ଶିବାଶିଷ ପାଢ଼ୀ
ସବୁକିଛି ଠିକଠାକ ଥିଲା । ଦୁଇ ଦିନ ଆଗରୁ କିଣିଥିବା ବାଇକକୁ ମନ୍ଦିର ନେଇ ପୂଜା କରିକି ଆସିଥିଲେ ଜଣାଶୁଣା ଠିକାଦାର ବିଦ୍ୟାଧର ବାବୁ । ହେଲେ ଦୁଇ ଦିନରେ ଓଲଟି ଯାଇଥିଲା ସସ୍ମିତାଙ୍କ ଦୁନିଆ । ସାମାନ୍ୟ ସର୍ଦି-କାଶ ପାଇଁ ଡାକ୍ତରଖାନା ଯାଇଥିବା ବିଦ୍ୟାଧର ବାବୁଙ୍କୁ ବାଟ ଭୁଲାଇ ନିଜ ସହ ନେଇ ଯାଇଥିଲା କରୋନା ।
ଘଟଣାକୁ ପନ୍ଦର ଦିନ ବିତି ଯାଇଥିଲେ ବି ଯେମିତି ମୁକ ହୋଇଯାଇଥିଲେ ସସ୍ମିତା । ଝିଅ ଦୁହିଁଙ୍କ କଥା ଚିନ୍ତା କଲେ ନିଜ ଅନଭ୍ୟସ୍ତ କାନ୍ଧରେ ଅନୁଭବ କରୁଥିଲେ ପ୍ରବଳ ଚାପ । ସେ ଜାଣୁଥିଲେ ଖରା, ବର୍ଷା, କାକରରୁ ସୁରକ୍ଷା ଦେଉଥିବା ବରଗଛ ଉପୁଡ଼ି ପଡ଼ିଛି । ଦୋହଲି ଯାଇଛି ମାଟି । ଏବେ ତାଙ୍କୁ ହିଁ ନେବାକୁ ପଡ଼ିବ ସେ ବରଗଛର ସ୍ଥାନ ।
ମାଟି ତ ଦୋହଲି ଥିଲା ସସ୍ମିତାଙ୍କ ଘରେ, କିନ୍ତୁ ଏତେ ଦିନ ପରେ ବି ତା’ର କମ୍ପନ ଅନୁଭୂତ ହେଉଥିଲା ପଡୋଶୀ ନରେନ୍ଦ୍ର ବାବୁଙ୍କ ଘରେ । ପ୍ରାୟ ଛ’ ମାସ ତଳେ ବିଦ୍ୟାଧରଙ୍କଠାରୁ ତିରିଶ ହଜାର ଟଙ୍କା ଧାର ଆଣିଥିଲେ ନରେନ୍ଦ୍ର । ବିଦ୍ୟାଧର ତ ଗଲେ, ଏବେ ଆଉ ପଇସା ମାଗିବ କିଏ ? କହି ଖୁସି ହେଉଥିଲେ ନରେନ୍ଦ୍ର । ହେଲେ ମାନୁ ନଥିଲେ ମୀରା । ବାରମ୍ବାର କହୁଥିଲେ,
“କିଏ ସାକ୍ଷୀ ଥାଉ ନଥାଉ, ଆମେ ତ ଜାଣିଛୁ ନା ! ଏଵେ ଭାଉଜଙ୍କୁ ନିହାତି ଟଙ୍କା ଦରକାର ଥିବ । ଦିଅ, ମୁଁ ଦେଇ ଆସିବି ।”
ପତ୍ନୀ ମୀରାଙ୍କ କଥାକୁ ଏ କାନରେ ପୁରାଇ ଆର କାନରେ ବାହାର କରିଦେଉଥିଲେ ନରେନ୍ଦ୍ର । କୁଟିଳ ହସଟିଏ ହସି କହୁଥିଲେ,
“ତୁମେ ଏତେ ଭଲ ଲୋକ ହେବା ଦରକାର ନାହିଁ । ମୁଁ ତ ଏକା ଧାର ନେଇନି । ଆଉମାନେ ବି ନେଇଛନ୍ତି । ମୁଁ ଦେଖୁଛି । ସମସ୍ତେ ଦେଲେ ମୁଁ ବି ଦେବି ।”
“ମୋତେ ଏସବୁ ଭଲ ଲାଗେନି । କାହା ହକ ପଇସା ଏମିତି ଖାଇବା ଠିକ ନୁହେଁ” ବିରୋଧ କରୁଥିଲେ ମୀରା ।
“ହଁ, ହଁ, ହକ ପଇସା କି ଲୁଟ ପଇସା ତୁମେ ତ ଜାଣିଛ ଆଉ ? ଦୁଇ ନମ୍ବରୀ କାମ କରି ଏତେ ପଇସା କମେଇ ଥିଲା, ସେଥିପାଇଁ ତ ଏମିତି ଗଲା ! ସେ ପାପ ଧୋଇବ ବୋଲି ତ ଲୋକ ଦେଖାଣିଆ ଲୋକଙ୍କୁ ସାହାଯ୍ୟ କରୁଥିଲା । ଏବେ କିଏ ଖାଇବ ସେ ପଇସା ? ତୁମେ ଏଥିରେ ମୁଣ୍ଡ ପୁରାଅ ନାହିଁ” କହି ବିତଣ୍ଡା ଯୁକ୍ତି ଆରମ୍ଭ କରି ଦେଉଥିବା ନରେନ୍ଦ୍ର ସହ ଯୁକ୍ତିତର୍କରୁ ଦୂରେଇ ରହୁଥିଲେ ମୀରା । କାରଣ ସେ ଜାଣୁଥିଲେ ୟା’ଠ ଅଧିକ ହେଲେ ପାଟିତୁଣ୍ଡ ବଢିବ, ଆଉ ଦରକାର ପଡିଲେ ହାତଗୋଡ଼ ବି ଚାଲି ପଡୋଶୀଙ୍କୁ ଦୁଇ ତିନିଦିନ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇ ଦେଵ ।
କରୋନା ଭୟରେ ନରେନ୍ଦ୍ର ତ ଥରେ ବି ଯାଇ ନଥିଲେ ଓ ମୀରାଙ୍କୁ ବି ମନା କରିଥିଲେ । ସେ କିନ୍ତୁ ବହୁକଷ୍ଟରେ ତାଙ୍କୁ ମନାଇ ସସ୍ମିତା ଭାଉଜଙ୍କ ପାଖକୁ ଯାଇଥିଲେ ମୀରା । ସେଇଠୁ ଯେଉଁ ଖବର ଆଣିଥିଲେ ସେ ଖବର କିନ୍ତୁ ନରେନ୍ଦ୍ରଙ୍କ ରକ୍ତଚାପ ବଢ଼ାଇ ଦେଇଥିଲା । ମୀରା କହିଥିଲେ,
“ତୁମେ ଶୀଘ୍ର ଯାଇ ଟଙ୍କାଟା ଦେଇ ଦିଅ । ଭାଉଜ କହୁଥିଲେ, ଭାଇ ଯେଉଁ ମାନଙ୍କ ସହ ଟଙ୍କାପଇସା କାରବାର କରିଛନ୍ତି, ସବୁ ଗୋଟିଏ ଡାଇରୀରେ ଲେଖିଛନ୍ତି । ଭାଉଜ ଆଉ ବି କହୁଥିଲେ, ଯିଏ ଯଦି ନମାନିବ ତେବେ ଡାଇରୀ ପୃଷ୍ଠାକୁ ଫେସବୁକରେ ଛାଡ଼ି ଦେବେ”
ପ୍ରକୃତରେ ଡରି ଯାଇଥିଲେ ନରେନ୍ଦ୍ର ! ପରଦିନ ସକାଳୁ ସକାଳୁ ଟଙ୍କା ନେଇ ପହଂଚି ଗଲେ ବିଦ୍ୟାଧରଙ୍କ ଘରେ ।
ଅନେକ ସମବେଦନା ଜଣାଇ ଟଙ୍କାକୁ ଫେରାଇ ଦେଇ କହିଥିଲେ,
“ଭାଉଜ ! ଡାଇରୀରୁ ନାଁଟିକୁ କାଟି ଦେବେ ।”
“କେମିତି କଥା କହୁଛନ୍ତି ଭାଇନା ! ଆପଣଙ୍କ ନାଁ କେଉଁଠୁ ଆସିବ ? ଆପଣ ପରା ଆମ ନିଜ ଲୋକ ! ନିଜ ଲୋକଙ୍କ ନାଁ ଲେଖୁ ନଥିଲେ ସେ । ଆପଣ ନିଜ ଲୋକ ବୋଲି ତ ଏ ବିପଦ ସମୟରେ ନକହିକି ବି ଟଙ୍କା ଫେରେଇ ଦେଲେ । ପରଲୋକ ତ ମୋର ଫୋନ ବି ଉଠାଉ ନାହାନ୍ତି । ଏମିତିରେ ତ ଜଣାପଡ଼େ ଭଲ ଆଉ ଖରାପ, ଭାଇନା !”
ସସ୍ମିତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ନରେନ୍ଦ୍ର । ଏକା ସାଙ୍ଗରେ ଭଲ ଲୋକଙ୍କ ତାଲିକାରେ ସ୍ଥାନ ପାଇ କେମିତି ଗୋଟାଏ ନିଆରା ଖୁସିକୁ ନୂଆ କରି ବି ଅନୁଭବ କରୁଥିଲେ ସେ । ବିଦ୍ୟାଧରଙ୍କ ଫୋଟୋକୁ ନମସ୍କାରଟିଏ କରି ମନେମନେ କହିଥିଲେ,
“ମୋତେ କ୍ଷମା କରିଦେବୁ, ଭାଇ !”
ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!
ଭଲ ହେବା ପାଇଁ ପରିସ୍ଥିତି ସୁଯୋଗ ସୃଷ୍ଟି କରେ । ହେଲେ ମଣିଷ ବୁଝେନି । ଯେ ବୁଝେ ସେ ସୁଧୁରିଯାଏ । ଚମତ୍କାର ।
କୃତଜ୍ଞ ଭାଇ
ନିଜ ଲୋକ ଗପଟି ପଢିଲା ପରେ ଜାଣିଲି ନିଜ ଓ ପର ବୋଲି ଦୁଇଟି ଶବ୍ଦ କଳ୍ପନାକଳ୍ପିତ କେବଳ । କେତେବେଳେ କିଏ ନିଜର ହୁଏ ଆଉ କିଏ ପୁଣି ପର ହେଇଯାଏ ତାହା ସବୁବେଳେ ଅନିଶ୍ଚିନ୍ତ । ତେବେ ଗପଟି ଏକ ସାମାଜିକ ମୂଲ୍ୟବୋଧ ବହନ କରିବା ସହିତ ଏକ ଉତ୍ତମ ଶିକ୍ଷା ମଧ୍ୟ ଦେଉଛି । ଆଶା କରେ ଏ ଗପ ଅନେକ ପାଠକଙ୍କ ବୋଧ ଜାଗ୍ରତ କରିବ ।
ବିନମ୍ର ଧନ୍ୟବାଦ ଆପଣଙ୍କୁ