ଦ୍ୱିତୀ ଚନ୍ଦ୍ର ସାହୁ
ପୁଅକୁ ସକାଳୁ ସକାଳୁ ପଚାରିଲା ମାଆ – “ଆଜି କଣ ଖାଇବୁରେ ବାବୁ !” ସେ ବରାଦ କଲା ତାର ଆଗ୍ରହକୁ । ମାଆ କହିଲା – “ଏବେ ହୋଇ ପାରିବନିରେ ବାବା ! ଆଜି ତୁ ମେଗି ଖାଇ ଦେ’ ।” ଏଥର ପୁଅ କହିଲା – “ସବୁବେଳେ ମ୍ୟାଗି ମ୍ୟାଗି ! ମୁଁ ଖାଇବିନି ଯା !” ମାଆ ଟିକେ ଚଢା ଗଳାରେ କହିଲା –“ କ’ଣ କହିଲୁରେ ବାବୁ ! ସବୁବେଳେ ମ୍ୟାଗି ତୋତେ ଦେଉଛି । ସକାଳ ହେଉହେଉ ତୋ ଚିନ୍ତା କରୁଛି କ’ଣ ଖାଇବୁ ? ଯାହା କହୁଚୁ ତାହା ଦେଉଛି । ପୁରୀ, ଆଳୁ ପରଟା, ଦୋସା, ଇଡ଼ଲି କେତେ କଣ କରି ଦେଉଛି । ଫେରେ କହୁଚୁ ଖାଲି ମ୍ୟାଗି ଦେଉଛି ।” ଏତିକି କହି ମୁହଁ ମୋଡ଼ି ମିଛ ରାଗରେ ଚାଲିଗଲା ମାଆ । ଏଥର ପୁଅ ଟିକେ ଶାନ୍ତ ପଡ଼ି କଅଁଳିଆ କୁକୁର ଛୁଆ ଭଳି ପଛେପଛେ ଦୌଡ଼ିଲା । ବେକରେ ଯାଇ ଲମ୍ବି ପଡ଼ି କହିଲା – “ହଉ ମାମା ! ମ୍ୟାଗି କରି ଦେ’ । କିନ୍ତୁ ଅଧିକ ମସଲା ଟିକେ ପକେଇ ଦେ’ । ମ୍ୟାଇଁ ସୁଇଟ ମାମା !” ସରିଲା ସକାଳର ଜଳଖିଆ ଚିନ୍ତା । ନିତି ସକାଳୁ ଓ ସଂଜରେ ଘରେ ଏସବୁ ପାଲା ଦେଖିଲାବେଳକୁ ମୋ ଭିତରେ ଭିନ୍ନ ଭାବ ଜାତ ହେଉଥିଲା ।
ପିଲାଦିନେ ଭୋକରେ ମାଆ ପାଖକୁ ଗଲେ ମିଳୁଥିଲା ଗାଳି । “ସବୁବେଳେ କ’ଣ ମନସାଧ । ପେଟେ ତ ଭାତ ଖାଇବୁ । ଚଢେଇ ଖାଇଲା ଭଳି ଖୁଂଟି ଖାଉଛୁ । ଭୋକ ହେବନି ! ଟିକେ ସମୟ ପରେ ଆସି ଏଠି ବିଜାର କରୁଛୁ । ଏଠୁ ଯିବୁ ନା ଦେବି ଝାଡୁରେ ଦି’ ପାହାର ।” ତେଣିକି ସେଠି ଆଉ ନଖରା ଦେଖେଇଲେ ସିଧା ବିଭିନ୍ନ ମୁଦ୍ରାରେ ଆକ୍ରମଣ । ମୁହଁଟାକୁ ମାରି ଦାଣ୍ଡ ପିଣ୍ଡାକୁ ଆସି ବସିବା କଥା । ପିଣ୍ଡାରୁ ତଳକୁ ନଓହ୍ଲାଇବାକୁ ଏଣେ ହୁଇପ ଜାରି । ଦାଣ୍ଡରେ ଯାଉଥିବ ଗୁଡ଼ିଆ । ତାରି ଚାଂଗୁଡିରେ କେତେ କଣ ପସରା । ଲିଆ ମୁଆଁ, ମୁଢି ମୁଆଁ, ନଡ଼ିଆ ଖଜା, ଚଣା ଖଜା, ଉକ୍ଷର ଖଜା ଏମିତି ଅନେକ । ସାମ୍ନାରେ କିଣି ପିଲାମାନେ ଲାଳୁଆ ଲାଳୁଆ ପାଟିରେ ଖାଉଥିବେ । ଏପଟେ ପାଟି ଭିତରେ ଝରୁଥିବ ଲାଳ । ସବୁତକ ଇଚ୍ଛା ଓ ଆବେଗକୁ ଲାଳ ସହିତ ଢୋକିବାକୁ ପଡୁଥିଲା । ପୁଣି ଉଠି କାତର ମନରେ ମାଆ ପାଖକୁ ଯାଇ କନକନ ହେଲେ ମାଆ ବୁଝିପାରୁ ଥିଲା । ଆଟୁରେ ଥୁଆ ହୋଇଥିବା କଳା ହାଣ୍ଡିକୁ ତଳକୁ ଓହ୍ଲାଉଥିଲା । ସିଧା ଆଂଗୁଠି ପୁରେଇ ଟାଣି ଆଣି ହାତରେ ଦେଉଥିଲା ତେଂଟିଆ ଗୁଡ଼ । ଅର୍ଦ୍ଧ ତରଳ ଗୁଡ଼ ଯେତେ ଚାଟିଲେ ବି ହାତରୁ ସରୁ ନଥିଲା । ଆଉ କେବେକେବେ ମୁଠାଏ ଖୁଦ ଭଜା, ମୁଢି କି ଲିଆ ଦେଉଥିଲା ମାଆ । ବିଶେଷ ପରବପର୍ବାଣୀ ହେଲେ ମିଳୁଥିଲା ପିଠା । ପୂଜାପର୍ବାଣୀର ଢେର ଦିନ ଯାଏଁ ମାଟି ହାଣ୍ଡି ଭିତରେ ସାଇତା ହୋଇ ରଖିଥିବା ମଣ୍ଡା, କାକରା, ପାଲକିଆ, ଆରିସା, ଆର୍ଦା, ବାଟି ଖଜା, ଗଜା ଭିତରୁ ନିତି ମିଳୁଥିଲା ଖାଇବାକୁ । ନହେଲେ ଆଉ କେବେ ଚକୁଳି ପିଠା । ଏସବୁ ବାଦେ ଲଙ୍କା, ଲୁଣ ଓ ଗୁଡ଼ରେ ପାଗ କରିଥିବା କଅଁଳିଆ ଆମ୍ବୁଲ, ଆମ୍ବରୁ ପ୍ରସ୍ତୁତ ଆମ୍ବସଢା, ଚଂପେଇତ ଗୋଟେ ଦିଟା ମିଳୁଥିଲା । ଲୁଣ ଓ ଲଙ୍କା ଦେଇ ଭିଜେଇଥିବା ଅଁଳା କୋଳି, ଆଚାର ସମୟେ ସମୟେ ଭାଗ୍ୟକୁ ହାତକୁ ଆସୁଥିଲା । ବହୁ କୁଟୁମ୍ବୀ ପରିବାରଗୁଡ଼ିକରେ ପିଲାଙ୍କ ଖାଇବାର ରୁଚିକୁ ଏସବୁ ଭିତରେ ସୀମିତ ରଖିବାକୁ ପଡୁଥିଲା । ଖାଇବାକୁ ପଲେ ଥିବେ ଅର୍ଜ୍ଜିବାକୁ ଜଣେ ମଣିଷ । ତାରି ଭିତରେ ପିଲାମାନଙ୍କୁ ମନସାଧ ମିଳିବା ଭାରି କଷ୍ଟ । ଘରର ଝିଅମାନଙ୍କ ପାଇଁ ତ ଆହୁରି ଟିକେ କଠୋର ଥିଲା ମାଆ । ଖାଇବାକୁ ଆଗ୍ରହ ଦେଖେଇଲେ ଝପଟି ପଡୁଥିଲା ସେ । ସେକାଳରେ ଝିଅମାନେ ଏମିତି ମନସାଧ ଖୋଜିଲେ କୁହାଯାଉଥିଲା ତୁଡୁକୁଣି । ସ୍ୱାଭାବିକ ଖାଦ୍ୟ ବ୍ୟତୀତ ବାକି ସମୟରେ ପାଟିରେ କୋଲପ ପକାଇ ରଖିବାକୁ ବାଧ୍ୟ । ଖାଇବାରେ ବି ଆଜିକାଲିକା ଭଳି ଏତେ ପ୍ରକାର ବ୍ୟଂଜନ ମିଳୁ ନଥିଲା । ଭାତ ସହ କାଂଜି, ବେସର, ପିଠଉ ଭଜା, ଆମ୍ବିଳ, ଶାଗ ଭଜା, ଶନ୍ତୁଳା, ପାଚିଡ଼ି ଏମିତି କିଛି । ବିଶେଷ ଦିନରେ ଆମିଷ ହେବ । ତାହା ବି କଡ଼ା ଅନୁଶାସନ ଭିତରେ ।
ଏବେ ପରିବାର ସଂଜ୍ଞା ବଦଳି ଯାଇଛି । ଆମେ ଦୁଇ ଆମର ଏକ । ବାପାମାଆ କାର୍ଯ୍ୟରେ ବ୍ୟସ୍ତ । ଅନୁଶାସନ ନାହିଁ । ସମୟ ବି ନାହିଁ କାହା ପାଖରେ । ପିଲାର ଦାୟିତ୍ୱ ବୁଝିବା ଭାରି ଝିଂଝଟ । ତାର ଇଚ୍ଛା ଓ ଆଗ୍ରହକୁ ବୁଝିବାକୁ ବେଳ ନାହିଁ ମାଆ ପାଖରେ । କଥା କଥାକେ ଅନଲାଇନ ଅର୍ଡର । ଯାବତୀୟ ସୁଆଦିଆ ଖାଦ୍ୟ ଦୁଆର ମୁହଁରେ । ପିଲାଙ୍କ ଭିତରେ ବଢୁଛି ରୁଚି । ନିତିଦିନ ବଦଳୁଛି ଖାଦ୍ୟ । ବଢୁଛି ମନସାଧ । ପାରଂପରିକ ଖାଦ୍ୟ ପ୍ରତି ଅନାଗ୍ରହ । ଆଜିକାର ମାଆମାନଙ୍କୁ ବି ଘରେ ଯାବତୀୟ ଖାଦ୍ୟ ସାମଗ୍ରୀ ତିଆରି କରିବା ପ୍ରାୟତଃ ବୁଝୁନି । ରାଇସ କୁକରରେ ଭାତ, ପ୍ରେସର କୁକରରେ ଡାଲି, ପେନରେ ତରକାରୀ କି ଭଜା ଏତିକି ଭିତରେ ଦୈନନ୍ଦିନ କର୍ମଜୀବି ଜୀବନକୁ ଯଥେଷ୍ଟ । ଅଧିକା ଚାହିଁଲେ ଅନଲାଇନ ପେମେଂଟରେ ଖାଇଲାବେଳକୁ ଆସିଯିବ ଖାଦ୍ୟ ପେକଟ । ୱିକେଣ୍ଡରେ ବୁଲିବା ଓ ବାହାରେ ଖାଇବା ଗୋଟେ ଧରାବନ୍ଧା ରୁଟିନ । ବ୍ୟସ୍ତବହୁଳ ଜୀବନରେ ସମୟ ନିଅଂଟ ସମସ୍ତଙ୍କୁ । କାମ କରି କରି ଖାଇବା, ଠିଆ ହୋଇ ପାଟିରେ ପୁରେଇ ଅଲଗା କାମରେ ମଗ୍ନ ରଖିବା, ଖାଇବା ବେଡରେ ନିଜ ଲ୍ୟାପଟପ ସହ ଖାଦ୍ୟ ଗିଳିବା ଭଳି ପରିସ୍ଥିତିରେ ଘରର ରୋଜଗାରିଆ ଗୃହିଣୀ ପାଇଁ ମନସାଧ ପାଇଁ ସୁଯୋଗ ରହିଛି ଅନେକ । ହେଲେ ପରିସ୍ଥିତି ବଶତଃ ବାହାର ଖାଦ୍ୟ ଖାଇଖାଇ ନିଜ ଉପରେ ବିରକ୍ତ ହୋଇପଡୁଥିବା ସହରୀ ମଣିଷ ପାଇଁ ଏବେ ମନସାଧ କିଛି ଅଲଗା । ପାରଂପରିକ ଖାଦ୍ୟର ସୁଆଦରେ ମନ ବିକଳିଆ ହେଉଛି । ପାଟିରେ ଲାଳ ଜମୁଛି । କିନ୍ତୁ ସେସବୁ ହାତ ପାଆନ୍ତାରେ ମିଳିବା ଯେତିକି କଷ୍ଟ, ଘରେ ନିଜେ ତିଆରି କରିବା ସେତିକି ସମୟ ସାପେକ୍ଷ । ଗାଁର ନିତିଦିନିଆ ଖାଦ୍ୟ ଏବେ ସହରୀ ମଣିଷ ପାଇଁ ପାଲଟିଛି ମନସାଧ ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା-୭୬୫୦୦୧, ମୋ – ୯୪୩୭୯୦୯୬୭୧
ଲେଖକ ପରିଚୟ
ବୃତ୍ତିରେ ଶିକ୍ଷକ ମାତ୍ର ନିଶା ହେଉଛି ଲେଖିବା । ଗଳ୍ପ, ପ୍ରବନ୍ଧ, ଫିଚର, କବିତା, ନାଟକ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ସ୍ତମ୍ଭ ସର୍ବୋପରି ଜନଜାତି ଗବେଷଣା ପ୍ରସୂତ ଲେଖା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିଛି । ଏଯାବତ୍ ୪ ଟି ଗଳ୍ପ ସଂକଳନ, ୨ ଟି ଉପନ୍ୟାସ, ୩ ଟି ପ୍ରବନ୍ଧ, ୨ ଟି ଆଦିବାସୀ ଗବେଷଣା ପୁସ୍ତକ, ଶିଶୁ କାହାଣୀ ଆଦି ୧୪ ଖଣ୍ଡ ବହି ପ୍ରକାଶିତ ହୋଇଛି । ସମାଜର ସଂଘାତ, ସଂଘର୍ଷ, ଦୁଃଖ ତଥା ଜନଜୀବନର ଚିତ୍ରକୁ ନିଜ ଲେଖା ମାଧ୍ୟମରେ ସବୁବେଳେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଆସିଛି । ଏଇ କ୍ରମରେ ଏବେ ସମୟ ଓ ସମାଜକୁ ନେଇ କିଛି ନିଚ୍ଛକ ଆଲୋଚନା “ସଫା କଥା”ରେ ।
ପିଲାମାନଙ୍କର ଖାଇବା ଟାକଳାପଣ ଓ ମନ କରୁଥିବା ଖାଦ୍ୟ ଖାଇବାର ଇଚ୍ଛାକୁ ନେଇ ସୁନ୍ଦର ପରିବେଷଣ । ସମୟ ବଦଳିଛି ସତ, ହେଲେ ବଦଳିନି ଖାଦ୍ୟ ପ୍ରତି ମୋହ । ତେବେ ତୁଳନାତ୍ମକ ଭାବେ ପୁରୁଣା ସମୟ ଓ ଆଜି ପିଢିର ଶିଶୁ ସୁଲଭତା ବେସ୍ ମନମୁଗ୍ଧକର ହୋଇଛି । ଲେଖକଙ୍କୁ ସାଧୁବାଦ ..
ପିଲାଙ୍କ ଖାଇବାର ଯୁଗଧର୍ମୀ ବଖାଣ ସହ ସମସାମୟିକ ଖାଦ୍ୟ ସଂସ୍କୃତିର ସରଳ ଓ ତରଳ ଉସ୍ଥାପନା ଅତ୍ୟନ୍ତ ସୁଖପାଠ୍ୟ ! ଦ୍ୱିତୀ ଚନ୍ଦ୍ରଙ୍କ ଫିଚର ପରିବଷଣ ସତରେ ଅନନ୍ୟ !
ଖୁବ୍ ବାସ୍ତବକଥାକୁ ସୁନ୍ଦର ଭାବେ ଲେଖିଛନ୍ତି । ସତରେ ରେଡିମେଡି ଆଧୁନିକ ଖାଦ୍ୟର ମୋହରେ ପଡି ଏବର ପିଢି ପାରମ୍ପରିକ ଘରୋଇ ଦେଶୀୟ ଖାଦ୍ୟର ସ୍ବାଦରୁ ବଞ୍ଚିତ । ଲେଖାଟି ନିଶ୍ଚିତ ରୂପେ ସମାଜ ଉପରେ ପ୍ରଭାବ ପଡିବ ।
ବାସ୍ତବତା ର ସୁନ୍ଦର ଉପସ୍ଥାପନା ,, ଅଜସ୍ର ଶୁଭେଚ୍ଛା ଭାଇ