ପ୍ରଦୀପ କୁମାର ପଣ୍ଡା
ମୋର ଆଖିରେ ଆକାଶ
ଓ ଆକାଶର ଆଖିରେ ମୁଁ
ପ୍ରାୟତଃ ସମାନ ଦିଶୁ,
ମତେ କେବେ ଶୂନ୍ୟ କରିନାହିଁ ଆକାଶ
ବା ଆକାଶକୁ ମୁଁ ।
ଆମେ ଦିହେଁ କିନ୍ତୁ ଦୁଇଟି ଭିନ୍ନ ଅସ୍ତିତ୍ବ
ହୁଏତ ପଦାର୍ଥ ବା ରିକ୍ତ ।
ନା, କୌଣସି ପ୍ରେମ ଫ୍ରେମ ବ୍ୟାପାରରେ
ଫଶିନାହୁଁ ଆମେ,
ଅଥଚ ମୋର ପରିପୂର୍ଣ ମେଲା ଆଖିରୁ,
ଏପରିକି ବୁଜିଲା ଆଖିରୁ
ଅନ୍ତର କରିନାହିଁ ଆକାଶକୁ ମୁଁ
ଏବଂ ସେ କଦାଚିତ ବୁଜେନାହିଁ ଆଖି
ମୋର ଉପସ୍ଥିତିରେ,
ଏପରିକି ଅନ୍ଧାରରେ ।
ଥରେଥରେ ଅଦଳବଦଳ ହେଉ
ଆମେ ଆମର ଅସ୍ତିତ୍ବ,
ସେ ବିଗ୍ରହ ହୁଏ ଓ
ଚିନ୍ତା କଳ୍ପନା ଭଳି କାମମାନ କରେ
ମୁଁ ପାଲଟିଯାଏ ବିକେନ୍ଦ୍ରୀତ, ଆଭାସିତ
ଓ ମତେ କେହି ଛୁଇଁପାରନ୍ତି ନାହିଁ
ଏହା ଆମର ଗୋପନ ବୁଝାମଣା
ବା ଯୁଦ୍ଧର ସୂତ୍ର ।
ମୋର ମୁଣ୍ଡ ଉପରେ ଓ ଭିତରେ ଆକାଶ
ଆକାଶର ଆଖିରେ ମୁଁ ତାରା, ସଚଳ
ଭଗବାନ ହୁଅନ୍ତୁ ପଛକେ, ଆମ ଭିତରେ
ତୃତୀୟ ବ୍ୟକ୍ତିର ନିରବ ବା ସରବ ଉପସ୍ଥିତି
ଆମର ଆଜ୍ଞା ବହିର୍ଭୁତ ।
ମୁଁ କଂସା ଗଡ଼ୁରେ ହଳଦୀପାଣି ରଖି
ଅପେକ୍ଷା କରିଥାଏ ତାକୁ,
ଫେରିବ ବୋଲି ସେ ସ୍ନାହାନ ଘାଟ ଦେଇ ଶ୍ମଶାନରୁ,
ସେ ନିମ୍ବ ଡାଳରେ ଧୁକି ଦେଉଥାଏ ମତେ
ବହୁପଥ ଯାତ୍ରା ପରେ ମୁଁ ଯେତେବେଳେ
ଶ୍ରାନ୍ତ ହୋଇ ଶୋଇଥାଏ ରଇରେ ।
ଆମର ପରସ୍ପର ଭଲପାଇବାର ରଙ୍ଗ
ନୀଳ ବୋଲି
ବଦଳେଇବାକୁ ପଡ଼େନି
ଆମର ପୋଷାକ ବା ଦେହ ।
ବୃନ୍ଦାବନ ବିହାର, ସରଲା, ପୋ. ଧନକଉଡ଼ା, ସମ୍ବଲପୁର – ୭୬୮୦୦୬, mail – dr.pradip55@gmail.com
ଲେଖକ ପରିଚୟ
ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।