ଦ୍ୱିତୀ ଚନ୍ଦ୍ର ସାହୁ
ଉଦୁଉଦିଆ ଖରା । ଭଦୁଅ ମାସ । ସାର ପିଇ ବିଲବାଡ଼ିରେ ଧାନ କଳା ମଚମଚ ହେଇଛି । ଆଉ କିଛି ଦିନ ଭିତରେ ଗର୍ଭ ସଂଚାର ହୋଇ ଫୁଲ ଖେଳେଇବ । ହେଲେ ବର୍ଷା ରାଣୀର ଦେଖା ନାହିଁ । ଅପେକ୍ଷା କରି କରି ହତାଶ ହୋଇଗଲେ ଚାଷୀ କୂଳ । ଜମିରେ ପାଣି ଚବର ଚବର । କୋଉଠି କୋଉଠି ମାଟିରେ ଦଉଡ଼ି ସମାନର ଫାଟ । ବିଲ ଭିତରେ ବିକଳ ଚିତ୍ର । ମାଟିରେ ଅସଂଖ୍ୟ ରେଖା ଚିତ୍ର ଭିତରେ ଜଳଜଳ ଦିଶୁଛି ଚାଷୀର ବିଡ଼ମ୍ବିତ ଭାଗ୍ୟ ରେଖା । ବିଲ ପାଣିକୁ ଆଶ୍ରା କରିଥିବା କୀଟପତଙ୍ଗ, ଜଳଚର ସବୁ କୁଆଡ଼େ ଗାୟବ । କୁଦା ମାରିଥିବା ଧାନ ଗଛ ସବୁ ମଳିନ ପଡ଼ି ଆସିଲେଣି । ଆଉ କିଛିଦିନ ଭିତରେ ବର୍ଷା ନହେଲେ ଧାନର ପତ୍ର ସବୁ ମୋଡ଼ି ହୋଇ ଶୁଖିଯିବେ । ଆକାଶକୁ ଚାହିଁ ରହିଛି ସବୁ ଚାଷୀ ପରିବାର ।
ଜମି ହେଉଛି ଅନ୍ନଦାତ୍ରୀ ମାଆ । ବର୍ଷକର ଗୁଜରାଣ ସେଥିରୁ ଚାଲେ । ଆକାଶରେ କୁହୁଳିଆ ପାଗ ହେଲେ ମନରେ ଅସମ୍ଭବ ଆଶା ଉଙ୍କି ମାରେ । କିନ୍ତୁ ମେଘ ଫାଙ୍କରୁ ସୂର୍ଯ୍ୟ ଦିଶିଲେ ପୋଷେ ରକତ ଶୁଖିଯାଏ ସମସ୍ତଙ୍କର । ପାଣି ମାଡ଼ିବାକୁ କେନାଲ ନାହିଁ । ତେଣ୍ଡାରେ କି ପମ୍ପରେ ଉଠେଇବାକୁ ବନ୍ଧବାଡ଼ରେ ବି ପାଣି ଯଥେଷ୍ଟ ନାହିଁ । ଏମିତି ଏକ ଉଦାସିଆ ଖରାବେଳିଆରେ ଖଟିଆ ଗୋଟେ ସାହି ଭିତରକୁ ପଶିଲା । ତା’ସହିତ ଶୁଭିଲା ଗୀତ । ଶୁଭୁଛି ବାଜା । ଯୁବକମାନେ ମତପୁରି ହୋଇ ନାଚୁଛନ୍ତି । ଦୁଇ ଜଣ ଗାଁ ଯୁବକ ଖଟିଆକୁ ବୋହିଛନ୍ତି । ଖଟିଆର ଖୁରାଗୁଡ଼ାକ ଯେମିତି ପ୍ରଣାମ ମୁଦ୍ରାରେ ଆକାଶକୁ ଚାହିଁଛନ୍ତି । ଦଉଡ଼ିଆ ଖଟକୁ ଦଉଡ଼ିରେ ବନ୍ଧା ଯାଇ ଗୋଟେ କାଠ ଦଣ୍ଡାରେ ବୁହାଯାଇଛି । ବାଜା ଓ କୋଳାହଳ ଶୁଣି ଘର ଭିତରେ ଥିବା ପରିବାରର ସବୁ ସଦସ୍ୟମାନେ ବାହାରକୁ ଆସିଲାବେଳେ ସାହି ଦାଣ୍ଡରେ ପଟୁଆର । ଖଟ ଉପରେ ଘାସର ଆସ୍ତରଣ । ବନ୍ଧା ହୋଇ ଅସହାୟ ଓ ଉଦବିଗ୍ନ ଅବସ୍ଥାରେ ଅଛନ୍ତି ଦି’ ଟା ବଡ଼ ବେଙ୍ଗ । ମୁଣ୍ଡରେ ସିନ୍ଦୁର ଓ ଚନ୍ଦନ ଲାଗିଛି । ଫୁଲ ସବୁ ବିଛେଇ ହୋଇ ପଡ଼ିଛି ଆଖପାଖରେ । ମଝିରେ ମଝିରେ ଅସ୍ଥିର ହୋଇ ଡେଉଁଛନ୍ତି ଦୁହେଁ । କିନ୍ତୁ କୋଳାହଳରୁ ବର୍ତ୍ତିବା ସହଜ ନୁହେଁ । ମଝିରେ ମଝିରେ କେହିକେହି ପାଖ ଢେଙ୍କି ପାଇପରୁ (ନଳକୂପ)ରୁ ପାଣି ଆଣି ଅଜାଡ଼ି ଦେଉଛନ୍ତି ବେଙ୍ଗ ଆଉ ଭାରୁଆଙ୍କ ଉପରେ । ନାଲି ରଙ୍ଗର ପାଣିରେ ବି ଯୁବକମାନେ ବହୁରଙ୍ଗୀ ଦିଶୁଛନ୍ତି । ଯେମିତି ଆଉ ଏକ ହୋଲି ।
କିଛି ବୁଝିବା ଆଗରୁ ଘରର ତଥା ଆଖପାଖର ମାଇପିମାନେ ହୁଳହୁଳି ପକାଇଲେ । ମଗ୍ନ ପରିବେଶ । ମତୁଆଲା ଗାଁ ଦାଣ୍ଡ । ପ୍ରଥମଥର ପାଇଁ ମାଆଠାରୁ ଜାଣିଲି ବେଙ୍ଗ-ବେଙ୍ଗୁଲିର ବାହାଘର ପାଇଁ ଏସବୁ ସଜବାଜ । ବର୍ଷାକାଳରେ ସାମାନ୍ୟ ସଞ୍ଜରୁ ବେଙ୍ଗମାନେ କେଁକଟର କରନ୍ତି । ଜଣେ ଆରମ୍ଭ କଲେ ବାକି ରହିରହି ସ୍ୱର ସହ ସ୍ୱର ମିଶାଇ ରଡ଼ି ଛାଡ଼ନ୍ତି । ଝିଙ୍କାରୀ ସହ ବେଙ୍ଗର କେଁକଟର ସମ୍ମିଳିତ ସ୍ୱର, ଗାଁରେ ବର୍ଷା ରାତିକୁ ଆହୁରି ଗୁରୁଗମ୍ଭୀର କରିଦିଏ । ଏମିତି ବେଙ୍ଗଙ୍କ କଳରବ ଆଗାମୀ ଦିନରେ ଝଡ଼ି ବର୍ଷାର ସୂଚନା ବୋଲି ଗୁରୁଜନ ଲୋକେ କୁହନ୍ତି । ଏଇ କାରଣରୁ ବେଙ୍ଗଙ୍କ ଭିତରେ କୃତ୍ରିମ ପରିବେଶ ତିଆରି କରି କେଂକଟର କରାଇବା ଉଦ୍ଦେଶ୍ୟରେ ଏମିତି ଆୟୋଜନ । ବେଙ୍ଗ-ବେଙ୍ଗୁଲିର ବାହାଘର ଆୟୋଜନରେ ବର୍ଷା ଦେବତା ‘ବରୁଣ’ କାଳେ ସନ୍ତୁଷ୍ଟ ହୁଅନ୍ତି । ଆର୍ଶୀବାଦ ଦେବାକୁ ବର୍ଷା କରାନ୍ତି ବୋଲି ଲୋକଙ୍କ ଅଗାଧ ବିଶ୍ୱାସ । ଅନାବୃଷ୍ଟି ବେଳେ ସେଥିପାଇଁ ହିନ୍ଦୁ ରୀତିରେ ବେଙ୍ଗ-ବେଙ୍ଗୁଲିର ବାହାଘର କରାଯାଏ । ପଟୁଆର ଗାଁ ସାରା ବୁଲେ ଓ ଭୋଜିଭାତରେ ଗାଁ ମସଗୁଲ ହୁଏ । କାକତାଳୀୟ ନୀତିରେ ହେଉ କି ବେଙ୍ଗ ବାହାଘର ପାଇଁ ହେଉ ସତକୁ ସତ ତାର ଦି’ ଦିନ ପରେ ଗାଁରେ ବର୍ଷା ହୋଇଥିଲା । ସମସ୍ତେ ଖୁସି ହୋଇଥିଲେ । ଆୟୋଜକ ଯୁବକମାନେ ଛାତି ଫୁଲେଇ କିଛିଦିନ ଗାଁ ଦାଣ୍ଡରେ ବୁଲିଥିଲେ ।
ଏବେ ବର୍ଷା ନାହିଁ । ମୌସୁମୀର ଦେଖା ନାହିଁ । ଚାରିଆଡ଼େ ହାହାକାର । ବର୍ଷା ନହେବାର ଅନେକ ସ୍ଥାୟୀ କାରଣ ଆମ ପାଖରେ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ବିକାଶର ନାଟକରେ ବିନାଶର ଲୀଳା ଚାଲିଛି । ସବୁଜ ପରିବେଶ ନାହିଁ । କେବଳ ସବୁଜ ପରିବେଶ ନଷ୍ଟ ହୋଇନି ବରଂ ଆମ ଭିତରେ ଗତଦିନର ବିଶ୍ୱାସ ଟିକକ ବି ନାହିଁ । ଜାଣିଶୁଣି ମାରି ଦେଇଛୁ କୋଉ କାଳୁ । ବରୁଣ, ଇନ୍ଦ୍ରମାନେ ବି ଆମ ପାଇଁ ଅଲୋଡ଼ା ଯେମିତି । ଆଧୁନିକ ଯୁଗରେ ଏଇ ପ୍ରଥାର ହୁଏତ ପ୍ରାଂସଙ୍ଗିକତା ନାହିଁ । ଏହା ହୋଇପାରେ ଗୋଟେ ଅନ୍ଧବିଶ୍ୱାସ, କିନ୍ତୁ ଏକଥା ସତ ଏବେ ବରଷା ରାଣୀର ଆଖିରେ ସତରେ ପାଣି । କାନ୍ଦି କହୁଛି ତା’ ଦୁଃଖ କାହାଣୀ । ହେଲେ ବିନାଶର ବାଟରେ ଧାଉଁଥିବା ମଣିଷ କେବେ ତା’ କଥା ଶୁଣିନି କି ଶୁଣିବାକୁ ପ୍ରସ୍ତୁତ ବି ନାହିଁ । ଆଉ ଆମ ଭବିଷ୍ୟତ ଦିଶୁଛି ଜଳଜଳ, ନୁହେଁ କି ?
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା-୭୬୫୦୦୧, ମୋ – ୯୪୩୭୯୦୯୬୭୧
ଲେଖକ ପରିଚୟ
ବୃତ୍ତିରେ ଶିକ୍ଷକ ମାତ୍ର ନିଶା ହେଉଛି ଲେଖିବା । ଗଳ୍ପ, ପ୍ରବନ୍ଧ, ଫିଚର, କବିତା, ନାଟକ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ସ୍ତମ୍ଭ ସର୍ବୋପରି ଜନଜାତି ଗବେଷଣା ପ୍ରସୂତ ଲେଖା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିଛି । ଏଯାବତ୍ ୪ ଟି ଗଳ୍ପ ସଂକଳନ, ୨ ଟି ଉପନ୍ୟାସ, ୩ ଟି ପ୍ରବନ୍ଧ, ୨ ଟି ଆଦିବାସୀ ଗବେଷଣା ପୁସ୍ତକ, ଶିଶୁ କାହାଣୀ ଆଦି ୧୪ ଖଣ୍ଡ ବହି ପ୍ରକାଶିତ ହୋଇଛି । ସମାଜର ସଂଘାତ, ସଂଘର୍ଷ, ଦୁଃଖ ତଥା ଜନଜୀବନର ଚିତ୍ରକୁ ନିଜ ଲେଖା ମାଧ୍ୟମରେ ସବୁବେଳେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଆସିଛି । ଏଇ କ୍ରମରେ ଏବେ ସମୟ ଓ ସମାଜକୁ ନେଇ କିଛି ନିଚ୍ଛକ ଆଲୋଚନା “ସଫା କଥା”ରେ ।
So nice, highly commendable. The author has really struck the right cord to touch heart. It would inspire lot many people.
ଅତ୍ୟନ୍ତ ସରଳ ଅଥଚ ଭାବଗର୍ଭକ ଦ୍ୱିତୀଚନ୍ଦ୍ରଙ୍କ ସ୍ତମ୍ଭ ରଚନା ! ଶୁଭମସ୍ତୁ
ବାସ୍ତବ କଥା । ବିକାଶ ନାଁ ରେ ବିନାଶ କରି ଚାଲିଛେ । ବରଷା ରାଣୀଙ୍କ ଆଖିରେ ସତରେ ପାଣି । ଚାଷୀକୁଳର ଉଜୁଡା ଭବିଷ୍ୟତ କୁ ନେଇ ମର୍ମସ୍ପର୍ଶୀ ଉପସ୍ଥାପନ । ବାସ୍ତବତାରେ ଭରା । ନିୟମିତ ଏମିତି ବିଷୟସବୁ ପଢିବାକୁ ମିଳୁ । ପ୍ରଣାମ୍ ସ୍ରଷ୍ଟା ଶ୍ରୀ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ।
ସବୁଥର ଭଳି ଏଇ ବି ସାରଗର୍ଭକ ତଥା ଉପାଦେୟ