ସାହିତ୍ୟିକା ଲିପ୍ସା ପଟେଲଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର :
‘କାହିଁକି ଲେଖେ’ ପ୍ରଶ୍ନର ଉତ୍ତରରେ ମୁଁ କହିବି ଯେ ଏମିତିରେ ତ ଗପ, କବିତା, ଉପନ୍ୟାସ, ପ୍ରବନ୍ଧ ମୁଁ ସବୁ ଲେଖେ । କିନ୍ତୁ କବିତା ହିଁ ସମସ୍ତ ଲେଖକ ଲେଖିକାଙ୍କର ପ୍ରଥମ ପ୍ରେମ ବୋଲି ମୁଁ ବିଚାର କରେ । କବିତାରେ ହୁଏତ ଅଳ୍ପ ଶବ୍ଦରେ ମନର ଅନେକ କିଛି ଆବେଗକୁ ବ୍ୟାଖ୍ୟା କରାଯାଇପାରେ, ତେଣୁ କବିତାର ପାଠକ ସଂଖ୍ୟା ଅଧିକ ବୋଲି ମୋର ଅନୁମାନ ମଧ୍ୟ । ୭ ଟି ଗଳ୍ପ ସଂକଳନ, ୨ ଟି କବିତା ସଂକଳନ, ଗୋଟିଏ ଇଂରାଜୀ ଅନୁବାଦ ସମେତ ୨ ଟି ଉପନ୍ୟାସ ପୁସ୍ତକ ଏଯାବତ ପ୍ରକାଶିତ ହୋଇସାରିଛି । ‘ନୀରବ ମୂହୁର୍ତ୍ତ’ ମୋର ପ୍ରଥମ କବିତା ବହି ସତ୍ତ୍ୱେ କିଛି ପାଠକ ଗୋଷ୍ଠୀ ମୋ ଗପକୁ ଅପେକ୍ଷା କରିଥାନ୍ତି । ଗପଟେ ପ୍ରକାଶିତ ହେଲେ ଅନେକ ଟେଲିଫୋନ ଓ ବାର୍ତ୍ତା ମୁଁ ଗ୍ରହଣ କରେ । ଏତିକି ହିଁ ମୋ ଲେଖିବାର ସ୍ଵୀକୃତି । ଜାହ୍ନବୀ ଯୁବ ସମ୍ଭାବନା, କଳିଙ୍ଗ ସାହିତ୍ୟ ମହୋତ୍ସବ ଯୁବ ସମ୍ମାନଠୁ ଆରମ୍ଭ କରି ପଲ୍ଲବନ ଶବ୍ଦ ସମ୍ମାନ, ସିନ୍ଧୁଜା ସାରସ୍ଵତ ସମ୍ମାନ ଭଳି ଅନେକ ପୁରସ୍କାର, ସମ୍ମାନ ମିଳିଛି ସତ ହେଲେ ଏସବୁ କେବଳ ସାମାଜିକ ସ୍ଵୀକୃତି ଦିଏ । କିନ୍ତୁ ପାଠକଙ୍କ ନିଚ୍ଛକ ଭଲପାଇବା ଆଗରେ ତା’ର ମୂଲ୍ୟ କିଛି ମାତ୍ରାରେ କମ୍ ହିଁ ଜଣାପଡ଼େ । ନିଜ ଚାରିପଟେ ଘଟୁଥିବା ଚିତ୍ର ଓ ଚରିତ୍ରକୁ କାଗଜରେ ଶବ୍ଦର ରୂପ ଦେଇ ଉତାରି ପାରିଲେ ହିଁ ମୁଁ ଆଶ୍ଵସ୍ତ ହୁଏ । କଲମଠାରୁ ଶକ୍ତିଶାଳୀ ଅସ୍ତ୍ର ପାଇନି ବୋଲି ହିଁ ମୁଁ ଲେଖୁଛି ।
୧ -ଆପଣଙ୍କ ସାରସ୍ଵତ ଜୀବନର କୌଣସି ଏକ ନିର୍ଦ୍ଦିଷ୍ଟ ଠିକଣା ଅଛି କି ?
ଯଦିଓ ବୃତ୍ତିରେ ମୁଁ ଜଣେ ଅଧ୍ୟାପିକା ତେବେ କେବେ ବି ସର୍ଜନାର ପରିବ୍ୟାପ୍ତିକୁ କୌଣସି ସୀମିତତା ଭିତରେ ବାନ୍ଧି ରଖିନି । ସାହିତ୍ୟର ପ୍ରଶସ୍ତି ଭିତରେ ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ପରିଧିରେ ବାନ୍ଧି ହୋଇ ରହିବାକୁ ଚାହେଁନା । କେବେ କବିତାର ମୂର୍ଚ୍ଛନାରେ, କେବେ ଗଳ୍ପରେ ତ କେବେ ଉପନ୍ୟାସର ଚରିତ୍ର ସବୁ ଭିତରେ ବଞ୍ଚେ । ଆଗାମୀ ଦିନରେ ଯଦି ଅନ୍ୟ କିଛି ବିଭାଗ ଯେମିତି ଅନୁବାଦ, ଶିଶୁ ସାହିତ୍ୟ, ପ୍ରବନ୍ଧ ଏସବୁ ମୋ ଦ୍ଵାରା ହୋଇପାରିବ, ତେବେ ନିଶ୍ଚୟ ସେହି ଦିଗରେ ମଧ୍ୟ କାମ କରିବି । ସାହିତ୍ୟରେ ମୁଁ ମାତ୍ର ଲେଖକୀୟ ପରିଚୟଟିଏ ନେଇ ସର୍ଜନା କରିବାକୁ ଚାହେଁ ।
୨ -ସାହିତ୍ୟ ସର୍ଜନା ପାଇଁ ଆପଣ କେଉଁଠୁ ପ୍ରେରଣା ସାଉଣ୍ଟନ୍ତି ?
ମୋ ଚାରିପଟେ ଘଟୁଥିବା ନିତି ପ୍ରତିଦିନର ଘଟଣା ହିଁ ବିଶେଷ ଭାବରେ ଲେଖାଲେଖି ପାଇଁ ମୋତେ ପ୍ରେରଣା ଯୋଗାଏ ।
୩ -ଲେଖକୀୟ ସ୍ୱୀକୃତି ପାଇଁ ପୁରସ୍କାର ହେଉ ଅବା ସମ୍ବର୍ଦ୍ଧନା କେତେ ଜରୁରୀ ବୋଲି ଆପଣ ମନେକରନ୍ତି ?
ଯଦି ଛୋଟ ପିଲାଟିଏ ଭଲ କାମ କଲାପରେ ଚକୋଲେଟ୍ ପାଇଁ ଅପେକ୍ଷା ରଖୁଛି ଓ ପାଇଲେ ଖୁସି ହେଉଛି ସେମିତି ପୁରସ୍କାର ହେଉ ଅବା ପାଠକୀୟ ସ୍ଵୀକୃତି, ସର୍ଜନାମନସ୍କ ହେବା ପାଇଁ ନିଶ୍ଚିତ ରୂପେ ଏକ ଇନ୍ଧନ ।
୪ -ଆପଣଙ୍କ ଗଳ୍ପରେ କେଉଁମାନେ ଚରିତ୍ର ହୁଅନ୍ତି ଓ କାହିଁକି ?
ମୋ ଗଳ୍ପରେ ଚରିତ୍ର ସବୁ ନିଜେ ନିଜର ସ୍ଵତନ୍ତ୍ର ସ୍ଥାନ ଆବୋରି ନିଅନ୍ତି । ମୋ ଅବଚେତନରେ ହେଉ ଅବା ଅତୀତ ଓ ବର୍ତ୍ତମାନର ଆଖି ଆଗରେ ଥିବା କିଛି କିଛି ଚରିତ୍ର, ସ୍ଵତଃ ଧସେଇ ପଶିଆସନ୍ତି ଗପର ପରିଧି ଭିତରକୁ । ବହୁତଥର ତ ମୁଁ ଏକ ଗ୍ଳାନିବୋଧରେ ବଞ୍ଚେ ! ଆଶଙ୍କା କରେ କାଳେ ମୁଁ ସମସ୍ତ ଚରିତ୍ରମାନଙ୍କୁ ନ୍ୟାୟ ପ୍ରଦାନ କରିପାରି ନାହିଁ । ତାହା ମୋତେ ମୋର ପରବର୍ତ୍ତୀ ଗଳ୍ପ ଲିଖନ ପାଇଁ ହାତ ଧରି ଟାଣିନିଏ ।
୫ -କବିତା, ଗଳ୍ପ ଏବଂ ଉପନ୍ୟାସ ଭିତରେ ଆପଣ କେଉଁ ବିଭାଗରେ ନିଜକୁ ସହଜ ମଣନ୍ତି ?
ଆଗରୁ ଯେମିତି କହିଛି, ସାହିତ୍ୟର କୌଣସି ଗୋଟିଏ ବିଭାଗରେ ଆବଦ୍ଧ ହେବା ପାଇଁ ମୁଁ ଚାହେଁନି । କାରଣ କିଛି ଭାବାବେଗ ଗପ ଓ ଉପନ୍ୟାସର ରୂପ ନେଲାବେଳେ କିଛି ଆବେଗକୁ କମ୍ ଶବ୍ଦରେ କବିତା ମାଧ୍ୟମରେ ପ୍ରତିପାଦନ କରେ । ଯେମିତି ଜଣେ ମାଆ ନିଜ ପିଲାଙ୍କ ଭିତରେ ପାର୍ଥକ୍ୟ ବାରି ପାରେନା, ଠିକ ସେହିପରି ମୁଁ ମଧ୍ୟ ମୋ ଲେଖାକୁ ନେଇ ଖୁବ୍ ସମ୍ବେଦନଶୀଳ ।
୬ -ସମୟ ଭଳି ସାହିତ୍ୟ ବି କଣ ପରିବର୍ତ୍ତନଶୀଳ ?
ନିଶ୍ଚିତ ରୂପେ । ସମୟ ସହ ସମାଜ ଯେତେବେଳେ ବଦଳୁଛି, ତା’ସହ ବଦଳୁଛି ଜୀବନବୋଧ ଓ ଶୈଳୀ । ଫକୀରମୋହନ, ପ୍ରେମଚାନ୍ଦଙ୍କ ଯୁଗରେ ସାମାଜିକ ପରିସ୍ଥିତି ଯାହା ଥିଲା ସେଇ ସମୟର ସାହିତ୍ୟରେ ତାହା ପ୍ରତିଫଳିତ ହେଉଥିଲା । ଏବେ କିନ୍ତୁ ଭିନ୍ନ ସ୍ଵାଦର ଲେଖା ଦେଖିବାକୁ ମିଳୁଛି ।
୭ -ପୁରୁଷକୁ ନେଇ ଆପଣଙ୍କ ବିଚାର କଣ ? ଆପଣ ଜଣେ ଲେଖିକା ହେବା ସତ୍ତ୍ୱେ ସାହିତ୍ୟରେ ଜଣେ ପୁରୁଷର ବୈଶିଷ୍ଟ୍ୟତା କେତେ, ସହଭାଗୀତା କେତେ ?
ସାହିତ୍ୟ – ସତ୍ୟ, ଶିବ ଓ ସୁନ୍ଦର । ନାରୀ ଓ ପୁରୁଷ ସମାଜର ଦୁଇଟି ପ୍ରମୁଖ ଧାରା । ଜଣକୁ ଛାଡ଼ି କ’ଣ ଆଗେଇ ହେବ ? ଯେତେବେଳେ ମୁଁ ଲେଖେ, ସେତେବେଳେ ମୁଁ ପୁରୁଷ କିମ୍ବା ନାରୀଟିଏ ହୋଇ ଲେଖେନି ବରଂ ଜଣେ ସ୍ରଷ୍ଟା ହୋଇ ଲେଖେ ।
୮-ଅଧୁନା ସାହିତ୍ୟର ପୋଷଣ ଓ ଉତ୍କର୍ଷ ପାଇଁ ଯୁବ ସାହିତ୍ୟିକମାନେ କେତେଦୂର ପ୍ରତିଜ୍ଞାବଦ୍ଧ ?
ବର୍ତ୍ତମାନ ସାହିତ୍ୟରେ ଯୁବ ସାହିତ୍ୟିକମାନଙ୍କ ପାଇଁ ଅନେକ ସୁଯୋଗ ଦେଖିବାକୁ ମିଳୁଛି । କିନ୍ତୁ ନିଜର ଦାୟିତ୍ୱସମ୍ପର୍ଣ୍ଣତା ଓ ପ୍ରତିଜ୍ଞାବଦ୍ଧତା ହିଁ ଆଗାମୀ ଦିନରେ ସେମାନଙ୍କୁ ପ୍ରତିଷ୍ଠିତ କରାଇବ । ନିଜ ସ୍ଵାର୍ଥ ବ୍ୟତିରେକ ସର୍ଜନାକୁ ଏକ ସାମାଜିକ ଦାୟିତ୍ଵ ଭାବରେ ତୁଲାଇବା ପାଇଁ ଯୁବପିଢି ପ୍ରତିଜ୍ଞାବଦ୍ଧ ହେବା ଉଚିତ ।