ମରିବାକୁ ମୋର ବେଳ ନାହିଁ

ସୁନନ୍ଦା ବି ମହାପାତ୍ର

ଆକାଶେ ଉଡୁଛି ଆଜି
ମାଟିରେ ଗଡୁଛି,
ସାଗରେ ବୁଡୁଛି କେବେ
ପବନେ ଦୋଳୁଛି,
ଜାଣି ମୁଁ ପାରୁନି ଆଜି
କେତେ ଅଛି କେତେ
ମୋ ହଜିଛି !
ଜୀବନର ଫୁଲ ଡାଳେ
ପାଖୁଡା ନଥିବା ଫୁଲ,
କେଜାଣି କାହିଁକି ଆଜି
ଉଲ୍ଲସି ଉଠୁଛି !

ବିଳମ୍ବରେ ମଳୟ ବହିଛି ଆଜି
ବିଳମ୍ବରେ ବସନ୍ତ ଆସିଛି,
ବିଳମ୍ବରେ ଏ ଆଖି ହସିଛି ଆଜି
ବିଳମ୍ବରେ ଏ ଓଠ କମ୍ପିଛି !
ବିଳମ୍ବରେ ନିଜକୁ ପାଇଛି ଖୋଜି
ନିଜ ପାପୁଲିରେ,
ବିଳମ୍ବରେ ମୃତ୍ୟୁ ଫେରିଯାଏ !

ଫେରିଯାଅ ମୃତ୍ୟୁ ତୁମେ
ମୋ’ ପାଚେରୀ ଡେଇଁ,
ଫେରିଯାଅ…ଫେରିଯାଅ
ମରିବାକୁ ମୋର ବେଳ ନାହିଁ,

ବସନ୍ତ ଆସିଛି ଆଜି
ଦିଗନ୍ତ ହସାଇ
ଦିକ୍ ଦିଗନ୍ତ ହସାଇ !
କିନ୍ତୁ ହେ ବସନ୍ତ !
ସତେ କ’ଣ ବାରମାସ
ତୁମେ ମୋତେ ଛାଡ଼ିଯିବ ନାହିଁ ?

ମୋ’ ଗଳିରେ ସତେ କ’ଣ
ବାରମାସ ମଳୟ ବହିବ ?
ମୋ ଓଠରେ ସତେକ’ଣ
ବାରମାସ ଚମ୍ପା ମୁକୁଳିବ ?
ମୋ’ ଛାତିରେ ପୁଣି କ’ଣ
ବାରମାସ ଅଭିଷେକ ହେବ ?
ସତେ କ’ଣ ବାରମାସ
ଏ ଜୀବନେ ଏ ଆଖିରୁ
ଦୁଃଖର ପରଦା ଖୋଲିବ ??

ବାଙ୍ଗାଲୋର, ମୋବାଇଲ – ୭୦୦୮୫୧୩୯୧୩

ଲେଖକ ପରିଚୟ

ମାତ୍ର ନଅବର୍ଷ ବୟସରୁ ସାହିତ୍ୟ ପ୍ରତି ରୁଚି ରଖିଥିବା ସୁନନ୍ଦା ବି ମହାପାତ୍ର ଉଭୟ ଓଡ଼ିଆ ଗଳ୍ପ ଓ କବିତାର ଏକ ପରିପକ୍ୱ ଓ ଶାଣିତ ସ୍ଵର । ତା’ଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ ‘ଝଞ୍ଜାବର୍ତ୍ତ’ । ନୂଆ ମାନସିକତାର ଅନ୍ତର୍ଗମନ ତା’ଙ୍କ ଗଳ୍ପ ସୃଷ୍ଟିର ଏକ ବିଭାସିତ ଦିଗ ।

Related Posts

Leave a Reply

Your email address will not be published. Required fields are marked *