ଅନ୍ନଦା ଶଙ୍କର ରାୟ
ଆହା ଯଉବନ ଥରେ ଗଲେ
ଆଉ ଆସେ ନା !
ବୃଥା ବିଧୂର ପରାଣପୁରେ
ଝୁରେ ବାସନା
ଫୁଲ ଫୁଟେ ଫୁଲ ଝଡେ,
ଫୁଣି ଫୁଟେ ସେ,
ପୂରନିମା ଶଶୀ ବୁଡେ
ପୁଣି ଉଠେ ସେ ।
ବରଷକେ ଆସେ ପୁଣି
ମଧୁ-ଚଇତ
ବିରହିଣୀ ଧରଣୀର
ପ୍ରାଣଦୟିତ ।
ମାତର ନ ଆସେ ଫେରି
ଯଉବନ ଗୋ,
ବାହୁଡଇ ନାହିଁ ଗୋପେ
ଗୋପଧନ ଗୋ !
ନ ଫେରଇ ଥର-ଥର
ଚୋରା ଚାହାଣୀ,
ନ ଫେରଇ ଛନ-ଛନ
ମନକାହାଣୀ,
ପରଥମ ପ୍ରଣୟ ଗୋ
ସରମରଙ୍ଗା,
ବିରହ ଦୀରଘଶ୍ୱାସ
ମରମ ଭଙ୍ଗା,
ସୁଖର ବେଦନା ମୋର
ନୀରବ ପ୍ରୀତି,
ନ ଫେରିବ କଣ୍ଠେ ଗୋ
ତା ମଧୁଗୀତି !
ଅଧର ଅଳକ ଆଖି
ଆଉ ହସେ ନା-
ଆହା, ଯଉବନ ଥରେ ଗଲେ
ଆଉ ଆସେ ନା !
ଛୋଟ ଏ ଜୀବନ ବୋଲି
ଦୁଃଖ ନାହିଁ ତ,
ଯଉବନ ବିହୁନେ ମୋ
ସୁଖ ନାହିଁ ତ !
ହିମ ନ ହେଉଣୁ ଗାଲେ
ତପତ ଚୁମ,
ବାସି ନ ହେଉଣୁ ଗଳେ
ସଜ କୁସୁମ,
ଯଉବନ ସାଥେ ଯାଉ
ଜୀବନ ମୋର,
ଜରା-ଚୋର ସାଥେ ଆସୁ
ମରଣ ଚୋର ।
ଫୁଲ ଝଡେ, ଫୁଲ ଫୁଟେ
କାନ୍ଦେ ନା ବନ,
ଶଶୀ ବୁଡେ, ଶଶୀ ଉଠେ
ସହେ ଗଗନ,
ମଧୁଋତୁ ଯାଏ ଆସେ
ଲୁଚି ନ ରହେ;
ଅବନୀ ଉଦାସୀ ହେବ
କାହା ବିରହେ?
ଲୁଚୁକାଳି ଖେଳେ ଭବେ
ସବୁ ସୁଷମା
ହୋଇ ହାତ ଧରାଧରି ନାଚେ
ଆଲୋକ ଅମା ।
ଜଗତେ ହଜେ ନା କିଛି,
ହଜେ ଜୀବନେ,
ବାହାରେ ବେଦନା ନାହିଁ,
ବେଦନା ମନେ ।
ବୃଥା ବିଧୁର ପରାଣପୁରେ
ଝୁରେ ବାସନା
ଆହା ଯଉବନ ଥରେ ଗଲେ
ଆଉ ଆସେନା !
—
ଅନ୍ନଦା ଶଙ୍କର ରାୟ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ । ସେ ୧୯୨୧-୨୩ ମଧ୍ୟରେ ଓଡିଆରେ କେତେକ କବିତା ଓ ପ୍ରବନ୍ଧ ରଚନା କରି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ ‘ବାସନ୍ତୀ’ ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୂଳକ ଉଚ୍ଚକୋଟୀର ପ୍ରବନ୍ଧ ଲେଖି ପ୍ରସିଦ୍ଧ ହୋଇଥିଲେ ।