ନୀଳିମା ନିବେଦିତା
ରାକ୍ଷସ ହେଉ କି ବ୍ରହ୍ମରାକ୍ଷସ, ଭୟ ଗୋଟିଏ ଏମିତି ଶବ୍ଦ ଯାହା ଭିତରେ ସଂସାରର ସମସ୍ତ ରାକ୍ଷସ ଏକା ସାଙ୍ଗରେ ପଶି ଯାଇପାରିବେ । ମନୁଆ କିନ୍ତୁ ଭୟ ଶବ୍ଦ ବୁଝେନା ଯଦିଓ ମନୁଆର ଆଈ ଅନେକବାର ଗପ ମାଧ୍ୟମରେ ଏହି ଭୟ ଶବ୍ଦ ସହି ମନୁଆକୁ ପରିଚିତ କରେଇବାକୁ ଚେଷ୍ଟା କରିଛନ୍ତି ।
ମନୁଆ ଆମ୍ବ ଖାଇବାକୁ ଭରି ଭଲ ପାଏ । ଯେତିକି ଦୁଷ୍ଟ ପରିବାରର ସବୁ ସଦସ୍ୟଙ୍କ ନିକଟରେ ସେତିକି ସ୍ନେହଆଦର ପାଏମନୁଆ । ତା ବଡ଼ ଭଉଣୀ ରାନୀ ସହିତ ତାର ଭାରି ଭଲ ପଡ଼େ । ଭଲ ପଡ଼େ ଅର୍ଥାତ ମନୁଆର ସବୁ ଦୁଷ୍ଟମୀରେ ରାନୀ ତା ସାଙ୍ଗରେ ଥାଏ ଆଉ ରାନୀ କରିଥିବା ଦୁଷ୍ଟମୀରେ ମନୁଆ ଭାଗୀଦାର ହୁଏ । ଆମ୍ବ ଖାଇବାରେ ମନୁଆ ସାଙ୍ଗରେ
ରାନୀ ବି ପହଞ୍ଚିଯାଏ ଘର ପାଖ ଏକ ବଗିଚାରେ । ସେ ବଗିଚାର ଖାସ କଥା ହେଉଛି ଯେ ସେଠି ଆମ୍ବ ଆପେ ଆପେ ତଳେପଡ଼େ । ମନୁଆ ଓ ରାନୀ ଛୋଟ ଥିବାରୁ ତାଙ୍କୁ ବି ମଜା ଲାଗେ ବାଛି ବାଛି ତଳୁ ଆମ୍ବ ଗୋଟେଇ ଖାଇବାରେ ।
ମନୁଆକୁ ଯେତେବେଳ ୧୦ ବର୍ଷ ହୋଇଥାଏ ସେ ସମୟର ଏ ଘଟଣା । ଯେବେ ବି ମନୁଆ ରାନୀ ସାଙ୍ଗ ହେଇ ବାଗିଚାକୁ
ଆମ୍ବ ଖାଇବାକୁ ଯାଆନ୍ତି ଘରେ ସେମାନଙ୍କୁ ଖୁବ ଗାଳି ଶୁଣିବାକୁ ମିଳେ, ବେଳେବେଳେ ବଡ଼ ଭାଇ ପିଠିରେ ଗାତ ଖୋଳିଦିଏ। ହେଲେ ମନ ତ ମନ ନା ! ମନୁଆ ପୁଣି ଭୟ କଣ ବୁଝେନା । ବେଳେବେଳେ ମନୁଆ କିନ୍ତୁ ଆଶ୍ଚର୍ଯ୍ୟ ହୁଏ ବାପା, ମା ଓ ଭାଇର ଆକଟରେ, କାରଣ ସେ ବଗିଚାରେ ସେମାନଙ୍କର ବି ଆମ୍ବ ଗଛ ଥିଲା । ସେମାନେ ତ ଆଉ ପର ଗଛର ଆମ୍ବ ଖାଉ ନାହାନ୍ତି ଯେ ଘରେ ତାକୁ ନେଇ ଏତେ ବାରଣ ! ତେବେ ମନୁଆ ପିଲାବେଳୁ ତା ଆଈଠାରୁ ଗପ ଶୁଣିଥିଲା ଯେ ତାଙ୍କ ଆମ୍ବ ବଗିଚା ଭିତରେ ଆଉ ଏକ ବଡ଼ ବଗିଚା ଅଛି ଯାହାକୁ କଳା ବଗିଚା କୁହନ୍ତି । ମନୁଆ ସେ କାହାଣୀର କଳା ବଗିଚାକୁ ବି ଦେଖିଥିଲା, କିନ୍ତୁ ବହୁତ ଦୂରରୁ । ଯେତେବେଳେ ଗଛରୁ ଖସି ପଡ଼ିଥିବା ଆମ୍ବ ଗୋଟେଇବାକୁ ମନୁଆ ବଗିଚାକୁ ଯାଉଥିଲା, ଅଳ୍ପ ଦୂରରେ ଘନ ଅନ୍ଧକାର ଦିଶୁଥିଲା । ମନୁଆ ସବୁଥର ଭାବେ ଯେ ଖରାଦିନିଆ ଦ୍ଵିପ୍ରହରରେ ବି ଗୋଟିଏ ବଗିଚାର ଗୋଟିଏ କୋଣ ଭଲା କେମିତି ଏତେ ଘନ ଅନ୍ଧକାର ହେଇପାରେ ! ସବୁବେଳେ ପୁଣି ସେ ସ୍ଥାନରୁ ଧୂଆଁ ବାହାରୁଥାଏ । ମନୁଆକୁ ଲାଗେ ବୋଧେ କେଉଁ ବୁଢୀ ସେଠି ରହୁଛି ଯିଏ ଚୁଲି ଲଗେଇ ରନ୍ଧାବଢା କରୁଛି । ତେବେ ମନୁଆ କେବେ ସାହସ କରିନି ଏହାର ସତ୍ୟାସତ୍ୟ ଜାଣିବାକୁ, ସେ ଘନ ଅନ୍ଧକାର ଭିତରକୁ ପଶିବାକୁ ।
କାରଣ ସମସ୍ତେ କୁହନ୍ତି ଯେ ବଗିଚାର ଭିତର ଆଡ଼କୁ ଘନ ଅନ୍ଧାକାର ଦେଖାଯାଏ । ଯେତେ ଯେତେ ଆଗକୁ ବଢିବ ସେଠି
ଗୋଟିଏ ବଗିଚା ମିଳିବ । ସେ ବଗିଚା ଭିତରେ ଗୋଟିଏ ବିରାଟ ରାକ୍ଷସ ରୁହେ । ମନୁଆକୁ ଏକଥା ବିଶ୍ଵାସ ହୁଏନି । ମନୁଆକୁ ଲାଗେ ତାକୁ ଆମ୍ବ ଖାଇବାକୁ ଅଟକାଇବାକୁ ଏ ସବୁ କେବଳ ବାହାନା । ମୋତେ ମୋ ଆଈ ଆଉ ପରିବାର ଲୋକେ ଡରେଇବାକୁ ଚେଷ୍ଟା କରୁଛନ୍ତି । ମୁଁ ଯେପରି ସେ ଆମ୍ବ ବଗିଚାକୁ ନଯାଏ ସେଥିପାଇଁ ମନଗଢା କାହାଣୀ କହୁଛନ୍ତି । ତେବେ ସେଦିନ ଅପରାହ୍ନ ୪ ଟା ହେବ କି କଣ, ମନୁଆ ପୁଣିଠାରେ ଯାଇ ପହଞ୍ଚିଥିଲା ସେଇ ଆମ୍ବ ବଗିଚାରେ । ଏକଥା କିନ୍ତୁ ମନୁଆର ବଡ଼ ଭାଇ ଜାଣିଗଲେ ଓ ଖୁବ ପାଟିକଲେ । ଏଥର ମନୁଆର ସ୍ଵାଭିମାନକୁ ଆଞ୍ଚୁରି ହେଲାଭଳି ଲାଗିଲା । ତାକୁ ୧୦ ବର୍ଷ ହେଲାଣି ଆଉ ଘରଲୋକେ ତାକୁ ଏବେ ବି କୁନି ପିଲା ଭାବୁଛନ୍ତି ଆଉ ଅଯଥା ଡରେଇ ବଗିଚାକୁ ଯିବାକୁ ଦେଉନାହାନ୍ତି ଯେତେବେଳେ କି ସେ ବଗିଚାରେ ତାଙ୍କରି ଆମ୍ବ ଗଛ ଅଛି ଓ ସେ ତାଙ୍କରି ଆମ୍ବ ଗଛରୁ ଆମ୍ବ ଆଣେ, ଅନ୍ୟର ନୁହେଁ ।
ରାନୀ ସହିତ ମିଶି ମନୁଆ ଗୋଟିଏ ପ୍ଲାନ କଲା । ଏଥର ତ ସେ ନିଶ୍ଚେ ଯିବ ମନା କରାଯାଉଥିବା ବଗିଚା । ଏକାବେଳେ
ସବୁଯାକ ଆମ୍ବ ନେଇଆସିବ ଆଉ ଘରେ କେଉଁଠି ଗୋଟିଏ ଲୁଚାଇ ରଖିବ । ମନହେଲେ ଗୋଟିଏ ଗୋଟିଏ କରି କାଢୁଥିବଆଉ ଖାଉ ଥିବ ସବୁଦିନ । ମନୁଆ ନିଷ୍ପତ୍ତି ନେଲା ଯେ ଘରେ ସମସ୍ତେ ଶୋଇପଡ଼ିଲା ପରେ ରାତି ପ୍ରାୟ ଗୋଟେ ବେଳକୁ ସେ ସେଇ ଆମ୍ବ ବାଗିଚାକୁ ଯିବ ଆଉ ଏକାବେଳକେ ସବୁ ଆମ୍ବ ଗୋଟେଇ ନେଇ ଆସିବ । ତେବେ ତା ବଡ଼ ଭଉଣୀ ରାନୀ ତା ସାଙ୍ଗରେ ସବୁବେଳେ ସାଥ୍ ଦିଏ ଆଉ ତାଠାରୁ ଟିକେ ବୁଝିବାର ବି । ରାନୀ କହିଲା, ଯିବା ତ ନିଶ୍ଚେ କିନ୍ତୁ ରାତିରେ ନୁହେଁ ଭୋଅର ସମୟରେ ଯେତେବେଳେ କେହି ଉଠି ନଥିବେ । ରାତିରେ ଗଲେ କିଛି ଦିଶିବନି, ସେଠି ଖୁବ ଅନ୍ଧାର ହେଇଥିବ । ଆମ୍ବ ଦିଶିବନି । ଆମେ ସେଇ ୪ ଟା କି ୫ ଟା ବେଳକୁ ଯିବା । ସେତେବେଳେ ଘଣ୍ଟା ନଥାଏ । ସୂର୍ଯ୍ୟ ଓ ଜହ୍ନ ଉଠିବା ଦେଖି ସମୟ ମାଲୁମ ପଡ଼େ । ସେଦିନ ପୂର୍ଣ୍ଣମୀ ରାତି ଥିଲା ।
ଘନ ଅନ୍ଧକାର ପରେ ବି ଜହ୍ନ ଆଲୁଅରେ ପୁରା ବଗିଚା ଦିଶୁଥିଲା । ସବୁ ଆମ୍ବ ଦିଶୁଥିଲେ । ମନୁଆ ଓ ରାନୀ ପହଞ୍ଚି ସାରିଥିଲେ ସେ ବଗିଚାରେ, ଧୀରେ ଧୀରେ ଆମ୍ବ ଗୋଟାଇବାରେ ଲାଗିପଡ଼ିଲେ ।
ଆମ୍ବ ଗୋଟାଇବା ନିଶାରେ କିଛି ଜଣାପଡୁ ନଥାଏ ଯେ ସେମାନେ କେତେ ବାଟ ଗଲେଣି । ଆମ୍ବ ଗୋଟେଇ ଚାଲିଛନ୍ତି ଆଉ ଆଗକୁ ବଢି ଚାଲିଛନ୍ତି ଦୁହେଁ ମନୁଆ ଆଉ ରାନୀ । ତେବେ ଆଗକୁ ବଢୁ ବଢୁ ଏକ ଏମିତି ଜାଗାରେ ଦୁହେଁ ପହଞ୍ଚିଲେ ଯେଉଁଠି ଭାରି ଶୁନଶାନ ଥଲା ଆଉ ଆମ୍ବ ଗଛ ବି ନଥିଲା । ଅଚାନକ ଜହ୍ନ ଆଲୁଅରେ ଯେମିତି ବାଦଲ ଘୋଡ଼ି ହେଇଗଲା । ଘନ ଅନ୍ଧକାର ହେଇଗଲା । ଏତେ ଅନ୍ଧାର ଯେ ପୂର୍ଣ୍ଣମୀ ରାତି ଅମାବାସ୍ୟା ରାତି ପରି ଲାଗୁଥିଲା । ଆଶ୍ଚର୍ଯ୍ୟର କଥା ତ ସେଠି ଆମ୍ବ ଗଛ ନଥିଲା କି ଆଉ ଅନ୍ୟ କୌଣସି ଗଛ ବି ନଥିଲା । ସେଠି ଯେତିକି ଗଛ ଦିଶୁଥିଲା ସେସବୁ ଶୁଖିଲା ଆଉ ମୃତ । ଭାଂଗିଯାଇଥିଲା କିମ୍ବା ଫମ୍ପା ଥିଲା ସେ ସ୍ଥାନର ଗଛଗୁଡ଼ା । ମନୁଆ ଆଉ ରାନୀ କିଛି ବୁଝିବା ପୂର୍ବରୁ ହିଁ ପାଖରେ ଥିବା ଏକ ଶୁଖିଲା ବୁଦା ହଲିବାକୁ ଆରମ୍ଭ କଲା । ସେଇଠି ପ୍ରଥମ କରି ଭୟ ସହିତ ପରିଚୟ ହେଲା ମନୁଆର । ରାନୀ ବି ଡରିଲାଣି ଟିକେ ଟିକେ । ଭାଇଭଉଣୀ ଭାବିଲେ ସେମାନେ ବୋଧେ ସେଇ ଅନ୍ଧାର ବଗିଚା ପାଖରେ ପହଞ୍ଚି ଯାଇଛନ୍ତି ଯାହା ବିଷୟରେ ଆଈ ଗପ କୁହେ, ଯେଉଁଠି ରାକ୍ଷସ ରୁହେ ।
ସେତିକିବେଳେ ରାନୀ ମନୁଆର ହାତ ଧରି ଟାଣିନେଲା ଗୋଟିଏ ପୋଲା ଶୁଖିଲା ବଡ଼ ଗଛର କୋରଡ଼ ଭିତରକୁ । ଦୁହେଁ ସେଇଠି ଲୁଚି ସାମ୍ନାରେ କିଛି ଶୁଖିଲା ପତ୍ର ଡାଳ ଥୋଇ ନିଜକୁ ଲୁଚାଇଦେଲେ ଆଉ କାନେଇଲେ । ଯେଉଁ ବୁଦା ମୂଳ ହଲୁଥିଲା ତାକୁ ଲାଗି ସେମାନେ ଲୁଚିଥିବା ଗଛ ଯାଏଁ ଥିବା ଧାଡ଼ି ବାନ୍ଧି ସବୁ ଗଛ ଧୀରେ ଧୀରେ ହଲିବାକୁ ଲାଗିଲେ । କେଇ ମିନିଟ ଯାଏଁ ସେମିତି ସେ ଶୁଖିଲା ଗଛଗୁଡ଼ା ହଲୁଥାନ୍ତି । ଦୁହେଁ ଆଶ୍ଚର୍ଯ୍ୟ ହେଲେ ଯେ ଗୋଟିଏ ବୁଢୀ କେମିତି ଏତେ ସମୟ ଧରି ଗଛଗୁଡ଼ା ହଲଉଛି ? ପୁଣି ଭାବିଲୁ ବୋଧେ କୁକୁର କି କେଉଁ ଜନ୍ତୁ ହେଲେ ଏତେ ସମୟ ଅବିରତ କେମିତି ସେ ଗୋଟିଏ ପରେ ଗୋଟିଏ ଶୁଖିଲା ଗଛ ହଲାଇ ଚାଲିଛି ?
ଏତେବେଳକୁ ମନୁଆ ସତରେ ଭୟଭୀତ ହେଇସାରିଥିଲା ଆଉ ଡରରେ ଚିତ୍କାର କରିବାକୁ ଆରମ୍ଭ ହିଁ କରିଥିଲା କି ଠିକ୍ ଏହି ସମୟରେ ରାନୀ ମନୁଆର ପାଟିକୁ ଜାବୁଡ଼ି ଧରିଲା । ଯେମିତି ମନୁଆର ପାଟିକୁ ଜାବୁଡ଼ି ଧରିଲା ରାନୀ, ବାହାରୁ ଆସୁଥିବା ଶବ୍ଦ ବନ୍ଦ ହେଇଗଲା ପରି ଲାଗିଲା । କିନ୍ତୁ ଅଚାନକ ସେ ବୁଦା, ଶୁଖିଲା ଗଛ ହଲିବା ଶବ୍ଦ ବନ୍ଦ ହେଇ କାହାର ଚାଲିବାର ପାଦ ଶବ୍ଦ ଶୁଭିଲା । ସେ ପାଦ ମନୁଆ ଆଉ ରାନୀ ଲୁଚିଥିବା ଗଛ କୋରଡ଼ ଆଡ଼କୁ ଅସୁଥାଏ ଆଉ ଯାଉଥାଏ, ଆସୁଥାଏ ଆଉ ଯାଉଥାଏ । ସେ ଶବ୍ଦ ବିରାଟ ଶବ୍ଦ ଥିଲା, ଯେମିତି କେହି ଜଣେ ବିରାଟ ଲୋକ ଚାଲୁଥିଲା ଆଉ ସେ ଦୁହିଁଙ୍କ ପାଖକୁ ଆସୁଥିଲା ପୁଣି ଫେରୁଥିଲା, ଆସୁଥିଲା ପୁଣି ଫେରୁଥିଲା । ପ୍ରାୟ ଦୁଇ ଘଣ୍ଟା ବିତି ସାରିଥିଲେ ବି ସକାଳ ହେଉ ନଥିଲା ଆଉ ମନୁଆ ଏବେଳେ ବହୁତ ଡରି ସାରିଥିଲା ।
ଦୁହେଁ ଜାଣିସାରିଲେଣି ଯେ ସେମାନେ ଭୋଅର ଭାବିଥିବା ସମୟ ପ୍ରକୃତରେ ରାତି ୨ଟା କି ୩ ଟା ସମୟ ଥିଲା । ମନୁଆ
ଆଉ ରାନୀ ଭୟଙ୍କର ଭାବରେ ଡରି ସାରିଥିଲେ ସତ କିନ୍ତୁ ତଥାପି ସାହସ କରି ଶୁଖିଲା ପତ୍ର ଆଡ଼େଇ ବାହାରକୁ ଦେଖିବାକୁ ଚେଷ୍ଟା କଲେ ଯେ ସେ ମୂଳ ହଲିବା ଆଉ ଚାଳିବାର ପାଦ ଶବ୍ଦ କାହାର ? ଯେତେବଲେ ସେମାନେ ଶୁଖିଲା ପତ୍ର ଆଡ଼େଇଲେ ଦେଖିଲେ ତାଙ୍କ ସାମ୍ନାରେ ପ୍ରାୟ ୧୫ ଫୁଟର ଗୋଟେ ବିରାଟ ବ୍ୟକ୍ତି ଯିଏ ଏପଟ ସେପଟ ହେଇ ଚାଲୁଛି । ତା ପୁରା ଦେହରେ ଭାଲୁ ଭଳି ବାଳ । ତା କେଶ ଅଣ୍ଟା ତଳକୁ ବୋଲି ଝୁଲିଥିଲା । ଦେହରେ ଚାଖଣ୍ଡେ ଲେଖାଏଁ ଲମ୍ବା ବାଳ । ମନୁଆ ଆଉ ରାନୀ କ୍ଷଣେ ପାଇଁ ଭାବିଲେ ନିଶ୍ଚେ ଏହା ଏକ ବିରାଟ ଭାଲୁ । ତେବେ ଭାଲୁର ଧଳା ରଙ୍ଗର ବାଳ କେମିତି ହେବ । ଡରରେ ରାନୀ ବିଚଳିତ ହେଇ ଉଠିଲା ଆଉ ଶୁଖିଲା ପତ୍ର କେଇଟା ତା ହାତ ବାଜି ତଳେ ପଡ଼ିଗଲା । ପତ୍ର ପଡ଼ିବା ଶବ୍ଦରେ ସେ ବିରାଟକାୟ ମନୁଆ ଆଉ ତା ଭଉଣୀ ରାନୀ ଆଡ଼କୁ ବୁଲିପଡ଼ିଲା ବେଳେ ସେମାନେ ଦେଖିଲେ ସେ ବିରାଟ ବ୍ୟକ୍ତି ବେକରେ ୮ / ୧୦ ମଣିଷ ଖପୁରି ଝୁଲୁଚି । ତା ଦାନ୍ତ ଆଉ ନଖ ବିରାଟ ଲମ୍ବା ବାହାରକୁ ବାହାରିଥାଏ । ସେ ପାଦ ପକେଇ ରାନୀ ଆଉ ମନୁଆ ଆଡ଼େ ଆଗଉଥିଲା । ଦୁହେଁ ବହୁତ ମନେ ପକେଇବାକୁ ଚେଷ୍ଟା କଲେ ହନୁମାନ ଚାଳିଶା, ହେଲେ ମନ ପଡୁନଥାଏ । ମାତ୍ର ଠାକୁରଙ୍କ ନାମ ଜପିବା ଆରମ୍ଭ କରିଦେଲେ ଦୁହେଁ । ଏତିକିବେଳେ ଅଚାନକ ଆକାଶରେ କେହି ଗୋଟେ ବଡ଼ ବାଦୁଡ଼ି ଭଳି ପକ୍ଷୀ ଉଡ଼ିଯିବା ଶବ୍ଦ ଶୁଭିଲା ଆଉ ସେ ରାକ୍ଷସ ଉପର ଆଡ଼କୁ ଚାହିଁଲା । ଯେହେତୁ ମନୁଆ ଆଉ ରାନୀ ପ୍ରବଳ ଦୁଷ୍ଟ, ଚଞ୍ଚଳ ସ୍ଵଭାବର ଓ ସାହସୀ ଥିଲେ, ଏ ସୁଯୋଗ ନେଇ ଦୁହେଁ ଲୁଚିଥିବା ଗଛର କୋରଡ଼ର ପଛ ପଟେ ଥିବା ଅଳ୍ପ ସରୁ ରାସ୍ତା ଦେଇ ଏକମୁହାଁ ହୋଇ ଦୌଡ଼ିଲେ ।
ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଲେ ଯାଇ ଗୋଟିଏ କୁଡ଼ିଆ ବାହାରେ । ତାଙ୍କ ଆମ୍ବ ବଗିଚା ରକ୍ଷଣାବେକ୍ଷଣା ପାଇଁ ଜଣେ କକା
ରୁହନ୍ତି ବଗିଚା ପାଖରେ କୁଡ଼ିଆ ବନେଇ । ତାଙ୍କ କୁଡ଼ିଆ ସାମ୍ନାରେ ପହଞ୍ଚି ଦୁହେଁ ଜୋର ଜୋର କବାଟ ବାଡ଼େଇଲେ ଆଉ କକା କବାଟ ଖୋଲିଲା କ୍ଷଣି ଯାହା ଯାହା ଘଟିଥିଲା ସବୁ କହିଲେ ମନୁଆ ଆଉ ରାନୀ । କକା ଯାହା କହିଲେ ତାକୁ ଶୁଣି ଦୁହେଁ ନିର୍ବାକ ହେଇ ରହିଗଲେ । କକା କହିଲେ ତମ ଭାଗ୍ୟ ଭଲ, ତମେ ବଞ୍ଚି ଫେରି ଆସିଛ, ସେ ବ୍ରହ୍ମରାକ୍ଷସ କବଳରୁ । ଗାଁ ଲୋକେ, ତମ ପରିବାର କି ତମ ଆଈ ଯେଉଁ ଗପ କୁହନ୍ତି ତାହା ଗପ ନୁହେଁ ସତ ବୋଲି ଏବେ ତ ବିଶ୍ଵାସ ହେଲା ? ବିଶ୍ଵାସ ହେଲା କି ନହେଲା ସେକଥା ପଛ କିନ୍ତୁ ମନୁଆ ଯେ ସେଇଦିନୁ ଆମ୍ବକୁ ଆଉ କେବେ ବି ତା ବଞ୍ଚିଥିବା ବେଳେ ଛୁଇଁ ନଥିଲା ଏକଥା ନିରାଟ ସତ । ଆମ୍ବ ଦେଖିଲା କ୍ଷଣି ମନୁଆର ମନେ ପଡ଼େ ଆମ୍ବ ବଗିଚା କଥା, ହାତରେ ଧରିଲେ ଲାଗେ ସେ ଯେମିତି ପୁଣିଥରେ ଠିଆହୋଇଛି ବ୍ରହ୍ମରାକ୍ଷସ ସାମ୍ନାରେ !
ସଂକ୍ଷିପ୍ତ ଲେଖକ ପରିଚୟ
ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ହୁଏ କବିତା, ଗଳ୍ପ, ପ୍ରବନ୍ଧ ଅବା ସମୀକ୍ଷା । ପ୍ରାୟ ୭ ବର୍ଷ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ଏଯାବତ୍ ଦୁଇ ଖଣ୍ଡ ବହି (ଖଣ୍ଡେ କବିତା ବହି “ନୀଳ ନିରବତା” ଏବଂ ଖଣ୍ଡିଏ ଗଳ୍ପ ବହି “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇଛି ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ । ଈଶ୍ଵରଙ୍କ ବିନା ନିର୍ଦ୍ଦେଶରେ ପତ୍ରଟିଏ ବି ହଲେନା । ମୁଁ ତ ମାଧ୍ୟମ କେବଳ , ସବୁ ସେଇ ଈଶ୍ଵର କରୁଣା ବୋଲି ମୁଁ ଭାବେ । ଶିକ୍ଷାଗତ ଯୋଗ୍ୟତା ମୋର Masters in Computers & Mass Communication । ମାତ୍ର “ସାହିତ୍ୟ” ଏକ ଆଶୀର୍ବାଦ ମୋ ପାଇଁ, ବିଭୁ କୃପା ।