ସଞ୍ଜୟ କୁମାର ଜୟସିଂହ
ସ୍ଵାର୍ଥ ପାଇଁ ଗଢା ନିବିଡ଼ ସମ୍ପର୍କ
ଯେତେ ମିଛ ଅଭିନୟ,
ସ୍ଵାର୍ଥ ସରିଗଲେ ଆପଣା ଯେ ପର
ଭୁଲିଯାଏ ପରିଚୟ ।
ମଣିଷ ହୋଇକି ମଣିଷ ଚିହ୍ନିବା
ସହଜ ନୁହଁଇ ଏତେ,
ମଣିଷ ଭିତରେ ମଣିଷ ଅଛନ୍ତି
ଦାନବ ଅଛନ୍ତି କେତେ ।
କଳାକାର ହୋଇ ବଞ୍ଚିବାକୁ ହୁଏ
ରଙ୍ଗମଞ୍ଚ ଚଉଦିଗ,
ନଜାଣିଲେ ଅଭିନୟ ହାରିଯିବୁ
ଜାଣିଥା ଏ କଳିଯୁଗ ।
ଚେହେରାକୁ ନେଇ ଗରବ ତୋହର
କାହିଁକି କରୁଛୁ ବେଶୀ,
ଝାଉଁଳିବ ଦିନେ ରୂପ ଯଉବନ
ଧିରେଧିରେ ଜରା ଆସି ।
କି ଲାଭ ଅଛିରେ ମନ୍ଦିର ବେଢ଼ାରେ
ହରିଙ୍କୁ ଡାକିଲେ ନୀତି,
ଜୀବନ୍ତ ପ୍ରତିମା ବାପାବୋଉ ପ୍ରତି
ନଥାଏ ଯଦି ତୋ ମତି ।
କେତେ ପାପ କେତେ ପୁଣ୍ୟ ଅରଜିଛୁ
ଜାଣି ନପାରିବୁ କେବେ,
ଅରଜିଲେ ପୁଣ୍ୟ ମଲାପରେ ଧନ୍ୟ
ତୋତେ ସବୁ ଝୁରୁଥିବେ ।
ଅଢେଇ ଦିନିଆ ସମ୍ପର୍କର ଡୋର
ଭୁଲି ଯିବେ ତୋତେ ସବୁ,
ଶୂନ୍ୟ ହାତେ ଆସି ଅଭିନୟ ସାରି
ଶୂନ୍ୟ ହାତେ ଫେରି ଯିବୁ ।
କରମ ତୋହର ଧରମ ଅଟଇ
ଜୀବନ ହିଁ ବୃନ୍ଦାବନ,
ମଣିଷ ଜନମେ ଏତିକି କଥା ତୁ
ଜାଣିଥାରେ ବାଇମନ ।
ସମୟ ପାଖରେ ମଣିଷ ହାରିଛି
କି ଗରିବ କିବା ଧନୀ,
ବିଧାତାର ଖେଳ କିଏ ସେ ଜାଣିଛି
କି ମୂରୁଖ କିବା ଜ୍ଞାନୀ ।
ଧନ ଅଛି ତୋର ଧନୀ ବୋଲାଉଛୁ
ଗରିବ ମୁଁ ଶୂନ୍ୟ ଭୂଇଁ,
ମଲା ପରେ ଦାହ ହେବି ମୁଁ ଯୋଉଠି
ସେଇଠି ଜଳିବୁ ତୁହି ।
ଭୋଗଡା, ବାଘମାରୀ, ଖୋର୍ଦ୍ଧା, ଦୂରାଭାଷ: ୯୭୭୭୪୪୨୯୪୧
ଲେଖକ ପରିଚୟ
ପିଲାଦିନୁ କବିତା ପଢ଼ିବା ନିଶା ମୋତେ କବିତା ଲେଖିବାକୁ ବାଧ୍ୟ କଲା l ଅଧୁନା ମୁଁ ଏକ ବେସରକାରୀ ସଂସ୍ଥାରେ Mechanical Designer ଭାବେ କାର୍ଯ୍ୟରତ l ପେସା ଓ ନିଶା ହେଉଛନ୍ତି ମୋ ଜୀବନ ମୁଦ୍ରାର ଦୁଇଟି ପାର୍ଶ୍ଵ l ପେସା ଆୟୁଷ ଥିବା ଯାଏଁ ମୋତେ ବଞ୍ଚେଇ ରଖିବ କିନ୍ତୁ କବିତା ନିଶା ମୋ ମୃତ୍ୟୁ ଅନ୍ତେ ଆଉ କିଛିଦିନ ମୋତେ ବଞ୍ଚେଇ ରଖିବ ସେଇ କବିତାମାନଙ୍କ ମଧ୍ୟରେ…