ଶିବାଶିଷ ପାଢ଼ୀ
“ପୁଅଟି ବାପାମାଙ୍କ ଏକମାତ୍ର ସନ୍ତାନ ହୋଇଥିବ ଓ ବାହାରେ ଚାକିରି କରୁଥିବ !”
ମାଝିଅଙ୍କ ଏଇ ସର୍ତ୍ତକୁ ନେଇ ପୁଅ ଖୋଜା ଚାଲିଥିଲା । ନିଜର ଏକମାତ୍ର ଝିଅ ସୋମା ପାଇଁ ଉପଯୁକ୍ତ ପାତ୍ର ଖୋଜୁଥିଲେ ସୁଶାନ୍ତବାବୁ । ତାଙ୍କୁ ଆଉ ଫୁରସତ ନଥିଲା । ରାଉରକେଲାଠୁ ନେଇ ବାରିପଦା ଯାଏଁ ଲୋକ ଲଗେଇ ଥିଲେ ସେ । ଓ.ପି.ସି.ସିର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଉଚ୍ଚପଦରେ କାର୍ଯ୍ୟରତ ସୁଶାନ୍ତବାବୁଙ୍କ ଚାକିରି ଆଉ ମାତ୍ର ଆଠମାସ ରହିଲା । ସେ ଚାହୁଁଥିଲେ ତାଙ୍କ ଚାକିରି ଥାଉଥାଉ ହିଁ ସୋମାର ବାହାଘରଟା ସାରିଦେବେ । କାରଣ ପଦ ଅଛି ମାନେ ଅନେକ ଲୋକ ଅଛନ୍ତି । ସାହାଯ୍ୟ ସହଯୋଗ ଅଛି ଯାହା ଅବସର ପରେ ମିଳିବା ମୁସ୍କିଲ ।
ସୋମାକୁ ବି ବାଇଶ ପୁରି ତେଇଶି ଚାଲିଲାଣି । କିନ୍ତୁ ବାହାଘର କଥା କହୁକହୁ ସୁନନ୍ଦା ଓ ସୋମା ନିଜ ସର୍ତ୍ତକୁ ମନେପକେଇ ଦିଅନ୍ତି ଯାହା ତାଙ୍କୁ ବ୍ୟତିବ୍ୟସ୍ତ କରେ ଥରେଥରେ । ସେ ବି ଚିନ୍ତା କରନ୍ତି ସେମାନେ ବି ଠିକ କହୁଛନ୍ତି ଓ ସେ ବି ଜାଣିଛନ୍ତି ଷ୍ଟାଣ୍ଡାର୍ଡ ଛଅରୁ ହଷ୍ଟେଲରେ ରହି ଆସିଥିବା ସୋମା ଆଜିପର୍ଯ୍ୟନ୍ତ କପେ ଚା’ ବି ନିଜ ହାତରେ କରି ଜାଣିନି । ସେଥିପାଇଁ ସୁନନ୍ଦାଙ୍କୁ ଦୋଷ ଦିଅନ୍ତି ସେ । ହେଲେ ସୁନନ୍ଦା କହନ୍ତି-
“ବର୍ଷ ସାରା ତ ହଷ୍ଟେଲରେ କଡ଼ା ଶୃଙ୍ଖଳାରେ ରହୁଛି ଅନ୍ତତଃ କିଛିଦିନ ତ ତା’ ମନଇଛାରେ ରହୁ । ଆଉ କାମରେ କ’ଣ ଅଛି ଯେ, ମୁଣ୍ଡ ଉପରେ ପଡ଼ିଲେ ବଳେ ଜାଣିଯିବ । ତାପରେ ସୋମାର ଏତେ ପାଠ କ’ଣ ବେକାର ଯିବ କି ? ଇୟେ ତ ଚାକିରି କରିବ । ଆଜି ନହେଲେ କାଲି”
“ଚାକିରି କଲେ ବି ତ ଘରକାମକୁ କରିବାକୁ ପଡ଼ିବ ?” ସୁଶାନ୍ତବାବୁଙ୍କ କଥାକୁ କିନ୍ତୁ ଶୁଣନ୍ତି ନାହିଁ ସେ ବରଂ
“ଛୋଟ ପରିବାର ଦେଖ, ଦରକାର ହେଲେ ଆମେ ଚାକରାଣୀ ବ୍ୟବସ୍ଥା କରିବା” ବୋଲି କହନ୍ତି ସୁନନ୍ଦା ।
ସେଦିନ ଖୁବ ଖୁସି ଥିଲେ ସୁଶାନ୍ତବାବୁ । ସାରା ଓଡ଼ିଶାକୁ ଏକ କରି ଦେଇ ସେ ଚଳେଇଥିବା ମନଲାଖି ପାତ୍ରର ଅନୁସନ୍ଧାନ ଯେ ଏତେ ନିକଟରେ ଶେଷ ହେବ ଏକଥା କିଏ ଜାଣିଥିଲା ? ବିରାଜ ରୂପରେ ସମ୍ପୂର୍ଣ ମନଲାଖି ପାତ୍ର ମିଳିଥିଲା ଘରଠୁ ମାତ୍ର ତିନିଶହ ମିଟର ଗଜପତି ନଗରରେ । ଅବସରପ୍ରାପ୍ତ ଅଧ୍ୟାପକ ମଳୟବାବୁ ଓ ରମାଦେବୀରେ ପ୍ରାଧ୍ୟାପିକା ରୂପେ କାର୍ଯ୍ୟରତ କଲ୍ୟାଣୀଦେବୀଙ୍କ ଏକ ମାତ୍ର ପୁତ୍ର ବିରାଜ । ଏମ.ସି.ଏ. ପରେ ବାଙ୍ଗାଲୋରର ଏକ କମ୍ପାନୀରେ ବରିଷ୍ଠ ମ୍ୟାନେଜର । ପ୍ରସ୍ତାବ ଆଣିଥିଲେ ବନ୍ଧୁ ଅଧ୍ୟାପକ ବିକ୍ରମବାବୁ । ତା’ ସହ ବିରାଜକୁ ବି ଭେଟିଥିଲେ ସୁଶାନ୍ତବାବୁ । ପ୍ରଥମ ଦେଖାରେ ନିଷ୍ପତ୍ତି ନେଇ ଯାଇଥିଲେ ସେ । ବନ୍ଧୁ ବିକ୍ରମ କହିଥିଲେ-
“ବାହା ପରେ ସୋମା ସାଙ୍ଗେସାଙ୍ଗେ ବାଙ୍ଗାଲୋର ପଳେଇବ ଆଉ କି ଚିନ୍ତା”
କଥାଟି କିନ୍ତୁ ଶୁଣୁଶୁଣୁ ମନା କରି ଦେଇଥିଲା ସୋମା । କାରଣ କଲ୍ୟାଣୀଦେବୀଙ୍କ ବିଷୟରେ ସେ ଆଗରୁ ଜାଣିଥିଲା ଓ ଖୁବ ଶୁଣିଥିଲା ତାଙ୍କ ପୂର୍ବତନ ଛାତ୍ରୀ ତଥା ସାଙ୍ଗ ସୁଲଗ୍ନା ଠାରୁ । ଜଣେ ଅତ୍ୟନ୍ତ ଶୃଙ୍ଖଳାପ୍ରିୟ ତଥା କଠୋର ଶିକ୍ଷକ ଭାବେ ପରିଚିତ ଥିଲେ ସେ । ଝିଅ ଦେଖିବା ପାଇଁ ଆସିଥିବାବେଳେ ବେଶ କିଛି ସମୟ ସୋମା ସହ କଟେଇ ଥିଲେ । କିନ୍ତୁ ତାଙ୍କ ଗାମ୍ଭିର୍ଯ୍ୟପୂର୍ଣ୍ଣ ଚେହେରା ଦେଖି ଡରି ଯାଇଥିଲା ସୋମା । ମନା କରିଦେଲା ବାହାହେବା ପାଇଁ । ସୁଶାନ୍ତବାବୁ ଅନୁରୋଧ କରିଥିଲେ ସୋମାକୁ । କହିଥିଲେ-
“ମା ତୁ ତ କଲ୍ୟାଣୀଦେବୀଙ୍କୁ ବାହା ହେବୁନି । ବାହା ହେବୁ ବିରାଜକୁ । ଥରେ ତା ସହ କଥାବାର୍ତ୍ତା ତ କର । ପସନ୍ଦ ନହେଲେ ଦେଖିବା ।“
ବାପାଙ୍କ ଅନୁରୋଧ ରକ୍ଷା କରି ବିରାଜକୁ ଭେଟିଥିଲା ସୋମା । ସେଇ ଥରକ ଦେଖାରେ ମନ ଜିଣି ନେଇଥିଲେ ବିରାଜ । ପ୍ରାୟ ଦୁଇମାସ ପରେ ବାହାଘର ହୋଇଥିଲା । ବାହାଘର ପରେ ପ୍ରାୟ ଦଶ ଦିନ ରହି ବାଙ୍ଗାଲୋର ଉଡ଼ି ଯାଇଥିଲେ ସେମାନେ । ଏକ ବାଧ୍ୟ୍ୟ ଛାତ୍ରୀ ପରି କଲ୍ୟାଣୀ ଦେବୀଙ୍କ ସାମ୍ନାରେ ଯାହାତାହା କରି କଟେଇ ଦେଇଥିଲା ଦଶଦିନ ସିନା ହେଲେ ତାଙ୍କ ସହ କଥାହେବା ପାଇଁ ଭୀଷଣ ଡରୁଥିଲା ସେ ।
ଘରେ ଆଜିପର୍ଯ୍ୟନ୍ତ କିଛି କରି ନଥିଲେ ବି ବାଙ୍ଗାଲୋର ଘରଟିକୁ ବହୁତ ସୁନ୍ଦର ଭାବେ ସମ୍ଭାଳି ନେଉଥିଲା ସୋମା । ବିରାଜଙ୍କୁ ସେ ଯେତିକି ଅଧିକ ଜାଣୁଥିଲା ତାର ଭଲପାଇବା ସେତିକି ବଢ଼ି ଚାଲିଥିଲା । କର୍ପୋରେଟ ଚାକିରିର କାର୍ଯ୍ୟଚାପରେ ଅନ୍ୟଦିନେ ସମୟ ମିଳୁ ନଥିଲେ ବି ରବିବାରକୁ ମନଭରି ଉପଭୋଗ କରୁଥିଲେ ସେମାନେ । ମୋଟାମୋଟି ଭାରି ଖୁସି ଥିଲା ସୋମା । ଖୁସି ଥିଲେ ସୁଶାନ୍ତବାବୁ ଓ ସୁନନ୍ଦା ମଧ୍ୟ୍ୟ ।
ବାଙ୍ଗାଲୋରରେ ନିଜ ପାଇଁ ଚାକିରି ଖୋଜୁଥିବା ସୋମାକୁ ସେଦିନ ଚମକାଇ ଦେଇଥିଲେ ବିରାଜ । ଭାରି ଖୁସିଥିଲେ ସେ । ଅଫିସରୁ ଫେରି ତାକୁ ଉଠାଇ ବେଶ କିଛି ଘେରା ବୁଲାଇ କହିଥିଲେ-
“ତୁମେ ମୋ ପାଇଁ ସୌଭାଗ୍ୟ ନେଇ କି ଆସିଛ ସୋମା । ଜାଣିଛ ଆଜି ମୋତେ ଟି.ସି.ଏସ ଜବ୍ ଅଫର୍ କରିଛି । ବର୍ଷେ ତଳୁ କଥାବାର୍ତ୍ତା ହେଉଥିଲି କିନ୍ତୁ ଏବେ ଯାଇ କଥା ଛିଡ଼ିଛି । ଏବେ ଆମେ ଭୁବନେଶ୍ୱର ଫେରିଯିବା । ଅବଶ୍ୟ ମୁମ୍ବାଇ ଗଲେ ବି ହେବ । ନିଷ୍ପତ୍ତି ନେବା ପାଇଁ ବି ମାସେ ସମୟ ଅଛି । ମୁଁ ଆଜି କମ୍ପାନୀରୁ ରିଜାଇନ୍ କରି କି ଆସିଲି । ଦିନେ ଦୁଇଦିନ ଭିତରେ ଗ୍ରହଣ ହୋଇଯିବ । ତା’ପରେ ଭୁବନେଶ୍ୱର ଫେରି ନିଷ୍ପତ୍ତି ନେବା । ପ୍ୟାକିଂ ପାଇଁ ଚିନ୍ତା କରନି । ମୁଁ ପ୍ୟାକର୍ସ ଓ ମୁଭର୍ସ ସହ କଥା ହୋଇଛି । ସେମାନେ ସବୁ ବୁଝିବେ ।“
ଏକା ନିଶ୍ୱାସରେ ଏତକ କହି ନିଜ ଲ୍ୟାପଟପରେ ମା’କୁ କଲ୍ କରୁଥିଲେ ବିରାଜ । ସୋମା ମୁଣ୍ଡରେ ଯେମିତି ଚଡ଼କ ପଡ଼ିଥିଲା । ଭୁବନେଶ୍ୱର ଅପେକ୍ଷା ମୁମ୍ବାଇ ହିଁ ଉଚିତ ହେବ ଏ କଥାଟି ବାରମ୍ବାର ବୁଝାଉଥିଲା ସେ । କିନ୍ତୁ ଦେଖିବାଦେଖିବା କହି କଥାକୁ ଏତେ ଗୁରୁତ୍ୱ ଦେଇନଥିଲେ ବିରାଜ ।
ପ୍ରାୟ ସପ୍ତାହେ ପରେ ଭୁବନେଶ୍ୱର ଫେରି ଆସିଥିଲେ ସେମାନେ । ଭାରି ଖୁସି ହୋଇଥିଲେ ଶାଶୂଶ୍ଵଶୁର କିନ୍ତୁ ବହୁତ ଦୁଃଖିତ ଥିଲା ସୋମା । ଶ୍ଵଶୁର ତ ତାକୁ ବନ୍ଧୁ ବନେଇ ସାରିଥିଲେ । ମା’ ମା’ କହି ତାକୁ ବାପାଠୁ ବଳି ସ୍ନେହ ଦେଉଥିଲେ । କିନ୍ତୁ କଲ୍ୟାଣୀଦେବୀଙ୍କୁ ବହୁତ ଭୟ ଲାଗୁଥିଲା ତାକୁ । ଘରେ ସେ ପ୍ରାଧ୍ୟାପିକାର ଗାମ୍ଭିର୍ଯ୍ୟ ନଥିଲା କି କଠୋରତା ନଥିଲା କିନ୍ତୁ ସବୁକଥାରେ ଅନୁଶାସନକୁ ଗୁରୁତ୍ୱ ଦେଉଥିଲେ ସେ । ମାପିଚୁପି କଥା କହୁଥିଲେ । ତାଙ୍କ ସହ ମୁହାଁମୁହିଁ ହେଲେ ଘାବରେଇ ଯାଉଥିଲା ସୋମା ।
ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଶ୍ଵଶୁର ଦିଲ୍ଳୀ ଯାଇଥିଲେ । କଲ୍ୟାଣୀଦେବୀଙ୍କର ବି ଦେହ ସାମାନ୍ୟ ଖରାପ ଥିଲା । ଏଇ ଆସୁଛୁ କହି ମାର୍କେଟିଂ କରିବାକୁ ଯାଇଥିଲେ ସୋମା ଓ ବିରାଜ । ବିଗ୍ ବଜାରରେ ଭେଟ ହୋଇଥିଲେ ବିରାଜଙ୍କ ବନ୍ଧୁ ଅରିନ୍ଦମ ଓ ତାଙ୍କ ପତ୍ନୀ ସିପ୍ରା । ସେଇଠି ହିଁ ଯୋଜନା ହୋଇଥିଲା ଓ ସମସ୍ତେ ଯାଇଥିଲେ କେଶରୀକୁ ମୁଭି ଦେଖିବା ପାଇଁ ।
ମୁଭି ଦେଖା, ଖୁଆପିଆ, ବୁଲାବୁଲି କରି ଘରକୁ ଫେରୁଫେରୁ ରାତି ଏଗାରଟା ।
“ମା କଥା ଚିନ୍ତା କରନି” ବିରାଜ ବାରମ୍ବାର କହିଥିଲେ ବି ବହୁତ ଭୟ ଲାଗୁଥିଲା ସୋମାକୁ ।
ଘରେ ପହଞ୍ଚି ଦେଖିଥିଲା ବେଶ ସ୍ୱାଭାବିକ ଥିଲେ କଲ୍ୟାଣୀ ଦେବୀ କିନ୍ତୁ କିଛି କହିନଥିଲେ । ଭାବିଲା ସକାଳେ ହିଁ କହିବେ ନିଶ୍ଚୟ ! ଚୁପଚାପ ନିଜ ରୁମକୁ ଚାଲିଆସିଲା ସେ ।
ସବୁଦିନ ଭଳି ଠିକ୍ ଆଠଟାରେ ଜଳଖିଆ ଟେବୁଲକୁ ଆସିଥିଲେ କଲ୍ୟାଣୀଦେବୀ । ତାକୁ ଦେଖି ଅଳ୍ପ ହସି ପଚାରିଲେ-
“କାଲି କୁଆଡ଼େ କୁଆଡ଼େ ଯାଇଥିଲ ?”
ସୋମାର ଉତ୍ତରକୁ ଅପେକ୍ଷା ନକରି ପୁଣି କହିଥିଲେ-
“ବିରାଜ ଏବେ ଫ୍ରି ଅଛି ସେଥିପାଇଁ ମୁଁ ଟିକେଟ କରି ଦେଇଛି । ତୁମେ ଯାଅ ଦଶ ଦିନ ପାଇଁ ସ୍ୱିଜରଲ୍ୟାଣ୍ଡ ବୁଲି ଆସିବ । ଏବେ ତ ତୁମର ବୁଲିବା ସମୟ । ବିରାଜ କିନ୍ତୁ ବୁଲିବାକୁ ଏତେ ପସନ୍ଦ କରେନି । ଛୋଟବେଳୁ କେବଳ ପାଠପାଠ ଆଉ ତାପରେ ଏବେ ତ ଦେଖୁଚୁ । ତା ପାଇଁ ପ୍ରଥମେ ଅଫିସ । ଆର ମାସକୁ ଜଏନ୍ କଲେ ଆଉ ସମୟ ମିଳିବନି । ଏଇଟା ମୋ ତରଫରୁ ତୁମ ବିବାହ ଉପହାର”
“ଥ୍ୟାଙ୍କ ୟୁ ମମି” ବହୁ କଷ୍ଟରେ କହିଥିଲା ସୋମା ।
ନିଜ ସ୍ଥାନରୁ ଉଠି ଆସିଲେ କଲ୍ୟାଣୀଦେବୀ ହସିହସି କହିଲେ-
“ମା’କୁ କଣ ଧନ୍ୟବାଦ ଦିଆଯାଏ ! ଆଉ ଏ ମମିଫମୀ ନାଇଁ ମା’ ହିଁ କହିବୁ । ଏବେ ତୁ ପରା ମୋ ଝିଅ । ମୋ ବନ୍ଧୁ । ମୋ ମା’ ।“
କଲେଜ ଟାଇମ ହୋଇଯାଇଥିଲା । ତରତର ହୋଇ ବାହାରି ଗଲେ ସେ । କେଉଁଠି ଛପିକି ସବୁ ଶୁଣୁଥିଲେ ବିରାଜ ହଠାତ ପଛପଟୁ ଆସି କୁଣ୍ଡାଇ ଧରି କାନପାଖରେ କହିଥିଲେ-
“ଏବେ ଫାଇନାଲ ଫୋନ କରିବାର ଅଛି । କୁହ କେଉଁ ଜାଗା କହିବି ? ଭୁବନେଶ୍ୱର ନା ମୁମ୍ବାଇ ?”
“ତୁମେ କ’ଣ ଭାବୁଛ ମିଷ୍ଟର” ଦୁଷ୍ଟାମୀରେ କହିଥିଲା ସୋମା ।
“ମୁଁ ତ ମୁମ୍ବାଇ ଭାବୁଛି” ସେ ବି ହାଲୁକା ଭାବେ କହିଥିଲେ ।
ନିଜକୁ ବିରାଜଙ୍କ ବାହୁ ବନ୍ଧନରୁ ମୁକ୍ତ କରି ସୋଫାରେ ବସି ପଡ଼ିଲା ସୋମା । ହସିହସି କହିଲା-
“ତା ହେଲେ ତୁମେ ଏକା ଯିବ । ମୋର ଏଠି ଦୁଇ ଦୁଇଟି ମା’ବାପା । ତାଙ୍କୁ ଛାଡି ମୁଁ ଯିବିନି ।”
“ତା ହେଲେ ତ ମୁଁ ବି ଯିବିନି ତୁମକୁ ଛାଡ଼ି ।“ କହି ଆହୁରି ପାଖକୁ ଆସି ଯାଉଥିଲେ ବିରାଜ ।
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!