ଏମିତି ଗୋଟେ ବିଷୟରେ ଲେଖିବା ବିପଦପୂର୍ଣ୍ଣ ହୋଇପାରେ। ସମସ୍ତେ ତ ଆଜିକାଲି ସୋସିଆଲ ମିଡ଼ିଆରେ। ଆମ ଘର ଲୋକ ବି। ହେଲେ ଘଟଣା ତ ଘଟିଥିଲା। ଜୀବନର କୋଉ ନା କୋଉ କଣରେ ସେ ଲୁଚିକରି ରହିଛି ତ !
ଆଗରୁ କହିଦିଏ- ଘଟଣା ବଖାଣିବା ପାଇଁ କି ନିଜର ବାହାଦୂରୀ ଲେଖିବା ପାଇଁ ଏମିତି ବିବାଦୀୟ ବିଷୟରେ ମୁଁ ହାତ ଦେଇନି।
ଗାନ୍ଧି ପରା ସବୁଦିନେ ଦୁନିଆକୁ ଶିଖାଇ ଯାଇଛନ୍ତି- ଯାହା ଘଟିଛି, ସତ ସତ କହିଦିଅ। ତାଙ୍କ ଆତ୍ମଜୀବନୀରେ ଏମିତି ଘଟଣା ସେ ବାରବାର ବର୍ଣ୍ଣନା କରିଛନ୍ତି।
କିନ୍ତୁ ମୋର ଅନୁରୋଧ ଏହାକୁ କେହି ବ୍ୟକ୍ତିଗତ ସ୍ତରକୁ ନେଇ ଭାବିବେନି ଯେ- ଏ ଲୋକଟା ଏତେ କଦର୍ଯ୍ୟ। କିମ୍ବା ଭାବି ବି ପାରନ୍ତି। ସେଥିରେ ମୁଁ କଣ କରିବି ?
ସେ ଝିଅ ମୋର ଗୋଟେ ତଳ ବ୍ୟାଚରେ ପଢୁଥିଲା। ମୋର ପ୍ଲସ୍ ଥ୍ରୀ ଫାଷ୍ଟ ଇଅର୍। ଓ ତାର ପ୍ଲସ୍ ଟୁ ସେକଣ୍ଡ ଇଅର୍। ସେ ଅନେକ ସମୟରେ ଆମ ଘରକୁ ଆସେ। ମୋ ବାପା ବି ତାର ଲୋକାଲ ଗାର୍ଡ଼ିଆନ୍ ଥିଲେ। ସେ ପ୍ଲସ୍ ଟୁ ଫାଷ୍ଟ ଇଅରରୁ ଆମ ଘରକୁ ଆସେ। କିନ୍ତୁ ମୁଁ ଦେଖି ନଥିଲି ବା ସେଥିରେ ମୋର ଏତେଟା ଆଗ୍ରହ ନଥିଲା।
ତାର ଯୁକ୍ତ ଦୁଇ ଫାଇନାଲ ପରୀକ୍ଷା ବେଳକୁ ସେ ପ୍ରାକ୍ଟିକାଲ୍ ପାଇଁ ମୋ ସାଙ୍ଗେ କଥା ହେଲା। ୨୦ କି ୫୦ଟି ଶବ୍ଦ। ସେଦିନ ହିଁ ତାର ଆଖି ପ୍ରଥମ ଥର ମୁଁ ଦେଖିଥିଲି। ଗୋଟିଏ ଆଖି ଟିକିଏ ଛୋଟ ଥିଲା। ବୋଧେ ସେଇଠୁ କଣ ଗୋଟେ ଘଟିବାକୁ ଆରମ୍ଭ କଲା। ଅବଶ୍ୟ ଖୁବ ଧୀରେଧୀରେ।
ପରେ ମୁଁ ଭାବିଲି ତାକୁ ସବୁକଥା କହିଦେବି। କିନ୍ତୁ ଜୀବନରେ କୌଣସି ଝିଅ ସହ ସେତେବେଳ ଯାଏ ମୁଁ ସିଧା କଥା ହୋଇ ହିଁ ନଥାଏ। ତେଣୁ ସାହାସ ନଥିଲା।
ଏମିତିରେ ଦିନେ ମୁଁ କଲେଜ କଲୋନୀରୁ ଆମ ଘରୁ ବାହାରକୁ ଯାଉଛି କ୍ରିକେଟ ଖେଳିବାକୁ, ସେ ଝିଅ ଆମ ଘରକୁ ଆସୁଥିଲା। ରାସ୍ତା ମଝିରେ କଲୋନୀରେ ମୋର ଦେଖା ହେଲା। ପ୍ରଥମ ଥର ବୋଧେ ମୁଁ ତାକୁ ଦେଖି ସାଇକେଲ ଅଟକେଇ ଦେଲି।
ସେ କହିଲା- ପ୍ରାକ୍ଟିକାଲରେ ବହୁତ ସାହାଯ୍ୟ କଲ। ଧନ୍ୟବାଦ। ମୁଁ କାଲି ଯାଉଛି।
ବୋକା ମୁଁ ପଚାରିଲି – କୋଉଠି କି ?
ଉତ୍ତର ଆସିଲା- ଆମ ଘରକୁ। ପରୀକ୍ଷା ସରିଗଲାଣି ଯେ।
ମୋର କୋହ ଉଠିଲା। ମୁଁ ଖେଳିବା ପାଇଁ ଚାଲି ଆସିଲି।
ବାସ୍- ଏତିକି କଥା। ଏତିକି ସଂପର୍କ।
୧୦୦ ଶବ୍ଦର କୁନି, ବକୁଟେ ମନ ଦିଆନିଆ ବି ନୁହେଁ ।
ସେ ଝିଅ ତାପରେ ପଳେଇଥିବ ବୋଧେ। ସେ ଖବର ମୁଁ ରଖିନି। ଦିନେ ସାହାସ କରି ତାକୁ ଚିଠିଟେ ଲେଖିଲି। ଆଗରୁ ଆର୍ଚିଜ୍ କାର୍ଡ଼ ଭାରି ଜୋରରେ ଚାଲୁଥିଲା। ହାବେଳି ବଜାର ଯାଇ କାର୍ଡ଼ଟେ କିଣି ଆଣିଲି। ଓ ତାଙ୍କ ଘରକୁ ପଠାଇ ଦେଲି।
କାରଣ – ଯୋଗାଯୋଗର ସାଧନ ଆଉ କଣ ଥିଲା କି ? ଚିଠି ଦିଆନିଆ। ହେଲେ ମୋ ଚିଠିର କିନ୍ତୁ ଉତ୍ତର ଆସିଲାନି। ପରେ ଇଂଜିନିଅରିଂ ପରୀକ୍ଷା ବେଳେ ସେ ଝିଅ ଦେଖା ହୋଇଥିଲା। କିନ୍ତୁ ଶଏ ଶବ୍ଦ ସେଠି ବଢି ଶଏ ଏକକୁ ବି ଛୁଇଁ ପାରି ନଥିଲା।
ପରେ ଦିନେ ମୁଁ ଖାଇବାକୁ ବସିଛି ଘରେ ଫୋନ୍ ବାଜିଲା। ଅପର ପଟରୁ ସେ ଝିଅ ଥିଲା।
– ସାର୍ ଅଛନ୍ତି ?
– ନାଇଁ।
– ମୁଁ ଅମୁକ। ତମେ ?
ମୁଁ ପୁପୁ।
– କେମିତି ଅଛ ?
– ହଁ ଭଲ। ତମେ ?
– ଠିକ୍ ଅଛି। ରଖିଲି।
ଏତକ ସେ କାହାଣୀ। ଏତକ ସଂପର୍କ। ଏତକ ଯାହା ମନ ଗହୀରର ଚାଷ। ଏତକ ଯାହା କୋହ ଓ ଲୁହ ମିଶାମିଶି କିଛି ଗୋଟେ।
ପରେ ସେ ଝିଅ କୁଆଡ଼େ ଯାଇଛି, କଣ କରିଛି ମୁଁ ଖବର ରଖିନି। ପାଖାପାଖି ୨୦ ବର୍ଷ।
ଏବେ ଦିନେ ବିଶ୍ବବିଦ୍ୟାଳୟରେ କାମ ସାରି ସଂଜକୁ ମୁଁ ଚାହା ପିଉଛି, ହ୍ବାଟସ୍ଆପ୍ ଖେଳାଉ ଖେଳାଉ ଗୋଟେ ମେସେଜ୍ ମୋ ଆଖିରେ ପଡ଼ିଲା।
– ୟୁ ରେକଗନାଇଜ୍ ମି ?
– ନୋ।
– ଆଇ ଆମ୍ ଅମୁକ।
– ବଟ୍ ହୁ ଇଜ୍ ଦିସ୍ ?
– ସତରେ ମତେ ତମେ ଚିହ୍ନି ପାରୁନ ?
ଅଚାନକ ମୁଁ ଲେଖିଦେଲି – ଆରେ ତମେ ପରା ପହିଲି ପ୍ରେମ ଥିଲ, ଭୁଲିବି କେମିତି ? ସେ ଥମିଗଲା। ଚୁପ୍ ରହିଗଲା।
ତାପରେ ସେ ମୋ ସହ ଚାଟ୍ କରିଛି। କେତେବେଳେ କେମିତି ମେେସଜ୍ ପଠାଇଛି। ଫୋନରେ କିନ୍ତୁ କେବେ କଥା ହୋଇନି। ଆଉ ଦିନେ ସେ କହି ବି ଦେଇଛି- ତୁମକୁ ଜାଣି ପାରି ନଥିଲି। ଜାଣିଥିଲେ ତୁମକୁ ବାହା ହୋଇ ଥାଆନ୍ତି। ଆଇ ମିସ୍ଡ ଦି ଚାନ୍ସ।
ବାଙ୍ଗାଲୋରରେ ଏବେ ସେ। ବଡ଼ କଂପାନୀରେ ଚାକିରି। ତାର ଯୋଡ଼େ ଘର। ଝିଅ, ସ୍ବାମୀ ସହ ଭରପୁର ସଂସାର।
କେତେବେଳେ ଭାବନାଟେ ଆସେ- କେତେ ଭଲରେ ଅଛି ସେ। ଏଠି ତ ମୋ ସହ ଧନ୍ଦି ହୋଇଥାଆନ୍ତା। ହଜାରେ ସମସ୍ୟାରେ ପଶିବାକୁ ବାଧ୍ୟ ହୋଇ ଥାଆନ୍ତା।
ଛାଡ଼ନ୍ତୁ- ଯାହା ଯାଇଛି, ଯାଇଛି।
ଏତିକି କୁନି ସଂପର୍କଟେ କଣ ପାଇଁ କେମିତି ଏକପାଖିଆ ହୋଇ ଗଢି ଉଠିଥିଲା, ଆଜିଯାକେ ମୁଁ ଠିକ ସେ ବୁଝି ବି ପାରେନି।
ହୁଏତ ଘଟିବାର ଥିଲା ଘଟିଗଲା। ଘଟି ସାରିଛି।