ଶିବାଶିଷ ପାଢ଼ୀ
ଗଭୀର ଜଳର ମାଛ
@ଶିବାଶିଷ ପାଢ଼ୀ
ଖବରଟି ପାଇଲାବେଳଠୁ ଅସ୍ଥିର ହେଉଥିଲା ମନ । ଇଛା ହେଉଥିଲା ସାଙ୍ଗେସାଙ୍ଗ ପହଞ୍ଚି ଯାଆନ୍ତି ଘରେ । ଜୀବନର ସର୍ବଶ୍ରେଷ୍ଠ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ନିଜସ୍ୱ ଢଙ୍ଗରେ ଜିଉଁଥିଲେ ବି ଏଇ ଛଅ ମାସ ଭିତରେ ଏମିତି ଦିନଟିଏ ବି ନଥିଲା ଯେଉଁଦିନ ମା’କୁ ମନେପକାଇ ଥିଲା ରିକି । ଖାଲି ମନେପକାଉ ଥିଲା ସେମିତି ବି ନୁହେଁ, ବ୍ୟସ୍ତ ବି ହେଉଥିଲା । ଫୋନ ତ ନିୟମିତ ଚାଲିଥିଲା, ସେ ଭିତରୁ ଅଧିକାଂଶ ଭିଡିଓ କଲ ହିଁ ଥିଲା ।
ଘର ତ ଠିକ ସେମିତି ହିଁ ଥିଲା ଯେମିତି ମା’ ରଖି ଆସିଥିଲା ସବୁବେଳେ । ସବୁ ନିଜ ସ୍ଥାନରେ ସୁସଜ୍ଜିତ ଭାବେ । ତା’ସହ ଠିକ ସେମିତି ଥିଲା ତାର କୋଠରୀ ଆଉ ମା’ର ଚେହେରା । ସେ ଜାଣିଥିଲା ବାପା ବି ସେମିତି ହିଁ ଥିବେ । କିନ୍ତୁ ମା’ କହୁଥିଲା ବାପା ବି ବଦଳି ଯାଉଛନ୍ତି । କିନ୍ତୁ ମା’ର କଥାକୁ ଜମା ବିଶ୍ୱାସ କରୁ ନଥିଲା ରିକି । ସେ ଜାଣିଥିଲା ସୂର୍ଯ୍ୟ ପଶ୍ଚିମ ଦିଗରୁ ଉଦୟ ହେଲେ ବି ବାପା କେବେ ବଦଳିବେ ନାହିଁ । ଯେତେ କଲେ ବି ମା ଉପରେ ଅସନ୍ତୁଷ୍ଟ ହେବେ ହିଁ ହେବେ । ଯେମିତି ଏଇଟା ତାଙ୍କର ଜନ୍ମସିଦ୍ଧ ଅଧିକାର ।
କିଛି ବି କରିବେନି ଓଲଟା ସେମିତି ବସି ରହିଥିବେ ପୋର୍ଟିକୋର ସେ ବେତ ଚୌକିରେ । ଆଉ ଗାଳି କରୁଥିବେ ମା’କୁ । ଆଉ ମା’ ବି ସେ ଗାଳିକୁ ଏ କାନରେ ପୁରାଇ ସେ କାନରେ ବାହାର କରିଦେଇ ଦୌଡ଼ି ଚାଲିଥିବ ଦିନସାରା । ସେଇଥିରେ ସ୍କୁଲ ଯିବ ଆସିବ । ଘର ସାରାର କାମ କରିବ ଆଉ ଘରୁ ଅନଲାଇନ କ୍ଲାସ ବି କରିବ ।
ଥରେଥରେ ବିଦ୍ରୋହ କରିଉଠେ ରିକିର ମନ । ଇଛା ହୁଏ ବାପାଙ୍କୁ କହିଦେବ ଦୁଇଚାରି ପଦ । କିଛି ସାହାଯ୍ୟ ନକଲେ ବି ମିଠା କଥା ଦୁଇପଦ କହିବାରେ କ୍ଷତି କଣ ? ହଷ୍ଟେଲରୁ ଘରକୁ ଗଲେ ନିଜେ ଲାଗିପଡ଼େ କାମରେ । ହସିଦିଏ ମା’ ! କହେ, ଆଉ କିଛିଦିନ ପରେ ପରୀକ୍ଷା । ତୁ ପାଠରେ ଧ୍ୟାନ ଦେ’ । ତୁ ମୋ ସ୍ୱପ୍ନ ପୁରା କରିବୁ । ସମୟ ବଳୁଛି ତ ତୁ ରେଷ୍ଟ କର । ପାଠରେ ବି କ’ଣ କମ ପରିଶ୍ରମ ଲାଗୁଛି କି ?
ଏକାଏକା ଘରକୁ ମୁଣ୍ଡାଇ ଚାଲିଥାଏ ମା । ସେଇଥିପାଇଁ ବୋଧେ ମା’ର ସେହି ସ୍ଵପ୍ନ ପୂରଣ କରିପାରିଛି ସେ । ଦିଲ୍ଲୀର ଏଇ ସମ୍ମାନଜନକ ପ୍ରତିଷ୍ଠାନରେ କାର୍ଯ୍ୟରତ ରିକି । ଏବେ କେମିତି କରୁଥିବ ମା ? କେମିତି ଥିବ? ଡାକ୍ତର ବେଡ଼ ରେଷ୍ଟ କହିଛନ୍ତି ମାନେ କିଛି ତ କରିପାରୁ ନଥିବ । କେମିତି କରୁଥିବେ ବାପା ? ଏଇ କଥା ତ ପକ୍କା ଯେ ଯେମିତି ବି ଥିବ ଫୋନରେ ଯାହା ଯେମିତି ଦେଖେଇ ହେଉଛି ସେମିତି ଜମାରୁ ନଥିବ ! ଏଇଟା ମା’ମାନଙ୍କ ଗୋଟିଏ ସ୍ୱତନ୍ତ୍ର ଦକ୍ଷତା ! ନିଜେ ଯେମିତି ଥିଲେବି ବାହାରେ ଥିବା ଛୁଆଙ୍କୁ ଜାଣିବାକୁ ସୁଯୋଗ ଦିଅନ୍ତି ନାହିଁ ସେମାନେ ।
ଫୋନର ଘନଘନ ରିଙ୍ଗ ଧ୍ୟାନ ଭାଙ୍ଗିଥିଲା । ଦୌଡ଼ି ଯାଇ ଫୋନକୁ ଆଣିଥିଲା ସେ । ଫୋନ କରିଥିଲେ ସାଗର ।
କହିଲେ “ବହୁ କଷ୍ଟରେ ହେଲା କିନ୍ତୁ ହୋଇଗଲା । ମୁଁ ଅଫିସରୁ ସିଧା ବିମାନବନ୍ଦରକୁ ଯାଉଛି ତୁମେ ଶୀଘ୍ର ବାହାରିଯାଅ । ଦୁଇଟା ପନ୍ଦରରେ ଫ୍ଲାଇଟ ।“
ଘଡ଼ିକୁ ସାଙ୍ଗେସାଙ୍ଗ ନଜର ଚାଲିଗଲା ତାର । ସମୟ କମ ଥିଲା ।
“ଥାଙ୍କ ୟୁ ଥାଙ୍କ ୟୁ” ହସି ପକାଇ କହିଥିଲା ସେ । ହେଲେ ସେପଟୁ ଫୋନ କାଟି ସାରିଥିଲେ ସାଗର । ରିକି ଜାଣୁଥିଲା ସେ ଲାଗିପଡ଼ିଥିବେ ପ୍ରସ୍ତୁତିରେ । ଏକ ପରମ ସନ୍ତୁଷ୍ଟିଭାବ ଖେଳିଗଲା ତା’ ଚେହେରାରେ । ଛଅ ମାସରେ ହିଁ ସେ ଜାଣିଯାଇଥିଲା ସାଗଇଙ୍କୁ । ଆଉ ସାଗର ହିଁ ତା ପାଇଁ ଭଗବାନଙ୍କ ସର୍ବଶ୍ରେଷ୍ଠ ଉପହାର ଏ କଥା କୁ ଧୀରେଧୀରେ ହୃଦୟଙ୍ଗମ କରୁଥିଲା ସେ । ମୋବାଇଲକୁ ହାଲୁକା ଚୁମ୍ବନଟିଏ ଦେଇ ପ୍ୟାକିଙ୍ଗରେ ଲାଗିପଡ଼ିଲା ସେ ।
ପ୍ରାୟ ତିନିଘଣ୍ଟା ପରେ ଘରେ ଥିଲେ ସେମାନେ । କବାଟ ଖୋଲିଥିଲେ ନିଜେ ବାପା । ଆଶ୍ଚର୍ଯ୍ୟ ହେବା ସହ ବିରକ୍ତ ବି ହୋଇଥିଲେ । କହିଥିଲେ “ମୁଁ ଜାଣିଥିଲି ତୁ ଚାଲିଆସିବୁ ବୋଲି । ଠିକ ତ ଅଛନ୍ତି ! ସେଥିପାଇଁ ଦଶଦିନ ହେଲା କହୁ ନଥିଲି ମୁଁ !
ହେଲେ ବାପାଙ୍କ କଥାକୁ ଶୁଣୁ ନଥିଲା ରିକି । ନମସ୍କାର କରି ସିଧା ଆସିଥିଲା ମା’ ପାଖକୁ ।
ବେଡ଼ରେ ଶୋଇକି ଉପନ୍ୟାସଟିଏ ପଢୁଥିଲା ମା’ । ପାଖ ଟେବୁଲରେ ରଖା ହୋଇଥିଲା କେତେ କିସମର ଫଳ ଆଉ ତା’ ସହ ନାଲି ଚା’ କପେ ।
ତାକୁ ଦେଖି ଉଠିବସିଲା ମା’ ହେଲେ ରିକିର ଧ୍ୟାନ ସେପଟେ ନଥିଲା ସେ ତ ଦେଖୁଥିଲା ଆଗରୁ ବି ଆହୁରି ସୁନ୍ଦର ଦେଖା ଯାଉଥିବା ଘରକୁ । ସୁନ୍ଦର ଭାବେ ସଜା ହୋଇଥିବା ବହି ଥାକକୁ ! ପଚାରିଲା – “ମା ଏସବୁ ? ତୋର ବାପା ଆଉ କିଏ ? ଦଶଦିନ ହୋଇଗଲା ଏ କୋଠରୀରୁ ବାହାରିବାକୁ ଦେଇନାହାନ୍ତି ମୋତେ । ସବୁ ନିଜେ କରୁଛନ୍ତି ।“
ଆଶ୍ଚର୍ଯ୍ୟ ହେଉଥିଲା ରିକି ହେଲେ ହସୁଥିଲା ମା’ କହିଥିଲେ, “ଏ ପୁରୁଷଙ୍କୁ ବି ଜାଣିବାରେ ଜନ୍ମ ପାହିଯାଏରେ ମା’ । ଏମାନେ ଗଭୀର ଜଳର ମାଛ ମ ! ଭିତରେ ଭିତରେ ପହଁରୁଥିଲେ ବି ଉପର ପାଣି ପରି ଶାନ୍ତ ରହି ପାରନ୍ତି । ତୁ ଗଲାପରେ ତ ମୁଁ ତୋ ବାପାଙ୍କୁ ନୁଆ କରି ଜାଣୁଛି ।
ମା’ର କଥା ଚାଲିଥିଲା ସେପଟେ କିନ୍ତୁ ରିକି ପହଞ୍ଚି ସାରିଥିଲା ସୋଫା ନିକଟକୁ ଯେଉଁଠି ଚା’ ଦୁଇ କପ ଆଣି ସାଗର ସହ ଗପ ଜମାଇ ସାରିଥିଲେ ବାପା !
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!