ବିନୟ ମହାପାତ୍ର
ସବୁଦିନ ସକାଳ ସାଢେ ପାଞ୍ଚଟା ବେଳକୁ ସୁମିତ୍ରା ଦେବୀଙ୍କର ନିଦ ଭାଙ୍ଗିଯାଏ । ଖୁବ୍ ବେଶି ଧର୍ମପରାୟଣା ନାରୀ ନହେଲେ ମଧ୍ୟ ସକାଳେ ଉଠିଲେ ପ୍ରଥମେ ଦୁଇହାତ ଯୋଡ଼ି ଭଗବାନଙ୍କୁ ନମସ୍କାର କରନ୍ତି, ଦୁଇହାତ ପାପୁଲିକୁ ଘଷି ତାର ଉଷ୍ମତାରେ ଆଖିକୁ ଟିକିଏ ସେକି ଦିଅନ୍ତି, ତାପରେ ଦୁଇହାତକୁ ଆଖି ସାମ୍ନାରେ ରଖି ‘କରାଗ୍ରେ ବସତି ଲକ୍ଷ୍ମୀ, କରମଧ୍ୟେ ସରସ୍ୱତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନଂ’ ମନ୍ତ୍ରଟି ବୋଲନ୍ତି । ଏଇ ଅଭ୍ୟାସଟି ତାଙ୍କର ପିଲାଟିଦିନରୁ ରହି ଆସିଛି, ପିଲାବେଳେ ଜେଜେ ଶିଖାଇ ଦେଇଥିଲେ, ସେବେଠାରୁ ଆଜି ପର୍ଯ୍ୟନ୍ତ ସେମିତି କରି ଆସୁଛନ୍ତି ।
ନିଜେ ଶେଯ ଛାଡ଼ିବା ପୂର୍ବରୁ ଜୀବନବାବୁଙ୍କୁ ମଧ୍ୟ ଉଠାଇଦେଇ ଯାଆନ୍ତି । ସବୁଦିନ ସକାଳେ ଉଭୟେ ପ୍ରାୟ ଏଇ ସମୟରେ ଉଠନ୍ତି । ମୁହଁହାତ ଧୋଇ ଅଧଘଣ୍ଟାଏ/ପଇଚାଳିଶ ମିନିଟ ଯୋଗ ପ୍ରାଣାୟମ କରନ୍ତି । ତାପରେ ଯାଇ ଆଉ ଯାହା କାମ । ଉଭୟଙ୍କର ବୟସ ପଚାଶ ପାଖାପାଖି ହୋଇ ଆସିଲାଣି, ତେଣୁ ନିଜକୁ ଫିଟ୍ ରଖିବା ପାଇଁ ନିୟମିତ ଯୋଗକରିବା ପ୍ରାୟ ଦୁଇବର୍ଷ ହେଲା ଆରମ୍ଭ କରିଛନ୍ତି ସେମାନେ । ଯୋଗ ପ୍ରାଣାୟାମ ପରେ ସୁମିତ୍ରା ଚାହା ତିଆରି କରିବା ପାଇଁ ରୋଷେଇ ଘରକୁ ଚାଲିଯାଆନ୍ତି ଏବଂ ଜୀବନବାବୁ ବାହାର କବାଟଖୋଲି ବାହାରର ସକାଳୁଆ ଶୁଦ୍ଧ ଥଣ୍ଡା ପବନ ଖାଇବା ସହିତ ଖବରକାଗଜ ପଢିବା ପାଇଁ ବାରଣ୍ଡାକୁ ଚାଲି ଆସନ୍ତି । ଦିନ ହୋଇଗଲେ ଗାଡ଼ିମଟର ଚାଲିଲେ ସହରର ପବନ ଧୂଳି ଧୁଆଁରେ ବିଶାକ୍ତ ହୋଇଯାଏ, ସକାଳର ଏଇ ଶୁଦ୍ଧ ବାୟୁ ଦିନସାରା ଦୁର୍ଲଭ ହୋଇଯିବ । ଉଭୟେ ଗୋଟିକ କଲେଜରେ ଅଧ୍ୟାପନା କରନ୍ତି । ସହର ତଳି ଅଞ୍ଚଳରେ ଏଇଠି ଜାଗା ଖଣ୍ଡେ କିଣି ନିଜର ଘରଟିଏ କରିଦେଇଛନ୍ତି । ଦୁଇ ଝିଅ ଏବଂ ପୁଅଟିଏକୁ ମିଶାଇ ପାଞ୍ଚ ଜଣର ଛୋଟିଆ ପରିବାରଟିଏ । ଜୀବନରେ ବହୁତ ଗୁଡାଏ ସ୍ୱପ୍ନ ନଥିଲା ଜୀବନ ବାବୁଙ୍କର । ସ୍ୱାମୀସ୍ତ୍ରୀ ଉଭୟେ ମାନବପ୍ରେମୀ, ମଣିଷ ଭିତରେ ଭଗବାନଙ୍କୁ ଦେଖନ୍ତି । ଚିତା ଚଇତନ କରିବା ଏବଂ ଧାର୍ମିକତା ଦେଖେଇ ହେବାରେ ବିଶ୍ୱାସ କରନ୍ତିନି । ସାଧାସିଧା ଜୀବନ ଏବଂ ଜୀବନରେ ଖୁସି ଭରପୁର ଏଇଟି ଥିଲା ତାଙ୍କର ଜୀବନର ମନ୍ତ୍ର ।
ଦୁନିଆର ଯେତେ ସୁଖ ସବୁ କିଛି ପଇସା ଦେଇ କଣ କିଣି ହୁଏ ? କିନ୍ତୁ ସମସ୍ତେ ଏଇ ସୁଖ ଟିକିଏ ପାଇବା ଆଶାରେ ଟଙ୍କା ପଛରେ ଗୋଡେଇ ଚାଲିଛନ୍ତି, ଟିକିଏ ସୁଖ କିଣିବା ପାଇଁ । କିନ୍ତୁ ପଇସା ଦେଇ ସବୁ ସୁଖ କିଣି ହୁଏନା, ଆହୁରି ସୁଖ, ଆହୁରି ସୁଖ ଆଶାରେ ଶେଷରେ ନିରାଶା ମିଳେ ଏବଂ ସେହି ନିରାଶରୁ ଦୁଃଖ ହିଁ ହାତକୁ ଆସେ । କିନ୍ତୁ ଖୁସି ? ଖୁସି କଥା କେହି ଭାବେନା । ଖୁସି ଯେ ବହୁତ ସହଜରେ, ମାଗଣାରେ ମିଳିଯାଏ, ଏକଥା କିନ୍ତୁ କେହି ବୁଝି ପାରନ୍ତିନି, ଏଇ ସରଳ କଥାଟି ସମସ୍ତଙ୍କୁ ବହୁତ ଜଟିଳ ଲାଗେ । ସୁଖ ଏବଂ ଖୁସି ଭିତରେ ଥିବା ସାମାନ୍ୟ ପ୍ରଭେଦଟିକୁ ଠିକ୍ ଭାବେ କେହି ବୁଝି ପାରନ୍ତିନି । ସମସ୍ତେ କେବଳ ଭାବନ୍ତି ସୁଖ ମିଳିଗଲେ ଖୁସି ମଧ୍ୟ ମିଳିଯିବ, କିନ୍ତୁ ଏତିକି ବୁଝି ପାରନ୍ତି ନାହିଁ ଯେ ସୁଖ ସହିତ ଖୁସିର କିଛିବି ସମ୍ପର୍କ ନାହିଁ । ସୁଖ ବାହାରୁ ମିଳେ, ଖୁସି କିନ୍ତୁ ମଣିଷ ନିଜଭିତରୁ, ନିଜ ହୃଦୟରୁ ପାଏ, ସେଇଠି ଅନୁଭବ କରେ ସେଇ ଅଦ୍ଭୁତ, ଅପୂର୍ବ, ଦିବ୍ୟ ଅନୁଭୂତିକୁ ।
ବାରଣ୍ଡାକୁ ଆସିଲା ପରେ ଜୀବନବାବୁଙ୍କ ନଜର ଖବରକାଗଜ ବଣ୍ଡଲଟା ଉପରେ ପଡ଼ିଲା । ଖବର କାଗଜବାଲା ତା ସାଇକେଲରେ ବସି ରାସ୍ତା ଉପରୁ ପ୍ରତିଦିନ ଏମିତି ବଣ୍ଡଲକରି ଖବର କାଗଜ ଫୋପାଡ଼ି ଦେଇ ଚାଲିଯାଏ । ଯୁଦ୍ଧ ବିରାମ ସତ୍ତ୍ୱେ ପାକିସ୍ତାନ ଯେପରି ମୋର୍ଟାରରୁ ଗୁଳି ଗୋଳା ଛାଡ଼େ, ଛାଡ଼ିବାଟା ତା କାମ, ସେଲଟା କେଉଁଠି ପଡ଼ିବ, କିଏ ମରିବ ସେଥିରେ ତାର କିଛି ଯାଏ ଆସେ ନାହିଁ, ସେପରି ଏଇ ଖବର କାଗଜ ବାଲାଏ । ତୁମ ସୀମା ଭିତରକୁ ଖବର କାଗଜ ଫୋପାଡ଼ିବା ତାଙ୍କ କାମ, କିନ୍ତୁ କାଗଜ କୋଉଠି ପଡ଼ିବ ତାର କିଛି ଗ୍ୟାରେଣ୍ଟି ନାହିଁ । କାଗଜ କୋଉ ଦିନ ବାରଣ୍ଡାରେ ମିଳେ ତ କେଉଁଦିନ ଲନ୍ ରେ ଥିବା ପିଜୁଳିଗଛରେ ଲଟକୁଥାଏ । କେବେ କେବେ ଲନ୍ ରେ କେଉଁ ଫୁଲଗଛ ତଳୁ ମିଳିଯାଏ । ଖବର କାଗଜଟା କେଉଁଦିନ କେଉଁଠି ମିଳିବ ତାର କିଛି ଠିକଣା ନଥାଏ । ଆଜି ବୋଧେ ଲକି-ଡେ, କାଗଜଟା ବାରଣ୍ଡା ଉପରେ ଠିକ୍ ଜାଗାରେ ମିଳିଗଲା ।
ଖବରକାଗଜ ବଣ୍ଡଲଟା ହାତରେ ଉଠାଇ ସୁମିତ୍ରାଙ୍କୁ ଡାକ ଛାଡ଼ି କହିଲେ, ଆରେ ଚା ନେଇ ବାରଣ୍ଡାକୁ ଚାଲିଆସ, ଏଇଠି ଆଜି ଭଲ ସୁଲୁସୁଲିଆ ଥଣ୍ଡାପବନ ବୋହୁଛି । ଚା’ ସାଙ୍ଗରେ କିଛି ଫ୍ରେସ ପବନ ବି ପିଇବାକୁ ମିଳିବ ଆଜି, କହି ନିଜେ ଆରାମ ଚୌକିଟାରେ ବସିପଡ଼ିଲେ । ଖବରକାଗଜଟା ଖୋଲି ପ୍ରଥମେ ‘ଆଜିର ଅନୁଚିନ୍ତା’ ପଢିବାକୁ ଆରମ୍ଭ କଲେ । ଏଇଟା ତାଙ୍କର ନିତିଦିନିଆ ଅଭ୍ୟାସ, ପ୍ରଥମେ ନୀତି ବାକ୍ୟଟା ହିଁ ପଢନ୍ତି । ତାଙ୍କୁ ଭଲ ଲାଗେ, ପ୍ରତିଦିନ କିଛି ନୁଆ ଜ୍ଞାନ ମିଳିଯାଏ ସଂସାର ବିଷୟରେ । “କାମନାର ବିନାଶରେ ଦୁଃଖର ବିନାଶ” । ସେଇଠି ଅଟକି ଗଲେ ଜୀବନବାବୁ । ଏଇ ବାକ୍ୟଟି କିଛି ନୁଆ ନୁହେଁ ତାଙ୍କ ପାଇଁ । ପିଲାଟି ଦିନରୁ ପଢି, ଶୁଣି ଆସୁଛନ୍ତି ଗୌତମ ବୁଦ୍ଧଙ୍କର ଏଇ ପବିତ୍ର ବାଣୀଟି । ଆଜି କିନ୍ତୁ ତାଙ୍କୁ କିଛି ନୂଆ ନୂଆ ଲାଗିଲା । ଖବରକାଗଜଟା ଖୋଲାହୋଇ ପଡ଼ିଛି କୋଳ ଉପରେ ଆଉ ଜୀବନବାବୁଙ୍କ ଆଖିଦୁଇଟି ଶୂନ୍ୟରେ କେଉଁ ଅନ୍ତରୀକ୍ଷରେ ଯାଇ ଅଟକିଯାଇଛି ଯେପରି । ହଠାତ୍ ଗୋଟିଏ ବାକ୍ୟ, ଆଜି ତାଙ୍କୁ ଦାର୍ଶନିକ କରିଦେଇଛି ସତେ । କଥାଟାକୁ ବାରମ୍ବାର ମନ ଭିତରେ ଦୋହରାଇ ଚାଲିଛନ୍ତି । ସେଇ ଗୋଟିଏ ପ୍ରଶ୍ନ ମନକୁ ବାରମ୍ବାର ଆସୁଛି । କାମନାର ବିନାଶ କିପରି ହୁଏ ? ସତରେ କଣ କାମନାର ବିନାଶ ହୁଏ ? କାମନାର ବିନାଶ ହୋଇଗଲେ କଣ ସତରେ ସବୁ ଦୁଃଖ ଚାଲିଯାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଯାଏ ?
ପାଞ୍ଚ ବର୍ଷ ପୂର୍ବର କଥା, କଲେଜ ଗଲାବେଳେ ଟ୍ରାଫିକ ଛକରେ ଗ୍ରୀନ ଲାଇଟକୁ ଅପେକ୍ଷା କରିଥିବା ସମୟରେ ରାସ୍ତାରେ ଛିଣ୍ଡା ଫ୍ରକ ଖଣ୍ଡିଏ ପିନ୍ଧି, ଶୀତରେ ଥୁରୁଥୁରୁ ହୋଇ ଛୋଟ ଝିଅଟିଏ ଭୋକରେ କିଛି ଖାଇବାକୁ ମାଗୁଥିଲା । ବିଚାରି, ଆଖିରୁ ତାର ଲୁହ ଗଡ଼ି ପଡ଼ିଲା, ଯେତେବେଳେ ସେ କହିଲା ‘ବାବୁ କାଲିଠୁ କିଛି ଖାଇନି, ଭୋକ ଲାଗୁଛି, କିଛି ପଇସା ଦିଅ ଖାଇବାକୁ’ । ଜୀବନବାବୁ ବି ତରଳି ଯାଇଥିଲେ ତାକୁ ଦେଖି, ତାଙ୍କର ଆଖିବି ଜକେଇ ଆସିଥିଲା । ସେଇ ଛୋଟ ଝିଅଟିର ମୁହଁରେ ତାଙ୍କୁ ନିଜ କୁନି ଝିଅର ମୁହଁ ଦିଶିଗଲା । ସଙ୍ଗେସଙ୍ଗେ ତାକୁ ସାଥିରେ ନେଇ ପାଖ ହୋଟେଲରେ ବସେଇ ପେଟ ଭରି ଖାଇବାକୁ କହିଥିଲେ । ଝିଅଟିର ସାମ୍ନାରେ ବସି ତାକୁ ଏକ ଲୟରେ ଦେଖୁଥାନ୍ତି । ଝିଅଟି ଭୋକ ବିକଳରେ କିପରି ଜଲ୍ଦିଜଲ୍ଦି ଖାଇ ଯାଉଥାଏ, ତାର ସମସ୍ତ ଧ୍ୟାନ କେବଳ ସେଇ ଭାତ ଥାଳି ଉପରେ ହିଁ ସ୍ଥିର ରହିଥିଲା । ଯେପରି କେଉଁ ଅନାଦି କାଳରୁ ତାର ଏ କ୍ଷୁଧାର୍ତ୍ତ ଜଠର ଭୋକରେ ଜଳୁଛି । ନିର୍ବିକାର ଭାବରେ ତାର ହାତ ଭାତ ଥାଳିରୁ ପାଟି ଆଉ ପାଟିରୁ ଭାତ ଥାଳି ପର୍ଯ୍ୟନ୍ତ ଯାଉଛି ଆସୁଛି ଠିକ୍ ଗୋଟିଏ ଯନ୍ତ୍ର ପରି ! ପାଖରେ କିଏ ଅଛି, କିଏ ତାକୁ ଦେଖୁଛି, ଚାରିପାଖରେ କଣ ହେଉଛି, କୌଣସି ଦିଗକୁ ତାର ଧ୍ୟାନ ନାହିଁ, ସମ୍ପୁର୍ଣ୍ଣ ନିର୍ଲିପ୍ତ ନିର୍ବିକାର । ଖାଇ ସାରିଲାପରେ ତା ଆଖିରେ ଯେଉଁ ତୃପ୍ତି ଓ ଆନନ୍ଦ ଦେଖା ଦେଇଥିଲା, ସେ ଦୃଶ୍ୟ କିଛି ଦିଅଁ ଦର୍ଶନଠାରୁ କମ୍ ନଥିଲା ତାଙ୍କ ପାଇଁ । ତା ଆଖିର ଚମକ୍ ତା ଓଠର ସେଇ ଟିକିଏ ତୃପ୍ତିଭରା ହସ ସତେଯେମିତି ଜୀବନବାବୁଙ୍କୁ ଜୀବନର ସମସ୍ତ ଉପଲବ୍ଧିର ଅନୁଭବ ଦେଇ ଦେଇଥିଲା । ଛପନ ଭୋଗ ଖାଇ ସାରିଲା ପରେ ପ୍ରଭୁ ଜଗନ୍ନାଥଙ୍କ ମୁହଁରେ ହୁଏତ ଏ ତୃପ୍ତିର ଭାବ ଦେଖିବାକୁ ମିଳିବ କି ନାହିଁ ଜଣାନାହିଁ ।
ତା’ପରେ ଜୀବନବାବୁ ଝିଅଟିକୁ ନେଇ ଗୋଟିଏ ଅନାଥାଶ୍ରମରେ ଛାଡ଼ି ଦେଇ ଆସିଥିଲେ । ମଝିରେମଝିରେ ନିଜେ ଯାଆନ୍ତି ସେଇ ଆଶ୍ରମକୁ, ଝିଅଟିକୁ ଥରେ ଦେଖି ଆସିବାକୁ । ତାଙ୍କର ଯେପରି ଗୋଟାଏ ମାୟାର ବନ୍ଧନ ଯୋଡ଼ି ହୋଇ ଯାଇଥିଲା ସେଇ ଝିଅଟି ସାଥିରେ । ଥରେ ସୁମିତ୍ରାଙ୍କୁ ବି ସାଥିରେ ନେଇ ଯାଇଥିଲେ ଆଶ୍ରମକୁ । ଝିଅଟିକୁ ଦେଖି ସୁମିତ୍ରାଙ୍କର ମାତୃତ୍ୱ ଜାଗି ଉଠିଥିଲା । ହାତ ବଢାଇ କୋଳେଇ ନେଇଥିଲେ ତାକୁ, ଜାବୁଡି ଧରିଥିଲେ ଛାତିରେ । ଆଖିରୁ ଲୁହ ଗଡ଼ି ଆସିଥିଲା ତାଙ୍କର । ବଡ଼ କରୁଣ ଭାବେ ପଚାରିଥିଲେ, କି ପାପ କରିଥିଲା ବିଚାରି ଏ ନିଷ୍ପାପ ଶିଶୁଟି ? ଏଇଟା କଣ ତାର ଅପରାଧ, ସେ ଝିଅଟିଏ ହୋଇ ଜନ୍ମ ହେଇଗଲା ! ସୁମିତ୍ରା ତା ମୁହଁକୁ ସେମିତି ଅପଲକ ନୟନରେ ଅନେଇ ରହିଗଲେ, କହିଲେ ଏଇ ଝିଅଟିର ନାଆଁ ଆଜିଠାରୁ ମୁଁ ଯାଜ୍ଞସେନୀ ଦେଲି । ସେ କହନ୍ତି, ଏଇ ଝିଅଟି ଦ୍ରୌପଦୀ ପରି ଦ୍ରୁପଦ ରାଜାଙ୍କ ହୋମାଗ୍ନିରୁ ନୁହେଁ ସିନା କିନ୍ତୁ କ୍ରୁର ସଂସାରର ଘୃଣାର ଅଗ୍ନିରୁ ଜନ୍ମିଛି, ଦ୍ରୌପଦୀ ପରି ସେ କୌରବ କୂଳର ନାଶ କରି ପାରିବ କି ନାହିଁ ଜଣାନାହିଁ, କିନ୍ତୁ ତା ମୁହଁର ଜ୍ୟୋତିକୁ ଦେଖ, ସତେଯେପରି ଐଶ୍ୱରୀୟ ଆଭା ଝଟକୁଛି ତା ମୁହଁରୁ । ସେ ଯାଜ୍ଞସେନୀ, ସେ କୃଷ୍ଣା, ସୁମିତ୍ରାଦେବୀ ଝିଅଟି ଆଡୁ ମୁହଁ ଫେରାଇ ଥରେ ଜୀବନବାବୁଙ୍କ ଆଡ଼କୁ ଅନାଇ କହିଲେ ତୁମେ ତାର ସଖା ହୋଇପାରିବ ? ତା ପାଇଁ କୃଷ୍ଣ ହୋଇ ତାକୁ ଆଗକୁ ବଢିବାରେ ସହାୟତା କରିପାରିବ ? ମୁଁ ଅଛି ତୁମ ସାଥିରେ, ସେ ପଢିବ, ବଢିବ, ବହୁତ ବଡ଼ ମଣିଷଟିଏ ହେବ । ଆମର ଦୁଇଟି ନୁହେଁ ଆଜିଠାରୁ ତିନୋଟି ସନ୍ତାନ । ଅନାଥାଶ୍ରମର ମ୍ୟାନେଜରଙ୍କୁ ବଡ଼ ବିନତି କରି ସେଇଦିନ ତାକୁ ସାଥିରେ ନେଇ ଆସିଥିଲେ ।
ସପ୍ତାହକ ପରେ ସରକାରୀ କାଗଜପତ୍ର ଫରମାଲିଟି ପୁରା ହୋଇଗଲା ପରେ ଆଇନତଃ ସେ ତାଙ୍କର ତୃତୀୟ ସନ୍ତାନ ହୋଇ ଯାଇଥିଲା । ଗୋଟିଏ ପୁଅ, ଗୋଟିଏ ଝିଅ ପରେ କୃଷ୍ଣା ସେମାନଙ୍କର ଆଉ ଗୋଟିଏ ଝିଅ । ସେତେବେଳେ ଯାଜ୍ଞସେନୀ ଚାରିବର୍ଷର ଥିଲା, ଆଜି ସିଏ ନଅବର୍ଷର ହୋଇଗଲାଣି । ସ୍କୁଲ ଯାଉଛି, କ୍ଲାସରେ ସବୁବେଳେ ଫାଷ୍ଟ ହେଉଛି, ଖେଳକୁଦ ହେଉ କି ନାଚଗୀତ ସବୁଥିରେ ସେ ପାରଙ୍ଗମ । ତା ପାଇଁ ଜୀବନବାବୁ ଓ ସୁମିତ୍ରା ଉଭୟଙ୍କ ମନରେ ଗର୍ବ ଆସେ, ଭଗବାନଙ୍କୁ ଧନ୍ୟବାଦ କହିବାକୁ ମଥା ନଇଁ ଆସେ । ପ୍ରଭୁଙ୍କର କି ବିଚିତ୍ର ଲୀଳା, କାହା ପାଇଁ କାହାକୁ ଗଢିଛନ୍ତି । କୃଷ୍ଣଙ୍କ ପରି ଏଇ କୃଷ୍ଣା କେଉଁଠି କାହା କୋଳରେ ଜନ୍ମହେଲା ଆଉ କାହା କୋଳରେ ବଢୁଛି ! ଝିଅଟିଏ ବୋଲି ତାକୁ ଏମିତ ଅନାଥ କରି ଛାଡ଼ି ଦିଆଗଲା । କେତେ ହତଭାଗା ସେ ମାଆବାପା । ହୀରାକୁ ସାମାନ୍ୟ କାଚର ଟୁକୁଡ଼ାଟିଏ ଭାବି ଫୋପାଡ଼ି ଦେଲେ !
ଜୀବନବାବୁ ଭାବୁଥିଲେ ପାଞ୍ଚବର୍ଷ ତଳର ସେଇ ଅନାଥ ଭୋକିଲା ଯାଜ୍ଞସେନୀର କଥା । ସେତେବେଳେ ତାର ଭୋକ, ମୁଠାଏ ଅନ୍ନପାଇଁ ତାର ବ୍ୟାକୁଳ କ୍ରନ୍ଦନ କଣ ତାର କାମନା ଥିଲା ? ତାର ଭୋକ ଯଦି ତାର କାମନା ଥିଲା, ତେବେ ସେଇ କାମନାର ବିନାଶ ସେ କିପରି କରି ପାରିଥାଆନ୍ତା ?? ସେଇ ଭୋକ, ତାର ଖାଇବାର ଇଚ୍ଛା, ତାର କାମନା, ସେଇ କାମନାର ବିନାଶ ହୋଇଥିଲେ ତାର ନିଜର ବି ବିନାଶ ହୋଇ ଯାଇଥାଆନ୍ତା । ତେବେ ତାର ସେଇ ଖାଇବା କାମନାର ବିନାଶର ନାଆଁ କଣ ନିର୍ବାଣ (ମୋକ୍ଷପ୍ରାପ୍ତି) ହୋଇ ଥାଆନ୍ତା ???
ବୁଦ୍ଧ କେବେଠାରୁ ନିର୍ବାଣ ପ୍ରାପ୍ତି କରି ଚାଲିଗଲେଣି । ଆଜି ଜୀବନବାବୁଙ୍କୁ ଏ ପ୍ରଶ୍ନର ଉତ୍ତର କିଏ ଦେବ ? ହଁ ସୁମିତ୍ରା, ହୁଏତ ସେ କିଛି କହିପାରିବେ ଏ ବିଷୟରେ । ଜୀବନବାବୁ ସିନା କେମିଷ୍ଟ୍ରିର ଅଧ୍ୟାପକ କିନ୍ତୁ ସୁମିତ୍ରା ତ ଫିଲୋସଫି ପଢାନ୍ତି, ସେ ନିଶ୍ଚୟ ଜାଣିଥିବ ।
ସୁମିତ୍ରାଦେବୀ ଚା ଦୁଇ କପ୍ ନେଇ ବାରଣ୍ଡାକୁ ଆସି ସାମ୍ନା ଟି’ପୟ ଉପରେ ଗୋଟିଏ କପ୍ ରଖିଦେଇ କହିଲେ, ହେଇଟି ଚା’ ନେଇଆସିଛି ପିଇ ନିଅ । ଥଣ୍ଡା ହୋଇଗଲେ ଆଉ ଥରେ ଗରମ କରିବାକୁ କହିବନି, ଆଗୁଆ କହିଦେଉଛି । ହଠାତ୍ ଜୀବନ ବାବୁ ପ୍ରକୃତିସ୍ଥ ହେଲେ ଯେପରି । କହିଲେ ହଁ ହଁ ପିଉଛି କହି ଚା’ କପଟିକୁ ଉଠାଇନେଇ ଢୋକେ ପିଇ ଗୋଟିଏ ଦୀର୍ଘନିଶ୍ୱାସ ଛାଡ଼ି କହିଲେ, ଜାଣିଛ ସୁମିତ୍ରା, ଗୌତମବୁଦ୍ଧ ଠିକ୍ କହିଥିଲେ, ‘କାମନାର ବିନାଶରେ ଦୁଃଖର ବିନାଶ’ ଆମ ମଣିଷ ଜୀବନରେ ସବୁ ଦୁଃଖ ଏଇ କାମନାରୁ ତ ଆସେ । କାମନା ନାହିଁ ତ ଦୁଃଖ ବି ନାହିଁ, କାମନା ନଥିଲେ, ସବୁ ସୁଖ ମିଳିଯିବ, ନିର୍ବାଣ ବି । ହେଲେ ଏ କାମନାର ବିନାଶ କିପରି ହୁଏ ?
ସୁମିତ୍ରାଦେବୀ ହୁଁଟିଏ କହି ରହିଗଲେ । ଚା’ କପରେ ମୁହଁ ଲଗାଇ ଚା’ ଢୋକାଏ ପିଇ କହିଲେ, ଆଉ ଥରେ କୁହ, କଣ କହୁଥିଲ । ଜୀବନବାବୁ କହିବା ଆରମ୍ଭ କଲେ, କାମନାର…. ସୁମିତ୍ରାଦେବୀ ତାଙ୍କୁ ଅଟକେଇ ଦେଇ କହିଲେ, ନାଇ ନାଇ, ଲାଷ୍ଟ ଲାଇନଟା ଆଉଥରେ କୁହ, ଜୀବନରେ କାମନା ନଥିଲେ…. ଜୀବନବାବୁ କହିଲେ, ହଁ, ହଁ ଜୀବନରେ କାମନା ନାହିଁ ତ ଦୁଃଖ ବି ନାହିଁ, ସବୁ ସୁଖ ମିଳିଯିବ, ନିର୍ବାଣ ବି । ସୁମିତ୍ରାଦେବୀ କହିଲେ, ଏଇ ବାକ୍ୟଟା ଆଉଥରେ କୁହ, ଜୀବନବାବୁ ପୁଣି ଥରେ କହିଲେ ସେ ବାକ୍ୟଟି, ଏମିତି ଆଉ ଥରେ, ଆଉ ଥରେ କହି କହି ସୁମିତ୍ରାଦେବୀ ଜୀବନବାବୁଙ୍କ ମୁହଁରୁ ସେଇ ବାକ୍ୟଟିକୁ ଦଶଥର ରିପିଟ କରେଇଦେଲେ । ଶେଷରେ ଜୀବନବାକୁ ବିରକ୍ତ ହୋଇ କହିଲେ, ଆରେ, ତୁମେ କହିବାକୁ କଣ ଚାହୁଁଛ ? ବାକ୍ୟଟାକୁ ବାରମ୍ବାର କହିଲେ କଥାଟା କଣ ବଦଳିଯିବ? ସୁମିତ୍ରାଦେବୀ ବଡ ଶାନ୍ତ ସ୍ୱରରେ କହିଲେ ନାହିଁ, କଥାଟା ବଦଳିବ ନାହିଁ, କିନ୍ତୁ ଅର୍ଥ ବଦଳି ଯିବ ।
ଜୀବନବାବୁ ଜିଜ୍ଞାସୁ ଆଖିରେ ସୁମିତ୍ରାଙ୍କ ମୁହଁକୁ ଚାହିଁ ରହିଲେ । ସୁମିତ୍ରା ଦେବୀ କହିଲେ, ଦେଖ, କଥାଟା ବହୁତ ସିମ୍ପଲ, ତୁମେ କହିଲ ଜୀବନରେ କାମନା ନଥିଲେ ସବୁ ସୁଖ ମିଳିଯିବ, ମୋକ୍ଷ ବି । ଏଇଆ ନା’? ଏତିକି କହି ଜୀବନବାବୁଙ୍କ ମୁହଁକୁ ଚାହିଁଲେ । ଜୀବନବାକୁ ମନେ ମନେ ବାକ୍ୟଟିକୁ ଥରେ ଦୋହରାଇ ନେଇ, କଣ ଟିକିଏ ଭାବି କହିଲେ ହଁ ସେଇକଥା । ତାପରେ ସୁମିତ୍ରାଦେବୀ ବାକ୍ୟଟିର ପୋଷ୍ଟମଟମ କରିବା ଆରମ୍ଭ କରିଦେଲେ । କହିଲେ ବାକ୍ୟଟିକୁ ଓଲଟେଇ ଦେଖ, ‘ଜୀବନର ସବୁ ସୁଖ ଏବଂ ମୋକ୍ଷପ୍ରାପ୍ତି ପାଇଁ କାମନାର ବିନାଶ କରିବାକୁ ହେବ’ ଏମିତି ହେବନା ବାକ୍ୟଟି । ଜୀବନ ବାବୁ ଯେପରି କିଛି ହିସାବ କରିବାକୁ ଲାଗିଲେ, ମନେମନେ ବାକ୍ୟଟିକୁ ପୁଣିଥରେ ଦୋହରାଇ ପରଖିନେଲେ ଏବଂ କହିଲେ, ଏକଜାକଟ୍ଲି ସେଇ କଥା । ସୁମିତ୍ରାଦେବୀ କହିଲେ, ବାକ୍ୟଟିକୁ ଟିକେ ସରଳ କରିଦେବା । ଜୀବନର ଅସଲ ସୁଖ ଏବଂ ନିର୍ବାଣ ପାଇଁ କାମନାର ବିନାଶ କରିବା । ମାନେ ସୁଖ ଏବଂ ମୋକ୍ଷ ପ୍ରାପ୍ତି ପାଇଁ, କାମନାର ବିନାଶ କରିବା । ତେବେ ‘କାମନାର ବିନାଶ କରିବା’ କାର୍ଯ୍ୟଟି କଣ ଏକ କାମନା ନୁହେଁ ? କିଛି ପାଇବା ପାଇଁ ଆଶା କରିବା ଏବଂ ସେଥିପାଇଁ କିଛି କରିବା ତ କାମନା, ନା’ କଣ କହୁଛ ?? ଜୀବନବାବୁ ବାଧ୍ୟ ଶିଷ୍ୟଟିଏ ପରି ମୁଣ୍ଡ ହଲାଇ ହଁ କହିଲେ ।
ସୁମିତ୍ରାଦେବୀ ପଚାରିଲେ, ପୁଣି ଏଇ ନୂତନ କାମନାର ବିନାଶ ପାଇଁ ଆଉ କଣ କରିବ ? ଯେମିତି ଯାହା କଲେବି, ଶେଷରେ ଏମିତି ଏକ ନୁଆ କାମନା ପୁଣି ମୁଣ୍ଡ ଟେକି ଉଠିବ । ଠିକ୍ ପିଆଜର ପାଖୁଡା ଛଡ଼େଇଲା ଭଳି । ଅସଲ କଥା ହେଲା କାମନାଠାରୁ ମଣିଷର ମୁକ୍ତି କେବେବି ସମ୍ଭବ ନୁହେଁ । ମଣିଷ କାମନା ଠାରୁ ଯେତେ ଦୂରକୁ ଯିବାପାଇଁ ଚେଷ୍ଟା କରିବ କାମନା ସେତେ ତୀବ୍ର ଗତିରେ ତାର ପିଛା କରିବ, ଠିକ୍ ଯେପରି ନୀରିହ ମୃଗ ଶାବକ ପଛରେ କ୍ଷୁଧାର୍ତ୍ତ ସାର୍ଦ୍ଦୁଳ ତାର ପିଛା କରେ । କାମନା ଯେପର୍ଯ୍ୟନ୍ତ ମଣିଷକୁ ନିଜର ବଶିଭୂତ କରି ନନେଇଛି ସେ ପର୍ଯ୍ୟନ୍ତ ତୁମର ପିଛା ଛାଡ଼ିବନି । ଆହୁରି ଅଧିକ ପାଇବାର ଇଚ୍ଛା ମଣିଷର ସହଜାତ ପ୍ରବୃତ୍ତି ଏବଂ ଏହି ପ୍ରବୃତ୍ତି ସମସ୍ତ କାମନାର ଜନନୀ । କିନ୍ତୁ ମଣିଷ ଯଦି କାମନାର ବଶବର୍ତ୍ତୀ ନହୋଇ କାମନାକୁ ନିଜର ବଶିଭୂତ କରିପାରିବ ତେବେ ମୋକ୍ଷ ପ୍ରାପ୍ତି ହେବକି ନାହିଁ ଜାଣେନି କିନ୍ତୁ ଜୀବନରେ ଶାନ୍ତି ଏବଂ ଖୁସି ନିଶ୍ଚିନ୍ତ ଭାବେ ପ୍ରାପ୍ତ କରିପାରିବ ।
ନିର୍ବାଣର କାମନା କରି ବୁଦ୍ଧ ସମସ୍ତ କାମନାର ବିନାଶ କରିପାରିଥିଲେ କି ନାହିଁ ଜଣାନାହିଁ । ନିର୍ବାଣର କାମନା କରି ସେ ନିର୍ବାଣ ପାଇଥିଲେ କି ନାହିଁ କିଏ ଜାଣେ ? କିନ୍ତୁ ମୁଁ ଯାହା ଭାବେ, ସେଇଟା ହେଉଛି, “କାମନାର ବିନାଶରେ ଦୁଃଖର ନୁହେଁ, ବରଂ ଜୀବନର ବିନାଶ ହୋଇଥାଏ” କିମ୍ବା କଥାଟାକୁ ତୁମେ ଏମିତି ବି କହିପାର, ‘ଜୀବନର ବିନାଶ ପରେ କାମନାର ବିନାଶ’ । ମଣିଷ ମଲାପରେ କାମନା ବି ମରିଯାଏ । ମଲା ମଣିଷର ଆଉ କଣ କିଛି କାମନା ଥାଏ ? ଅସଲ କଥା ହେଲା, ଏଇ କାମନା ହିଁ ମଣିଷକୁ ଜୀବିତ ରଖିଛି । ଜୀଇବାର ଇଚ୍ଛା ଏକ କାମନା । ଭୋକ ଲାଗିଲେ ଖାଇବାର ଇଚ୍ଛା ତ କାମନା, ଶୀତ ଲାଗିଲେ ଘୋଡ଼େଇ ହେବାର ଇଚ୍ଛାବି ତ କାମନା ! ଭଗବାନଙ୍କର ଆଶିର୍ବାଦ, କରୁଣା ପ୍ରାପ୍ତ କରିବାର ଇଚ୍ଛା ବି କାମନା । ଜୀବନରେ ସୁଖ ଭୋଗିବା, କଷ୍ଟ ନପାଇବା ବି କାମନା । ପରିବାରକୁ ସୁଖି ରଖିବା, ସନ୍ତାନଙ୍କୁ ଯୋଗ୍ୟ କରିବା ଏସବୁ ତ କାମନା ?
କେଉଁ କାମନାର ବିନାଶ କରିବ ମଣିଷ ? ଆଉ ରହିଲା କାମନାର ବିନାଶରେ ନିର୍ବାଣ ବା ମୋକ୍ଷ ପ୍ରାପ୍ତି ହେବା କଥା । ତୁମକୁ ଚାର୍ବାକଙ୍କର ଥିଓରୀ ବିଷୟରେ କହି ଦେଉଛି, ଚାର୍ବାକ କହନ୍ତି ; “ନ ସ୍ୱର୍ଗେ ନାପବର୍ଗେ ବା ନୈବାତ୍ମା ପରଲୌକିକଃ । ନୈବ ବର୍ଣ୍ଣାଶ୍ରମାଦୀନାଂ କ୍ରୀୟାଶ୍ଚ ଫଳଦାୟିକାଃ ।।” ଅର୍ଥାତ୍ ସ୍ୱର୍ଗ ଅବା ନର୍କ ଏପରି କିଛି ସ୍ଥାନ ନାହିଁ, ନା ମୋକ୍ଷ ବୋଲି କିଛି ଥାଏ, ନା ପରଲୋକ ଯିବା ପାଇଁ କିଛି ଆତ୍ମା ଥାଏ । ନା ବ୍ରାହ୍ମଣ ଆଦି ଚାରିବର୍ଗ ମାନସିକତା ଏବଂ ବ୍ରହ୍ମଚର୍ଯ୍ୟ, ଗର୍ହସ୍ଥ୍ୟ ଆଦି ଚାରି ଆଶ୍ରମରେ ପାଳନ କରାଯାଇଥିବା କର୍ମର କୌଣସି ଫଳ ପରଲୋକରେ ମିଳିଥାଏ । ଏସବୁ କେବଳ ଶୁଣାକଥା ଏହାର କେହି ପ୍ରତକ୍ଷଦର୍ଶୀ ନାହିଁ । ଚାର୍ବାକ ଠିକ ତ କହିଛନ୍ତି । ଏ ସବୁ ତଥ୍ୟର କେହି ପ୍ରତ୍ୟକ୍ଷଦର୍ଶୀ ଅଛି ?
ଅସଲ କଥା କଣ ଜାଣିଛ ? ମଣିଷର ଅନେକ କାମନା, ଏବଂ ସେଇ ସବୁ କାମନାକୁ ପୂର୍ଣ୍ଣ କରିବାପାଇଁ ମଣିଷ କର୍ମ ବି କରେ, ଏବଂ କର୍ମଫଳ କାମନା ବି କରେ । ଇପ୍ସିତ ଫଳ ନମିଳିଲେ ଭାଙ୍ଗିପଡ଼େ, ଦୁଃଖି ହୋଇଯାଏ, ଗୀତାରେ ଭଗବାନ କୃଷ୍ଣଙ୍କ ବାଣୀକୁ ଦୋହରାଏ । ‘କର୍ମଣ୍ୟେବାଧିକାସ୍ତେ ମା ଫଳେଷୁ କଦାଚନ’ । ଆମେ ଗୀତାର ଏଇ ବାଣୀଟିର ସବୁବେଳେ ମିସ-ଇଣ୍ଟରପ୍ରେଟେସନ କରିଆସିଛୁ । ‘କାମ କରିଯାଅ ଫଳର ଆଶାକରନା’ । କହିଲ ଦେଖି, ଫଳର ଆଶା ନଥିଲେ କିଏ କାହିଁକି କର୍ମ କରିବ ? ଦରମା ମିଳିବାର ଆଶା ନଥିଲେ କିଏ କାହିଁକି କାମ କରିବାକୁ ଯିବ ? ପାଶ୍ କରିବାକୁ କି ପରୀକ୍ଷାରେ ପୋଜିସନ ରଖିବାର ଆଶା ବା କାମନା ନଥିଲେ କିଏ କାହିଁକି ପାଠପଢାରେ ଅଧିକ ପରିଶ୍ରମ କରିବ ? ଆମେ ଯେଉଁଟାକୁ କାମ କହୁ, ଅସଲରେ ସେଇଟା କାମନା ଦ୍ୱାରା ହଁ ପ୍ରେରିତ ହୋଇଥାଏ । କର୍ମ ସର୍ବଦା ସକାମ । ବାକି ରହିଲା କର୍ମଫଳର ଆଶା କରିବା । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ‘କର୍ମଣ୍ୟେବାଧିକାରସ୍ତେ’ ଅର୍ଥାତ୍ ତୁମର ଅଧିକାର କେବଳ ତୁମର କର୍ମ କରିବା ପର୍ଯ୍ୟନ୍ତ ସୀମିତ । କର୍ମ ମଣିଷର ଅଧୀନ, ସେପରି ଫଳ ପ୍ରଦାନ କରିବା ଅନ୍ୟ ବ୍ୟକ୍ତିର ଅଧୀନରେ ଥାଏ । ଯେପରି ତୁମେ ପରୀକ୍ଷା ଦେଲ । ସେଇଠି ତୁମର ଅଧିକାର ସୀମା ସମାପ୍ତ । ତାପରେ ଫଳଦେବା ଅଧିକାର ପରୀକ୍ଷକ ହାତରେ । କର୍ମ ଯଦି ଠିକ୍ ଭାବେ କରାଯାଇଛି ଫଳ ମଧ୍ୟ ଉତ୍ତମ ମିଳିବ, ଏଥିରେ ଆଶା ନିରାଶାର ପ୍ରଶ୍ନ ହିଁ ନାହିଁ । କିନ୍ତୁ ଆମେ ସବୁ ଓଲଟା କରୁ, ଆମେ କର୍ମ କରୁ ଏବଂ ସଙ୍ଗେସଙ୍ଗେ ଫଳ ବି ଆମ ଅଧିକାରରେ ଥିଲାଭଳି ମନେକରୁ । ସେଇଠି ଆମେ ଦୁଃଖକୁ ଆମନ୍ତ୍ରଣ ଦେଇଦେଉ । ଆତ୍ମସମୀକ୍ଷା କରୁନା, ହୁଏତ ଆମର କର୍ମରେ କୌଣସି ତୃଟି ରହିଯାଇଛି, ତାହା ଖୋଜିବାକୁ ଚେଷ୍ଟା କରୁନା । ପୁନଃପ୍ରଚେଷ୍ଟା କରୁନା । ନିରାଶ ହୋଇଯାଉ ଭାଗ୍ୟ ଆଉ ଭଗବାନଙ୍କୁ ଦୋଷ ଦେଇଦେଉ ।
କୌଣସି କାର୍ଯ୍ୟ, ବିନା କାମନାରେ ଆରମ୍ଭ ହୁଏନା । କିଛି ପାଇବାର ଇଚ୍ଛା ରଖି ତ ମଣିଷ କର୍ମ କରେ । ସବୁ କର୍ମ ପଛରେ ଏକ ଉଦ୍ଦେଶ୍ୟ ଥାଏ, ତେଣୁ ନିସ୍କାମ କିଛି ବି ନଥାଏ । ଭିକାରୀକୁ ଭିକ୍ଷା ଦେବା ପଛରେ ଆମ ମନରେ ଧର୍ମ ଅର୍ଜନର କାମନା ଥାଏ । ମନ୍ଦିରକୁ ଦିଅଁ ଦର୍ଶନ କରିବାକୁ ଗଲେ, ଆମ ମନରେ ଭଗବାନଙ୍କ ପାଇଁ ଭକ୍ତି ଅପେକ୍ଷା କିଛି ପ୍ରାପ୍ତିର କାମନା ଅଧିକ ଥାଏ । ସନ୍ତାନକୁ ଭଲ ସ୍କୁଲରେ ପଢାଇବାରେ ବି ଆମର ସ୍ୱାର୍ଥ ଏବଂ କାମନା ଜଡ଼ିତ ଥାଏ । ବନ୍ଧୁମାନଙ୍କ ଆଗରେ ବାହାଦୂରୀ ଦେଖେଇ ହେବା ମୋ ପିଲା ଅମୁକ ସ୍କୁଲରେ ପଢେ ଏଥିରେ ନିଜକୁ ଦେଖେଇ ହେବାର କାମନା ଥାଏ । ମଣିଷ ଯେପର୍ଯ୍ୟନ୍ତ ଜୀବିତ ଅଛି ତାର କାମନା ତା ସହିତ ରହିବଇ ରହିବ ।
କାମନାର ବିନାଶ ସିନା ହୋଇପାରିବନି କିନ୍ତୁ ସେଥିରେ ଅଂକୁଶ ନିଶ୍ଚୟ ଲଗାଇ ହେବ । ବୁଝିଲ, ଆଜି ମଣିଷ ନିଜର ମୌଳିକ ଆବଶ୍ୟକତାକୁ ଭୁଲିଯାଇଛି । ମଣିଷର କିଛିବି ଅସୁବିଧା ନାହିଁ, ଖାଲି ତା ପାଇଁ ଆବଶ୍ୟକତାର ପରିଭାଷା ବଦଳି ଯାଇଛି । ମଣିଷର ଆବଶ୍ୟକତା କେବଳ ତାର ମୌଳିକ ଆବଶ୍ୟକତା ମଧ୍ୟରେ ସୀମିତ ରହିଯାଇନି । ମନେକର ଯେମିତି ମଣିଷକୁ ଭୋକ ଲାଗେ, ଖାଇବା ଅର୍ଥ କେବଳ କ୍ଷୁଧା ଶାନ୍ତ କରିବା । କିଛି ବି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ପେଟ ଭରାଯାଇ ପାରିବ । ମୁଠାଏ ଭାତ, କି ଦୁଇ ପଟ ରୁଟିରେ ମଣିଷର ପେଟ ଭରିଯାଏ, ଭୋକ ବି ଶାନ୍ତ ହୋଇଯାଏ । କିନ୍ତୁ କେବଳ ଭୋକ ମାରିବା କିଏ ଚାହୁଁଛି ? ଜିଭକୁ ସୁଆଦ ବି ଦରକାର, ମନକୁ ବିରିଆନିର ବାସ୍ନା ପାଗଳ କରିଦିଏ, ମଣିଷକୁ ପେଟ ପାଇଁ ଆହାର ନୁହେଁ ପାଟି ପାଇଁ ସ୍ୱାଦିଷ୍ଟ ବ୍ୟଞ୍ଜନ ଦରକାର । ଆମେ କେବଳ କ୍ଷୁଧା କଥା ଭାବୁନା, ଆମେ ଭାବୁ ସ୍ୱାଦିଷ୍ଟ, ରୁଚିକର ଆଉ ମହାର୍ହ୍ୟ ଭୋଜନ । ସ୍ୱାସ୍ଥ୍ୟର କଥା, ସ୍ୱାସ୍ଥ୍ୟବର୍ଦ୍ଧକ ପୁଷ୍ଟିକର ଖାଦ୍ୟ କଥା, ମନରେ ଆସେନା ।
ସେମିତି ଆମର ବ୍ୟସନ, ଆମକୁ ଶରୀର ଘୋଡ଼େଇ ହେବାକୁ କେବଳ ବସ୍ତ୍ର ନୁହେଁ ବରଂ ଫେସନ କରିବାକୁ ମହଙ୍ଗା ରଙ୍ଗ ବେରଙ୍ଗର ପୋଷାକ ଦରକାର । ଶରୀର ଆବୃତ୍ତ ହେଉ ବା ନହେଉ, କିଛି ଯାଏ ଆସେନା । ଶରୀର ଢାଙ୍କିବାକୁ ଯାଇ ଆମେ ନଗ୍ନତା ଆଡ଼କୁ ଗତି କରୁ । କେତେ ଅଧିକ ଢାଙ୍କିବୁ ସେକଥା ନଭାବି କେତେ ଅନାବୃତ ରଖିପାରିବୁ ସେକଥା ଫେସନ ଡିଜାଇନ୍ କଲାବେଳେ ଧ୍ୟାନରେ ରଖୁ । ମଣିଷ ନିଜର ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ଲୋଡେ, ସେଇଟା ଛାଳ ଛପର କି ଲୁହା ସିମେଣ୍ଟର କଂକ୍ରିଟର ଛାତ ସେଥିରେ କିଛି ଫରକ ନଥାଏ, କିନ୍ତୁ ମଣିଷ ଚାହେଁ ରାଜାଉଆସ ପରି ମହଲ । ଆଜି ମଣିଷ ମୌଳିକ ଆବଶ୍ୟକତାର ଅଭାବରୁ କମ୍ ଦୁଃଖି ଏବଂ ବିଳାଶ ପୂର୍ଣ୍ଣ ଜୀବନର ଲାଳସା କାରଣରୁ ବେଶି ଦୁଃଖି । ନେସେସିଟି ଏବଂ ଲକଜୁରୀ ଭିତରେ ଥିବା ଫରକ ଆମକୁ ଜାଣିବାକୁ ହେବ । ଯାହା ଅଛି ସେଥିରେ ଖୁସି ରହିବା ଏବଂ ସୁଖି ହେବା ଶିଖିବାକୁ ହେବ । ଯାହା ନାହିଁ ତାପାଇଁ ଚେଷ୍ଟା ଅବଶ୍ୟ କରବା, କିନ୍ତୁ ତା ପାଇଁ ଦୁଃଖି ନହେବା ହିଁ ସୁଖର ମାର୍ଗକୁ ସୁଗମ କରିଦିଏ । ସବୁଠାରୁ ବଡ଼ କଥା ଜୀବନରେ ସନ୍ତୁଷ୍ଟ ରହି ଜାଣିଲେ ଦୁଃଖ କେବେ ବି ପାଖ ମାଡ଼ିବନି । ପ୍ରକୃତରେ କାମନାର ବିନାଶ କରିବା ଦରକାର ନାହିଁ, କିନ୍ତୁ କେବେ ବି କାମନାର ଦାସ ହୋଇଯାଅନି, ବରଂ କାମନାକୁ ନିଜର ଦାସ କରିନିଅ । ଜୀବନରେ ଖୁସିର ଅଭାବ ରହିବନି ।
ଜୀବନବାବୁ ମନ୍ତ୍ରମୁଗ୍ଧ ହୋଇ କେଉଁ ସାଧୁଙ୍କର ପ୍ରବଚନ ଶୁଣିଲା ପରି ଚୁପ୍ ହୋଇ ସବୁ ଶୁଣୁ ଥାଆନ୍ତି । ଶେଷରେ କହିଲେ, ସୁମିତ୍ରା ତୁମେ ଏଇ ଅଧ୍ୟାପିକା ଚାକିରି ଛାଡ଼ି ଦିଅ । ସୁମିତ୍ରାଦେବୀ ଆଶ୍ଚର୍ଯ୍ୟ ହୋଇ ଜୀବନବାବୁଙ୍କ ମୁହଁକୁ ଏକ ପ୍ରଶ୍ନିଳ ଆଖିରେ ଚାହିଁ ରହିଲେ, ପଚାରିଲେ କାହିଁକି ? ଜୀବନବାବୁ ଟିକିଏ ହସିଦେଇ କହିଲେ, ତୁମେ ଏତେ ସୁନ୍ଦର ଭାବେ କଥାଟିକୁ ବୁଝେଇଦେଲ, ହୁଏତ ଆଉକେହି ଏପରି ବୁଝେଇ ପାରି ନଥାନ୍ତା । ଆଜିକାଲି କେତେ ଭଣ୍ଡବାବା ଓଲଟା ସିଧା ପ୍ରବଚନ ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ତୁମେ ପ୍ରବଚନ ଦେଲେ ଲୋକେ କିଛି ଭଲକଥା ତ ଶିଖିପାରିବେ, ତାପରେ ସୁମିତ୍ରା ମାତାଙ୍କର ଜୟବାନା ବି ଉଡ଼ିବ । କେତେ ଭକ୍ତ ଜମା ହେବେ, ଜୟ ଜୟକାର ହେବ । ସୁମିତ୍ରା ମାତାଙ୍କର ଆଶ୍ରମ, ମନ୍ଦିର, ୟୁନିଭରସିଟି, ମେଡ଼ିସିନ, ଧୂପକାଠୀ ଠାରୁ ଦନ୍ତମଞ୍ଜନ ପର୍ଯ୍ୟନ୍ତ ସବୁ ବନିଯିବ । ତୁମେ ଷ୍ଟାର ସେଲେବ୍ରିଟି ହୋଇଯିବ । ସୁମିତ୍ରାଦେବୀ ଟିକେ ହସି ଦେଇ କହିଲେ, ଥାଉ ବାବା, ମୋର କିଛି ବାବା, ମାତା ହେବା ଦରକାର ନାହିଁ । ଏମିତିରେ ମୁଁ ବହୁତ ଭଲରେ ଅଛି । ବହୁତ ଖୁସି ଅଛି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।
କାମନା, ଦୁଃଖ, ସୁଖ ଓ ଖୁସି ର ଅପୂର୍ବ ବ୍ୟାଖ୍ୟା ଭରା ‘ମୋକ୍ଷ’
ଗଳ୍ପ ଅତି ଉତ୍କର୍ଷ । ହୃଦୟକୁ ଛୁଇଁଲା । ଅକୃତ୍ରିମ ଓ ଅଦ୍ବିତୀୟ ।
ଶ୍ରଦ୍ଧେୟ ବିନୟ ବାବୁ, ମୋର ଆନ୍ତରିକ ଶୁଭେଛ୍ଛା ଓ ଅଭିନନ୍ଦନ
ଜାଣିବେ ।
ପ୍ରିୟ ମିତ୍ର, ବିବେକ ।