ଶିବ ଚରଣ ମହାପାତ୍ର

ସୁମି ଅପାକୁ ମୁଁ ଭଲପାଏ । ଭଲପାଏ ବୋଲି ତା’ର ସମସ୍ତ କଥା ମାନିନିଏ । ବେଳ ଅବେଳରେ ଯେଉଁଠି ଡାକେ ମୁଁ ହାଜର ହେଇଯାଏ । ଅନ୍ୟକେହି ପୁଅ ସାଙ୍ଗ ଅପେକ୍ଷା ମୁଁ ସୁମି ଅପା ସାଙ୍ଗେ ଅଧିକ ସାଙ୍ଗ ହୁଏ । କହିବାକୁ ଗଲେ ସୁମି ଅପା ହିଁ ମୋର ଏକମାତ୍ର ପ୍ରିୟ ସାଙ୍ଗ ।
ଆମ ଘରଠାରୁ ଗୋଟିଏ ଘର ଛାଡ଼ି ତାଙ୍କ ଘର । ଘର ପଛପଟେ ବହୁତ ବଡ଼ ଫଳ ବଗିଚା । ଆମ୍ବ, ପିଜୁଳି, ସପୁରୀ, ଲିଚୁ ଏମିତି କେତେ କ’ଣ ଫଳ ଗଛ ସବୁ ଲଗାଯାଇଛି । ତା’ର ସମସ୍ତ ଯତ୍ନ ଓ ଦାୟିତ୍ଵ ସୁମି ଅପାଙ୍କ ବାପା ନିଅନ୍ତି, ମାନେ ଗଣେଶ ଦାଦା । ମୋ ପାଇଁ ସେ ବଗିଚାରେ କୈାଣସି ପ୍ରତିବନ୍ଧକ ନଥିଲେ ବି ମୁଁ କୈାଣସି ଫଳକୁ ହାତ ଲଗାଉନଥିଲି । ହାତ ଲଗାଉନଥିଲି ବୋଲି ତ ମୋତେ ସୁମି ଅପାଙ୍କ ଘରେ ସମସ୍ତେ ଖୁବ୍ ଭଲ ପାଉଥିଲେ ।
ଏସନ ରଜରେ ତାଙ୍କ ଘରକୁ ତା’ ମାଉସୀ ଝିଅ ଆସିଥିଲା । ସୁହାନୀ । ମୋ ବୟସର । ଗୋରୀ ସୁନ୍ଦରୀ । କଣ୍ଢେଇ ପରି ଢଳଢଳ ଆଖି । ସେ କେତେ କଥା କହେ । କଥା କଥାରେ ଖିଲି ଖିଲି ହସେ । ହସିଲେ ତା’ ବାଁ ଗାଲରେ ଭଉଁରୀ ପଡ଼ିଯାଏ । ସେତେବେଳେ ଇଛା ହୁଏ ସେ ସରୁ ଭଉଁରୀରେ ପଡ଼ି ମୁଁ ବୁଡି ଯାଆନ୍ତି କି..!? ତା ଅଜାଣତରେ ତା’ର ପ୍ରତ୍ୟେକଟି ହସରେ ସେ ଭଉଁରୀରେ ପଡ଼ି ମୁଁ ବୁଡ଼ି ମରୁଥାଏ । ଏକଥା କ’ଣ ସେ କେବେ ହେଲେ ଜାଣେ..? କେଜାଣି..?
ସେ ଭୁବନେଶ୍ଵରରେ ତା’ ମମି ଡାଡ଼ିଙ୍କ ସହିତ ରହେ । କେଉଁ ଏକ ଇଂଲିଶ ମିଡ଼ିୟମ ସ୍କୁଲରେ ପଢ଼େ । ସେମାନେ ସ୍କୁଲରେ କେତେ ମଜ୍ଜା କରନ୍ତି , ତା’ ସାଙ୍ଗମାନଙ୍କ ପ୍ୟାରେଣ୍ଟ କେତେ ବଡ଼ ପଦପଦବୀର, ଏମିତି କେତେ କ’ଣ ଗପୁଥାଏ ସାରାଦିନ । ମୁଁ ଆଶ୍ଚର୍ଯ୍ୟ ହୋଇ ତା’ ମୁହଁକୁ ଚାହିଁଥାଏ । ଭାବେ ଜଣେ ଅବିରତ ଏତେ କଥା କିପରି ଗପିପାରେ !? କିନ୍ତୁ ମୋତେ ଭଲଲାଗେ ତା’ର ଏଣୁତେଣୁ ଯାବତୀୟ କଥା ।
ତା’ ସାଙ୍ଗସାଥି କଥା ଶୁଣି ମୁଁ ନିଜ କଥା ଭାବେ । ନିଜକୁ ଚାହେଁ । ଧିରେଧିରେ ମୋ ମୁହଁ ଶୁଖିଯାଏ । ମୋ ପରି ସାଙ୍ଗ ପାଇ ସେ ଖୁସି ତ ? ପୁଣି ମୁଁ ତା ଆଖିକୁ ଚାହେଁ । ତା’ କଥାକୁହା ଆଖି ଯେପରି ମୋତେ ବାରମ୍ବାର କୁହେ କି ସହରର ସବୁ ସାଙ୍ଗମାନଙ୍କ ଠାରୁ ସେ ମୋତେ ହିଁ ଅଧିକ ଭଲପାଏ । ହଁ ସେ କେବଳ ମୋତେ ହିଁ ଭଲପାଏ । ତା’ ଆଖିରେ ମୁଁ ଅହରହ ଲାଖି ରହେ ଅଠା କାଠିରେ ଚଢ଼େଇ ଫସିଯିବା ପରି । ଅଥବା ପଦ୍ମ ତୋଳିବାକୁ ଯାଇ ପଙ୍କ କାଦୁଅ ରେ ଗୋଡ଼ ଫସିଯିବା ପରି । ସେ ଆଖି ଯୁଗଳ ମୋ ଜୀବନ ର ସବୁ ଦୁଃଖ କୁ ପୋଛି ନେଉଛି । ହଁ ତା’ ଆଖିକୁ ଚାହିଁ ମୁଁ ସବୁକିଛି ଭୁଲି ଯାଉଛି, ସବୁକିଛି ଭୁଲି ସାରିଛି । ଏମିତି କି ନିଜକୁ ବି ।
ଏବେ ସୁମି ଅପା ଘରକୁ ଯିବାଆସିବା ମୋର ଟିକିଏ ବଢିଯାଇଛି । ସଭିଏଁ କହୁଛନ୍ତି ସୁହାନୀ ସହିତ ମିଶିବା ପରେ ମୋ ମୁହଁରେ ସହରାଞ୍ଚଳ ଚାହାଣୀ, ଭାଷା ଫୁଟି ଉଠୁଛି । ସେ ସବୁଦିନ ମୋତେ ସହରର ଚାଲିଚଳନ, ସହପାଠୀଙ୍କ ବିଷୟରେ କେତେ କଥା କହି ହସଉଛି । ଆମେ ଦୁହେଁ ପାଖାପାଖି ବସୁଛୁ । ମୁଁ ଘରୁ ଆଣିଥିବା ବୋଉ ହାତତିଆରି ତେନ୍ତୁଳି ଓ କୋଳି ଆଚାର ତା’କୁ ଦେଉଛି । ସେ ଖୁବ୍ ଆଗ୍ରହରେ ସେସବୁ ଖାଉଛି । ଅନେକ ସମୟ ଯାଏଁ ଆମେ ଦୁହେଁ ପାଖାପାଖି ବସୁଛୁ । ହସୁଛୁ । ହସିହସି ଦୁହିଁଙ୍କୁ ଦେଖୁଛୁ । ପୁଣି ଲାଜଲାଜ ଆଖିରେ ମୁରୁକି ହସୁଛୁ । ପୁଣି ଦେଖୁଛୁ । ପୁଣି ହସୁଛୁ । ହସୁଛୁ । ଦେଖୁଛୁ । ଦେଖୁଛୁ । ଦେଖୁଛୁ ।
ପିଣ୍ଟୁ ଭାଇ ସୁମି ଅପାକୁ ଏମିତି ଦେଖେ ବାଟରେ ଘାଟରେ । ସୁମି ଅପା ସାଙ୍ଗେ ଏମିତି ହସେ ତାଙ୍କ ଘରେ କେହିନଥିଲା ବେଳେ । ମୁଁ ଦେଖେ । ତାଙ୍କ ଦାଣ୍ଡଘରେ ବସି ରାସ୍ତାକୁ ଚାହିଁଥାଏ । ରାସ୍ତାରେ କାଁ ଭାଁ ସାଇକେଲ ଅବା ମୋଟରସାଇକେଲ ଟିଏ ପଇଁତରା ମାରୁଥିବାର ଦେଖାଯାଏ । ଥରେଅଧେ ସାଇକେଲ ଘଣ୍ଟିଟିଏ ସୁମି ଅପା ଘର ସାମନାରେ ବାଜି ଉଠେ । ମୁଁ ଦେଖୁଥାଏ । ଖଟିଆରେ ବସି ଗୋଡ଼ ହଲଉଥାଏ । ହଲେଇ ହଲେଇ ଥକି ପଡ଼ିଲେ ଖଟିଆରେ ଗଡ଼ିପଡେ । ବାଁ ଗୋଡ଼ ଉପରେ ଡାହାଣ ଗୋଡ଼ ଲଦି ଦିଏ । ଗୋଡ଼ ଲଦି ମହାଆଡମ୍ବରରେ ତାଙ୍କ ବାଡ଼ି ପିଜୁଳି ଖାଉଥାଏ ।
ସୁମି ଅପା ସତର୍କ କରେଇ କହେ,-“କେହି ଆସିଲେ ଜଣେଇବୁ । ଚଢ଼େଇଙ୍କୁ ଘଉଡ଼ାଇବା ପରି ଶବ୍ଦ କରିବୁ । ବଡ଼ ପାଟିରେ ହୁର୍..ର୍…ର୍…ର୍.. ଅଥବା ହାଇ…ହାଇ… କରି ।” ମୁଁ ମୁଣ୍ଡ ହଲେଇ ହଁ କରେ । ପିଣ୍ଟୁ ଭାଇ ସୁମି ଅପା ରୁମ୍ ଭିତରକୁ ପଶେ । କବାଟ ବନ୍ଦ କରେ । ସୁମି ଅପାର ହସ ଧିରେଧିରେ କ୍ଷୀଣରୁ କ୍ଷୀଣତର ହୁଏ । ସେମାନେ ଚଢ଼େଇ ଉଡ଼ାନ୍ତି କି କ’ଣ, ସେ ଘର ଭିତରୁ କେମିତି ଅଜବ ଶବ୍ଦ ଶୁଭେ । ମୁଁ ପିଜୁଳି ଖିଆରେ ଧ୍ୟାନ ଦିଏ । କିଛି ସମୟ ପରେ ପିଣ୍ଟୁ ଭାଇ କବାଟ ଖୋଲି ବାହାରକୁ ଆସେ । ଯାଉଯାଉ ମୋତେ ଚାହିଁ ମୁରୁକି ହସେ । ପରେପରେ ସୁମି ଅପା ଘର ଭିତରୁ ମହମହ ମଲ୍ଲୀ ଫୁଲ ବାସ୍ନା ମୋ ନାକ ଭିତରକୁ ପଶିଆସେ ।
ସୁମି ଅପା ମୋତେ କହେ,-” ଆଉ ପିଜୁଳି ଖାଇବୁ..?”
ମୁଁ ମୁଣ୍ଡ ହଲେଇ ନା’ କରେ ।
ବର୍ଷା ପାଇଁ ସ୍କୁଲ ଛୁଟି ଅଧିକ ତିନି ଦିନ ଘୁଞ୍ଚି ଯାଇଛି, ମୁଁ ବହୁତ ଖୁସି । ଆମ ଗାଁରେ ସୁହାନୀ ଆଉ ଦି ଦିନ ଅଧିକ ରହିବ । ଛୁଟି କେବଳ ଆମ ପାଇଁ ଥିଲା କିନ୍ତୁ ଅନ୍ୟମାନେ ନିଜ ନିଜ କାମକୁ ପୁଣିଥରେ ଫେରି ଯାଉଥିଲେ । ବାପା ବୋଉ ସମସ୍ତେ ବିଲ କାମ ପାଇଁ ଚାଲି ଯାଇଛନ୍ତି । ଘରେ ଏକୁଟିଆ ମୁଁ । ହାଲୁକା ବର୍ଷା ପଡୁଛି, ମୁଁ ଦାଣ୍ଡଘର ଖଟିଆରେ ଗଡୁଛି । ଦେଖିଲି ଦୃତ ପଦଚାରଣ କରି ସୁହାନୀ ଆମ ଘର ଆଡ଼କୁ ଆସୁଛି । ଆମ ଘରକୁ ସେ ଏ ଅବେଳରେ..!? ମୁଁ ଆଶ୍ଚର୍ଯ୍ୟ ହୋଇ ତା’ ଆସିବା ବାଟକୁ ଚାହିଁଛି । ପାଖରେ ପହଞ୍ଚି ହସିହସି ମୋ ହାତକୁ ସେ ପିଜୁଳିଟିଏ ବଢ଼େଇ ଦେଲା । ମୁଁ ମୁରୁକି ହସି ପିଜୁଳିଟି ନେଲି । ଏବେ ମୋ ହାତରେ ସଦ୍ୟ ତୋଳା ଯାଇଥିବା ପିଜୁଳିଟିଏ । କିନ୍ତୁ ଏ ପିଜୁଳି ସବୁ ପିଜୁଳିଠୁ ଭିନ୍ନ । ଭିନ୍ନ କାରଣ ତା’କୁ ସୁହାନୀ ଦେଇଛି । ତା’କୁ ଖାଇବି କି ସାଇତି ରଖିବି ଦ୍ୱନ୍ଦରେ ମୁଁ ।
ଆଜି ସୁହାନୀର ଆଖି ଦୁଇଟି ଅଧିକ ଲାଜୁଆ ଦିଶୁଛି । ମୁଁ ଚୁପଚାପ୍ ସୁହାନୀକୁ ଦେଖୁଥିଲି ପିଣ୍ଟୁ ଭାଇ ସୁମି ଅପାକୁ ଦେଖୁଥିବା ପରି ।
ତା’ ନୀରବତା ଦେଖି ପଚାରିଲି,-” କ’ଣ କିଛି କହିବ..? “
ସୁହାନୀ ଥମଥମ ହେଇ କହିଲା- ” ତୁମେ ଟିକିଏ ତୁମ ରୁମ୍ ଛାଡ଼ିବ, ପିଣ୍ଟୁ ଭାଇ ଏକାନ୍ତରେ କ’ଣ କହିବେ କହୁଥିଲେ ତ..? “
ତା’ କଥା ଶୁଣି କ’ଣ କହିବି କିଛି ଭାବି ପାରିଲିନି । ମୁଁ ଜାଣେ ପିଣ୍ଟୁ ଭାଇ ଏକାନ୍ତରେ କେଉଁ କଥା କହିବେ । ମୁଁ ଚୁପ୍ ରହିଲି । ମୋ ନୀରବତାକୁ ସେ ସମ୍ମତି ମନେକଲା କି କ’ଣ ପିଣ୍ଟୁ ଭାଇଙ୍କୁ ଇସାରା ଦେଲା । ଦୁହେଁ ଆମ ଘର ଭିତରକୁ ପଶିଗଲେ । ସୁହାନୀ ଭିତରୁ କବାଟ ବନ୍ଦ କରିନେଲା ।
ଏବେ ସୁମି ଅପା କାହାଣୀର ସମାନ ଘଟଣା ପୁନରାବୃତ୍ତି ଘଟୁଥିଲା ଆମ ଘରେ । ସେଠି ସୁମି ଅପା ହସୁଥିଲା ଏଠି ସୁହାନୀ । ସେଠି ସୁମି ଅପାର ହସ କ୍ଷୀଣରୁ କ୍ଷୀଣତର ହେଉଥିଲା ଏଠି ସୁହାନୀର । ଫରକ୍ ଏତିକି । ନଚେତ୍ ଦୁହେଁ ସମାନ ଚଢ଼େଇ ଉଡ଼ଉଥିଲେ ସମାନ ଶବ୍ଦ ଓ ସ୍ୱରରେ । ଆଉ ମୁଁ ପିଜୁଳିଟିଏ ଧରି ଯନ୍ତ୍ରଣା ଜର୍ଜରିତ ଠିଆ ହେଇଥିଲି ଦାଣ୍ଡ ଘରେ ।
କିଛି ସମୟ ପରେ କବାଟ ଖୋଲି ଦୁହେଁ ବାହାରି ଗଲେ । ଦୁହିଁଙ୍କ ମୁହଁରେ ପରିତୃପ୍ତିର ଚେନାଏ ହସ ଫୁଟି ଉଠୁଥିଲା ।
ସୁହାନୀ ଯାଉଯାଉ କହିଲା-” ସୁମି ଅପାଙ୍କୁ ଏକଥା କହିବନି ପ୍ଲିଜ୍, ତୁମକୁ ମୋ ରାଣ ।”
ଅବୋଧ ଶିଶୁଟିଏ ହୋଇ ନିରବ ନିଶ୍ଚଳ ମୁଁ ତା’ ଆଖିକୁ ଚାହିଁ ରହିଥିଲି । ସେ ନିର୍ଲଜା ପରି ହସିଦେଇ ଏକମୁହାଁ ଚାଲିଗଲା । ମଣିଷଟିଏ ଏତେ ସହଜରେ କେମିତି ବଦଳି ଯାଏ ଯେ..?
ସେମାନେ ଯିବା ପରେ ଘର ଭିତରକୁ ଯାଇ ଦେଖେ ତ ମୋ ଶୋଇବା ବିଛଣାଟି କେମିତି ଅସଞ୍ଜତ ହେଇ ପଡ଼ିରହିଛି । କେମିତି ଏକ ଉତ୍କଟ ଗନ୍ଧ ମୋ ନାକ ଭିତରକୁ ରୁନ୍ଧି ହେଇ ପଶିଗଲା । କେଇ ମିନିଟ୍ ରେ ଯେପରି କେହିଜଣେ ଆତତାୟୀ ଆଖି ସାମ୍ନାରେ ମୋର ସମସ୍ତ ବ୍ୟବସ୍ଥିତ ସୁଖ ଶାନ୍ତି ଲୁଟି ନେଇଛି । ଖୁବ୍ ଅଣନିଃଶ୍ଵାସୀ ଲାଗୁଥିଲା ମୋତେ । ବାହାରେ ହାଲୁକା ବର୍ଷାର ଆଗମନ । ବାହାରକୁ ଚାଲି ଆସି ଆକାଶକୁ ଚାହିଁ ଦୀର୍ଘ ଶ୍ୱାସଟିଏ ଫିଙ୍ଗି ଦେଲି । ଆକାଶରୁ ଝରୁଥିବା ବର୍ଷା ଓ ସେ ସମୟ ସଯତ୍ନେ କୋଳେଇ ନେଲେ ମୋ ଛାତି ତଳ ଘୃଣା ତିରସ୍କାର କଥା ବ୍ୟଥା ଯେତେକ ।
କିଛି ସମୟ ପରେ ନିଜ ଭିତରକୁ ଫେରି ଦେଖେ ତ ମୋ ହାତରେ ସୁହାନୀ ଦେଇଥିବା ପିଜୁଳିଟି ସେମିତି ପୂର୍ବବତ ଅକ୍ଷତ ଅଛି, ଯେପରି ସୁହାନୀ ପ୍ରତି ମୋ ହୃଦୟର ଭଲପାଇବା ।
କିନ୍ତୁ ସୁହାନୀ..?
ଦୁର୍ପଦା, କେନ୍ଦୁଝର, ଫୋନ – ୯୬୬୮୧୬୧୬୨୧
ଲେଖକ ପରିଚୟ
ସାହିତ୍ୟ କୁ ମୁଁ କେବେ ବାଛି ନଥିଲି , ହୁଏତ ସାହିତ୍ୟ ମୋତେ ବାଛିଥିଲା କହିବା ଯଥାର୍ଥ ହେବ । କାରଣ ମୋ ଆଦ୍ୟ ଯୈାବନର କେଇ ଗୋଟି ବସନ୍ତ ଆଗରୁ ହିଁ ମୋ ଦ୍ୱାରା କବିତା ଲେଖା ଆରମ୍ଭ ହେଇଥିଲା । ଅଷ୍ଟମ ଶ୍ରେଣୀ ପଢୁଥିବା ସମୟରେ ଶୀତ ସକାଳ ରେ ପଲ୍ଲୀ ର ଦୃଶ୍ୟ କୁ ନେଇ ପ୍ରଥମ କବିତା ଲେଖା ଆରମ୍ଭ ହେଇଥିଲା । ୨୦୨୩- କବିତା ପାଣ୍ଡୁଲିପି ଜିଭ ନଥିବା ଲୋକ ପାଇଁ (ଟାଇମ୍ ପାସ୍ ପ୍ରଥମା ପୁରସ୍କାର ), ୨୦୨୫ – ଗଳ୍ପ ପାଣ୍ଡୁଲିପି ସ୍କେଚ୍ ପାଇଁ (ପେନ୍ ଇନ୍ ଯୁବ ପୁରସ୍କାର) ।
