା ସ୍ୱାତୀ ! ମୁଁ ଏବେ ଆସୁଛି । କହି, ଯିବା ପାଇଁ ସୋଫାରୁ ଉଠି ଠିଆ ହୋଇପଡ଼ିଲି ।
ସେପର୍ଯ୍ୟନ୍ତ ସ୍ୱାତୀ ନିରବରେ ତଳକୁ ମୁହଁ ପୋତି ମୋ କଥା ଶୁଣୁଥିଲା । ମୁଁ ଉଠିବାର ଦେଖି ସେ ବି ଠିଆ ହୋଇଗଲା । ହଠାତ୍ ଖପ୍ କରି ମୋ ହାତକୁ ଧରି ପକାଇଲା ଏବଂ ମୋ ମୁହଁକୁ ଥରେ କରୁଣ ଭାବେ ଚାହିଁ ପୁଣି ତଳକୁ ମୁହଁ କରି କହିଲା,
– ବସନ୍ତୁ, ଆପଣ ତ ନିଜ କଥା କହିଗଲେ, ମୋ କଥା ଶୁଣିବେନି ? ମୋର ବି କିଛି କହିବାର ଅଛି, ଶୁଣିକି ଯାଆନ୍ତୁ । ସ୍ୱାତୀ ଆରମ୍ଭ କଲା ତାର କାହାଣୀ ।
– ବେଳେବେଳେ ଜୀବନରେ ଏକ ନିରାଟ ସତକୁ ସତ ବୋଲି ବିଶ୍ୱାସ କରିନେବାକୁ ମନ ହୁଏନି । ମନ ହୁଏ, ସତଟା ବୋଧ ହୁଏ ଜୀବନର ଏକ ଦୁଃସ୍ଵପ୍ନ ଥିଲା, ଅଥବା ସତଟା ସତ ନୁହେଁ କେବଳ ଏକ ପ୍ରହେଳିକା ଥିଲା । କିନ୍ତୁ ସତ ସବୁବେଳେ ସତ, ସେଇଟା କେବେ ବି ବଦଳେନି । ମଣିଷର କାମନା ଦିଗନ୍ତ ବିସ୍ଥାରି, ଆଶା ଅସରନ୍ତି, ଯଦିଓ ଆମେ ଜାଣୁ, ଆମର ଆଶା, ଆମର ଇଚ୍ଛା, କାମନା ଏ ସବୁ ଆମ ଜୀବନର ସମସ୍ତ ଦୁଃଖର କାରଣ ହୋଇଯାଏ । ତଥାପି ମଣିଷ ମରୁଭୂମିର ଓଟ ପରି ମୁହଁରେ ବାରମ୍ବାର କଣ୍ଟାର ଆଘାତ ପାଇ ମଧ୍ୟ କ୍ଷତାକ୍ତ ପାଟିରେ ପୁଣି ସେଇ କଣ୍ଟକିତ ସପ୍ତଫେଣି ଖାଇବାର ପ୍ରୟାସ ଥରକୁଥର କରିଥାଏ । ପତଙ୍ଗଟିଏ ପରି ଅଗ୍ନିଶିଖାର ଲୋଭକୁ ଛାଡ଼ି ପାରେନା । ଜାଣିଶୁଣି ଅବା ଅଜାଣତରେ ସେଇ ଶିଖା ଆଡ଼କୁ ଆକର୍ଷିତ ହୋଇଯାଏ, ଶେଷରେ ସେଇ ଅଗ୍ନିରେ ନିଜର ଡେଣା ଜଳେଇ ଛଟପଟ ହୋଇ ସେଇଠି ମରିଯାଏ । ମୁଁ ବି ତ ମଣିଷଟିଏ, କେମିତି ବର୍ତ୍ତିଯାଇ ପାରିଥାଆନ୍ତି କାମନାର ଲେଲିହାନ ଅଗ୍ନିଶିଖାର ମୋହରୁ ?
ମୋର ଆଶା ସରିନି, କିନ୍ତୁ ମୁଁ ଜାଣିଛି, ମୋର ପଥ ସରିଯାଇଛି । ସ୍ୱପ୍ନ ସରିନି କିନ୍ତୁ ରାତି ସରିଯାଇଛି । ଦିନବେଳେ କିଏ କଣ ସ୍ୱପ୍ନ ଦେଖେ ? ସ୍ୱପ୍ନ ଦେଖିବାର ମୋହରୁ ମୁଁ ମୋ ନିଜକୁ ମୁକ୍ତ କରିନେଇଛି । ଜୀବନର କେଉଁ ଏକ ଦୋ’ଛକିରୁ କିଛି ବାଟ ଚାଲିବା ପରେ ମୋ ଜୀବନର ରାସ୍ତା ସରିଯାଇଛି । ସରିଯାଇଛି କଣ, ଗୋଟିଏ ଜାଗାରେ ମୁଁ ସ୍ଥାଣୁ ପାଲଟି ଯାଇଛି, ବୁଢା ବର ଗଛଟିଏ ପରି । ମରି ପାରିନି ବୋଲି ବଞ୍ଚି ରହିଛି, ବିନା କିଛି ଆଶାରେ, ବିନା କିଛି ସ୍ଵପ୍ନରେ । ଝରା ଶେଫାଳୀ ଦେଖିଛ ? ରାତିରେ ଫୁଟେ, ମହକରେ ଚଉଦିଗ ମହକେଇ ଦିଏ, କିନ୍ତୁ ସକାଳର ସୂର୍ଯ୍ୟ ଦେଖିବା ଆଗରୁ ସେଇ ଗଛମୂଳେ ଧୂଳି ଧୂସରିତ ଧରିତ୍ରୀ ଉପରେ ଝଡ଼ି ପଡ଼େ । ନା କିଛି ସ୍ୱପ୍ନ ନା କିଛି ଆଶା ଥାଏ । ମୁଁ ବଞ୍ଚିଛି ସେଇଟା ମୋ ପାଇଁ ସବୁଠାରୁ ବଡ଼ କଥା ।
ଜୀବନରେ କେଉଁ ଏକ ଦୁର୍ବଳ ମୁହୁର୍ତ୍ତରେ ଭୂତ ଦେଖି ମୁଁ ଡରି ଯାଇଛି, ହାରି ଯାଇଛି ଜୀବନର ଯୁଦ୍ଧରେ । ହେଲେ ପଥ ଭାଙ୍ଗି ପଛଘୁଞ୍ଚା ଦେଇନି । ଜୀବନ ହାରି ଦେଇନି, କଥା ମଝିରେ ହଠାତ୍ ଅଟକି ଯାଇ ସ୍ୱାତୀ ମୋ ମୁହଁକୁ ଚାହିଁଲା, ଯେପରି ସେ ମୋ ମୁହଁରୁ ମୋ ମନର ଭାବ ପଢିବାକୁ ଚେଷ୍ଟା କରୁଥିଲା ।
– ବିନା କିଛି ସଙ୍କୋଚରେ ସେ ହଠାତ ପଚାରିଲା, ଆପଣ କେବେ ଚୁଇଁଗମ୍ ଖାଇଛନ୍ତି ?
– ଚୁଇଁଗମ୍ ?? ହଠାତ୍ ଏପରି ଗୋଟିଏ ପ୍ରଶ୍ନ ଶୁଣି ମୋ ମୁହଁର ଭାବ ବଦଳିଗଲା, ଭାବି ପାରୁନଥିଲି ଏପରି ଏକ ସିରିୟସ କଥାବାର୍ତ୍ତା ଭିତରେ ହଠାତ୍ ଏତେ ହାଲକା ଫୁଲୁକା ପ୍ରଶ୍ନ ? ତଥାପି ଉତ୍ତର ଦେଲି । ହଁ । ପିଲାଦିନେ ବହୁତ ଚୁଇଁଗମ୍ ଖାଇଛି । କିନ୍ତୁ ହଠାତ୍ ଏପରି ପ୍ରଶ୍ନ କାହିଁକି ?
ମୋ ପ୍ରଶ୍ନକୁ ଅଣଶୁଣା କରି ସ୍ୱାତୀ ପୁଣି ପଚାରିଲା ଚୁଇଁଗମ୍ କେମିତି ଖାଆନ୍ତି ?
ପିଲାଦିନର ଚୁଇଁଗମ୍ ଖାଇବା କଥା ମନେପକାଇ ମୋତେ ହସ ତ ବହୁତ ଲାଗୁଥିଲା, ସ୍କୁଲରେ କିପରି ଚୁଇଁଗମ୍ ଖାଇ ପାଖ ବାଲା ସିଟ୍ ରେ ଚିପକେଇ ଦେଇ ସାଙ୍ଗମାନଙ୍କୁ ହଇରାଣ କରିବା, କେବେ କାହା ଚୁଟିରେ ଚୁଇଁଗମ୍ ଲଗେଇ ତୋ ମୁଣ୍ଡରେ କାଉ ହଗିଦେଲା କହି ମଜା କରୁଥିଲୁ । କିନ୍ତୁ ନିଜ ହସକୁ ମନରେ ଚାପି ନେଇ କହିଲି, ଚୁଇଁଗମକୁ ପାଟିରେ ପକାଇ ଚୋବେଇ ଚାଲ, କିଛି ସମୟ ପରେ ତାର ମିଠା ସରିଯାଏ, ତଥାପି ଚୋବାଇ ଚାଲ, ଯେତେବେଳେ ଚୋବେଇ ଚୋବେଇ ବୋର୍ ହୋଇଯିବ, ସେତେବେଳେ ଥୁ କରି ଫୋପାଡ଼ି ଦେବ । ବାସ୍ ହୋଇଗଲା ଚୁଇଁଗମ୍ ଖାଇବା ।
ମୋର ଉତ୍ତର ଶୁଣି ସ୍ୱାତୀର ପ୍ରତିକ୍ରିୟା କେବଳ ଏକ ଛୋଟିଆ ହୁଁ ଥିଲା, କିନ୍ତୁ ସେଇ ଛୋଟିଆ ହୁଁ ଶବ୍ଦଟି ବହୁତ ଗମ୍ଭୀର ଥିଲା ! ଗୋଟିଏ ଅକ୍ଷରର ଏଇ ଶବ୍ଦଟି କେତେ ଗମ୍ଭୀର, ସତେଯେପରି ନିଜ ଭିତରେ ଦୁନିଆଁର ସବୁ ଦୁଃଖକୁ ଜାବୁଡ଼ି ଧରିଛି । ସତେଅବା ମହାଶୂନ୍ୟର ନିଥର ମଣ୍ଡଳର ସେଇ ଗୁରୁ ଗମ୍ଭୀରର ଶବ୍ଦ । ଯିଏ କହେ, କେବଳ ସେଇ ନିଜେ ହିଁ ଶୁଣେ, ଆଉକେହି ଶୁଣି ପାରେନା, କିନ୍ତୁ ଯିଏ ଶୁଣେ ସେ ବୁଝି ବି ଅବୁଝା ରହିଯାଏ । ସେଇ ଶବ୍ଦର ଅର୍ଥ କଣ ଥିଲା, ହଁ ଅବା ନା । ମୁଁ ବି ଅବୁଝା ଶିଶୁଟିଏ ପରି ଚାହିଁ ରହିଥିଲି ସ୍ୱାତୀ ମୁହଁକୁ ତାର ପରବର୍ତ୍ତୀ ଶବ୍ଦଗୁଡିକୁ ଶୁଣିବା ପାଇଁ ।
ମୋର ଅବୁଝାପଣ ଦେଖି ସ୍ୱାତୀ ମୁହଁ ଖୋଲିଲା । ପଚାରିଲା, ଫୋପଡ଼ା ଯାଇଥିବା ସେଇ ଚୁଇଁଗମକୁ ଉଠାଇ ଆଉକେହି କଣ କେବେ ଖାଏ ??
ଏଥର କିନ୍ତୁ ସ୍ୱାତୀର ପ୍ରଶ୍ନରେ ମୁଁ ଚମକି ପଡ଼ିଥିଲି । ନିଜର ଭାବନା ଉପରେ ଅଙ୍କୁଶ ଲଗାଇ ଉତ୍ତରରେ କହିଲି,
– ନା, ସେଇ ଚୁଇଁଗମରେ କଣ ବାକିଥାଏ ଯେ ? ପବନ ବାଜି ସେ ଟାଣ ବି ହୋଇଯାଏ । ଡଷ୍ଟବିନରେ ଫୋପଡ଼ା ଯାଇଥିବା ଅଇଁଠା ଚୁଇଁଗମକୁ କିଏ କାହିଁକି ଖାଇବ !
ସ୍ୱାତୀ ଫିକ୍ କିନା ହସି ଦେଲା, ସେ ହସ କିନ୍ତୁ ସବୁ ସମୟର ହସ ପରି ସରସ, ମଧୂର ନଥିଲା, ବଡ଼ ନିରାଶାର ଶୁଖିଲା ହସଟିଏ ଥିଲା ସେ ହସ । ସେ ସିଧାସଳଖ ମୋ ମୁହଁକୁ ଚାହିଁଲା, ଆଖିରେ ଆଖି ମିଳାଇ କହିଲା, ‘ବୋଧହୁଏ ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଗଲେ ।‘
ସ୍ୱାତୀର କଥା ଶୁଣି ମୁଁ ଚମକି ପଡ଼ିଲି, ଠିକ୍ ଭାବେ ବୁଝି ବୁଝିପାରୁ ନଥିଲି ସେ କଣ କହିବାକୁ ଚାହୁଁଛି । ଅବୁଝାପଣରେ ପଚାରି ବସିଲି,
– ମାନେ ? ତୁମ କଥା ମୁଁ ବୁଝି ପାରିଲିନି । ଚୁଇଁଗମ୍ ଆଉ ମୋର ପ୍ରଶ୍ନ ଏବଂ ତାର ଉତ୍ତର, ଏ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କରୁଥିଲି । ଜ୍ୟାମିତିର କେଉଁ ଉପପାଦ୍ୟର ସୁତ୍ର ଖୋଜୁଥିଲି । ସେମାନଙ୍କୁ ଗୋଟିଏ ସରଳ ରେଖାରେ ଯୋଡ଼ା ଯାଇ ପାରିବ କି ନାହିଁ ପରୀକ୍ଷା କରୁଥିଲି ।
ମୋର ଅବୁଝାପଣ ଦେଖି ସ୍ୱାତୀ କହିଲା,
– ସେଇ ଚୁଇଁଗମ୍ ଆଉ ମୁଁ ଆମେ ଗୋଟିଏ ଜିନିଷ । ମୁଁ ସେଇମିତି ଫୋପଡ଼ା ଯାଇଥିବା ଚୁଇଁଗମଟିଏ । ଆପଣଙ୍କ ପାଇଁ ମୁଁ ଯୋଗ୍ୟ ନୁହେଁ । ଆପଣ ଆଉ ମୋ ଅତୀତ କଥା ପଚାରି ମୋତେ ଆଉ ବ୍ୟଥିତ କରିବେନି ବୋଲି ଆଶା କରୁଛି । ଆପଣ ଏବେ ଆସିପାରନ୍ତି ବୋଲି କହି ସ୍ୱାତୀ ତା ଜାଗା ଛାଡ଼ି ଠିଆ ହୋଇଗଲା ।
ମୁଁ କିନ୍ତୁ ବସି ରହି ସ୍ୱାତୀର ମୁହଁକୁ ଚାହିଁ ରହିଥିଲି । ସେଇ ଦରମଉଳା ଫୁଲରେ ତାର ନିଜସ୍ୱ ରଙ୍ଗମାନଙ୍କୁ ଖୋଜୁଥିଲି, ଉଡ଼ି ଯାଇଥିବା ମହକ ସବୁକୁ ମନେ ପକାଉଥିଲି । ମୋତେ କାହିଁକି ଲାଗୁଥିଲା, ଏଇଟା ଗୋଟିଏ ଦରମଉଳା ଫୁଲର କାହାଣୀ ନୁହେଁ, ଏଇଟା ତ ଶରତ ଆକାଶର ପୂର୍ଣ୍ଣିମା ଚାନ୍ଦର କାହାଣୀ । ସତେଯେପରି ଅଦିନିଆ ବାଦଲ ତାକୁ ଢାଙ୍କି ଦେଇଛି କିଛିକ୍ଷଣ ପାଇଁ । ସଫେଦ୍ ପତଳା ବାଦଲ ତଳେ ଲୁଚିଯାଇଛି ପୁନେଇଁର ଚାନ୍ଦ । ଦି’ମିନିଟ ପରେ ବାଦଲ ହଟିଯିବ, ପୁଣି ହସି ଉଠିବ ଜହ୍ନ । ତାର ତୋଫା ମୁଁହ ଦେଖେଇ ଦେବ, ଟିକିଏ ହସି ଦେଇ ଚଉଦିଗରେ ତାର ଚାନ୍ଦିନୀ ବିଛାଡ଼ି ଦେବ ।
ମୁଁ ମଧ୍ୟ ଠିଆ ହୋଇପଡ଼ିଲି, ସ୍ୱାତୀର ଠିକ୍ ସାମ୍ନାସାମ୍ନି । ଟିକେ ଗଳା ସଫା କରି ପଚାରିଲି,
– ସ୍ୱାତୀ, ତୁମେ କେବେ ଆଇସ୍ କାଣ୍ଡି ଖାଇଛ ? ହଠାତ୍ ସ୍ୱାତୀ ମୁହଁର ଭାବ ବଦଳିଗଲା । ତାର ଭୃ କୁଞ୍ଚିତ ହୋଇଗଲା । ସତେଯେମିତି ପଛ ବେଞ୍ଚରେ ବସିଥିବା ପିଲାଟିକୁ ସାର୍ ସାଇକୋଲଜିର ସ୍ପେଲିଂଗ୍ ପଚାରି ଦେଲେ । ସ୍ୱାତୀ ଠିକ୍ ବୁଝି ପାରୁନଥିଲା, ତାର ଚୁଇଁଗମ୍ ଥିଓରିର ଜବାବରେ ମୋର ଏଇ ଆଇସ୍ କାଣ୍ଡିର ଥିଓରିଟା କଣ ? ଏବଂ ତା’ପଛରେ ଥିବା ମୋ ଲଜିକଟା କଣ ହୋଇପାରେ ! ସେ ବୁଝି ପାରୁନଥିଲା, ମୁଁ କଣ ପ୍ରମାଣ କରିବାକୁ ଚାହୁଁଥିଲି ।
ତାର ଏ କନଫ୍ୟୁଜନକୁ ଦେଖି ମୁଁ ତାକୁ କହିଲି,
– ଛାଡ଼ ସେସବୁ । କଥାଟାକୁ ମୁଁ ସିଧାସିଧା କହୁଛି । ଆମେ ଆଇସ୍ କାଣ୍ଡିକୁ କେତେ ଯତ୍ନରେ ଖାଉ, ଗୋଟିଏ ଟୋପାଏ ରସ ତରଳି ଯେପରି ତଳେ ପଡ଼ିନଯାଏ, ସେଥିପାଇଁ ବଡ଼ ସାବଧାନ ରହୁ । ଯେତେବେଳେ ଆଇସ୍ କାଣ୍ଡିଟି ପୁରା ସରିଯାଏ, ତେବେ ବି ଆଇସ୍ କାଣ୍ଡିର ମୋହ ସରିନଥାଏ, କାଠିଟିକୁ ଫୋପାଡ଼ିବା ଆଗରୁ ଶେଷଥର ପାଇଁ ଥରେ ମୁହଁରେ ପୁରାଇ ଆଉଥରେ ଚୁଷି ନେଉ । କାଳେ ଟୋପାଏ କେଉଁଠି ଲାଗି ରହିଯାଇଥିବ ସେଥିରେ । ସେମିତି ମଣିଷର ଜୀବନ, ଆଉ ଜୀବନର ସବୁ ସଂପର୍କ । ମଣିଷ ଜୀବନରେ ସଂପର୍କର ବନ୍ଧନ ମଧ୍ୟ ସେମିତି ଥାଏ । ଜଣେ ଆଉ ଜଣଙ୍କ ସହିତ ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ରହେ । ଯେବେ ଜୀବନ ସରିଯାଏ ସେତେବେଳେ ଖାଲି ନିର୍ଜୀବ ଦେହଟି ଆଇସ୍ କାଣ୍ଡିର କାଠିଟିଏ ପରି ହୋଇଯାଏ । ଦେଖ ସ୍ୱାତୀ ! କିନ୍ତୁ ମଣିଷର ଜୀବନ କିଛି ଚୁଇଁଗମ୍ କିମ୍ବା ଆଇସ୍ କାଣ୍ଡି ନୁହେଁ । ମଣିଷ ଜୀବନର ତୁଳନା ଏକ ଧଳା ଲୁଗା ସହିତ ମଧ୍ୟ କରାଯାଇ ପାରେ । ଲୁଗା ତ କେବେ ନା କେବେ ଅସନା ହେବ, ସେଥିରେ କେତେ ଧୂଳି କେତେ ଦାଗ ଲାଗିବ, ତା’ବୋଲି ଅସନା କହି ଲୁଗାଟିକୁ କେହି ଫୋପାଡ଼ି ଦିଏନା । ବରଂ ଅସନା ଲୁଗାକୁ ଧୋଇଧାଇ ପରିଷ୍କାର କରିଦିଏ, ପୁଣି ବ୍ୟବହାର କରେ ।
ଆମେ ମଣିଷ, ଆମ ଜୀବନରେ ଆମେ ଅନେକ ଠିକ୍ ନିଷ୍ପତ୍ତି ନେଉ, ଆଉକେବେ ଜାଣତ ଅଜାଣତରେ କିମ୍ବା ଭାବାବେଗରେ ଭୁଲ ବି କରିଦେଉ । କିନ୍ତୁ ତାର ଅର୍ଥ ନୁହେଁ ଗୋଟିଏ ଭୁଲ ନିଷ୍ପତ୍ତିର ବୋଝକୁ ସାରାଜୀବନ ମୁଣ୍ଡରେ ବୋହି ବାକିଥିବା ଜୀବନକୁ ସମାପ୍ତ କରିଦେବୁ ।
ତୁମର ଅତୀତ ସହିତ ମୋର କିଛି ଯାଏଆସ ନାହିଁ । ସେ ତୁମର ଅତୀତ ଥିଲା । ସେ ବିଷୟରେ ମୁଁ କିଛି ଜାଣିବାକୁ ଚାହୁଁନି ଏବଂ ଜୀବନରେ କେବେ ବି ଜାଣିବାକୁ ଚାହିଁବିନି । ମୁଁ ଭବିଷ୍ୟତ ବିଷୟରେ ଆଶାବାଦୀ ଏବେବି କେବଳ ଭବିଷ୍ୟତ କଥା ଭାବୁଛି । ପୁରୁଣା ଘରର ନିଅଁ ଉପରେ ନୂଆ ଘର ତୋଳା ହୁଏନି, ବରଂ ପୁରୁଣା ନିଅଁକୁ ପୁଣିଥରେ ଖୋଳି ନୂଆ ନିଅଁ ଗଢାଯାଏ । ସେଇ ନୂଆ ନିଅଁ ଉପରେ ଭବିଷ୍ୟତର ସୌଧ ନିର୍ମାଣ କରାଯାଏ । ତୁମେ ଯଦି ଚାହିଁବ ଆମେ ଆମର ଭବିଷ୍ୟତ ଜୀବନକୁ ସାଥି ହୋଇ ଜୀଇଁ ପାରିବା । ତୁମେ କଣ ଅତୀତକୁ ଗୋଟିଏ ଦୁଃସ୍ଵପ୍ନ ପରି ଭୁଲି ଯାଇ ମୋ ସହିତ ଏକ ନୂଆ ଜୀବନ ଆରମ୍ଭ କରିପାରିବନି ? ତୁମେ ମୋତେ ବିବାହ କରିପାରିବ ସ୍ୱାତୀ ? ଆମେ ଦୁଇ ଜଣ ଆଜିର ମୂଳଦୁଆ ଉପରେ ଭବିଷ୍ୟତର ସୌଧ ଗଢି ଯିବା ।
ସ୍ୱାତୀର ଆଖି ଛଳଛଳ ହୋଇ ଆସୁଥିଲା । କଣ୍ଠ ରୁନ୍ଧି ହୋଇ ଆସୁଥିଲା ତାର । ଭାବାବେଗରେ ସେ କିଛି କହିପାରୁ ନଥିଲା । ଧାଇଁ ଆସିଲା ମୋ ପାଖକୁ । ମୋତେ ଖୁବ୍ ଜୋରରେ କୁଣ୍ଢେଇ ଧରିଲା । ମୋ ଛାତିରେ ମୁହଁ ଗୁଞ୍ଜିଦେଇ କଇଁକଇଁ ହୋଇ କାନ୍ଦି ଉଠିଲା ସେ । ଭାବାବେଗରେ ମୋର ଦୁଇ ବାହୁ ତାକୁ ନିବିଡ଼ ଭାବେ ଜାବୁଡ଼ି ଧରିଥିଲେ । କେଜାଣି କେତେ ଯୁଗରୁ ସ୍ୱାତୀର ହୃଦୟରେ ଜମି ରହିଥିବା ଅତୀତର କଳା କୁହୁଡ଼ି ସବୁ ସତେଯେପରି ପ୍ରେମ ଓ ବିଶ୍ୱାସର ସୂର୍ଯ୍ୟକିରଣରେ ଧୀରେଧୀରେ ଅପସରି ଯାଉଥିଲା ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।