‘ଉତ୍କଳମାତାର ଯୋଗ୍ୟତମ ସୂତ, ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ, ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ, ନର ଦେହେଥିବ ଯାବତ ହୃଦୟ ।’ -ଉପରୋକ୍ତ ପଂକ୍ତି ଲେଖିଥିଲେ କବିବର ରାଧାନାଥ ରାୟ । ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତିଭାର ପ୍ରଶଂସାରେ ଶତମୁଖ ହୋଇ ଏହା ଲେଖିଥିଲେ ।
ଆଧୁନିକ ଯନ୍ତ୍ରପାତି ବିନା ନିର୍ଭୁଲ୍ ବୈଜ୍ଞାନିକ ଗଣନା କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ଓଡି଼ଆ ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର । ୧୮୩୫ ମସିହା ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଖଣ୍ଡପଡ଼ାର ସାମନ୍ତ ଶ୍ୟାମବନ୍ଧୁ ସିଂହଙ୍କର ତୃତୀୟ ପୁତ୍ର ରୂପେ ଓଡି଼ଶାର ଏହି ବରପୁତ୍ର ଜନ୍ମ ହୋଇଥିଲେ । ତାଙ୍କ ପୂର୍ବରୁ ଦୁଇ ପୁତ୍ର ସନ୍ତାନଙ୍କର ମୃତ୍ୟୁ ଘଟିଥିଲା । ତତ୍କାଳୀନ ବିଶ୍ୱାସ ଅନୁଯାୟୀ ପୂର୍ବ ସନ୍ତାନଙ୍କର ମୃତ୍ୟୁ ଘଟିଥିଲେ ପିତାମାତା ପରେ ଜନ୍ମିତ ପିଲାଙ୍କୁ ବଞ୍ଚାଇବା ନିମନ୍ତେ ଏଣୁତେଣୁ ନାମ ଦେଉଥିଲେ । ତେଣୁ ତାଙ୍କର ନାମ ‘ପଠାଣି’ ରଖାଯାଇଥିଲା । ସେ ପଠାଣି ସାମନ୍ତ ନାମରେ ପ୍ରସିଦ୍ଧ ହୋଇଥିଲେ ।
ଛୋଟ ବେଳୁ ସେ ଅତ୍ୟନ୍ତ ଜିଜ୍ଞାସୁ ଥିଲେ । ଚାଟଶାଳୀରେ ଓଡି଼ଆ ଶିକ୍ଷା ହାସଲ ପରେ ସଂସ୍କୃତି କାବ୍ୟ, ନାଟକ, ପୁରାଣ, ବେଦ ଆଦି ପୋଥି ପଢ଼ି ଜ୍ଞାନ ହାସଲ କରିଥିଲେ । ୧୫ ବର୍ଷ ବୟସ ବେଳକୁ ସେ ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ହୋଇସାରିଥିଲେ । ରାତ୍ରି ଆକାଶରେ ଗ୍ରହ, ନକ୍ଷତ୍ରଙ୍କ ଗତି ଶୈଶବରୁ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲେ । ସେ ଦୂରବୀକ୍ଷଣ ଯନ୍ତ୍ର ଦେଖି ନ ଥିଲେ । ବାଉଁଶ ଓ ତାଳ ପତ୍ର ବ୍ୟବହାର କରି ନିଜେ ଉପକରଣ ପ୍ରସ୍ତୁତ କରୁଥିଲେ । ‘ଗୋଲଯନ୍ତ୍ର’, ‘ସୂର୍ଯ୍ୟଘଡ଼ି’, ‘ଶଙ୍କୁଦଣ୍ଡ’, ‘ଉଲମ୍ବୀ ଚକ୍ର’, ‘ମାନଯନ୍ତ୍ର’ ଆଦି ଯନ୍ତ୍ର ସେ ତିଆରି କରିଥିଲେ । ବର୍ଷ ପରେ ବର୍ଷ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି ଓ ଗତି ଉପରେ ନଜର ରଖି ସୂକ୍ଷ୍ମ ବୈଜ୍ଞାନିକ ତଥ୍ୟ ଲିପିବଦ୍ଧ କରିଥିଲେ ।
ପ୍ରାୟ ୨୦ ବର୍ଷର କଠିନ ପରିଶ୍ରମ ପରେ ‘ସିଦ୍ଧାନ୍ତ ଦର୍ପଣ’ ପ୍ରସ୍ତୁତ କରିଥିଲେ । ୧୮୯୯ରେ ଏହି ଗ୍ରନ୍ଥ ପ୍ରକାଶ ପାଇଥିଲା । ପର୍ଯ୍ୟବେକ୍ଷଣରୁ ଜାଣିଥିଲେ ଯେ ସେ ସମୟରେ ପ୍ରଚଳିତ ଓଡି଼ଆ ପାଞ୍ଜିର ଗଣନା ଭୁଲ୍ ଥିଲା । ସେ ପଞ୍ଜିକା ସଂଶୋଧନ କରି ନିର୍ଭୁଲ ଓଡି଼ଆ ପାଞ୍ଜି ପ୍ରଣୟନ କରିଥିଲେ । ‘ଦର୍ପଣସାର’ ଓ ‘ଦର୍ପ ଦୀପିକା’ ପଠାଣି ସାମନ୍ତ ରଚିତ ଆଉ ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ । ସେ ଇଂରେଜ ସରକାରଙ୍କଠାରୁ ‘ମହାମହୋପାଧ୍ୟାୟ’ ଏବଂ ଗଜପତି ମହାରାଜାଙ୍କଠାରୁ ‘ହରିଚନ୍ଦନ ମହାପାତ୍ର’ ଉପାଧି ଲାଭ କରିଥିଲେ । ୧୯୦୪ ମସିହା ଜୁନ୍ ୧୧ତାରିଖରେ ପୁରୀଠାରେ ତାଙ୍କର ପରଲୋକ ଘଟିଥିଲା ।