ଲୋପାମୁଦ୍ରା ପରିଡ଼ା
ଘଣ୍ଟାରେ କଣ୍ଟା ଥାଏ, ଫୁଲ ନଥାଏ । ସେଥିଲାଗି ବୋଧେ ସମୟ ଲୁହ ଦିଏ ଆଉ ହସ ଗଣାଏ ।
ଉପରଓଳି ହେଇଯିବ ଆଉ ଘଡ଼ିକରେ । ସିଏ ବାହାରି ଆସିଥିଲା ସେଇ ସକାଳୁ ସେଇଠୁ ସେଇଠୁ । ଘରକୁ ଖବର ବି ଦେଇ ନଥିଲା ।
ପାହାଡ଼ ଉପରେ ଥିବା ମନ୍ଦିରର ଆଠ ଦଶଟି ସିଡ଼ି ଚଢିବା ପରେ ଥକାମାରି ବସିପଡ଼ିଲା ବେଳେ ତାର ଦୃଷ୍ଟି ପଡ଼ିଲା ଗୋଟିଏ ମାତ୍ର ନୂଆ ପତ୍ର କଅଁଳିଥିବା ଥୁଣ୍ଟା ଗଛଟି ଉପରେ । ପାହାଡ଼ଯାକ ତ ଜଙ୍ଗଲ ! ଅବଶ୍ୟ ପତ୍ରଝଡ଼ାର ଋତୁ । ଗଛଟି ଦିନେ ଲଦି ହେଇଥିବ ସବୁଜିମାରେ । ନେଳି ଦିଶୁଥିବ ଗର୍ଭିଣୀ ଫଳଫୁଲରେ । ଆଜି କେମିତି ଦେଖୁନ ସାରାଟା ଅବୟବ ତାର ‘ଥୁଣ୍ଟା’ ନାଁଟାକୁ ସାର୍ଥକ କରୁଛି । ଆରେ ! ଥୁଣ୍ଟା ହେଲେ ସିନା ପତ୍ର କଅଁଳିବାର ସମ୍ଭାବନା ସାଇତିବ ଆଉ ପୁଣି ଛନ୍ ଛନ୍ ଦିଶିବ ।
ଭାବାନ୍ତର ଚକ୍ରାକାରେ ଘୁରାଉଥିଲେ ତାକୁ । ନାନା ଗଛଟା ଥୁଣ୍ଟା କାହିଁକି ହବ ମ ! ଆଶାର, ଜୀବନର ଟିକିପଣଟେ ପରା ଡେଣା ମେଲୁଛି । କହୁଛି ବସନ୍ତ ଆସୁଛି ଆଦ୍ୟାରମ୍ବେ । ହେଉପଛେ ମାତ୍ର ପତ୍ରଟିଏ, ଧରି ରଖିଛି ତ ଜୀବନର ସନ୍ଦେଶ । ହଁ ମ ! ଖରା ପରେ ମେଘ, ମେଘ ପରେ ପୁଣି ଶୀତ, ବସନ୍ତ ଓହ୍ଲାଇ ଆସିଲା ପରି ସୁଖଦୁଃଖ ତ ପାହାଚ ! ଆଉ ଅଳ୍ପ କେତୋଟି ପାହାଚ ପରେ ସମ୍ମୁଖରେ ଦେବୀ । ଦେବୀ ତା ସମ୍ମୁଖରେ ନା ସିଏ ଦେବୀଙ୍କ ସମ୍ମୁଖରେ ଉଭା ହବ ଭାବିଦେଇ ତାକୁ ହସଟେ ଲାଗିଲା । ସିଏ ହସି ବି ଦେଲା । ପବନଟେ ଶୀତଳ ହେଇ ଛୁଇଁଗଲା ତାକୁ ହାଲକେଇକି । ସିଏ ସ୍ମୃତିର ଫୁଲ ବଗିଚାକୁ ଓହ୍ଲାଇ ଆସିଲା ସେଇ ଛୁଆଁ ସହ । ସେଇ ସ୍ମୃତି ସହ ଚଢୁଥିଲା ସିଏ ଅବଶିଷ୍ଟ ପାହାଚ । ସ୍ମୃତିମାନେ ଭଲ ସାଥୀ । ସମୟକୁ ଭୁଲେଇଦେଇ ପାରନ୍ତି ସାଥିରେ ଥାଇ ।
ସିଏ ଆଜି ଆସିଛି ତ ସେଇ ଦେବୀକୁ ଦେଖା କରିବାକୁ, ଆଉ ଏକ ଦେବୀ ପାଇଁ । ସତରେ କଣ ମାଗିବାକୁ ଆସିଛି କିଛି ନା ଦେବାକୁ ! ଦେଉଳକୁ ଲୋକ ଆସେ କାହିଁକି ! କିଛି ନବାକୁ, ମାଗିବାକୁ ନା କହିବାକୁ, ଜଣେଇବାକୁ ! ଦିଏ କଣ କିଏ ସେଇ ପଥରପ୍ରତିମା ପଛରୁ ସତରେ ଯାହା ଲୋଡା ତାର ଜୀବନରେ ! ହେ କ’ଣ ମିଳିବ ଏତେ ତତ୍ବଫତ୍ବରୁ । ରାତି ପାହିଲେ ଜୀବନର ଗତି ଭିନ୍ନ । ଏତେ ଚିନ୍ତା ସାଇତିବାକୁ ପଣତ କାଇଁ !
ଆଗଉଥିଲା ସିଏ ସାମୟିକ ଲକ୍ଷ୍ୟଟିଏ ଧରିରଖି । କୋଉ ଲକ୍ଷ୍ୟଟି ଆଉ ଚିରନ୍ତନ କି ମଣିଷର ପାର୍ଥିବ ଜୀବନ କାଳରେ !
ସେଦିନ ସକାଳେ ସିଏ ଯାଇଥିଲା ଆଖି ଦେଖେଇବାକୁ ପାଖ ଶଙ୍କର ନେତ୍ରାଳୟକୁ । ଚଷମାଟା ଅଲଣାଟାରେ ହଜେଇ ଦେଇ ବୋଝ ଉପରେ ଲଳିତାବିଡ଼ା ରଖିବା କଥା । ପଢିଲେଖି ହଉନି ଜମା । ସେଠି ତ ବାରମାସୀ ଗହଳି । ଆଗେ ପହଞ୍ଚ, ଆଗେ ଧାଡ଼ି ଲଗାଅ, ପିମ୍ପୁଡି ପରି । ଏତେ ସମୟ କିଏ ଠିଆ ହବ ! ପୁଣି ଏ ବୟସରେ ! ଆଜିକାଲି ସବୁ ବୟସର ମଣିଷ ଫମ୍ପା । ଅଧୈର୍ଯ୍ୟ । ରୁମାଲ ଖଣ୍ଡେ ପକେଇହନ୍ତା କି ବସ୍ ରେ ଜାଗା ଦଖଲ କଲାପରି । ସିଏ ଗୋଟେ ପରୀକ୍ଷା ପରେ ଆସି ବସିପଡ଼ିଲା ଅପେକ୍ଷା ପାଇଁ ଖଞ୍ଜା ଲୁହା ଚଉକିଟିରେ । ଜଣେ ଆସି ତା ଆଖିରେ ଦି’ ବୁନ୍ଦା ତରଳ ଡ୍ରପ ପକେଇ ଗଲେ । ତା’ପରେ ଯାଇ ଡାକ୍ତର ଆଖି ଦେଖିବେ । ସିଏ ପଚାରିଲା ସେଇ ଲୋକଟାକୁ ରିପୋର୍ଟ କଥା । ଉତ୍ତର ପାଇଲାନି । ଡ୍ରପ ପଡ଼ିବା ମାତ୍ରେ ତାକୁ ଲାଗିଲା ସିଏ ଅନ୍ଧ ହେଇଗଲା । ପୋଡ଼ିବା ବୋନସ୍ ସହ ଅନ୍ଧାର ମାଡ଼ିଆସିଲା । ତାକୁ କାଉଳିହାଉଳି ଲାଗୁଥିଲା କିନ୍ତୁ ସିଏ ଚୁପ୍ ବସିଲା । ତାର ହେଲେ ମନେଥାନ୍ତା ତା ଚଷମାର ପାୱାର, ସିଧା କହି ଖଣ୍ଡେ ଗଢେଇ ନିଅନ୍ତା । ଆଉ ଏ ଜଳାପୋଡ଼ା ବେପାର ନହଅନ୍ତା । ସବୁଥିରେ ଏ ରଗୁରୁଗୁପଣଟା ଖୋସି ହେଇଥାଏ, ନଥିଲେ ବୋଧେ ଚମକପଣର ମୂଲ୍ୟ ନରହନ୍ତା କି କଣ ! ସେତିକି ସମୟରେ ସିଏ ଭାବିଲା ଘରଲୋକଙ୍କୁ କଥା ହବ । ହେଇପାରେ ଆଉ ଦେଖିନପାରେ କାହାକୁ ବି ଅଳ୍ପଦିନେ । ହେଲେ ଇଏ ଯୋଉ ସ୍ମାର୍ଟଫୋନ ଏଥିରେ କି ଟପଟପ ଫୋନ ପରି ସୁଇଚ ଅଛି ଯେ ବାରି ବାରି ସଂଖ୍ୟା ମିଳେଇବ ! ଏଠି ତ ଆଖି ନାହିଁ ଯଦି ସବୁ ଶୂନ୍ୟ । ତାକୁ ଅଦ୍ଭୁତ ଲାଗୁଥିଲା । ଆଖି ଥାଇ ଅନ୍ଧ ହବାର ଦୁଃଖ ଭୋଗୁଥିଲା । ଏତିକିବେଳେ ତା’ପାଖ ଚେଆରରେ କିଏ ଗୋଟିଏ ବସିଲା ଆଉ ହସିଦେଲା । ତାକୁ ରାଗ ହେଲା । ଏତିକିବେଳେ ଆକୁ ହସ ଲାଗୁଛି ? କିଏ ଇଏ ? ସ୍ଵରରୁ ତ ଶିଶୁଟିଏ ପରି ଲାଗୁଛି । ପଚାରିଦେଲା, “କାଇଁ ହସିଲ ? ମୁଁ ଦେଖିପାରୁନି ବୋଲି ?” ପୁଣି ସିଏ ହସିଲା ଆଉ କହିଲା, “ମୁଁ ବି ତ ଦେଖିପାରେନି । ତମ ହାତଥରାରୁ ବୁଝିଲି ତମେ ଡରୁଛ । କାଇଁ ? ଆଖିରେ ଓଷଦ ପକେଇଦେଲେ ବୋଲି ? ମୋର ତ ଆଖି ହିଁ ନାହିଁ । ଜାଣିଛ, ଛୁଆବେଳେ କାଳେ ଥିଲା ଦି’ଚାରି ବର୍ଷ । ସେଇଠୁ ଛୁ’ମନ୍ତର । ପଳେଇଲା ଡିବି ଲିଭିଲା ପରି । ତଥାପି ଡାକ୍ତର କହୁଛନ୍ତି ଆସିବ ଧପ୍ କି । ଠାକୁରାଣୀ ଆଲୁଅ ପରି । ମତେ ଏଇନେ ଆଠ ବର୍ଷ । ଭାବୁନ ଯଦି ଡାକ୍ତରଙ୍କ କଥା ସତ ହେଲା ତାହେଲେ କେତେ ବଢିଆ ହବ ନା । ମୁଁ ସବୁ ରଙ୍ଗ ଦେଖିପାରିବି । ଛବି ଆଙ୍କି ପାରିବି । ଏବେ ବି ଆଙ୍କେ ଯେ ଦେଖିପାରେନି । ମାଆ ବୁଝେଇଦିଏ ମୁଁ ସୁନ୍ଦର କରେ ବୋଲି । ପୁଣି କାନ୍ଦେ । ଆଜି ଯାଚିଥିଲା କୋଉ ଗୋଟେ ପାହାଡ଼ ଉପରେ ଥିବା ଦେବୀମନ୍ଦିରରେ ଦୀପ ଦବ ମୋ ପାଇଁ । ସେଠି କାଳେ ହଜାରେ ପାହାଡ଼ । ଏଠି ପୁଣି କାମ ସରିଲେ ତ ! ଆଜି ଯଦି ଦୀପ ନଜଳିବ ମାନେ ମୋ ଆଖି କୁଆଡ଼େ ଭଲହବନି ବୋଲି ସେ ଘରପାଖ ବାବାଜୀ କହିଛି ।” ଫିସ୍ ଫିସ୍ କି ପୁଣି କହିଲା, “ତମେ ଏସବୁ ମାନ ? ମୋ ମାଆ ଭଉତୁ ମାନେ ।” ଆଉ ହସିଲା ଯେ ହସିଲା ।
ସେଇଠି ଇଏ ଭାବିଲା, “ଆହାଃ ! କି ନୀରିହ ଛୁଆଟି । ତା ଆଖି ସତରେ ଭଲ ହେଇଯାନ୍ତାନି !” ତାର ଆଖି ପୋଡ଼ା କମିଯାଇଥିଲା । ସିଏ ଭୁଲି ଯାଇଥିଲା ଯେ ତା ଆଖି ପୋଡ଼ିଥିଲା ଟିକିଏ ଆଗରୁ । ମିଠାକଥା କେତେ ପୋଡ଼ାଜଳାକୁ ଲିଭେଇପାରେ । ନା !
ସିଏ ଆସ୍ତେ ଆଖି ଖୋଲିଲା । ତା ପାଖ ଚଉକିକୁ ଚାହିଁଲା ଆଉ ଦେଖିଲା ସତକୁ ସତ କୁନି ଝିଅଟିଏ । ଅସରପା ଗୋଡ଼ ପରି ଟାଆଁସିଆ, କଦଳୀ ବେଣୀ ଯୋଡି ବାନ୍ଧିଛି ଧଳା ରିବନରେ ଯୋଉଥିରୁ ପଟେ ଫିଟିଆସିଲାଣି । ଗୋଲାପି ଫ୍ରକ୍ ଟେ, ନାଲି ସ୍ଲିପର ହଳେ ସହ କୋଉ ଗୋଟେ ସ୍କୁଲର ଧୂସରିଆ ସ୍ଵେଟରଟିଏ ଗଳେଇଛି । ସବୁ ଆଙ୍ଗୁଳିରେ ଟୋପେ ଟୋପେ ସବୁ ରଙ୍ଗ ନଖପଚା ଥାପିଛି । ବାସ୍ ଆଖି ହଳକ ଶିଠୁଆ ଆଉ ଖୋଲ ।
ଇଏ ପଚାରିଲା, “ତୋର ରଙ୍ଗ ଭାରି ପ୍ରିୟ ନା ? ତୁ ରଙ୍ଗ ସବୁ ବୁଝୁ କେମିତି ? ତୁ କେମିତି ଜାଣିଲୁ ମୁଁ ଡରୁଥିଲି ବୋଲି । ତତେ ସତରେ ଦିଶୁଛି ନା ଦିଶୁନି ।” ତାକୁ ତାର କହିବା ଶୈଳୀ କଠୋର ଶୁଭିଲା । ହେଲେ ଝିଅଟି ପୁଣି ହସିଦେଲା ଆଉ କହିଲା, “ଏଥିରେ ବୁଝିବାର କଣ ଅଛି ? ତମେ ଭଲ ଲାଗେ ଲାଗେନି କୋଉ କଥା କେମିତି ବୁଝ ? ସେମିତି । କଣ ବୁଝିଲ ? ତମ ଆଖି ପୋଡ଼ିବା କମିଗଲା ବୋଧେ । ଆଛା ! କହିଲ ମୋ ନଖରେ ଆଜି ମାଆ ଇନ୍ଦ୍ରଧନୁ” ଆଙ୍କିଛି । ଭଲ ହେଇଛି ନା । ଦେଖିକି କୁହ ।” ହସିଲା ପୁଣି ।
ଭାବୁଥିଲା ଇଏ । କେମିତି ହସିପାରେ ଶିଶୁଟିଏ ସବୁ କଥାରେ । କେମିତି ପାଶୋରିଦିଏ ସବୁ ଜଳୁଥିବା ଘା’କୁ ! ଆଉ ବଡ଼ ହେଲାପରେ ସେ ଶିଶୁଟି କାହିଁ ଉଭେଇଯାଏ ନିଜ ଭିତରୁ ! ହଅନ୍ତା ଯଦି ମୋ ଆଖି ହଳକ, ତାକୁ ଲଗେଇ ଦିଅନ୍ତି ! ରଙ୍ଗ ଦେଖନ୍ତା । ଡେଣା ଲଗେଇ ଉଡ଼ନ୍ତା ନା ! ମୋର ଯଦି କିଛି କେବେ ହେଇଯାଏ ମୋ ଆଖି ଦି’ଟି ୟା ନାଁରେ କରିଯିବି ।
ଯେତେକ ଅବାନ୍ତର ଚିନ୍ତା କେମିତି ଧସେଇପସେ ମୁଣ୍ଡରେ ଆଉ ଡରେଇଦିଏ । ସିଏ ବି ଡରିଗଲା କିନ୍ତୁ କେମିତି କେଜାଣି ଖୁସିଟେ ବି ଆବୋରିଲା ତାକୁ କିଛି ଦେଇପାରିବାର ।
ଡାକ୍ତରଙ୍କ ଦୁଆର ଜଗି ଦୁଆରଶୁଣି ଠାକୁରାଣୀ ପରି ଠିଆ ହେଇଥିବା ତାର ମାଆ ଆସିଲେ ଆଉ ତାକୁ ଭିତରକୁ ଘେନିଗଲେ ଏତିକି କଥା ହେଉହେଉ । ତା ନମ୍ବର ନର୍ସ ଡାକିଲେ ତ ! ସମୟ ସହ ସମସ୍ତଙ୍କ ନମ୍ବର ଆସେ ।
ଆଉ ଜଣେ ବୟସ୍କା ମହିଳା ବି ଆସିଥାନ୍ତି ତାଙ୍କ ସହ । ସିଏ ତା ଚେଆରରେ ବସିଲେ । ଚିନ୍ତିତ ଦିଶୁଥାନ୍ତି । ଗୁଣୁଗୁଣୁ ହେଲେ ନିଜକୁ ନିଜେ, “କେମିତି ? ଆଜି ବୋଧେ ଆଉ ପାହାଡ଼ ଦେବୀଙ୍କ ମାନସିକ ପୁରା କରି ହବନି । ଏ ଆଖି ଦିଟା ଯାଚିଥିଲି । ଦେଇ ଆସିଥିଲେ ମୋ ଅଲିଅଳିର ଆଖି ଫେରିଥାନ୍ତା କି କଣ ! ସଂଜ ଆଗରୁ ହବ କଣ ? କାଇଁ ଲାଗୁନି ।”
ଇଏ କଣ ଭାବିଲା ଇଏ ଜାଣିଥିବ । ଧଡ୍ କି କହିଲା ଆପଣ ଯଦି କିଛି ମନେ ନକରନ୍ତି ମୁଁ ଆଜି ଯାଉଛି ସେଇ ପାହାଡ଼କୁ ମୋ ଆଖି ପାଇଁ । ଦେବୀ ଆଖି ହଳକ ମୁଁ ଦେଇ ଆସନ୍ତି ।”
ତାଙ୍କ ଆଖିରେ ପ୍ରସନ୍ନତା କୃତଜ୍ଞତାର ରୂପ ଅବା ଆଗରୁ ଇଏ ଉଠି ଆସିଥିଲା ଆଉ ଦିନକୁ ନିଜ ଆଖି ଦେଖା ସ୍ଥଗିତ ରଖି ।
ଆଉ ଅଳ୍ପ ପାହାଚ । ତଥାପି ସଂଜ ନଇଁନି ।
ଆଶା ତଥାପି ହସୁଛି ଆକାଶ ସାରା ।
ଦେବୀ ଆଖି ନାଇଲେ । ଝଲସିଲେ । କୁନି ଝିଅଟିର ଆଖି ଫେରାଅ ବୋଲି ଜିଗର କଲା ଇଏ ଆଉ ଫେରୁଥିଲା ସେଇ ପାହାଚ ଦେଇ ପାହାଡ଼ ତଳକୁ କି ସେଇ ଥୁଣ୍ଟା ଗଛ ତାକୁ ଅଟକେଇଲା ଆଉ ଦେଖେଇଲା ଯେ ଛେଳିଟିଏ ଓଟପରି ବେକ ଓଟାରି ଗଛର ପ୍ରାୟ ଶୀର୍ଷକୁ ଚଢି ପତ୍ରଟିକୁ ଖାଉଛି ମହାଆନନ୍ଦରେ । ଥୁଣ୍ଟା ଗଛ ଖୁସି ଥିଲା । ଆଉ ପୁଞ୍ଜାଟେ ପତ୍ର ସବଜେଇ ଯାଉଥିଲେ ତାର ଆଉ ଗୋଟିଏ ଗଣ୍ଠିଠି ।
ଆନନ୍ଦ ଯାହାର ହେଉ ଆନନ୍ଦ ହି ହେଉ, ଭାବୁଭାବୁ ତାର ଗୋଡ଼ ଖସିଗଲା ପାହାଡ଼ ଉଚ୍ଚରୁ ଶୂନ୍ୟ ଭଉଁରୀକୁ ସତେ !
ଚାରିପଟେ ଦିଶୁଥିଲା ସହସ୍ର ଆଖି …. ଆଶାର …. ଆଲୋକର ….. କୁନିମୁହଁ ଟିଏରେ ହସଟିଏର
ପାନାଥୁର, ବାଙ୍ଗାଲୋର
ଲେଖକ ପରିଚୟ
ଏକାଧାରରେ ଜଣେ ଚିତ୍ରକର, ଗାଳ୍ପିକ ଓ କବି । ସୃଜନ ହିଁ ତାଙ୍କ ନିଶା କହିଲେ ଅତ୍ୟୁକ୍ତି ହେବନି । ବେଳେବେଳେ ବହି ପଢି ତାର ଚମତ୍କାର ସମୀକ୍ଷା ବି କରିଥାନ୍ତି ସେ ।