ବାଗ୍ମୀ ବିଶ୍ୱନାଥ କର
ଦେଖା ଯାଉଅଛି ଯେ ଜୀବନରୁ ସାହିତ୍ୟର ଉତ୍ପତ୍ତି ଏବଂ ଜୀବନ ହିଁ ସାହିତ୍ୟୋନ୍ନିତର ମୂଳ । ଯେଉଁଠାରେ ଜୀବନ, ସେହିଠାରେ ଜୀବନ୍ତ ସାହିତ୍ୟ । ଜୀବନ୍ତ ସମାଜ ନିତ୍ୟ ନବ ନବ ଭାବ ଲାଭ କରି ତାହାକୁ ସାହିତ୍ୟକାରରେ ନିବଦ୍ଧ କଲେ, ତାହାର ଜୀବନୀଶକ୍ତି ସମାଜ ମଧ୍ୟରେ ସଞ୍ଚାରିତ ହୁଏ । ଏମନ୍ତ କି ବହୁ ଯୁଗ ପରେ ସୁଦ୍ଧା ସେହି ସାହିତ୍ୟର ପ୍ରଭାବ ମନୁଷ୍ୟ ଅନୁଭବ କରି ମୋହିତ ହୋଇଯାଏ । ବିଭିନ୍ନ ଯୁଗର ଓ ବିଭିନ୍ନ ଦେଶର ସ୍ଥାୟୀ ସାହିତ୍ୟ ଆଲୋଚନା କଲେ ଏହା ସ୍ପଷ୍ଟ ରୂପେ ଅନୁଭୂତ ହେବ । ଏଠାରେ ଗୋଟିଏ ଦୃଷ୍ଟାନ୍ତ ଦେଲେ ଯଥେଷ୍ଟ ହେବ । ଆମ୍ଭମାନଙ୍କ ଦେଶର ପ୍ରଧାନ ଗୌରବ ପ୍ରାଚୀନ ବେଦମନ୍ତ୍ରଗୁଡ଼ିକର ବିଷୟ ଥରେ ଭାବି ଦେଖନ୍ତୁ । ସେଥିରେ ଅଛି କ’ଣ ? କେବଳ କେତେଗୁଡ଼ିଏ ପ୍ରାକୃତିକ ବିଷୟର ସ୍ତୁତିବନ୍ଦନା- ଅଗ୍ନି, ବାୟୁ, ଇନ୍ଦ୍ର, ବରୁଣ ପ୍ରଭୃତି ଜଡ଼ିଶକ୍ତିର ଆରାଧନାର ମନ୍ତ୍ର । ବୈଜ୍ଞାନିକ ଚକ୍ଷୁରେ ଆଜି ଆଉ ଏ ସମସ୍ତ ଦେବତ୍ୱରେ ପ୍ରତିଷ୍ଠିତ ନୁହନ୍ତି । ତଥାପି ସେହି ବେଦମନ୍ତ୍ର ପାଠକରି ମହାମହୋପଧ୍ୟାୟ ପାଶ୍ଚାତ୍ୟ ପଣ୍ଡିତମାନେ ସୁଦ୍ଧା ମୋହିତ ହେଉଅଛନ୍ତି କାହିଁକି ? ସେଥିରେ ଜୀବନର ଲକ୍ଷଣ ଅଛି- ସରଳ ପ୍ରାଣର ସରଳ ଆକାଂକ୍ଷା ଫୁଟି ବାହାରୁଅଛି । ସେଥିରେ କୃତ୍ରିମତାର ଗନ୍ଧ ନାହିଁ- କୌଣସି ପ୍ରକାର ଆବରଣ ନାହିଁ ଯାହା ଜୀବନ, ତାହା ହିଁ ସାହିତ୍ୟ ।