ପଦ୍ମଭୂଷଣ ମନୋଜ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର : ମନୋଜ ଦାସଙ୍କ ଭାଷାରେ, ଭାବରେ, ଚରିତ୍ର ଚିତ୍ରଣରେ ଉତ୍ତୁଙ୍ଗ ପରିପକ୍ୱତା ପରିଲକ୍ଷିତ ହୁଏ । ନିସର୍ତ୍ତ ଭାବରେ ମଣିଷକୁ ସ୍ଵାଗତ କରିବା, ମଣିଷର ଅସହାୟତାକୁ, ବିଷାଦକୁ, ଶୋକକୁ ଉପସ୍ଥାପନ କରିବାରେ ସେ ଓସ୍ତାଦ୍ ଥିଲେ । ମନୋଜ ଦାସ ଜଣେ ବିରଳ ଶିଳ୍ପୀ, ଯିଏ ବିଷାଦର ଚମତ୍କାର ଚିତ୍ରଣ କରିଛନ୍ତି । କଷ୍ଟକର ଜୀବନକୁ ସହଜ ସୁନ୍ଦର ଭାବରେ ବର୍ଣ୍ଣନା କରିବାରେ ମନୋଜ ଦାସ ଯେ ଜଣେ ସିଦ୍ଧ ଶିଳ୍ପୀ ବୋଲି ସୁଖ୍ୟାତ ସମାଲୋଚକ ଓ କଥାକାର ଡ. ଆଦିକନ୍ଦ ସାହୁ ନିଜ ବକ୍ତବ୍ୟ କହିଛନ୍ତି ।

ମନୋଜ ଦାସ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ଉଦ୍ୟମରେ ‘ଗୀତଗୋବିନ୍ଦ ସଦନ’ରେ ମନୋଜ ଦାସ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ଆଦିକନ୍ଦ ସାହୁ କହିଥିଲେ ଯେ ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ଵତା ରହିଛି ଯେଉଁଠି ସମକାଳୀନ କୌଣସି ଗାଳ୍ପିକ ପହଞ୍ଚି ପାରିବା ଭଳି ଅନୁଭୂତ ହୁଏନି । ମଣିଷ ଜୀବନରେ ଗରଳ ଆଉ ଗୋଟେ ମଣିଷ ଭରି ଦିଏ । ବାଘ, ଭାଲୁ ନୁହଁ ବୋଲି ତାଙ୍କ ଲେଖାରେ ସ୍ଥାନ ପାଇଛି । ଭାବନିଷ୍ଠତା ମନୋଜ ଗଳ୍ପରେ ବାନ୍ଧି ହୋଇ ରହିଛି । ମଣିଷର ଦୁଃଖ ଜର୍ଜରିତ କାହାଣୀକୁ ସ୍ଥାନ ଦେବାରେ ସେ ଓସ୍ତାଦ ଥିଲେ । ତାଙ୍କ ଲେଖା ଆତ୍ମାକୁ ଶୋକ ଜର୍ଜରିତ କରୁଥିଲା । ନାରୀ ହେଉ କି ପୁରୁଷ ହେଉ, ରାଜା ହେଉ କି ପ୍ରଜା, ସମସ୍ତେ ମନୋଜଙ୍କ ଲେଖାରେ ସ୍ଥାନ ପାଇଥାନ୍ତି । ଭଲ ଲେଖା ହେଉଛି, ବିଷାଦ ଜର୍ଜରିତ କାହାଣୀକୁ ସ୍ଥାନ ଦେବା । ଜଣେ ନିର୍ବାସିତ ରାଜପୁତ୍ର ହେବା କଠିନ । ମନୋଜ ସାହିତ୍ୟରେ ବାର୍ତ୍ତା ଥାଏ, ମଣିଷ ଜୀବନ ସୁନ୍ଦର । କିନ୍ତୁ ଏହାକୁ ଜିଇଁବା କଷ୍ଟକର । ସେ ବାମପନ୍ଥୀ ଥିଲେ କି ଦକ୍ଷିଣପନ୍ଥୀ ତାହା କହୁନି, କିନ୍ତୁ ସେ ସିଦ୍ଧ ଶିଳ୍ପୀ ଥିଲେ । ଗୋପୀନାଥ ମହାନ୍ତି ଓ ମନୋଜ ଦାସଙ୍କ ଭଳି ଉଚ୍ଚକୋଟୀର ଲେଖା ଅନ୍ୟ କାହାର ହୋଇ ପାରିବନି । ତେବେ ତରୁଣମାନେ ରୁଚିହୀନ କଥା ଲେଖୁଛନ୍ତି । ଯାହା କ୍ଷମଣୀୟ ନୁହେଁ ବୋଲି ଡ. ସାହୁ କହିଥିଲେ ।

ମୁଖ୍ୟ ବକ୍ତା ବିଶିଷ୍ଟ କଥାକାର ଯଶୋଧାରା ମିଶ୍ର କହିଥିଲେ, ସାଧାରଣ ଲୋକଙ୍କ ପ୍ରଣତି ପରି ମନୋଜ ଦାସଙ୍କ ଲେଖାରେ ଦେଖିବାକୁ ମିଳେନି । ସେ ପ୍ରେମ ସହ ମୃତ୍ୟୁକୁ ମଧ୍ୟ ଯୋଡ଼ିଥାନ୍ତି । ପ୍ରେମର ପରିଣତି ସହ ମୃତ୍ୟୁର ପାଖାପାଖିକୁ ଏକାଠି କରିଥାନ୍ତି । ତାଙ୍କ ଲେଖାରେ କେବଳ ମଣିଷ ପ୍ରେମ ନୁହଁ, ପ୍ରକୃତି ଓ ପଶୁପକ୍ଷୀଙ୍କ ସହ ବି ପ୍ରେମ ନେଇ ବର୍ଣ୍ଣନା କରିଥାନ୍ତି । ଖୁବ ପୁରୁଣା ଘର ପ୍ରତି ତାଙ୍କର ଆକର୍ଷଣ ଥିଲା ବୋଲି ‘ନିଜାମପୁରର ସନ୍ଧ୍ୟା’ରେ ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି । ତାଙ୍କର କୌଣସି ଲେଖାରେ ପ୍ରେମିକ, ପ୍ରେମିକା ମିଳନ ହୋଇ ନଥାଏ, ତଥାପି କାହାଣୀଗୁଡ଼ିକ ପାଠକଙ୍କୁ ଶେଷଯାଏ ବାନ୍ଧି ରଖେ । ତାଙ୍କ ଶୈଳୀରେ କୌଣସି ଲୋକପ୍ରିୟ ଧାରା ନଥିଲା ବରଂ ସେ ନିଜର ଏକ ସ୍ଵତନ୍ତ୍ର ଗଠନ ଧାରା ତିଆରି କରିଥିଲେ । ପାଠକର ଗ୍ରହଣ କ୍ଷମତା ଉପରେ ମନୋଜଙ୍କ ଗଳ୍ପର ଉଚ୍ଚତା ଭିନ୍ନଭିନ୍ନ ହୁଏ । ସୁନିର୍ବାଚିତ ଶବ୍ଦ ଚୟନ ହିଁ ତାଙ୍କର ଏକ ବିଶେଷ ଗୁଣ । ମନୋଜ ଦାସଙ୍କ ବିଦୃପରେ କୌଣସି ହୀନମନ୍ୟତା ନଥାଏ, ଅନ୍ୟକୁ ଗୌଣ କରି ଦେଖାଇବାର ଦୁରଭିସନ୍ଧି ନଥାଏ, ବରଂ ଥାଏ କରୁଣା । ମଣିଷ ସହିତ ପଶୁପକ୍ଷୀ ମଧ୍ୟ ତାଙ୍କ ଗଳ୍ପର ଚରିତ୍ର ବୋଲି ଯଶୋଧାରା କହିଥିଲେ ।

ସଂସଦର ସଭାପତି ଅଧ୍ୟାପକ ବିଶ୍ଵରଞ୍ଜନ କହିଥିଲେ, ସୀମାହୀନ ମନୋଜ ଦାସଙ୍କ ଯାତ୍ରା । ମନୋଜଙ୍କୁ ଭଲ ପାଉଥିବା ଲୋକ ବହୁତ । ପ୍ରବୀଣ ମନୋଜ ଓ ତରୁଣ ମନୋଜଙ୍କ ଉଦାହରଣ ଦେଇଥିଲେ । ଏହି ଅବସରରେ ଇତି ସାମନ୍ତଙ୍କ ସଂକଳିତ କାଦମ୍ବିନୀ ପ୍ରକାଶିତ ‘ମନୀଶୀ ମନୋଜ’ ପୁସ୍ତକ ଲୋକାର୍ପିତ ହୋଇଥିଲା ।

ସମ୍ମାନିତ ଅତିଥି ଭାବେ ପଵିତ୍ର ମୋହନ ଦାଶ କହିଥିଲେ, ମନୋଜ ଦାସ ଜଣେ ପୂର୍ଣ୍ଣାଙ୍ଗ ସତ୍ତା । ତାଙ୍କ ଲେଖାରେ ସ୍ୱାଧୀନତା ପରବର୍ତ୍ତୀକାଳୀନ ମନୋଭାବ ପ୍ରତିଫଳିତ। ନଥିବା କଥାକୁ ନେଇ ଗଳ୍ପ ବନେଇବାର କଳାତ୍ମକତା ମନୋଜଙ୍କ ପାଖରେ ଅଛି । କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଡ. ଚନ୍ଦ୍ରଶେଖର ହୋତା, ମନୋଜ ଦାସ ସ୍ମୃତି ସଂସଦ ସଂମ୍ପାଦକ ଗୌତମବୁଦ୍ଧ ଦାସ ବକ୍ତବ୍ୟ ରଖିଥିବା ବେଳେ ସଂସଦର କାର୍ଯ୍ୟନିର୍ବାହୀ ସମ୍ପାଦକ ସରୋଜ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *