ଶ୍ଵେତପଦ୍ମା ପାଢୀ
ଚୈତ୍ର ମାସ ସରି ବୈଶାଖ ଆରମ୍ଭ ହେଲାଣି । ଉତ୍ତପ୍ତ ଝାଞ୍ଜି ପବନକୁ ଧୁଧୁ ଖରା, ଦେହରୁ ପାଣି ଶୋଷି ନେବାକୁ ଉଦ୍ୟତ । ନିସ୍ତବ୍ଧ ନିଶବ୍ଦ ଘରଟା ଭିତରେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ଥିଲି । ସକାଳେ ଅବିନାଶଙ୍କ ପାଇଁ ଅଫିସ ଟିଫିନ୍ ପ୍ୟାକ୍ କରୁଥିବାବେଳେ ହଠାତ୍ ମୁଣ୍ଡକୁ କାହାଣୀର ପ୍ଲଟ୍ ଟେ ଢୁକିଲା, ଅଥଚ ସବୁ କାମ ସାରି ମଳୟଙ୍କୁ ବିଦା କରି ଲେଖି ବସିଲା ବେଳକୁ ଆଉ କାହାଣୀର ପ୍ଲଟ୍ ଟି ମନେ ପଡ଼ିଲା ନାହିଁ । ଯେତେ ଚେଷ୍ଟା କଲେ ସୁଦ୍ଧା ଟିକେ ବି ମନେପଡ଼ିଲା ନାହିଁ । ଆଜିକାଲି ପ୍ରାୟ ଏମିତି ହେଉଛି । ଗଳ୍ପ ଲେଖିବାକୁ ବସୁଛି ଅଥଚ କବିତା ଲେଖି ହେଇଯାଉଛି । ମୋତେ ଆଉ ଏଲଜାଇମର୍ ହେଲାଣି କି ? ଧେତ୍ … ନା ମ ! ବ୍ୟାୟାମ, ପ୍ରାଣାୟମ ଏବଂ ମର୍ଣ୍ଣିଙ୍ଗ୍ ୱାକ୍ କରି ମୁଁ ନିଜକୁ ପୁରା ଫିଟ୍ ରଖିଛି । ଡାଇବେଟିସ କି ବ୍ଲଡ଼ ପ୍ରେସର୍ ବି ନାହିଁ; ତ ଏଲଜାଇମର୍ କୁଆଡୁ ହେବ । ବୟସ ବଢିଲେ ବୋଧେ ଏମିତି ଉଦ୍ଭଟ ଚିନ୍ତା ଧସେଇ ପଶିଆସନ୍ତି ।
କ’ଣ କରିବି ଏବେ ? ମୋତେ ସେ ଟିଭି ସିରିୟଲ ଦେଖିବା ପସନ୍ଦ ନୁହଁ । ମୋ ସାଙ୍ଗମାନେ ସବୁ ଚାକିରି, ଛୁଆ ଓ ଘର ନେଇ ସମ୍ପୂର୍ଣ୍ଣ ବ୍ୟସ୍ତ । ମୋର କିନ୍ତୁ ସେ ଜଞ୍ଜାଳ ନାହିଁ । ଅଠର ପୁରିବା ପୂର୍ବରୁ ହିଁ ବାପା ବାହା କରିଦେଇଥିଲେ । ବର୍ଷେ ଭିତରେ ପୁଅ ହେଇଗଲା । ଖୁବ୍ ମେଧାବୀ ସେ । ଆଈ.ଆଈ.ଟି. ରୁ ଇଞ୍ଜିନିୟରିଂ ପାସ୍ କରି ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିରି କରୁଛି । ଚାକିରିର ୩ ବର୍ଷ ଭିତରେ ଜିଦ୍ କରି ନିଜ ଗର୍ଲଫ୍ରେଣ୍ଡ୍ କୁ ବାହା ବି ହେଇଗଲା । ସେ ଦାୟିତ୍ଵ ମଧ୍ୟ ଆମେ ସ୍ଵାମୀସ୍ତ୍ରୀ ସାରି ଦେଇଛୁ । ମରାଠୀ ଝିଅକୁ ବାହା ହେଇଛି । ଆମେ ବି ପୁଅ ଖୁସିରେ ଖୁସି । ଝିଅଟି ଯେତିକି ଭଲ ସେତିକି ସ୍ମାର୍ଟ ମଧ୍ୟ । ପାଶ୍ଚାତ୍ୟ ଶୈଳୀରେ ହିଁ ଲୁଗା ପିନ୍ଧେ । କେବେ ମିନି ସ୍କର୍ଟ୍ ତ କେବେ ସମ୍ପୂର୍ଣ୍ଣ ଗୋଡ଼ ଦିଇଟା ଦେଖେଇ ଛୋଟ ଛୋଟ ପ୍ୟାଣ୍ଟ୍ ପିନ୍ଧିଥାଏ, ତ କେବେ ଆଣ୍ଠୁ ଯାକେ ୱାନ୍ ପିସ୍ ଡ୍ରେସ୍ ପିନ୍ଧିଥାଏ । ମଳୟ ସୋସିଆଲ ମିଡ଼ିଆରେ ଫୋଟୋ ଦେଖିଲେ ବିରକ୍ତ ହୁଅନ୍ତି, ହେଲେ ମୁହଁ ଉପରେ କିଛି କହିପାରନ୍ତି ନାହିଁ । ମୋତେ କିନ୍ତୁ ବୋହୂର ଫୋଟୋ ସବୁ ଦେଖିବାକୁ ବହୁତ ଭଲଲାଗେ ।
ମୋ ବୟସ ବା କେତେ, ଜଲଦି ବାହା ହେଇଯାଇଥିଲି ବୋଲି ନା କ’ଣ ? ଏବେ ବି ମୋ ଫିଗର୍ ପୁରା ଷୋହଳ ବୟସୀ ଝିଅମାନଙ୍କ ପରି । ହଳଦୀଗୋରା ରଙ୍ଗକୁ ଟଣାଟଣା ନୀଳ ଆଖି ଯୋଡ଼ିଏ । ମେନୋପଜ୍ ବି ଛୁଇଁବାକୁ ଢେର ବର୍ଷ ବୟସ ଅଛି । ଜିନ୍ସ ଉପରେ ଛୋଟ ପତଳା ସିଫନ୍ କୁର୍ତ୍ତୀ କିମ୍ବା ଟପ୍ ଟେ ପିନ୍ଧିଦେଇ ମାର୍କେଟ କି ମଲ୍ ବାହାରିଗଲେ, ତରୁଣ ଟୋକାମାନେ ବି ଘୂରିଘୂରି ଦେଖନ୍ତି । ମୋତେ ମେକ୍ ଅପ୍ ହେବାକୁ ଭାରି ଭଲଲାଗେ । ସ୍ଲିଭ୍ ଲେସ୍ ବ୍ଲାଉଜରେ ସିଫନ୍ ଶାଢ଼ୀ ମୋ ଦେହକୁ ବେଶ୍ ମାନେ । ସୋସିଆଲ ମିଡ଼ିଆରେ ପୁଅବୋହୂଙ୍କ ହନିମୁନ୍ ଫୋଟୋ ଦେଖି ମୋର ବି ଇଚ୍ଛା ହୁଏ । କ୍ରପ୍ ଟପ୍ ପିନ୍ଧି ମଳୟଙ୍କ ସହ ସୁଇଜରଲ୍ୟାଣ୍ଡରେ ବୁଲି ଫୋଟୋ ଉଠାନ୍ତି କି ? ପଡ଼ିଶା ଘର ମିନି ଭାଉଜ ଛିଗୁଲେଇକି କୁହନ୍ତି, “ଶାଶୁ ବୋହୂ ପ୍ରତିଦ୍ଵନ୍ଦିତା କରୁଛ ବୋଧେ, କିଏ କେତେ ସ୍ମାର୍ଟ ଆଉ ସୁନ୍ଦରୀ ଦିଶିପାରିବ !” ମନେମନେ ବିରକ୍ତ ହେଲେ ବି, ମୋ ମନ ଜାଣିଥିଲା, ମିନି ଭାଉଜଙ୍କ କଥାଟି ଅପ୍ରିୟ ହେଲେ ବି ସତ । ସତେ ତ ମୁଁ ବୋହୂ ସାଙ୍ଗରେ ବାଦ ମାରୁଛି…. ହଁ, ତା’ ସାଙ୍ଗରେ ପ୍ରତିଦ୍ଵନ୍ଦିତା କରୁଛି । ଯୁବାବୟସ ସରିଗଲାଣି ଆଉ ବୟସ ବରିଷ୍ଠ ଦିଗ ଆଡ଼କୁ ଧୀରେଧୀରେ ପାଦ ଥାପୁଛି । ପ୍ରକୃତରେ ଏକଥା ମୋ ଚପଳମତୀ ମନ ଆଦୌ ମାନିବାକୁ ପ୍ରସ୍ତୁତ ନୁହଁ ଯେ, ମୁଁ ବର୍ତ୍ତମାନ ଜଣେ ବୟାଳିଶ ବର୍ଷର ମହିଳା ଏବଂ ଶାଶୁ । ରାତିର ଅନ୍ଧକାରରେ ସ୍ଵପ୍ନ ସବୁ ବହୁତ ସୁନ୍ଦର ଲାଗନ୍ତି । ମୋ ସୁଖ ସ୍ଵପ୍ନରେ କେହିଜଣେ ଆସେ ଆଉ ନିଜ ଦୁଇ ହାତ ପାପୁଲିରେ ମୋ ମୁହଁକୁ ତୋଳି ଧରେ । ମୁଁ ଲାଜରେ ଜଡ଼ସଡ଼ ହେଇ ଆଖି ଖୋଲି ଚାହିଁଲାବେଳକୁ ସକାଳର ପହିଲି ପୁଲକ କିନ୍ତୁ ସେତିକି ଅସୁନ୍ଦର ଲାଗେ ।
ହଠାତ୍ କଲିଂଙ୍ଗ୍ ବେଲ୍ ବାଜିଲା । ନିଜ ଭାବନା ତନ୍ଦ୍ରାରୁ ବାହାରି କବାଟ ଖୋଲି ଗ୍ରୀଲ୍ ବାଟେ ବାହାର ଆଡ଼େ ଅନେଇଲି । ଗେଟ୍ ପାଖରେ ଝିଅଟିଏ ଛିଡ଼ା ହେଇଥିଲା । ହାଲକା ପିଚ୍ ରଙ୍ଗର ସାଲଓ୍ବାର୍ ପିନ୍ଧି ସ୍ଲିଙ୍ଗ୍ ପର୍ସଟେ କାନ୍ଧରେ ଝୁଲେଇଛି । ଖରା ପାଇଁ ଆଖିରେ କଳା ଚଷମା ପିନ୍ଧିଛି । ଆଗରୁ କେବେ ତାକୁ ଦେଖି ନାହିଁ । ସେଲ୍ସ୍ ଗର୍ଲ ହେଇଥାଏ ପାରେ । ଏମାନେ ସବୁ ଠକ । ରଦ୍ଦି ମାଲ୍ ସବୁ ଅଧିକା ଦାମରେ ବିକନ୍ତି । ଏଭଳି ପିଲାମାନଙ୍କୁ ମୁଁ ଗେଟ୍ ପାଖରୁ ତଡ଼ି ଦିଏ । ହେଲେ ଆଜି କାହିଁକି କେଜାଣି ଝିଅଟି ସହ ଗପିବାକୁ ମନ ହେଲା । ଗ୍ରୀଲ୍ ଖୋଲି ବାହାର ଗେଟ୍ ପାଖକୁ ଗଲି । ତାକୁ ଭଲ ଭାବରେ ଚାହିଁଲି । ହାତରେ ତା’ର ଥିଲା ମୋ ଉପନ୍ୟାସ ବହିଟି । ଆଶ୍ଚର୍ଯ୍ୟ ହେଇ ଚାହିଁଲି ତାକୁ । ଗୋଲ୍ ସୁନ୍ଦର ମୁହଁଟି ତା’ର । କଳାଚଷମାଟିକୁ ମୁଣ୍ଡ ଉପରେ ଠକେଇ ଦେଇ ହାତ ଯୋଡ଼ି ନମସ୍କାର କରି କହିଲା, “ମାଡାମ୍ ମୁଁ ଆପଣଙ୍କର ଜଣେ ନିରୁତ୍ତା ପାଠିକା । ନାରାୟଣୀ ବୁକ୍ ଷ୍ଟୋରରୁ ଆପଣଙ୍କ ଉପନ୍ୟାସଟି କିଣି ପଢିଲି । ଆପଣଙ୍କ ଉପନ୍ୟାସ ବି ଠିକ୍ ଆପଣଙ୍କ ପରି ଅନନ୍ୟା ଏବଂ ଖୁବ୍ ସୁନ୍ଦର । ଏତେ ଭଲଲାଗିଲା ଯେ, ଆପଣଙ୍କୁ ଦେଖା କରିବାକୁ ଠିକଣା ଖୋଜିଖୋଜି ଆସି ପହଞ୍ଚିଗଲି ।“ ଆତ୍ମଗର୍ବରେ ମୋ ମନଟା ଫୁଲି ଉଠିଲା । ମୋ ଲେଖା ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କୁ ଘରକୁ ଡାକିବା ମୋତେ ଆଦୌ ପସନ୍ଦ ନୁହଁ । କେଜାଣି କାହିଁକି ଝିଅଟା ପ୍ରତି ଯେମିତି ମୋ ମନ ଢଳିଗଲା । ମୁଁ ତାକୁ ଘର ଭିତରକୁ ଡାକିଆଣି ଡ୍ରଇଂ ରୁମର ସୋଫା ଉପରେ ବସେଇ ପଚାରିଲି, ତୁମ ନାଁ କ’ଣ ?
ରୁମାଲରେ ଝାଳ ପୋଛୁପୋଛୁ କହିଲା, “ମୋ ନାଁ ହରିଣୀ ଆଚାର୍ଯ୍ୟ ।” “ଆରେ ବାଃ, ଖୁବ୍ ସୁନ୍ଦର ନାଆଁଟିଏ ତ !” କହି କାମବାଲିକୁ ଡାକ ପକେଇଲି ଥଣ୍ଡା ପାଣି ଗ୍ଲାସ୍ ଆଣିକି ଦେବାକୁ । କାମବାଲି ପାଣି ଗ୍ଲାସ୍ ଟି ଆଣି ସେଣ୍ଟର ଟେବୁଲ୍ ଉପରେ ରଖିବା ଆଗରୁ ହିଁ ହରିଣୀ ପାଣି ଗ୍ଲାସ୍ ତା’ ହାତରୁ ନେଇ ଢକଢକ୍ କରି ଗୋଟିଏ ନିଃଶ୍ଵାସରେ ପିଇ ପକେଇଲା । ଜାଣିଲି ଖରାରେ ଦେହରୁ ପାଣି ଶୋଷି ହେଇଯାଇଛି, ତେଣୁ ପଚାରିଲି, “କୋଲ୍ଡଡ୍ରିଙ୍କସ୍ କି ଜୁସ୍ କ’ଣ ପିଇବ କି ?” ହରିଣୀ ବିନା ସଙ୍କୋଚରେ ମୁହଁରେ ଧାରେ ହସ ନେଇ ହଁ‘ରେ ମୁଣ୍ଡ ହଲେଇଦେଲା । କାମବାଲିକୁ କହିଲି ବରଫ ଦେଇ ଜୁସ୍ ଗ୍ଲାସ୍ ଟିଏ ଆଣି ଦେବାକୁ ।
– ଆଛା, ହରିଣୀ ! ତମ ଘର କେଉଁଠି ?
– ମୋ ଘର ଅନୁଗୁଳ । ମୁଁ ଏଠି ଲେଡିଜ୍ ୱାର୍କିଂ ହଷ୍ଟେଲରେ ରୁହେ । ବାଣୀବିହାରରୁ ପିଜି କରୁଛି ଆଉ ପାର୍ଟଟାଇମ୍ ଜବ୍ କରୁଛି । ଗଳ୍ପ ଉପନ୍ୟାସ ପଢିବାକୁ ବହୁତ ଭଲ ଲାଗେ ।
– ଆଛା ! ତାହେଲେ କ’ଣ କ’ଣ ସବୁ ବହି ପଢିଛ ?
ହରିଣୀର ଆଖି ଦିଇଟା କେବଳ ହରିଣ ପରି ଚଞ୍ଚଳ ନଥିଲା, କଥାବାର୍ତ୍ତାରେ ବି ଚଞ୍ଚଳାମୀ ଥିଲା । ଭାରି ଗପୁଡ଼ି । ଇଂରାଜୀ ଓଡ଼ିଆ ଉପନ୍ୟାସଠାରୁ ଆରମ୍ଭ କରି ସିନେମା ଯାକେ ଗପି ଚାଲିଥିଲା । ଆଉ ମୁଁ ନିରବ ଶ୍ରୋତା ପରି ତା’ କଥା ଶୁଣୁଥିଲି । ବହୁତଦିନ ପରେ ଏମିତି କାହା ସାଙ୍ଗରେ ବସି ଗପୁଥିଲି । କାରଣ ସମ୍ପର୍କୀୟ କି ବାନ୍ଧବୀ କାହାକୁ ଫୋନ୍ କଲେ ଗୋଟିଏ ବିଷୟବସ୍ତୁ “ତୋ ବୋହୂ କେମିତି କା ? କେମିତି ଡ୍ରେସ୍ ପିନ୍ଧୁଚି ? ତୁ ଜେଜେମା’ କେବେ ହେଉଛୁ ? ” ବିରକ୍ତ ହେଇଯାଇ ଆଉ କାହା ସାଙ୍ଗରେ ଗପୁ ନଥିଲି । ମୋର କ’ଣ ଏଇଟା ଜେଜେମା ହେବା ବୟସ ନା ଶାଶୁ ହେବା ବୟସ ଥିଲା ? ପୁଅର ଜିଦ୍ ଯୋଗୁଁ ଆଜି ଏତେ କଥା ଶୁଣିବାକୁ ପଡୁଛି । ପଚିଶ ବର୍ଷରେ ଆଜିକା ଯୁଗରେ କିଏ ବାହା ହୁଏ । ଘୋଡ଼ାମୁହାଁ, ପ୍ରେମ କରିକି ତ ସବୁ କାମ ସାରି ଦେଇଥିଲା, ଖାଲି ଅଯଥାରେ ବାହାହେବାକୁ ନାରେ ନାରେ ହେଲା ! ତାରି ଯୋଗୁ ମୋ ପଦବୀଟା ମାମିରୁ ଶାଶୁ ହେଇଗଲା । ସମାଜ ଆଖିରେ ମୋ ବୟସ ଦଶବର୍ଷ ଆଗକୁ ଚାଲିଗଲା ।
ହଠାତ୍ ହରିଣୀ ଡାକରେ ପ୍ରକୃତିସ୍ଥ ହେଲି । ସେ କହିଲା, “ମାମ୍ ମୁଁ ଆପଣଙ୍କୁ ଦିଦି ଡାକିବି । ଆପଣ ଅତିବେଶୀ ହେଲେ ୩୫ ବର୍ଷ ବୟସର ନୂଆ ବାହା ହେଲା ଭଳିଆ ଦିଶୁଛନ୍ତି । ଜମାରୁ ବୟସ୍କା ଲାଗୁ ନାହାନ୍ତି । ଏମିତି ସୁନ୍ଦରୀଙ୍କୁ ଆଣ୍ଟି କି ମାମ୍ କହିବାକୁ ମୋତେ ବି ଖରାପ ଲାଗୁଛି । ମୁଁ ଆପଣଙ୍କୁ ଦିଦି ଡାକିବି ଆଉ ଆଜିଠାରୁ ଆପଣଙ୍କ ଭଲ ବାନ୍ଧବୀଟିଏ ହେବି ।“ ମୋ ଭିତରେ ଗୋଟେ ଅଦ୍ଭୂତ ଶିହରଣ ଖେଳିଗଲା । ଲାଗିଲା ଯେମିତି ତା’ ସୌହାର୍ଦ୍ଦ୍ୟରେ ମୁଁ ବି ସ୍ଵଳ୍ପବୟସୀ ହେଇଗଲି । ଏମିତି କୋଉଠି ବିଦ୍ଧିବଧ ଲେଖା ହେଇଛି ଯେ, କେବଳ ନିଜ ସମବୟସ୍କମାନଙ୍କ ସହ ବନ୍ଧୁତା କରିପାରିବ, ନିଜଠାରୁ ବୟସରେ ବଡ଼ମାନଙ୍କ ସହ ଯଦି କ୍ଷୀରନୀର ସମ୍ପର୍କ ହେଇ ପାରୁଛି ତ ସାନମାନଙ୍କ ସହିତ କାହିଁକି ହେଇପାରିବନି ? ଖୁସିରେ ହଁ ହଁ କହି ତା’ ପାଇଁ ପକୁଡ଼ି ଦି’ଟା ଛାଣିକି ନେଇ ଆସିଲି ।
ସାହିତ୍ୟ ଜଗତରେ ଏମିତି ବହୁ ଜଣଙ୍କ ସହ ବନ୍ଧୁତା ଥାଏ । କିନ୍ତୁ କବି ଅମୃତ ସହ ମୋର ଘନିଷ୍ଠ ବନ୍ଧୁତା । ସେ ମୋ ଲେଖାର ଉଭୟ ପ୍ରଶଂସକ ଏବଂ ଆଲୋଚକ । ସେ କହିବେ, “ତମେ ଏମିତି ସାହିତ୍ୟ ସଭାରେ ସାଦାସିଧା ବେଶରେ ଆସିଲେ, ମୋତେ ଲାଗେ ମୋ କବିତାର ନଈ ଶୁଖିଯିବ ସତେ ! ତମେ ଏଥର ସିଫନ୍ ଶାଢ଼ୀ ପିନ୍ଧି ଆସିବ ଅକୁ ।” ମୋ ଘରଡାକ ନାମ ଆନି, ହେଲେ ଅମୃତ ମୋତେ ଅକୁ ଡାକନ୍ତି । ମୁଁ ବିଶିଷ୍ଟ ସୁସାହିତ୍ୟିକା ଆକର୍ଷିକା ଛୋଟରାୟ । ହଁ ବିଶିଷ୍ଟ ଲେଖିକା, ସେଥିପାଇଁ ଆଜି ମୁଁ ଏକୁଟିଆ ।
ହେଲେ ଆଜି ହରିଣୀ ସହ କଥା ହେଇ ମନଟା ଉତଫୁଲ୍ଲିତ ହେଇଗଲା । ଦୁଇ ଘଣ୍ଟାରୁ ଅଧିକା ରହିଲା ସେ । ଗଲାବେଳକୁ ତା’ର ୱାଟସ୍ଆପ୍ ନମ୍ବର ବି ଦେଇଗଲା । ସନ୍ଧ୍ୟାବେଳକୁ ମଳୟ ଆସିଲେ । ଚା’ ଜଳଖିଆ ଦେଇ ତାଙ୍କୁ ହରିଣୀ ବିଷୟରେ ସବୁ କହିଲି । ଚଟ୍ କରି କମେଣ୍ଟ ମାରିଦେଲେ ମଳୟ “ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ସୁକରୀ କି ହୋଇବ ଗାଈ” ! ଶାଶୁ ହେଇ ସାରିଲଣି ତଥାପି ନିଜକୁ ଷୋହଳ ବୟସୀ ଭାବୁଛ । ବି ସିରିୟସ୍ (Be serious), ଗ୍ରାଭିଟି ମେଣ୍ଟନ୍ କର । କିଏ ନାହିଁ କିଏ, ଚିହ୍ନା ଅଚିହ୍ନା କିଛି ବାରିବାର ନାହିଁ । ତମ ପାଠକ ହେଇଗଲା ବୋଲି କ’ଣ ତା’ ସହ ବନ୍ଧୁତା କରିବ ? ଆଉ ଆଜିକାଲିକା ୟଙ୍ଗ ଜେନେରେସନ୍ ବାପାମାଆଙ୍କୁ ସମୟ ଦେଇ ପାରୁନାହାନ୍ତି, ସେ ପୁଣି ତୁମ ପାଇଁ ସମୟ ବାହାର କରିବ ! ବି ପ୍ରାକ୍ଟିକଲ୍ ଆନି ।” ନିଃସଙ୍ଗତା ଦୂର ହେଇଯିବାର ଖୁସିଟା, ମୁହୂର୍ତ୍ତକରେ ପାଣି ଫୋଟକା ପରି ଅଦୃଶ୍ୟ ହେଇଗଲା ।
କିଛି ଦିନ ଧରି ପ୍ରକୃତରେ ହରିଣୀ ପାଖରୁ କିଛି ମେସେଜ ଆସି ନଥିଲା । ସେ ତା’ର ୱାଟସ୍ଆପ୍ ଷ୍ଟାଟସ୍ ବି କିଛି ରଖୁ ନଥିଲା । କିମ୍ବା ମୋତେ ହାଇଡ୍ ମାରି ଦେଇଥିଲା ! ସପ୍ତାହ ପରେ ହଠାତ୍ ରାତି ୧୨ଟାରେ ୱାଟସ୍ ଆପ୍ ରେ ଗୋଟେ ଭିଡ଼ିଓ ଆସିଲା । ଶୋଇନଥିଲି, ବନ୍ଦ ପଡ଼ିଥିବା ଉପନ୍ୟାସଟି ପୁଣିଥରେ ଲେଖୁଥିଲି । ଭିଡ଼ିଓଟି ପଠେଇଥିଲା ହରିଣୀ । ଖୋଲି ଦେଖିଲି, ମୋତେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଥିଲା । ତା’ପରେ ମେସେଜ ଆସିଲା, ଦିଇଟା ପେପର ପରୀକ୍ଷା ଥିଲା ଆଉ ସାଙ୍ଗମାନଙ୍କ ସହ ପାର୍ଟି ଥିଲା ବୋଲି ଦିଦି ମେସେଜ କରି ପାରିନଥିଲି । କାଲିଠାରୁ ପକ୍କା ପ୍ରତିଦିନ ଚାଟ୍ କରିବା ନହେଲେ ଭିଡ଼ିଓ କଲ୍ ରେ କଥା ହେବା । ଧନ୍ୟବାଦଟିଏ ଦେଇ ମୁଁ ଶୋଇପଡ଼ିଲି । ଆଉ ସତକୁ ସତ ତା’ ପରଦିନଠାରୁ ଆମେ ପ୍ରାୟ କଥା ହେଉ । କେମିତି କୋଉଠି ଭଲ ଶାଢ଼ୀ ଆଉ ଡ୍ରେସ୍ ମିଳେ, କୋଉ ବୁଟିକ୍ ରେ ଭଲ ବ୍ଲାଉଜ ଡିଜାଇନ୍ ହୁଏ । ବେଳେବେଳେ ଭିଡ଼ିଓ କଲ୍ ବି କରେ । ଫେସିଆଲ୍ ଆଉ ମେକ୍ ଅପ୍ ବିଷୟରେ ବି ଗପୁ ।
ଦିନେ ଖରାବେଳଟାରେ ଏକୁଟିଆ ବିରକ୍ତ ଲାଗୁଥିଲା । ମୁଁ ତାକୁ ଭିଡ଼ିଓ କଲ୍ କରିଦେଲି । ଫୋନ୍ ଉଠେଇଲା, କିନ୍ତୁ କଥା ହେବାବେଳେ ସେପଟୁ କାହାର ଫିସ୍ ଫିସ୍ ହେଇ କଥାହେବାର ଶବ୍ଦ ଆସୁଥିଲା । ମୁଁ ପଚାରି ଦେଲି, କିଏ ବୋଲି । ଆଗ ତ ମୁରୁକି ହସିଲା । ତା’ପରେ ଲାଜେଇ କହିଲା, ମୋ ବୟଫ୍ରେଣ୍ଡ୍ । ମୁଁ କହିଲି, “ଆଜିକାଲି ଏ ସବୁ ନର୍ମାଲ କଥା । ଏଥିରେ ଏତେ ଲାଜ କରିବାରେ କ’ଣ ଅଛି ?” ଖୁସିରେ କୁରୁଳି ଉଠି କହିଲା, “ଆପଣଙ୍କ ସହ ନିଶ୍ଚୟ ଦିନେ ଦେଖା କରେଇଦେବି ।” ଅଳ୍ପ କଥା ହେଇ ମୁଁ ଫୋନ୍ ରଖିଦେଲି ।
ପର ସପ୍ତାହରେ ମଳୟଙ୍କ ଅଫିସ ତରଫରୁ ବଡ଼ ପଞ୍ଚତାରକା ହୋଟେଲରେ ଡିନର୍ ପ୍ରୋଗ୍ରାମ୍ ଥିଲା । ସପରିବାର ନିମନ୍ତ୍ରଣ ଥିବା ହେତୁ ମୁଁ ବି ଯୋଗ ଦେଇଥିଲି । ଅଫିସ୍ ପାର୍ଟିରେ ଦେଖା ହେଇଗଲେ ପ୍ରଭାକର ଦାସ, ମଳୟଙ୍କ ସିନିୟର୍ । ମୋତେ ପ୍ରଶଂସା କରିଦେଲେ । “ଲେଖିକା ମାଡାମ୍ ନିଜ ଲେଖା ପରି ଚିର ସବୁଜ ଦିଶୁଛନ୍ତି । ଲୁକିଙ୍ଗ୍ ଗରଜେସ୍ । ବୁଝିଲେ ମଳୟ ବାବୁ ! ଆପଣ ୟାଙ୍କ ବାପ ଭଳିଆ ଦିଶୁଛନ୍ତି” ଏତିକି କହି ଦାସ ବାବୁ ତାତ୍ସଲ୍ୟରେ ହସିଦେଲେ । ବାସ୍ ସେତିକିରେ ମଳୟଙ୍କ ସହ ମିସେସ୍ ଦାସ ଉଭୟଙ୍କ ମୁହଁର ରଙ୍ଗ ଉଡ଼ିଗଲା । ସନ୍ଧ୍ୟା ଯାକ ପାର୍ଟିରେ ମଳୟ ମୋ ସହ କଥା ହେବା ଦୂରରେ ଥାଉ, ମୋ ଆଖପାଖରେ ବି ରହିଲେ ନାହିଁ । ଆଖି ଛଳଛଳ ହେଇ କାନ୍ଦ ମାଡ଼ି ପଡ଼ୁଥିଲା ମୋତେ । କିଏ ଦେଖିଦେବ ବୋଲି ଭାବି, ହୋଟେଲ୍ ର ଗାର୍ଡେନକୁ ଆସି ଖୋଲା ପବନରେ ମନ ହାଲକା କରିବାକୁ ଚେଷ୍ଟା କରୁଥିଲି । ଠିକ୍ ସେତିକିବେଳେ ଅଳ୍ପ ଦୂରରେ ହୋଟେଲ ଷ୍ଟାଫ୍ କେତେଜଣ ଛିଡ଼ା ହେଇ ଗପୁଥିଲେ । ସବୁଯାକ ତରୁଣତରୁଣୀ । ଦୁଇଟା ଯାକ ଝିଅ ଆଣ୍ଠୁଯାକେ ପେନସିଲ୍ ସ୍କର୍ଟ୍ ପିନ୍ଧି ଉପରେ ବ୍ଲେଜର୍ ପିନ୍ଧିଥିଲେ । ମୋତେ ଜାଣିବାକୁ ବେଶୀ ସମୟ ଲାଗିଲା ନାହିଁ ଯେ, ସେଥିରୁ ଗୋଟେ ଝିଅ ହରିଣୀ ବୋଲି । ସେ ଗପିବାରେ ଏତେ ବିଭୋର ଥିଲା ଯେ ସେ ମୋତେ ଦେଖି ପାରିନଥିଲା । ଭାବିଲି ଯାଇ ନିଜେ ଦେଖା କରିବି । ହେଲେ, ମଳୟଙ୍କ କଥା ଭାବି ପାଦ ଦି’ଟା ଜଡ଼ ହେଇଗଲା । ସନ୍ଧ୍ୟାରେ ଦାସବାବୁଙ୍କ କମ୍ପ୍ଲିମେଣ୍ଟ ପାଇଁ ଯାହା ପରିସ୍ଥିତି ଉପୁଜିଲାଣି ସେଥିରେ ଯଦି ହରିଣୀକୁ ଏମିତି ହୋଟେଲ ଷ୍ଟାଫ୍ ଭାବେ ଦେଖିବେ ଏବଂ ହରିଣୀର ଗୋଟେ ହାତରେ ସିଗାରେଟ୍ ଆଉ ଗୋଟେ ହାତରେ ୱାଇନ୍ ଗ୍ଲାସ୍ ଦେଖିବେ, ତେବେ ତ ମଳୟ ଆହୁରି ରାଗିଯିବେ । ଅଗତ୍ୟା ଚୁପଚାପ୍ ସେଠୁ ଫେରି ପାର୍ଟି ହଲ୍ ଭିତରକୁ ଚାଲିଗଲି । ମୋ ମନଟା ବି ହରିଣୀକୁ ଦେଖି ମଳିନ ପଡ଼ି ଯାଇଥିଲା । ତା’ ଚାକିରି କି ଡ୍ରେସ୍ ପାଇଁ ନୁହଁ, ସିଗାରେଟ୍ ଓ ୱାଇନ୍ ପିଉଛି ଜାଣିଲା ପରେ । ନିଷ୍ପତ୍ତି ନେଲି ଆଉ ତା’ ସହ କଥା ହେବିନାହିଁ ।
ହେଲେ ତା’ ପରଦିନ ହରିଣୀ ଗୋଟେ ସୈାମ୍ୟ ଯୁବକ ସହ ଆସି ପହଞ୍ଚିଗଲା ଘରେ । ପରିଚୟ ଦେଲା ଅବିନାଶ ପଟ୍ଟନାୟକ, ମୋ ବୟଫ୍ରେଣ୍ଡ୍ । ବର୍ତ୍ତମାନ ହାଉସ୍ ସର୍ଜନ ଅଛନ୍ତି । ମୁଁ ମନେମନେ ତାରିଫ୍ କରୁଥିଲି, ଡାକ୍ତର ସବୁ ଏତେ ହ୍ୟାଣ୍ଡସମ୍ କେମିତି ହେଇପାରନ୍ତି ଯେ ! ଅବିନାଶର ଘର, ପାଠପଢ଼ା ଏବଂ ହରିଣୀ ସହ ଲଭ୍ ଷ୍ଟୋରି ଶୁଣୁଥିଲି ବସି ଦୁହିଁଙ୍କ ପାଖରୁ । ଲମ୍ବା ତୋଫା ଗୋରା ମୁହଁ ଅବିନାଶର, ପୁରା ହିରୋ ଭଳିଆ ଦେଖିବାକୁ । କଥାବାର୍ତ୍ତା ବେଳେ ତା’ର ସେ ଚାହାଣୀ ମୋତେ ବିରକ୍ତ ଲାଗିବା ପରିବର୍ତ୍ତେ ମୋ ମନକୁ ପୁଲକିତ କରୁଥିଲା । ଅଥଚ ମୋ ବଦଳରେ ଆଉ କିଏ ହେଇଥିଲେ, ପେଟିଏମ୍ ସ୍କାନର୍ ପରି ଆଖି ଦୁଇଟାକୁ ଛତରା ଅଭଦ୍ର କହି ଗାଳି ଦେଇଥାନ୍ତା । ସୈାଭାଗ୍ୟକୁ ରବିବାର ଛୁଟିଦିନ ସତ୍ତ୍ୱେ ମଳୟ ସେତେବେଳେ ଘରେ ନଥିଲେ । କଥାରେ କଥାରେ ଅବିନାଶ ମୋ ହେୟାର ଷ୍ଟାଇଲ୍ ଆଉ ଶାଢୀ ପିନ୍ଧାକୁ ନେଇ ଏତେ ପ୍ରଶଂସା କରୁଥିଲା ଯେ, ଷୋହଳ ବୟସୀ ତରୁଣୀ ପରି ମୁଁ ଲାଜେଇ ଯାଉଥିଲି । ସୋସିଆଲ ମିଡ଼ିଆ ଏକାଉଣ୍ଟ୍ ରେ ଥରେ ହଳଦିଆ ସିଫନ୍ ଶାଢୀପିନ୍ଧା ଫୋଟୋ ପୋଷ୍ଟ କରିଥିଲି । ଅବିନାଶ କହିଲା, ସେଇ ଶାଢୀରେ ମୁଁ କୁଆଡ଼େ ଚାନ୍ଦିନୀ ଫିଲ୍ମର ଶ୍ରୀଦେବୀ ପରି ଦିଶୁଛି । ହରିଣୀ ତା’ ନିଜ ଆଡୁ କହିଲା, “ମୋତେ ସିନା ସମୟ ହେଉନି, ମୁଁ ବେଶୀ ଆସିପାରୁନି ଦିଦିଙ୍କ ପାଖକୁ । ତମ ମେଡିକାଲ୍ ଏଇ ରାସ୍ତା ଦେଇ ଯିବାଆସିବା କରୁଛ । ମଝିରେ ମଝିରେ ଦିଦିଙ୍କୁ ଦେଖାକରି ଗପସପ ହେଇ ଯାଉଥିବ । ମୁଁ ଚାହିଁଥିଲେ ମନା କରିଦେଇ ପାରିଥାନ୍ତି, କିନ୍ତୁ କେଜାଣି କାହିଁକି ମନା କରିପାରିଲି ନାହିଁ ।
ୟା ଭିତରେ ଅବିନାଶ ତିନି ଚାରିଥର ଆସିଲାଣି । ସେ ଆସିଲେ ବହୁତ୍ ଗପେ । ବେଳେବେଳେ ଅଧିକାର ବି ସାବ୍ୟସ୍ତ କରେ । ତା’ ହାତର ସ୍ପର୍ଶରେ ମୁଁ ଯେମିତି ପାଷାଣରୁ ଜୀବନ୍ତ ହେଇଯାଏ । ମୋତେ ଲାଗେ ସେ ଜାଣିଶୁଣି ଛୁଇଁଦିଏ । ସେ ଆସିଲେ, ମୋ ଗାର୍ଡେନରେ ଫୁଲମାନେ ହସନ୍ତି, ଆଉ ସେମାନଙ୍କ ସହ ହସେ ମୁଁ । ତା’ କଥାରେ କେବଳ ଗୋଟିଏ କେନ୍ଦ୍ରବିନ୍ଦୁ ଥିଲା, ମୋ ଲେଖା ଓ ମୋ ସୈାନ୍ଦର୍ଯ୍ୟ । କିଛିଦିନ ହେଲାଣି ମୁଁ ନିଜ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି । ମନେମନେ କ’ଣ ସବୁ ଭାବି ହସୁଥିଲି । ଆଜିକାଲି ମୋ ସକାଳ, ସନ୍ଧ୍ୟା ହେଉ ବା ରାତ୍ରିର ଅନ୍ଧକାର ହେଉ ସବୁଥିରେ ଅବିନାଶ ହିଁ ଥାଏ ।
କିଛି ଜାଣିନି ଅବିନାଶ ବିଷୟରେ । ତା’ ଘର, ତା’ ଠିକଣା, ତା’ ଅତୀତ-ବର୍ତ୍ତମାନ କିମ୍ବା ତା’ ଉଦ୍ଦେଶ୍ୟ । ଖାଲି ଜାଣେ, ତା’ ଭିତରେ ନିଜକୁ ଖୋଜିପାଏ ବୋଲି । ଖାଲି ଜାଣେ, ତା’ ସହିତ ଟିକେ କଥା ହେଇଗଲେ ଦେହକୁ ଶକ୍ତି ମିଳେ ଆଉ ମନକୁ ବଳ । ଖାଲି ଜାଣେ, ତା’ର ସ୍ଥିତିର ଅନୁଭବ ମୋତେ ଏକ୍ଲାପଣରୁ ନିବୃତ୍ତ କରେ । ଖାଲି ଜାଣେ, ସେ ବହୁ ଦୂରେ ଥାଇ ବି ମୋ ଖୁବ୍ ପାଖରେ ଥାଏ । ଖାଲି ଜାଣେ, ତା’ର ହୃଦୟ ପ୍ରେମର ଟୁବି ଗାଡ଼ିଆ ନୁହେଁ ଅଥଳ ସମୁଦ୍ର । ଖାଲି ଜାଣେ, ତା’ର ଧମନୀ ଆଉ ଶିରାରେ ରକ୍ତ ନୁହେଁ ଅପର ପାଇଁ ଯତ୍ନ ବହେ । ଖାଲି ଜାଣେ, ନିଜ କଷ୍ଟକୁ ସେ ହୁଇସିଲ ମାରି ଉଡ଼େଇ ଦେଇପାର । ଖାଲି ଜାଣେ, ମୋ କଷ୍ଟକୁ ସେ ତା’ର କଥାଲଥାରେ ରାତି ଆକାଶର ତାରା ଓ ଜହ୍ନଙ୍କୁ ଯାଚି ଦେଇପାରେ । ଖାଲି ଜାଣେ, ସେ ପ୍ରତିଥର ଦେଖାହେଲେ ମୋତେ କିଛି କହିବାକୁ ଚାହେଁ, କିନ୍ତୁ ପୁଣି ଅଟକିଯାଏ । ଖାଲି ଜାଣେ, କର୍ତ୍ତବ୍ୟ ବାଧ୍ୟ କରି କରିହୁଏ ସିନା ଅଧିକାରଟାକୁ କାହାକୁ କେବେ ଯାଚି ଦେଇ ହୁଏନି । ଖୁବ୍ କମ୍ ସମୟରେ ଆମ ଭିତରେ ଲୁଚି ରହିଥିବା ନୀରବ ପ୍ରେମର ଚାରାଟି ଧୀରେ ଧୀରେ ବଟବୃକ୍ଷରେ ପରିଣତ ହେଉଥିଲା ।
ସେଦିନ ବୈଶାଖ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ କାଳବୈଶାଖୀ ମାଡ଼ି ଆସିଲା । ପ୍ରବଳ ଝଡ଼ତୋଫାନ ବର୍ଷା ଆରମ୍ଭ ହେଇଗଲା ସନ୍ଧ୍ୟା ବେଳଟାରେ । ମଳୟ ଅଫିସରୁ ଫେରି ନଥିଲେ, ଡେରିରେ ଆସିବାର ଥିଲା ତାଙ୍କର । ହଠାତ୍ କଲିଂଙ୍ଗ୍ ବେଲ୍ ବାଜିଲା । ପ୍ରବଳ ବର୍ଷାକୁ କିଟିକିଟି ଅନ୍ଧାର । ଯୋଗକୁ ଆଜିକାଲି ଘରେଘରେ ଇନଭଟର୍ ଅଛି ବୋଲି କେହି ହଇରାଣ ହେଉନାହାନ୍ତି । ଏତେବେଳକୁ କିଏ ଆସିଲା ବୋଲି କବାଟ ଖୋଲି ଦେଖିଲି, ପୋର୍ଟିକ ତଳେ ଓଦା ସରସର ହେଇ ଛିଡ଼ା ହେଇଛନ୍ତି ଅବିନାଶ ଓ ହରିଣୀ ଉଭୟ । କବାଟ ଖୋଲିଲି । ଦି’ଜଣ ଯାକ ଭିତରକୁ ପଶି ଆସିଲେ । ଅବିନାଶକୁ ମଳୟଙ୍କ ଟ୍ରାକ୍ ସୁଟ୍ ଦେଲି ଆଉ ହରିଣୀକୁ ମୋର ସାଲଓ୍ବାର୍ ଦେଲି ବଦଳେଇବାକୁ । ରୋଷେଇ ଘରକୁ ଗଲି ସମସ୍ତଙ୍କ ପାଇଁ ଗରମ ଅଦା ଦିଆ ଚାହା କରିବାକୁ । ଚାହା ବସେଇ, ପକୁଡ଼ି ଦିଟା ଛାଣି ଦେବି ବୋଲି ସବୁ ସରଞ୍ଜାମ ଯୋଗାଡ଼ କରି ବେସନ ଗୋଳୋଉ ଥିଲି । ହଠାତ୍ ପଛପଟୁ ଅଣ୍ଟା ପାଖରୁ ଗୁଡେ଼ଇ ଧରିଲା ସେ । ତା’ ଗରମ ନିଃଶ୍ଵାସ ମୋ ବେକରେ ବାଜୁଥିଲା । ନା ମୁଁ ତାକୁ ଠେଲି ଦେଇପାରିଲି, ନା ମୁଁ ହରିଣୀକୁ ଡାକ ପକେଇ ପାରିଲି । କହିପାରନ୍ତି ମୁଁ ତା’ର ସାନିଧ୍ୟ ଚାହୁଁଥିଲି । ବରଂ ତା’ର ସ୍ପର୍ଶ ମୋ ସମଗ୍ର ଅସ୍ତିତ୍ୱକୁ ତରଳେଇ ଦେବା ପାଇଁ ଯଥେଷ୍ଟ ଥିଲା ।
ଅଦିନ ଶ୍ରାବଣ ରୋଷେଇ ଘର ଝରକା ସେପାଖେ ଥିଲାବେଳେ ଶ୍ରାବଣର ଛିଟା କିନ୍ତୁ ଝରକା ଏପାଖେ ମୋ ଓଠରେ ଧାରେ ହସ ହେଇ ଚମକୁଥିଲା । କିନ୍ତୁ ସେଇ ଭିଜାଭିଜା ଶିହରଣ ଆଉ ନିବିଡ଼ ଆଲିଙ୍ଗନ ଭିତରେ ନିଜକୁ ହଜେଇଦେବା ପୂର୍ବରୁ ହିଁ ମୋବାଇଲଟା ବାଜି ଉଠିଲା । ତା’ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ବେଡ଼ରୁମକୁ ଦୌଡ଼ିଲି । ମୋବାଇଲ୍ ସ୍କ୍ରିନରେ ନାଆଁଟା ଥିଲା ପାର୍ଟନର, ଅର୍ଥାତ୍ ମଳୟ କଲ୍ କରୁଥିଲେ । ମିଟିଂ ସରିଗଲାଣି ଜଲଦି ଫେରିଆସିବେ ବୋଲି କଲ୍ କରିଥିଲେ । ଫୋନ୍ ରଖିଲାବେଳକୁ ପଛପଟେ ଅବିନାଶ ଆସି ଛିଡ଼ା ହେଇଥିଲା । ତା’ର ପ୍ରେମ ନିବେଦନଭରା ଚାହାଣୀରେ ମୁଁ ପୁରା ଜଡ଼ସଡ଼ ହେଇ ସାରିଥାଏ । ଲାଜରେ ମୁହଁ ତଳକୁ କରିଦେଲି ।
ହଠାତ୍ ହରିଣୀ ଆସି ବେଡ଼ରୁମ କବାଟ ପାଖରେ ଛିଡ଼ା ହେଇ କହିଲା, “ଥ୍ୟାଙ୍କୁ ସୋ ମଚ୍ ଦିଦି, ଆମ ପାଇଁ ଏତିକି କରିଥିବାରୁ । ମୁଁ ଦିନେ ଦୁଇ ଦିନରେ ଲୁଗା ସଫା କରି ଆଣି ଦେଇଯିବି । ବର୍ଷା ଛାଡ଼ିଗଲାଣି, ଆମେ ଏବେ ଯାଉଛୁ ।” ମୁଁ ତା’ ଆଖି ସହ ଆଖି ମିଶେଇ ପାରୁ ନଥିଲି କିମ୍ବା ଅବିନାଶକୁ ମଧ୍ୟ ସିଧାସଳଖ ଚାହିଁ ପାରୁନଥିଲି । ତେଣୁ ସେମାନଙ୍କୁ ରୋକିପାରିଲି ନାହିଁ । କିଛି ମୁହୂର୍ତ୍ତ ପାଇଁ ମୁଁ କେମିତି ଭୁଲିଗଲି ଯେ, ମୁଁ ବିବାହିତା, ଜଣେ ମାଆ, ଆଉ ଜଣେ ଶାଶୁ । ଅବିନାଶ ମୋ ପୁଅ ବୟସ ପାଖାପାଖି । ଆଉ ମୁଁ ଏତେ ତଳକୁ କେମିତି ଖସିଗଲି ? ଅନ୍ୟପଟେ ମନଟା ନିୟନ୍ତ୍ରଣ ହରାଉଥିଲା !
ମଳୟଙ୍କ ନିରସତା ଓ ନିଥରପଣ ପାଇଁ ସମୟ ସହ ମୋ ହାତମୁଠାରୁ ବୟସର ଚୋରାବାଲି ଖସିବାରେ ଲାଗିଥିଲା । ହେଲେ ସେଦିନର ଅଦିନ ଶ୍ରାବଣ ଛିଟାରେ ମୋ ଭିତରେ ବଞ୍ଚିବାର ମୋହ ଜାଗ୍ରତ କରିଦେଲା । ଅବିନାଶର ଅକସ୍ମାତ୍ ଛୁଇଁବା ମୋ ଅଧୀର, ଅଶାନ୍ତ ମନ ତଳେ ଲୁଚି ରହିଥିବା ଏକ ଅପେକ୍ଷାରତ ପାଷାଣ ପ୍ରେୟସୀ ଦେହରେ ଜୀବନ ସଂଚାର କରିଦେଲା । ଅବିନାଶ ନିଜ ସ୍ପର୍ଶରେ ମୋ ମନ ଉପବନ; କେମିତି କେଜାଣି ଅକ୍ତିଆର କରିନେଲା । ଆଜିକାଲି ଦର୍ପଣରେ ନିଜର ମୁହଁ ଦେଖି ହଠାତ୍ ନିଜେ ହିଁ ଚମକି ପଡୁଛି । ଏ କି ବିଚିତ୍ର ପରିବର୍ତ୍ତନ? ଏ କ’ଣ ମୁଁ ନିଜେ ନା ଆଉ କେହିଜଣେ ? ଆଜି ଦର୍ପଣରେ ଏକ ଭିନ୍ନ ଅସ୍ତିତ୍ୱର ପ୍ରତିବିମ୍ବ । ସୁସାହିତ୍ୟିକା ଆକର୍ଷିକା ଛୋଟରାୟ ଗପ ଲେଖୁଲେଖୁ ଆଜି ନିଜେ ଯେମିତି ପାଲଟି ଯାଇଛି ଗପ ଭିତରେ ଏକ ପ୍ରତାରଣା କରୁଥିବା ଚରିତ୍ରଟିଏ ! ପ୍ରତି ମୁହୂର୍ତ୍ତରେ ମୁଁ କେବଳ ଅବିନାଶ କଥା ହିଁ ଭାବୁଥିଲି । ମସ୍ତିଷ୍କ “ନା … ନା” କହୁଥିଲା, ଅଥଚ ଦିଗବଳୟର ସେପାଖେ ମନଟା କହୁଥିଲା “ହଁ…. କେବଳ ହଁ” ! ଆଉ ମୋର ସବୁ ହଁ ରେ ଥିଲା କେବଳ ପ୍ରତାରଣା । ସବୁ ଜାଣି, ସବୁ ବୁଝି ମଧ୍ୟ ନିଶାଟା ଏତେ ଦୂର ବଢ଼ିଯାଇଥିଲା ଯେ, ମୁଁ ସେ ସ୍ଵପ୍ନିଳ ହ୍ୟାଙ୍ଗଓଭର୍ ରୁ ବାହାରି ପାରୁନଥିଲି ।
ବୈଶାଖ ମାସ ଶେଷ ସପ୍ତାହ ଆରମ୍ଭ ହେଇଗଲାଣି । ଜଗନ୍ନାଥଙ୍କ ରଥ ନିର୍ମାଣ ଜୋରସୋରରେ ଚାଲିଛି । ମଳମାସ ଆରମ୍ଭ ହେବା ପୂର୍ବରୁ ବାହୁଡ଼ାଯାତ୍ରା ଶେଷ ତିଥି ବିବାହ, ବ୍ରତଘର ସବୁ ମାଙ୍ଗଳିକ କର୍ମ ପାଇଁ । ଆଜି ଭାଉଜ ଫୋନ୍ କରି ଗାଁକୁ ଆସିବାକୁ କହୁଥିଲେ । ଝିଅ ମାନିନୀର ବିବାହ କାମ ସବୁ ଆରମ୍ଭ ହେବ । ମୁଁ ଗଲେ ତାଙ୍କୁ ସାହାଯ୍ୟ କରିବି । କିନ୍ତୁ ମୁଁ ଏତେଦିନ ଆଗରୁ ଯାଇପାରିବିନି ବୋଲି ମନା କରିଦେଲି । ସେ ଚିଡ଼ି ଯାଇକି କହିଲେ, “ହଁ ତମେ ତ ଆଜି ବି ନବବଧୂ ହେଇକି ଅଛ, ପ୍ରେମପାଠ କୋଉ ସରିଛି ତୁମର ? ଜୋଇଁ ସିନା ବୁଢ଼ା ହେଇଗଲେ, ତମେ ଆମର ଷୋହଳ ବୟସୀ ହେଇଥାଅ ।” ମନଟା ପୁଣି ବିଷାକ୍ତ ହେଇଗଲା । ଅଳ୍ପ କଥା ହେଇ ଫୋନ୍ ରଖିଦେଲି ।
ତା’ ପରଦିନ ମଳୟ ଅଫିସ୍ କାମରେ ସମ୍ବଲପୁର ଯାଇଥାନ୍ତି । ଘରେ ମୁଁ ଏକୁଟିଆ ଥିଲି । ହଠାତ୍ ସନ୍ଧ୍ୟା ସମୟରେ ଅବିନାଶ ଆସି ପହଞ୍ଚିଗଲା । ସେଦିନର ଘଟଣା ପରଠାରୁ ଅବିନାଶ ସହ ଦେଖା ହେଇ ନଥିଲା କି ଫୋନ୍ ରେ କଥାବାର୍ତ୍ତା ମଧ୍ୟ ନଥିଲା । ଅଚାନକ ଏମିତି ଆସି ପହଞ୍ଚିଯିବ ମୁଁ ଭାବି ନଥିଲି । କହିପାରନ୍ତି, ମୋ ମନରେ ଭୟ ଥିଲା କିମ୍ବା ନିଜ ଉପରେ ବିଶ୍ଵାସ ନଥିଲା, ମୁଁ ତାକୁ ଗ୍ରୀଲ୍ ପାଖରୁ ହିଁ ଫେରିଯିବାକୁ କହିଲି । ହେଲେ ସେ ଜିଦ୍ ଧରିଲା କଥା ହେବ ବୋଲି । ପଡ଼ିଶା ଘର ମିନି ଭାଉଜ ଦେଖିଲେ, ୟାଡସାଡୁ ପ୍ରଶ୍ନ ପଚାରିବେ ବୋଲି ତାକୁ ଘର ଭିତରକୁ ଡ଼ାକିନେଲି ।
ଘରେ ଭିତରେ ପଶିଗଲା ପରେ, ସେ ମୋତେ ଜାବୁଡ଼ି ଧରିଲା । ତା’ର ଗରମ ନିଃଶ୍ଵାସ ମୋ ଛାତି ଦେଇ ପଞ୍ଜରା ଥରେଇ ଦେଉଥିଲା । ଏକ ବିଚିତ୍ର ନୀଳାଭ ଅନୁଭବ ହେଲା । ମୋତେ ଲାଗୁଥିଲା ପ୍ରତିଦିନ ରାତିରେ ମୋ ସ୍ଵପ୍ନରେ ନିଜ ଦୁଇହାତ ପାପୁଲିରେ ମୋ ମୁହଁକୁ ତୋଳି ଧରୁଥିବା ମଣିଷଟି ବୋଧେ ଅବିନାଶ ! ସତେଯେମିତି ମାୟାନ୍ଧକାରେ ମାୟାବୀ ସାନିଧ୍ୟ । ଅବିନାଶ ଧୀରେଧୀରେ ଆହୁରି ନିକଟତର ହେଉଥିଲା । ଭୟରେ ମୁଁ ଆଖି ଦୁଇଟା ବନ୍ଦ କରିଦେଲି । କିନ୍ତୁ ପରବର୍ତ୍ତୀ କ୍ଷଣରେ ଓଠରେ ମିଠା ଅନୁଭବ ହେବା ପରିବର୍ତ୍ତେ ମୋତେ ଲାଗିଲା ଯେମିତି…..
ଆଖି ଖୋଲିଲା ବେଳକୁ ମୋ ହାତ ଦିଟା ପଛ ଆଡେ ଜୋରରେ ଅବିନାଶ ବାନ୍ଧୁଥିଲା । ମୁଁ ମୁହଁ ଖୋଲିବାକୁ ବୃଥା ଚେଷ୍ଟା କଲି । କାରଣ ସେତେବେଳକୁ ହରିଣୀ ମୋ ମୁହଁରେ କନା ବିଣ୍ଡା ପୁରେଇ ସାରିଥିଲା । ଦୁଇଜଣ ଯାକ ମୋତେ ଟେକିନେଲେ ବେଡ଼ରୁମ୍ ଭିତରକୁ । ବେଡ୍ ଉପରେ ମୋତେ ଫୋପାଡ଼ି ଦେଇ ଗୋଡ଼ ଦୁଇଟାକୁ ବାନ୍ଧି ପକେଇଲେ । ଆଲମାରୀରୁ ଗହଣା, ଟଙ୍କା, ଦାମିକା ଲୁଗା ସବୁ କାଢି ଗୋଟେ ବ୍ୟାଗ୍ ରେ ପୁରେଇବାକୁ ଲାଗିଲେ । ଗୋଡ଼ହାତ ମୋର ବନ୍ଧା ମୁଁ ସମ୍ପୂର୍ଣ୍ଣ ନିରୁପାୟ । ଛାଟିପିଟି ହେଇ ବନ୍ଦ ମୁହଁରୁ କେବଳ କୁଁ… କୁଁ… ଶବ୍ଦ ହିଁ ବାହୁରୁଥିଲା । ମୋ ଅବସ୍ଥା ଦେଖି ହରିଣୀ ତାଳି ମାରି ହୋହୋ ହସିବାରେ ଲାଗିଲା । କହିଲା, “ଆହାଃ…..ଚୁ ଚୁ ଚୁ… କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ଲେଖିକାଙ୍କର କି ଅବସ୍ଥା ? ତୁମ ଉପନ୍ୟାସ ପଢି ବୁଝି ଯାଇଥିଲି । ତମେ ପ୍ରେମ କାଙ୍ଗାଳୁଣୀ । ଆଉ ଦେଖା କରିବା ମାତ୍ରେ ହିଁ ବୁଝିଗଲି, ରୂପସଜ୍ୟା ଏବଂ ନିଜକୁ ୟଙ୍ଗ୍ ଦେଖେଇବାର ଇଚ୍ଛାଟା ତୁମର ଦୁର୍ବଳତା । ମୁଁ ବାସ୍ ସେଇ ଦୁର୍ବଳତାର ଫାଇଦା ଉଠେଇଲି ।”
କିନ୍ତୁ ମୋ ମନରେ ପ୍ରଶ୍ନ ଉଠୁଥିଲା ଯେ, ଏମାନେ ଜାଣିଲେ କେମିତି ମୁଁ ଚାବି କୋଉଠି ରଖୁଛି । ଆଲମାରୀରେ ଟଙ୍କାଗହଣା ଅଛି ବୋଲି କେମିତି ଜାଣିଲେ ? ସେତିକିବେଳକୁ ମୁଣ୍ଡରେ ପଶିଲା, ଭିଡ଼ିଓ କଲ୍ ରେ କଥା ହେଲାବେଳେ ମୁଁ ଘର କାମ କରୁଥିଲି । ଭିଡ଼ିଓ କଲ୍ ଚାଲିଥିବାବେଳେ ବହୁତଥର ଆଲମାରୀ ଖୋଲି କାରବାର କରିଛି । ନିଜର ମୂର୍ଖାମୀ ପାଇଁ ନିଜ ଉପରେ ରାଗ ଆସୁଥିଲା । ଅବିନାଶ ବ୍ୟାଗ୍ ଧରି ବାହାରିଗଲା ବେଳକୁ ହରିଣୀ କହିଲା, “ୟାକୁ କ’ଣ ଏଠି ଏମିତି ଛାଡ଼ି ଦେଇ ଯିବୁ ? ୟା କାମ ଶେଷ କରିଦେଇ ଯିବା । ନହେଲେ ଆମେ ହିଁ ହଇରାଣରେ ପଡ଼ିବା ।” ହରିଣୀ ମୋ ଗୋଡ଼ ଦିଟା ଚାପି ଧରିଲା । ଅବିନାଶର ହାତ ଦିଟା ମୋ ବେକ ଉପରେ ଥିଲା । ମୁଁ ଧୀରେଧୀରେ ଅଣନିଃଶ୍ଵାସୀ ହେଉଥିଲି । ଅନ୍ତରରୁ କୋହ ଉଠୁଥିଲା । ଛାତିଟା ଫାଟିଗଲା ପରି ଲାଗୁଥିଲା ; ଅଣନିଃଶ୍ଵାସୀ ହେଉଥିଲି ବୋଲି ନୁହଁ ବରଂ ଅହିସୁଲକ୍ଷଣୀ ଭାବେ ମୃତ୍ୟୁ ଆଡ଼କୁ ଗତି କରୁଥିବାବେଳେ ଅତିଆପଣାର ମଣିଷଠାରୁ ଧୀରେଧୀରେ ଦୂରେଇ ଯାଉଥିଲି । ଭୁଲି ଯାଇଥିଲି ଯେ ଜୀବନର ଚକ୍ରବ୍ୟୁହରେ “ପ୍ରେମ” ଶବ୍ଦଟି ବେଳେବେଳେ ଅଦୃଶ୍ୟ ଫାଶ ପରି ଦିଶେ ।
ପୁନେ, ମହାରାଷ୍ଟ୍ର, ମୋବାଇଲ – ୯୧୬୮୦୫୩୮୬୮
ଲେଖକ ପରିଚୟ
ଲେଖିକା ଶ୍ଵେତପଦ୍ମା ପାଢ଼ୀ ଗଳ୍ପ, ଉପନ୍ୟାସ, ଏକପଦୀ ଓ ଫିଚର୍ ଲେଖାଲେଖି କରନ୍ତି । ‘ସଖୀ କଣ୍ଢେଇ’ ତାଙ୍କର ପ୍ରଥମ ଉପନ୍ୟାସ I ନିକଟରେ ପ୍ରକାଶ ପାଇଛି ତାଙ୍କର ଏକ ଗଳ୍ପ ସଂକଳନ “ଆଉ ତାପରେ” । ପ୍ରଥମେ ଇଂରାଜୀ ଲେଖାଲେଖିରେ ରୁଚି ରଖୁଥିବା ଶ୍ଵେତାପଦ୍ମା ଏବେ ମାତୃଭାଷା ମୋହରେ ଜଣେ ଯୁବଲେଖିକା ଭାବେ କଥାସାହିତ୍ୟ ଜଗତରେ ପରିଚିତା । ରହସ୍ୟ ଓ ରୋମାଞ୍ଚକର କାହାଣୀ ଲେଖିବାକୁ ସେ ବେଶୀ ପସନ୍ଦ କରନ୍ତି ।