ପଣ୍ଡିତ ନୀଳକଣ୍ଠ ଦାସ ଏକାଧାରରେ ଜଣେ ବାଗ୍ମୀ, ଶିକ୍ଷାବିତ୍, କବି, ସମୀକ୍ଷକ, ପ୍ରାବନ୍ଧିକ, ସ୍ଵାଧୀନତା ସଂଗ୍ରାମୀ, ଶିଶୁ ସାହିତ୍ୟିକ, ବ୍ୟବସ୍ଥାପକ ଓ ରାଜନେତା ଥିଲେ । ସେ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ଵ କାଳ ଧରି ଓଡ଼ିଶାର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ସାହିତ୍ୟିକ ଜୀବନକୁ ସମୃଦ୍ଧ କରିଥିଲେ । ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରରେ ନୀଳକଣ୍ଠ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଆଜନ୍ମ ବିପ୍ଳବୀ ଓ ସଂସ୍କାରବାଦୀ । ନବମ ଶ୍ରେଣୀରେ ପଢିବାବେଳେ ଓଡ଼ିଶାର ଦୁର୍ଗତି ଦେଖି ଜୀବନକୁ ଉତ୍ସର୍ଗ କରିବାର ଶପଥ ନେଇଥିଲେ । ଅଛୁଆଁ ଭେଦଭାବ ଓ ବିଭିନ୍ନ ସାମାଜିକ କୁସଂସ୍କାରକୁ ନୀଳକଣ୍ଠ ଘୋର ବିରୋଧ କରୁଥିଲେ । ଅଗାଧ ଜ୍ଞାନ ପାଇଁ ତାଙ୍କୁ ଜୀବନ୍ତ ଜ୍ଞାନକୋଷ ବୋଲି କୁହାଯାଉଥିଲା । ଓଡ଼ିଶାରେ ଶିକ୍ଷାର ପ୍ରସାର ଲକ୍ଷ୍ୟରେ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନଶିକ୍ଷକ ରହି ସେ ଏହାକୁ ଆଦର୍ଶ ବିଦ୍ୟାଳୟ ରୂପେ ଗଢି ତୋଳିଥିଲେ । ଏହି ବିଦ୍ୟାଳୟଟି ପରବର୍ତ୍ତୀ ସମୟରେ ସମାଜ ସଂସ୍କାର ଓ ରାଜନୈତିକ କାର୍ଯ୍ୟକଳାପର ପ୍ରାଣକେନ୍ଦ୍ର ପାଲଟିଥିଲା । ନୀଳକଣ୍ଠ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇ ବହୁବାର କାରାବରଣ କରିଥିଲେ । ଓଡ଼ିଆକୁ ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ମିଳିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦୁଇଥର ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇଥିଲେ ଏବଂ ପରେ ଦଳ ଛାଡ଼ିଥିଲେ । ୧୯୫୫ରେ ଜବାହରଲାଲ ନେହେରୁଙ୍କ ଅନୁରୋଧକ୍ରମେ ପୁଣି କଂଗ୍ରେସରେ ଯୋଗ ଦେଇ ସତ୍ୟବାଦୀ ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବାଚସ୍ପତି ହୋଇଥିଲେ । ସେ ନବଗଠିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରଥମ ସଭାପତି ଥିଲେ । ୧୯୦୬ରେ ତାଙ୍କୁ “ପଦ୍ମଭୂଷଣ”ରେ ସମ୍ମାନିତ କରାଯାଇଥିଲା । ୧୯୬୭ ନଭେମ୍ବର ୬ ତାରିଖରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ପରଲୋକ ଘଟିଥିଲା ।