ଲତିକା ମହାପାତ୍ର
|| ୧ ||
ଭିଡ଼ ଭିତରେ ବି ଏକୁଟିଆ ଏଠି
ପ୍ରତିଟି ରାସ୍ତା ପରା
ମଥାରେ ମୋହର କର୍ତ୍ତବ୍ୟର ଦାୟ
କର୍ମକ୍ଲାନ୍ତି ବାଟସାରା
ଚିତ୍ରିତ ମୋର କାନଭାସ ଏବେ
ସବୁ ଲାଗେ ନୂଆନୂଆ
କିସମ କିସମ କଷ୍ଟ ଯେ ଆଣେ
ଉନ୍ମାଦ ଅଦିନିଆ !
ଜୀଵନର ଯେତେ ଆହ୍ୱାନ ଯେତେ
ଜଟିଳ ଅଙ୍କ କଷି
ଅନୂଢ଼ା ଏ ପଥେ ଚାଲୁଚାଲୁ ମିତ
ତଥାପି ଦେଉଚି ହସି ।
|| ୨ ||
କଷୁଚି ବସି ମୁଁ ଅଙ୍କ ଜୀବନର
ମେଧାବିନୀ ଅଛ କହି
ଶତ ଝଡ଼ଝଞ୍ଜା ସହି ସହି ବୁକୁ
ଯାଇଚି ପଥର ହୋଇ ।
|| ୩ ||
ଅଙ୍କାବଙ୍କା ଏଇ ଜୀବନ ନଈଟି
ଉଠାଣି ଗଡ଼ାଣି ଦେଇ
କୁଳୁକୁଳୁ ନାଦେ ଯାଉଅଛି ବହି
ନିଜ ଗୀତ ନିଜେ ଗାଇ ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।