ବିଜୟ କୁମାର ଜେନା
“ପୁରୁଷ ପିଲାଟି କେବଳ ‘ପୁଅଟିଏ ହେଇ’ ଜନ୍ମ ହୋଇଛି ବୋଲି ସେ ନିହାତି ଖୁସି ହେବା କଥା…” ଏୟା ତାକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୁହାଯାଇଥାଏ ଓ ସେ ଏତିକି ଶୁଣିଶୁଣି ଖୁସି ହେଇଥାଏ । ଏତିକିକୁ ଛାଡ଼ିଦେଲେ ଆଜୀବନ ତ ସେ, ମହିଳାଙ୍କ ସେବାରେ ହିଁ ରହି ଆସିଛି; ହଁ କେତୋଟି ସୃଷ୍ଟିଛଡ଼ା ବା ସମାଜଛଡ଼ାଙ୍କୁ ଛାଡ଼ିଦେଲେ । ୟାଙ୍କୁ ବାଟକୁ ଆଣିବା ଲାଗି ହଜାର ବର୍ଷ ତଳେ, ପଣ୍ଡିତ ବିଷ୍ଣୁ ଶର୍ମା ଚେଷ୍ଟା କରୁକରୁ, ପଞ୍ଚତନ୍ତ୍ର କାହାଣୀ ଲେଖିଦେଲେ । ଏବେ କିଏ କି କାହାଣୀ ଲେଖିବ, ଚେଷ୍ଟା କରିବା ଲୋକ ଉପରେ ନିର୍ଭର କରେ । ଜ୍ଞାନ ତ ଏବେ ମୋବାଇଲ, ଟିଭି, କମ୍ପୁଟର ଇତ୍ୟାଦି’ରେ ନଈ ସୁଅ ପରି ବହି ଚାଲିଛି । ଏପଟେ କିନ୍ତୁ ନାରୀ କେବଳ ନାରୀ ବା ପୁରୁଷ’ର ପତ୍ନୀ ନୁହେଁ, ମା, ବନ୍ଧୁ, କନ୍ୟା, ଭଗିନୀ ଇତ୍ୟାଦି ରୂପରେ ମଧ୍ୟ ରହିଥାଏ; କିଛି ବିଶେଷ କ୍ଷେତ୍ରରେ ସ୍ଵାଧୀନ ଭାବେ ମଧ୍ୟ ଲୋକପ୍ରିୟ ହେଇ ରହିପାରେ । ବେଳେବେଳେ ଲାଗେ ପୁରୁଷ ହେବାଟା ଅଧିକ କଷ୍ଟଦାୟକ ଜୀବନ । ଦେଖନ୍ତୁ ଆପଣଙ୍କ ପାଖାପାଖି, ରୋଜଗାର ପାଇଁ ସଂଘର୍ଷ କରୁଥିବା କୌଣସି ଏକ ପୁରୁଷକୁ; ସେ କାହାର ପୁଅ ହେଇଥିବ, ଭାଇ ହେଇଥିବ, କାହାର ସ୍ଵାମୀ କିମ୍ୱା ପିତା ହେଇଥିବ। ଅନାଥ ବି ହେଇ ପାରିଥାଏ । କିନ୍ତୁ ନିଜ ପାଇଁ ତା ଲଢ଼େଇ ଚାଲି ରହିଥିବ । ନହେଲେ ଘର ଭିତରେ ବସି ଆରାମ କରିବା ପାଇଁ ତାର ମଧ୍ୟ ଇଛା ଥିଲା ଓ ଥିବ । ଆଉ ଯଦି କିଛି ସୁବିଧା ସୁଯୋଗ ନପାଇଲେ..? ସିଏ ତ ଆଉ ଗୋଟିଏ ବଡ଼ ସମସ୍ୟା । କିନ୍ତୁ ଏବେ ସଚରାଚର ଯାହା ଦେଖାଯାଉଛି, ବିଶେଷ କରି ଅଧିକାଂଶ ଅଳ୍ପ ବୟସର ଲୋକ – କାମ ଥାଉ ବା ନଥାଉ, ମୋବାଇଲ୍ ଫୋନ୍ ଟିଏ ଧରିବା ଅପରିହାର୍ଯ୍ୟ ।
ଏବେ ବିଭିନ୍ନ ସମସ୍ୟା’ର ଗୋଟିଏ ସହଜ ସରଳ ସମାଧାନ ହେଲା ମୋବାଇଲ ଫୋନ୍ । ଚାକିରି ଥାଉ ବା ନଥାଉ, ଭଲ କଲେଜ୍ ରେ ପଢ଼ିବାକୁ ସୁଯୋଗ ମିଳୁ ବା ନମିଳୁ, ପକେଟ୍ ରେ ଖର୍ଚ୍ଚ ପାଇଁ ପଇସା ଥାଉ ବା ନଥାଉ, ସାଙ୍ଗସାଥୀ କିଏ ହୁଅନ୍ତୁ ବା ନହୁଅନ୍ତୁ, ହାତରେ ମୋବାଇଲ୍ ଫୋନ୍ ଟିଏ ରହିଛି, ମୋବାଇଲ ସିଗନାଲ ଓ ରିଚାର୍ଜ ହେଇଯାଇଛି ଯଦି ଜୀବନର ଅଧେ ସମସ୍ୟାର ସମାଧାନ ହେଇଯାଇଛି । ଏହି ସମୟରେ ପୁଅ ହେଉ ବା ଝିଅ, ଜଣେ ଭାବେ ଯେ, ସେ ହାତରେ ମୋବାଇଲ୍ ଧରିଛି ମାନେ; ଗୋଟେ ବନିଶୀ କଣ୍ଟାରେ ଚାରା ଗୁନ୍ଥି ପାଣିରେ ବୁଡ଼େଇ ହାତରେ ବାଉଁଶ ଛଡ଼କୁ ମୁଠେଇ ଧରି ବସିଛି – କେତେବେଳେ ଆଖି ଦୃଶିଆ ମାଛଟିଏ ନିଶ୍ଚିତ ଭାବରେ ଲାଗିଯିବ । ଦେଖିବା ଏ ଗପରେ ଆମ ମୋବାଇଲ ମହାଶୟ କି ପ୍ରକାର ଖେଳ ଖେଳୁଛନ୍ତି ! ଖେଳ ପଡ଼ିଆ ସୁନାଯୋଡ଼ି ତ ସଦା ପ୍ରସ୍ତୁତ । ଶିଳ୍ପ ନଗରୀ ସୁନାଯୋଡ଼ିର ସୁଖ ବି(ସୁନା ଯୋଡ଼ି ଖଣି ଓ ବିଶୋଧନ ପ୍ରକଳ୍ପ) ର କର୍ମଚାରୀମାନେ ସବୁ ପ୍ରକାର ଖେଳରେ ପ୍ରବୀଣ ନହେଲେ ବି ପ୍ରବେଶ ଓ ପରିଚୟ ରହିଛି। ଏଇ କିଛି ବର୍ଷ ତଳର କଥା। ସେଦିନ ସନାତନଙ୍କ ଆଗରେ ମହେଶ୍ଵର ଦେଓଗାଆଁ ଖୁବ୍ ଇତସ୍ତତଃ ହେଉଥାନ୍ତି; ମୁହଁରେ କିଛି କହିବେ ବା କହିବେ ନାହିଁ ଭଳି ଭାବ । ଆଗରୁ ଫୋନ୍ କରି ସମୟ ନେଇ ସନାତନଙ୍କ ପାଖରେ ପହଞ୍ଚିଲେ, କିନ୍ତୁ କହୁ ନାହାଁନ୍ତି କିଛି । ଡେରି ନକରି ସନାତନ ତାଙ୍କଆଡୁ ସହଜ ଭାବରେ ପଚାରିଦେଲେ, “ମହେଶ୍ୱର ବାବୁ ! ଝିଅକୁ କିଏ ଡିଷ୍ଟର୍ବ କରୁଛି କି ? ବେଫିକର ହେଇ କୁହନ୍ତୁ । ମୁଁ ବି ଗୋଟେ ପୁଅ ଓ ଗୋଟେ ଝିଅ’ର ବାପା ।” କେବଳ ଅନୁମାନ ଲଗେଇ ସନାତନ ପଚାରି ଦେଇଥିଲେ । ପଚାରିବା ଆଗରୁ ଉତ୍ତର କହିବା ଧୃଷ୍ଟତା ପାଇଁ ସନାତନ ଅନେକ ଥର ଅପ୍ରୀତିକର ପରିସ୍ଥିତିରେ ପଡ଼ି ଥାଆନ୍ତି । କିନ୍ତୁ ସେଦିନ ଅନୁମାନ ଲଗେଇ ଯାହା ପଚାରିଥିଲେ, ସମ୍ପୂର୍ଣ୍ଣ ଠିକ୍ ଥିଲା । ଅନୁମାନ ଲଗେଇବା କିଛି କଷ୍ଟ ନଥିଲା । ସୁନାଯୋଡ଼ିରେ ପ୍ରାୟ ବଢ଼ୁଆଳ ପିଲାଙ୍କ ବାପା ମାଆମାନଙ୍କର ସେଇ ଗୋଟାଏ ସମସ୍ୟା – ପିଲାମାନେ ବୋଲ ମାନୁ ନାହାନ୍ତି । କିମ୍ବା ପିଲାଙ୍କର ପାଠପଢ଼ା ସମୟରେ ପଢ଼ାପଢ଼ି ବ୍ୟତୀତ କାହା ସହିତ ଅବୈଧ ସମ୍ପର୍କ ଗଢ଼ି ଉଠିଛି । ସେଥିରୁ ଅଧାରୁ ଅଧିକ ମୋବାଇଲ୍ ଫୋନ୍ ସମ୍ପର୍କିତ । ଏଠି ମହେଶ୍ଵର ଦେଓଗାଆଁଙ୍କ ଘଟଣାରେ ତାଙ୍କର ଝିଅଟିଏ କଲେଜରେ ପଢ଼ୁଥିବା କଥା ସନାତନ ଜାଣିଥିଲେ ।
ସେ ଯାହାହେଉ, ଆସନ୍ତୁ ଜାଣିବା କଥା କଣ… “କେତେ ଦିନ ହେଲାଣି, ଟୋକା ଜଣେ ଫୋନ୍ କରି କରି ଆମ ଝିଅକୁ ହଇରାଣ କରିଦେଲାଣି । ଯେତେ ଯାହା କହିଲେ ମାନୁନି ।” ମହେଶ୍ଵରଙ୍କ ସ୍ଵରରେ ଥିଲା ଅସହାୟତା । “ଚାଲନ୍ତୁ ଯିବା ସୁନାଯୋଡ଼ି ମଡେଲ ପୋଲିସ୍ ଷ୍ଟେସନକୁ । ଏସବୁ ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେବ । ଟୋକାର ମୋବାଇଲ ନମ୍ବର ଅଛି ନା ?” କହିଲେ ସନାତନ । “ହଁ ଏଇ ନମ୍ୱର୍ ରୁ କଲ୍ ଆସେ ।” ଖଣ୍ଡେ କାଗଜ ଚିରକୁଟି ସନାତନଙ୍କ ହାତକୁ ବଢ଼େଇ ଦେଇ ଟିକେ ଆଶାୟୀ ଢଙ୍ଗରେ କହିଲେ ମହେଶ୍ଵର, “ଥାନା ପୋଲିସ୍ ଭିତରେ ନ ପଶି, କିଛି କରି ହେବନି ? ଝିଅପିଲା’ର କଥାଟା । ଯେତେ ଅଧିକ ହାଇଲାଇଟ୍ ହେବ, ସେତେ ଅଧିକା ଲୋକ ଜାଣିବେ । ସୁନାଯୋଡ଼ି କଥା ଆପଣ ଜାଣିଥିବେ । ଟିକେ କଥାକୁ ବଢ଼େଇ ଚଢ଼େଇ ଏମିତି ଆଲୋଚନା ସମାଲୋଚନା କରିବେ ଯେ, ମହରଗ’ରୁ ଯାଇ କାନ୍ତାରରେ ପଡ଼ିଲା ଭଳି ହେବ । ଆମଘରେ ଚାହୁଁନାହାଁନ୍ତି କି ପିଲାର କଥା ଥାନା ପୋଲିସ ହେଇ ପଦାକୁ ଆସୁ ବୋଲି ।” ଟିକେ ରହି, ସନାତନ କହିଲେ, “ହଉ ଯାଆନ୍ତୁ ଆପଣ । କିଛି ଗୋଟେ କରିବା ।” କହିଦେଲେ ସିନା, କଣ କେମିତି ହେବ ୟାର ସମାଧାନ !! ଆରମ୍ଭ ହେଲା ତାଙ୍କ ମସ୍ତିଷ୍କ ମନ୍ଥନ । ତିନି ଚାରି ଦିନ ପରର କଥା । ବି ସିଫ୍ଟ ଡିଉଟି’ରେ ଥାଆନ୍ତି ସନାତନ । ସନ୍ଧ୍ୟାରେ ସନାତନ ତାଙ୍କ ଘନିଷ୍ଟ ସହଯୋଗୀ ପ୍ରଦୀପ’ ସହ ଗଲେ ସୁଖବି କ୍ୟାଣ୍ଟିନକୁ । ବେଶ୍ ଗହଳି ସମୟ । ଦୁହେଁ ଦୁଇ କପ୍ ଚାହା ଧରି ବସିଲେ । ସାମନାରେ ନୋଟିସ୍ ବୋର୍ଡ଼ । ଗୋଟେ ବିଶେଷ ନୋଟିସ୍ ଆଡ଼କୁ ଆଙ୍ଗୁଳି ଦେଖାଇ ସନାତନ ପଚାରିଲେ ପ୍ରଦୀପଙ୍କୁ, “ଇଏ କଣ ?” ନୋଟିସ୍ ରେ ଲେଖା ଥିଲା: “ଧ୍ୟାନ ଦିଅନ୍ତୁ । ମାସକୁ ମାତ୍ର ୧% ସୁଧରେ ଲୋନ୍ ଆବଶ୍ୟକ କରୁଛନ୍ତି କି ? ଏହି ନମ୍ବର ରେ ଫୋନ୍ କରନ୍ତୁ, ଫୋନ୍ ନମ୍ୱର୍ — — ଜଣେ ଆବେଦନକାରୀ ସର୍ବାଧିକ ପଚାଶ ହଜାର ଟଙ୍କା ଲୋନ୍ ନେଇ ପାରିବେ । ଫଣ୍ଡ ଯେହେତୁ ସୀମିତ ପ୍ରଥମେ ପାଇଥିବା ଆବେଦନକୁ ପ୍ରାଥମିକତା ଦିଆଯିବ ।” ପ୍ରଦୀପ ସାଙ୍ଗେ ସାଙ୍ଗେ ସେଇ ନମ୍ୱର୍ କୁ ଫୋନ୍ ଡାଏଲ କରି, ଫୋନ୍ ଧରେଇ ଦେଲେ ସନାତନଙ୍କୁ । କେତୋଟି ରିଙ୍ଗ ପରେ ସେପଟୁ ପୁରୁଷ କଣ୍ଠରେ “ହେଲୋ !!” ସନାତନ, “ଲୋନ୍ ଦରକାର ଥିଲା…” ସେପଟୁ ଫୋନ୍ କଟିଗଲା । ସନାତନ ଅନେଇଲେ ପ୍ରଦୀପ ଆଡ଼କୁ । -“କଣ, ସେପଟୁ କାଟି ଦେଲା ?” ପଚାରିଲେ ପ୍ରଦୀପ । -“ହଁ ଯେ, କଟିଗଲା କି କାଟିଦେଲା ବୁଝି ହେଉନି । -“ସେ ସେପଟୁ କାଟି ଦେଇଥିବ ଭାଇନା । କାହିଁକି ନା ମୁଁ ବି ଫୋନ୍ କରିଥିଲି । ସେପଟୁ ସେ ଥରେ ଦିଥର କଟିଲା ପରେ ଫୋନ୍ ଧରିଲା । ପଚାରିଲି ଯେ, ସେ କହୁଥିଲା, ଏ ଲୋନ୍ ବିଷୟରେ ସେ କିଛି ଜାଣିନି । କିଏ ସେ କାହିଁକି ତା ନମ୍ବର ସହିତ ଲୋନ ମିଳିବ ବୋଲି କୋଉଠି କି ସର୍କୁଲାର ଦେଇଛି ଯେ, ଦିନ ରାତି ଖାଲି ଫୋନ୍ ଉପରେ ଫୋନ୍ – ଶୋଇପାରୁନି କି ଶାନ୍ତିରେ ଟିକେ ଖାଇ ପାରୁନି । ଆମର ଏଠାର ଶିବ ମହାପାତ୍ର ଆଉ ବିପିନ ସାହୁ ଭଳି ଲୋକଙ୍କୁ ପଇସା କୋଉଠି ଲୋନ ମିଳିବ ଶୁଣିଦେଲେ ବାୟା କରିଦେବେ – ରାତି ଅଧରେ ବି ପହଞ୍ଚି ଯିବେ ।”
ପ୍ରଦୀପ ଆଉଥରେ ସେଇ ନମ୍ୱର’କୁ ଫୋନ ଲଗେଇ ସନାତନଙ୍କୁ ଧରେଇ ଦେଲେ । ଦୀର୍ଘସମୟ ଧରି ରିଙ୍ଗ ହେବା ପରେ ସେପଟୁ ଶୁଭିଲା “ହେଲୋ ।” ସନାତନ ଶୀଘ୍ର ଶୀଘ୍ର କହି ପକେଇଲେ, “ଶୁଣନ୍ତୁ, ଫୋନ୍ କାଟନ୍ତୁ ନାହିଁ । ଲୋନ କେମିତି କଣ ମିଳିବ, ସେକଥା ବୁଝେଇ ଦିଅନ୍ତୁ ।” ସେପଟୁ – “ଆଜ୍ଞା..” ତାପରେ କାନ୍ଦ କାନ୍ଦ ସ୍ଵରରେ, “ଆଜ୍ଞା, କାହିଁକି କେଜାଣି ଗତ ଦୁଇଦିନ ଧରି ମୋ ପାଖକୁ ଖାଲି ଲୋନ ପାଇଁ ଫୋନ ଆସୁଛି – ଲୋକଙ୍କୁ ଉତ୍ତର ଦେଇ ଦେଇ ଥକି ଗଲିଣି । ମୁଁ କିଏ ଲୋନ କିଏ…” ସନାତନ – “ଓଃ, କଥା ଏମିତି ତାହାଲେ । କିଏ ତୁମେ ? କୋଉଠି ଅଛ କଣ କରୁଛ ??” ସେପଟୁ, -“ମୁଁ ବି. କମ୍. ସେକେଣ୍ଡ ଇୟର’ର ଷ୍ଟୁଡେଣ୍ଟ୍ ଆଜ୍ଞା । ଜୟପୁର ଭି ଡି କଲେଜ’ରେ ପଢୁଛି । ଜୟପୁର ନବରଙ୍ଗପୁର ପାଖାପାଖି ମୋ ଗାଆଁ, ବାପା ସ୍କୁଲ୍ ମାଷ୍ଟର ଅଛନ୍ତି । କିଏ ଭୁଲ୍ ଟାଇପ୍ କରି କୋଉଠି କେମିତି ମୋ ନମ୍ୱର୍ ଦେଇଦେଇଛି ଯେ – ଦୁଇଦିନ ହେଲା ଖାଲି ଫୋନ୍ ଉପରେ ଫୋନ୍ । ବିରକ୍ତ ହେଇଗଲିଣି ଅଚିହ୍ନା ଲୋକଙ୍କୁ ଉତ୍ତର ଦେଇ ଦେଇ ।” ସନାତନ, -“ଏଠି.. ମାନେ ସୁନାଯୋଡ଼ିର ସୁଖବି କଂପାନୀ’ର ପ୍ଲାଣ୍ଟ, ମାଇନ୍ସ ସାଇଟ୍, ଟାଉନସିପ, କ୍ଳବ୍, କମୁନିଟି ସେଣ୍ଟର୍ ସବୁ ଅଫିସ୍ ନୋଟିସ୍ ବୋର୍ଡ଼’ରେ ଲାଗିଛି ଏ ସର୍କୁଲାର୍ । କିଏ କାହିଁକି ଭୁଲ୍ ନମ୍ବର୍ ଟାଇପ୍ କରି ଏତେଗୁଡ଼ିଏ କପି କରି ସମୟ, ଲୋକ, ଅଠା, କାଗଜ ଖର୍ଚ୍ଚ କରି ଏ ସର୍କୁଲାରକୁ ଏମିତି ପବ୍ଲିକ ନୋଟିସ ବୋର୍ଡ଼ମାନଙ୍କରେ ମାରିବ ?” ସେପଟୁ -“କେଜାଣି ଆଜ୍ଞା । ମୁଁ ବି ବୁଝିପାରୁନି..!” ଫୋନ୍ ରେ କଥା କହିକହି ସନାତନ ଟିକେ ନିରୋଳା ଜାଗାକୁ ଚାଲି ଆସିଲେ, ଯେମିତି କି କ୍ୟାଣ୍ଟିନ’ରେ ଥିବା ଲୋକେ ତାଙ୍କ କଥା ଶୁଣିପାରିବେ ନାହିଁ । ପଛେ ପଛେ କିନ୍ତୁ ପ୍ରଦୀପ ଆସୁଥାନ୍ତି ଓ ସନାତନଙ୍କ କଥା ଶୁଣୁ ଥାଆନ୍ତି । ସନାତନ ୟା ଭିତରେ ଫୋନ୍ ର ସ୍ପିକର ଅନ୍ କରିଦେଇ ଥାଆନ୍ତି, ଯେମିତିକି ପ୍ରଦୀପ ମଧ୍ୟ ଶୁଣିପାରିବେ ସେପଟୁ କହୁଥିବା କଥା ।
ସନାତନ, -“ତା’ହାଲେ ଏବେ ବୁଝ ଯେ, ଅନାବଶ୍ୟକୀୟ ଅଦରକାରୀ ଫୋନ୍ ଆସିଲେ, କିମ୍ୱା ଯେଉଁ ବିଷୟରେ କଥା ହେବାକୁ ଇଛା ନଥିବ କି ଆବଶ୍ୟକ ନଥିବ ସେ ବିଷୟରେ ଫୋନ୍ ଆସିଲେ କେତେ ବିରକ୍ତ ଲାଗେ ।” ସେପଟୁ, -“ଖାଲି ବିରକ୍ତ ନୁହେଁ ଆଜ୍ଞା, ଏବେ ଫୋନ୍ କୁ ଦେଖିଲେ ଡର ଲାଗୁଛି । ଏହି ଦୁଇ ଦିନରେ ମୁଁ କାନ୍ଦି ସାରିଲିଣି । ବୁଝିପାରୁନି କେମିତି ଏ ମୁଣ୍ଡବଥା ଏ ଅଦରକାରୀ ଫୋନ କଲ୍ ରୁ ମୁକ୍ତି ମିଳିବ..” ସନାତନ, -“ତାହାଲେ କିଛି ଦିନ ଧରି ଯେଉଁ ଝିଅଟିକୁ ବାରମ୍ବାର ଫୋନ୍ କରୁଥିଲ, ଭାବିଲ ଦେଖି, ତାକୁ କେମିତି ଲାଗୁଥିବ ?” ସେପଟୁ, -“ଆଜ୍ଞା.. କଣ କହିଲେ..!” ଏଣେ ପ୍ରଦୀପ ସନାତନ’ଙ୍କ ପିଠିରେ ଆଙ୍ଗୁଠି ଖେଞ୍ଚି ଠାରୁଛନ୍ତି – ଘଟଣା କଣ ? ପ୍ରଦୀପଙ୍କୁ ସନାତନ ଇସରାରେ କହିଲେ ଯେ ଚୁପ୍ ହେଇ କଥାବାର୍ତ୍ତା ଶୁଣିବା ପାଇଁ । ସନାତନ ଫୋନ୍ ରେ କହୁ ଥାଆନ୍ତି, -“କହିଲି ପରା – ଏହି କିଛି ଦିନ ଧରି ତୁମେ ଯେଉଁ ଝିଅକୁ ତା ଇଚ୍ଛା ବିରୁଦ୍ଧରେ ତାକୁ ବାରମ୍ବାର ଫୋନ୍ କରୁଥିଲ, ତା ମନର ଅବସ୍ଥା କେମିତି ହେଉଥିବ ??” ଏବେ ସେପଟୁ କୌଣସି ଉତ୍ତର ନାହିଁ । କିନ୍ତୁ ଫୋନ୍ କଟି ନଥାଏ । ସନାତନ କହିଲେ, -“ତୁମେ ଛୋଟ ପିଲା, ଏବେ ପଢ଼ିବା ବୟସ । ତୁମ ବାପା ଠିକ୍ ମୋ ବୟସର ହୋଇଥିବେ । ଏହି ବୟସରେ ତୁମ ବାପା, ପୋଲିସ ଷ୍ଟେସନ ଯାଇ ଅଣ୍ଡରଟେକିଂ ଲେଖି ତୁମକୁ ମୁକୁଳେଇ ଆଣିବେ, ତାଙ୍କୁ କେତେ କଷ୍ଟ ହେବ ବୁଝୁଛ !! ପଇସା ତ ତାଙ୍କ ପକେଟ୍ ରୁ ଯିବ ପୁଣି ସମ୍ମାନ ତୁମ ପରିବାର’ର ନଷ୍ଟ ହେବ ।” ଏବେ ସେପଟୁ କ୍ଷୀଣ ଓ ନରମ କଣ୍ଠରୁ ଆୱାଜ ଆସିଲା, -“ଆଜ୍ଞା.. ଭୁଲ୍ ହେଇଗଲା…। ” ସନାତନ, -“କେବଳ ତୁମ ବାପାଙ୍କ ଅବସ୍ଥା କଥା ମନକୁ ଆଣି ଆମେ ପୋଲିସ ଷ୍ଟେସନରେ ତୁମ ଫୋନ୍ ନମ୍ବର୍ ବିରୁଦ୍ଧରେ ଅଭିଯୋଗ କରିନାହୁଁ । ତୁମ ବୟସର ପିଲା ଆମର ବି ଅଛନ୍ତି । ତୁମ ଭବିଷ୍ୟତ ଖରାପ କରିବା ଇଚ୍ଛା ଆମର ନାହିଁ । ମୁଁ ସେ ଝିଅର ମାମୁଁ କହୁଛି । ଏବେ ବୁଝିଲ !!” ସେପଟୁ, “ଭୁଲ୍ ହେଇଗଲା ସାର୍ । ଆଉ କେବେ ଏମିତି କୋଉଠି କାହା ସାଙ୍ଗରେ ବି କରିବି ନାହିଁ । ରିଏଲି ଆଇ ଆମ୍ ସରି ।” ସନାତନ -“ଠିକ୍ ଅଛି । ଯାହା ହେଇଗଲା ତାକୁ ନେଇ ଯଦି ତୁମେ ପଶ୍ଚାତାପ କରୁଛ ଓ ଆଉ ଏମିତି ନକରିବା ପାଇଁ ନିଜ ପାଖରେ ନିଜେ ପ୍ରତିଶ୍ରୁତି ଦେଉଛ, ଖୁବ୍ ଭଲ କଥା । ମୁଁ ବି ତୁମକୁ ସେ ଝିଅ ଓ ତାଙ୍କ ପରିବାର ତରଫରୁ ତୁମକୁ କ୍ଷମା ଦେଉଛି । ଆଜିଠାରୁ ପଢ଼ାପଢ଼ି’ରେ ଅଧିକ ଧ୍ୟାନ ଦିଅ । ଆଶୀର୍ବାଦ କରୁଛି ଭଲ ମଣିଷ ହୁଅ, ବାପାମାଆଙ୍କ ନାଆଁ ଉଜ୍ଜ୍ବଳ କର ।” ସେପଟୁ, -“ସାର୍.. ଲୋନ ପାଇଁ ଫୋନ୍ ଆସିବାଟା ଏତେ ଶୀଘ୍ର ବନ୍ଦ ହେବନି । ମୁଁ ଏ ସିମ୍ କାର୍ଡ ଟା କାଢ଼ି ନଷ୍ଟ କରିଦେବି । ୱାର୍ଡ ଦେଉଛି ସାର୍ – ପଢ଼ିବି । ମୋ ଲକ୍ଷ୍ୟ ଯେ ମୁଁ ଯେମିତି ହେଲେ କିଛି ଗୋଟେ ଭଲ ରିଜେଲ୍ଟ କରି ଦେଖେଇବି । ସାର ପ୍ରଣାମ ଜଣାଉଛି ।” ସନାତନ, -“ଠିକ୍ ଅଛି । ପରିଶ୍ରମ କର – ନିଶ୍ଚୟ ସୁଫଳ ପାଇବ । ତୁମ ନାଆଁ ଠିକଣା କିଛି ପଚାରୁନି । ଏବେ ସେସବୁ’ର ଆଉ କିଛି ଆବଶ୍ୟକତା ନାହିଁ । ଟେକ୍ କେୟାର ଗୁଡବାୟ ।” ସନାତନ ଫୋନ୍ କାଟିଲେ । ଏପଟେ ଅଣ୍ଟାରେ ହାତରଖି ରଜନୀକାନ୍ତ ଷ୍ଟାଇଲରେ ଠିଆ ହୋଇ ସନାତନଙ୍କୁ ଅନେଇଛନ୍ତି ପ୍ରଦୀପ ।
“ଭାଇନା ..!! ଦୁଇ ଦିନ ଧରି ଏଠି ଆଲୋଚନା ଯେ କୋଉ ଗୋଟେ ପୂଜା କମିଟି ପାଖରେ ବେଶୀ ଟଙ୍କା ବଳକା ହେଇଯାଇଛି ବୋଲି ସେମାନେ ଅଳ୍ପ ସୁଧରେ ଲୋକଙ୍କୁ ଟଙ୍କା ଦେଉଛନ୍ତି । ସୁନାଯୋଡ଼ିର ସବୁ ପୂଜା କମିଟି ପାଖରେ ଲକ୍ଷ ଲକ୍ଷ ଟଙ୍କା ବଳକା ରହିଥିବା କଥା ସମସ୍ତେ ଜାଣନ୍ତି । ତାହେଲେ ଏ ଲୋନ ନୋଟିସ୍ ର ଚକ୍ରୀ ଆପଣ !! ଏବେ ବୁଝିଲି..” ହୋ ହୋ ହସିଲେ ଦୁହେଁ । ଏଥର ପ୍ରଦୀପ ଟିକେ ପାଖେଇ ଆସି ପଚାରିଲେ, “ହେଲେ ଭାଇନା, ଝିଅଟା କିଏ ? କାହା ଝିଅ ?” “ଚୁପ୍ – ସେକଥା ଶୁଣି କିଛି ଲାଭ ନାହିଁ । ଯେତିକି ଶୁଣେଇବା କଥା ଶୁଣେଇଦେଲି । ହଁ, ଚକ୍ରୀ ଶବ୍ଦ ଯେଉଁ କହିଲ, ସେ ପରା ସମ୍ପୂର୍ଣ୍ଣ ମହାଭାରତ’ର ନାୟକ, କିନ୍ତୁ ସେ ନିଜେ କୋଉଠି ଅସ୍ତ୍ର ଧରିନାହାନ୍ତି କିନ୍ତୁ ସବୁ ଯୁଦ୍ଧରେ ବିଜୟୀ…।” ହସି ହସି କହିଲେ ସନାତନ।
ଦାମନଯୋଡ଼ି, ନାଲକୋ ଶିଳ୍ପାଞ୍ଚଳ
ଲେଖକ ପରିଚୟ
ନିଜ ଅଭିଜ୍ଞତାରୁ ସାଉଁଟି ରଖି ଲେଖକ ଲେଖିଛନ୍ତି ସୁନାଯୋଡ଼ିର ଗପ – ୧ ଓ ୨ । ସାମାଜିକ ସ୍ଥିତି ଉପରେ କଟାକ୍ଷ ନୟନରେ ଗଳ୍ପ “ମାଷ୍ଟର ଷ୍ଟ୍ରୋକ”, ତା ସହ ଭ୍ରମଣ କାହାଣୀ “ଆର୍ଯ୍ୟଭୂମି ଲଦାଖ” ଓ କିଛି କବିତା ବହି ପ୍ରକାଶିତ ହୋଇସାରିଛି ।