ସମୀକ୍ଷା: ପଦ୍ମଲୋଚନ ପ୍ରଧାନ
ପ୍ରବନ୍ଧ ସଙ୍କଳନ: ଦେଶର ଆତ୍ମା ଏବଂ ଅନ୍ୟାନ୍ୟ ପ୍ରବନ୍ଧ
ପ୍ରାବନ୍ଧିକ: ଡ. ମୃଣାଳ ଚାଟାର୍ଜୀ
ପ୍ରକାଶକ: ବନଫୁଲ, ଭୁବନେଶ୍ୱର
ପ୍ରକାଶ କାଳ: ୨୦୨୩
ପୃଷ୍ଠା: ୧୬୧ମୂଲ୍ୟ: ୨୩୦
ପ୍ରବନ୍ଧକୁ ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ କରାଯାଏ । ଗୋଟିଏ ବସ୍ତୁନିଷ୍ଠ, ଆଉ ଗୋଟିଏ ବ୍ୟକ୍ତିନିଷ୍ଠ । ବସ୍ତୁନିଷ୍ଠ ପ୍ରବନ୍ଧରେ ଲେଖକର ବୌଦ୍ଧିକତା, ଚିନ୍ତାଶୀଳତା ପ୍ରାଧ୍ୟାନ୍ୟ ଲାଭ କରେ । ମାତ୍ର ବ୍ୟକ୍ତିଗତ ପ୍ରବନ୍ଧ ଲେଖକର ଅନୁଭୂତିରେ ରସାଣିତ । ଲେଖକର ଅନ୍ତରର, ହୃଦୟର, ପ୍ରାଣର ସ୍ପର୍ଶ ମିଳେ । ପ୍ରଥମଟି ମସ୍ତିଷ୍କର; ଦ୍ୱିତୀୟଟି ଅନ୍ତରର ।
ଡ. ମୃଣାଳ ଚାଟାର୍ଜୀଙ୍କ ପ୍ରବନ୍ଧ ଏ ଦୁଇଟିର ସମାହାର । ଉଭୟ ବୌଦ୍ଧିକତା, ଚିନ୍ତାଶୀଳତା ସହ ଲେଖକଙ୍କର ଅନୁଭୂତିର ମିଶ୍ରଣରେ ପ୍ରତ୍ୟେକ ପ୍ରବନ୍ଧ ଉଭୟ ତନ୍ମୟ ଓ ମନ୍ମୟମୟ ।
ଡ. ଚାଟାର୍ଜୀଙ୍କ ପ୍ରବନ୍ଧଗୁଡି଼କର ସ୍ୱକୀୟ ଶୈଳୀ ରହିଛି । ଅତି ସାଧାରଣ କଥା ହେଉ କି ଜଟିଳ ହେଉ, ତାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି, ଉଭୟ ଅନ୍ତର୍ଦୃଷ୍ଟି ଓ ବାହ୍ୟଦୃଷ୍ଟିରେ ପରଖି ପାଠକଙ୍କ ସମ୍ମୁଖରେ ପରଷିଦେବାର ସ୍ୱତନ୍ତ୍ରତା ବାରି ହୋଇପଡ଼େ । ଆଡ଼ମ୍ବରପୂର୍ଣ୍ଣ ଶବ୍ଦ ବ୍ୟବହାରଠୁ ଦୂରରେ ରହି, ସରଳ, ସାବଲୀଳ ଭାବେ ବିଭିନ୍ନ ପ୍ରସଙ୍ଗକୁ ବୋଧଗମ୍ୟ କରାଇପାରିବା, ଲେଖକଙ୍କର ଅନ୍ୟତମ ବୈଶିଷ୍ଠ୍ୟ ।
ସଙ୍କଳନର ପ୍ରଥମ ପ୍ରବନ୍ଧ ‘ବୌଦ୍ଧିକତା ଏବଂ ମନୋରଞ୍ଜନ’କୁ ବିଚାର କରାଯାଉ । ବୌଦ୍ଧିକତାରେ ମନୋରଞ୍ଜନ କି ମନୋରଞ୍ଜନରେ ବୌଦ୍ଧିକତା ଦେଖାଯାଏନି ବୋଲି ଧାରଣା ରହିଛି । ମାତ୍ର ଏହା ଯେ ଦେଶ ପାଇଁ ବିପଦ!- ତାହା ପ୍ରବନ୍ଧରେ ବଳିଷ୍ଠ ଯୁକ୍ତି ସହ ଦର୍ଶାଯାଇଛି । “ଯେତେବେଳେ ଜନପ୍ରିୟ ମନୋରଞ୍ଜନ ଭିତରେ କୌଣସି ବୌଦ୍ଧିକତା ରହୁନାହିଁ, କେବଳ ଏମିତି କଥା ରହୁଛି ଯାହା ମୁଁ ଗୋଟେ ମୁହୂର୍ତ୍ତ ପରେ ଭୁଲିଯାଉଛି, ମୋ ହୃଦୟକୁ ମନ୍ଥୁନାହିଁ, ମୋତେ ବାର୍ତ୍ତା ଦେଉନି- କ୍ରମାଗତ ଭାବେ ଯଦି ଗୋଟେ ଦେଶରେ ଏ ପ୍ରକାର ମନୋରଞ୍ଜନର ଲହର ଚାଲିଛି ତେବେ ତାହା ସେ ଦେଶ ପାଇଁ ବିପଦର କାରଣ ।”
ଲେଖକ କହୁଛନ୍ତି, ମନୋରଞ୍ଜନ ଲୋକଙ୍କ ମନରେ ଗଭୀର ରେଖାପାତ କରୁ । ଲୋକଙ୍କୁ ଚିତ୍ତର ବିନୋଦନ ସହ ଚିନ୍ତା କରିବାକୁ ପ୍ରେରଣା ଦେଉ । ଏହାର ଦାୟିତ୍ୱ ଜନ-ସମାଜର, ସାହିତ୍ୟିକ, ଗୀତିକାର, ନାଟ୍ୟକାର ଚଳଚ୍ଚିତ୍ର ନିର୍ଦ୍ଦେଶକ, ଶିଳ୍ପୀମାନଙ୍କର ବୋଲି ଲେଖକ ସଚେତନ କରାଇଛନ୍ତି ।
ସାହିତ୍ୟ, ଚିତ୍ରକଳା, ଚଳଚ୍ଚିତ୍ର ଆଦି ସବୁ ମନୋରଞ୍ଜନ ମାଧ୍ୟମରେ ଲୋକମାନେ ପ୍ରଭାବିତ ହୋଇଛନ୍ତି । ସ୍ୱାଧୀନତାର ସଂଗ୍ରାମ ସମୟରେ ମଧ୍ୟ ଜନମାନସକୁ ସଚେତନ କରିବାରେ ସମସ୍ତ ମନୋରଞ୍ଜନ ମାଧ୍ୟମ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଏବେ ମନୋରଞ୍ଜନରେ ସେମିତି ଦେଖାଯାଉନଥିବା ଅନୁଭବ କରି ଲେଖକ ଚମତ୍କାର ଭାବରେ ପାଠକଙ୍କୁ ସତର୍କ କରାଇଦେଇଛନ୍ତି ।
ସଙ୍କଳନରେ ୪୦ଟି ସୁଖପାଠ୍ୟ ପ୍ରବନ୍ଧ ସନ୍ନିବେଶିତ ହୋଇଛି । ପ୍ରବନ୍ଧଗୁଡି଼କ ପ୍ରଥମେ ବିଭିନ୍ନ ପ୍ରମୁଖ ଖବରକାଗଜ, ସାମୟିକ ପତ୍ରିପତ୍ରିକାରେ ପ୍ରକାଶିତ ହୋଇ ଆଦୃତି ଲାଭ କରିଛି । ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରବନ୍ଧଗୁଡି଼କ ଲେଖାଯାଇଛି । ସଙ୍କଳିତ ୪୦ଟି ପ୍ରବନ୍ଧକୁ ଦେଖିଲେ ବିଷୟର ବୈଚିତ୍ର୍ୟ ଦୃଷ୍ଟିକୁ ପଡ଼େ । ଦେଶ ଓ ରାଜ୍ୟର ବିଭିନ୍ନ ସମସ୍ୟା- ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ବହୁ ପ୍ରବନ୍ଧର ବିଷୟବସ୍ତୁ । ମନସ୍ତାତ୍ତ୍ୱିକ, ଭାଷା ସମ୍ବନ୍ଧୀୟ, ଉନ୍ନୟନ, ପ୍ରଯୁକ୍ତିବିଦ୍ୟାକୁ ନେଇ ସୃଷ୍ଟ ନୂତନ ସମସ୍ୟା, ଶିକ୍ଷା ସମ୍ବନ୍ଧୀୟ, ବିଜ୍ଞାନ ସମ୍ବନ୍ଧୀୟ, କ୍ରୀଡ଼ା, ଗଣମାଧ୍ୟମ ଆଦି ବହୁ କ୍ଷେତ୍ର ଉପରେ ଲେଖକଙ୍କର ସୁଗଭୀର ବିଶ୍ଳେଷଣ ରହିଛି । ଡ. ଚାଟାର୍ଜୀଙ୍କର ଚିନ୍ତନର କ୍ଷେତ୍ରଟି କେତେ ବ୍ୟାପକ- ଏଥିରୁ ଅନୁମାନ କରାଯାଇପାରେ ।
ଦେଶବାସୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ‘ଅମୃତ ମହୋତ୍ସବ’ ଭାବେ ପାଳନ କରିଛନ୍ତି । ସ୍ୱାଧୀନତା ପରଠାରୁ ଆଜିଯାଏ ଦେଶର ଅଗ୍ରଗତିକୁ ବୁଦ୍ଧିଜୀବୀମାନେ ବିଭିନ୍ନ ମାଧ୍ୟମରେ ତଉଲିଛନ୍ତି । ଦେଶ ସମ୍ପର୍କରେ ଅନେକ ଆଲୋଚନା ହୋଇଯାଇଛି । ଡ. ଚାଟାର୍ଜୀ ‘ଦେଶର ଆତ୍ମା’ ଶୀର୍ଷକରେ ଲେଖିଥିବା ପ୍ରବନ୍ଧଟି ଏ ସମୟରେ ବେଶ୍ ପ୍ରଣିଧାନଯୋଗ୍ୟ ।
“… ଘଟଣାଚକ୍ରରେ ଯଦି ଶାସକ ଏମିତି ହୁଏ, ଯିଏ ନ୍ୟସ୍ତ ସ୍ୱାର୍ଥରେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ, ଭୁଆଁ ବୁଲାଇ, ନ୍ୟାୟ ଅନ୍ୟାୟର ଭେଦକୁ ଧୂଆଁଳିଆ କରିଦିଏ, ଲୋକଙ୍କୁ ବିଭ୍ରାନ୍ତ କରିଦିଏ, ସେତେବେଳେ ଦେଶର ଆତ୍ମା ଉପରେ ତା’ର ପ୍ରଭାବ ପଡ଼େ । ସମାନ ଭାବରେ ଦେଶର ସାଧାରଣ ଲୋକମାନେ ଯଦି ନ୍ୟାୟ ଅନ୍ୟାୟର ଭେଦ ଭୁଲିଯାଆନ୍ତି, ସ୍ୱାର୍ଥ ସର୍ବସ୍ୱ ହୋଇଯାଆନ୍ତି, ଲୋଭୀ, ଅସୁଧା ଏବଂ ପରିଶ୍ରମ-ବିମୁଖ ହୋଇ ଯାଆନ୍ତି ସେତେବେଳେ ବି ଦେଶର ଆତ୍ମା ଉପରେ ତା’ର ପ୍ରଭାବ ପଡ଼େ । … ଦେଶର ଆତ୍ମା କ୍ରମଶଃ ରୋଗାକ୍ରାନ୍ତ ହୁଏ । ଦେଶ ତା’ର ମାନ୍ୟତା ଏବଂ ଗାରିମା ହରାଇ ବସେ ।”
ଏହାର ସମାଧାନର ରାସ୍ତା ମଧ୍ୟ ପ୍ରାବନ୍ଧିକ ଦେଇଛନ୍ତି । “ଏହାକୁ ରୋଗ ମୁକ୍ତ କରିବା, ପୁଣି ସୁସ୍ଥ କରିବାର ଦାୟ ଓ ଦାୟିତ୍ୱ ଦେଶର ଜନତାଙ୍କର । … ଏଥିରେ ଗଣମାଧ୍ୟମର ଏକ ପ୍ରମୁଖ ଭୂମିକା ଓ ସ୍ଥାନ ରହିଛି । ବୁଦ୍ଧିଜୀବୀ, ସୁଶୀଳ ସମାଜ ଓ ଗଣମାଧ୍ୟମକୁ ତେଣୁ ଦେଶର ବିବେକ ଭଳି କାର୍ଯ୍ୟ କରିବାକୁ ପଡ଼େ ।”
‘ଜନସଂଖ୍ୟାର ଲାଭ କ୍ଷତି’ ପ୍ରବନ୍ଧଟି ଅନେକଙ୍କ ଦୃଷ୍ଟିକୁ ଆଲୋକିତ କରିଦେଇପାରେ । ଜନସଂଖ୍ୟା ବଢ଼ିଲେ ଦେଶରେ ଖାଦ୍ୟ, ବାସସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ସବୁ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି ହୁଏ । ପୁଣି ଜନସଂଖ୍ୟା ବଢ଼ିଲେ ଅନେକ ଲାଭ-କାମ କରିପାରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହେବ, ଫଳରେ ଉତ୍ପାଦନ ବୃଦ୍ଧି ହେବ, ଦେଶର ଅର୍ଥନୀତି ସମୃଦ୍ଧ ହେବ । – ଏ ଉଭୟ ଦିଗ, ଲାଭ ଓ କ୍ଷତିକୁ ଜନଗଣନାର ତଥ୍ୟ ଓ ବଳିଷ୍ଠ ଯୁକ୍ତି ମାଧ୍ୟମରେ ଦେଖାଇ ଦିଆଯାଇଛି । ଶେଷରେ ଲେଖକ କହିଛନ୍ତି, “ବର୍ଦ୍ଧିତ ଜନସଂଖ୍ୟାକୁ ସବୁବେଳେ ଲାଭ ଦୃଷ୍ଟିରେ ଦେଖୁଥିବା ବିଶେଷଜ୍ଞମାନେ ଭାବି ଦେଖିବା ଦରକାର ଯେ ଜନକୁ ଯଦି ଆମେ ସୁସ୍ଥ ନ ରଖିବା, ଶିକ୍ଷା ନ ଦେବା ଏବଂ ତାଙ୍କ ପାଇଁ କାର୍ଯ୍ୟ ନ ଯୋଗାଇଦେବା ତେବେ ତାହା ଲାଭ ବଦଳରେ କ୍ଷତି କରିବ ବେଶୀ ।”
‘ଗଣତନ୍ତ୍ର, ସ୍ୱୈରତନ୍ତ୍ର ଓ ଭିଡ଼ତନ୍ତ୍ର’, ‘ଜନମତର ଚାପ ଏବଂ ଉଚିତର ଦାୟ’ ‘ପ୍ରସଙ୍ଗ ଉନ୍ନୟନ’, ‘କ୍ରମବର୍ଦ୍ଧମାନ ସ୍ପର୍ଶକାତରତା ଏବଂ ଅବକ୍ଷୟୀ ଗଣତନ୍ତ୍ର’ ଆଦି ପ୍ରବନ୍ଧଗୁଡି଼କରେ ଦେଶର ତତ୍କାଳୀନ ସମସ୍ୟା, ତା’ର କାରଣ ଓ ସମ୍ଭାବ୍ୟ ସମାଧାନ ଉପରେ ଲେଖକ ଆଲୋକପାତ କରିଛନ୍ତି । ଯାହା ପାଠକଙ୍କ ଅବବୋଧ ଓ ଚିନ୍ତନକୁ ପ୍ରସାରିତ କରିବାର ସାମର୍ଥ୍ୟ ରଖିଛି ।
ପ୍ରଯୁକ୍ତିବିଦ୍ୟାର ପ୍ରତୁଳତା କାରଣରୁ ଅନେକ ସାମାଜିକ ଓ ବ୍ୟାବାହାରିକ ସମସ୍ୟା ଦେଖାଦେଇଛି । ତାକୁ ଅତି ସୂକ୍ଷ୍ମ ଭାବରେ ପାଠକଙ୍କ ଆଗରେ ରଖିଛନ୍ତି ଲେଖକ । ବିଭିନ୍ନ କାର୍ଯ୍ୟ, କାରଣ ଦର୍ଶାଇ ପାଠକଙ୍କୁ ସଚେତନ ଓ ସତର୍କ କରିଦେଇଛନ୍ତି ।
‘ମେଟାଭର୍ସର ଆହ୍ୱାନ’ରେ ଭର୍ଚୁଆଲ ୱାର୍ଲଡ ବା କଳ୍ପ ଦୁନିଆ ଆମ ସମାଜ ପାଇଁ କିପରି ଆହ୍ୱାନ ଆଣିଦେଇଛି, ତାକୁ ଦେଖାଇଛନ୍ତି । “ସମାଜ ଚାହେଁ ଭୌତିକ ସାଫଲ୍ୟ । ତେଣୁ ସେଇ ଚାପରୁ ମୁକୁଳି ଛାତ୍ରଟିଏ ସମାଜ ସମ୍ପର୍କରେ, ମଣିଷର ଭବିଷ୍ୟତ ସମ୍ପର୍କରେ ଚିନ୍ତନ ଓ ମନନ କରିବାର ସୁଯୋଗ ପାଇବ କି ନାହିଁ, ତାହା ଏକ ବଡ଼ ଏବଂ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । କଳ୍ପ ଦୁନିଆର ମାୟାଜାଲରେ ଛନ୍ଦି ହୋଇ ମଣିଷ ତା ନିଜସ୍ୱ ମାନବିକ ସତ୍ତାକୁ ଭୁଲି ନ ଯାଉ- ଏହା ହିଁ ବର୍ତ୍ତମାନ ସମୟର ସବୁଠୁଁ ବଡ଼ ଆହ୍ୱାନ ।”
ସେହିପରି ‘ସାମାଜିକ ଗଣମାଧ୍ୟମ: ମିଛର ସନ୍ତୋଷ’, ‘ଏବେଠୁଁ ବିଶ୍ୱ’, ‘ବିଜ୍ଞାନ ପ୍ରଯୁକ୍ତି ଓ ବୈଜ୍ଞାନିକ ମିଜାଜ’, ‘ନିଦ୍ରାହୀନ ରାତି, ତାରାହୀନ ଆକାଶ’ ଆଦି ପ୍ରବନ୍ଧରେ ପ୍ରଯୁକ୍ତିବିଦ୍ୟାର ଉପକାର, ଅପକାର ଓ ନିରାକରଣ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି । କୌଣସି ଜିନିଷକୁ ମୋଟାମୋଟି ଖରାପ କି ଭଲ ନ କହି ଉଭୟ ଦିଗକୁ ପ୍ରାବନ୍ଧିକ ଆଲୋଚନା କରିଛନ୍ତି । ଜନ ସମାଜରେ ଭଲ ଓ ମନ୍ଦର ଭେଦ ବାରି ତା’ର ବ୍ୟବହାର ହେଉ- ଏହା ହିଁ ପ୍ରାବନ୍ଧିକଙ୍କ ଅନ୍ତରର ଇଚ୍ଛା ।
‘ନିଦ୍ରାହୀନ ରାତି, ତାରାହୀନ ଆକାଶ’ ପ୍ରବନ୍ଧରେ ମୋବାଇଲ, ଟିଭିର ବହୁଳ ବ୍ୟବହାର ଓ ତା’ର ଫଳସ୍ୱରୂପ ନିଦ୍ରାହୀନତା, ଶାରୀରିକ ଓ ମାନସିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । “କେହି ଆଉ ଖୋଲା ଆକାଶରେ ଝଟକୁଥିବା କୋଟି କୋଟି ତାରାମାନଙ୍କୁ ଦେଖୁନାହାନ୍ତି । ଜହ୍ନ ରୁପା ରଙ୍ଗ ଜ୍ୟୋତ୍ସା ବିଞ୍ଚି ବିଞ୍ଚି ଫେରିଯାଉଛି- କେହି ସେଥିରେ ଅବଗାହନ କରୁନାହାନ୍ତି । ଆଲୋକିତ ପରଦା(ବୈଦ୍ୟୁତିକ ସରଞ୍ଜାମ) ଆମର ପ୍ରକୃତିରୁ ଖୁସି ସାଉଁଟିବାର ସାମର୍ଥ୍ୟକୁ ନିଃଶେଷ କରିଦେଇଛି ।”
ଚଳିତ ଦଶନ୍ଧିରେ ବଜାରୀକରଣ ଏକ ପ୍ରମୁଖ ସମସ୍ୟା । ଜନସାଧାରଣ ବଜାର ଦ୍ୱାରା କିପରି ପ୍ରଭାବିତ? କିପରି ଆମେ ଏକ ବୁଦ୍ବୁଦ୍ ଭିତରକୁ ପଶି ଯାଉଛୁ, ତାହା କେତୋଟି ପ୍ରବନ୍ଧରେ ବେଶ୍ ଭଲ ଭାବେ ପରିସ୍ଫୁଟନ ହୋଇପାରିଛି । ‘ବିଶ୍ୱ ଦେଖ ବଜାରମୟ’, ‘ଆବଶ୍ୟକ, ଅନାବଶ୍ୟକ, ଅତ୍ୟାବଶ୍ୟକ’, ‘ଅବସର ବିନୋଦନର ବାଣିଜ୍ୟକରଣ’- ଆଦି ପ୍ରବନ୍ଧରେ ବଜାରୀକରଣ ଦ୍ୱାରା ମଣିଷ କିପରି ମଧୁମୟ ଜୀବନଠୁ ଦୂରେଇ ଯାଉଛି, ତାବା ଅତି ସୂକ୍ଷ୍ମ ଭାବରେ ବର୍ଣ୍ଣିତ ।
“ମୋତେ ଲାଗୁଛି ସାରା ବିଶ୍ୱ ଏକ ବିଶାଳ ବଜାରରେ ପରିଣତ ହୋଇଯାଇଛି । ପିଲା ଜନ୍ମ ହେଉଛି ବଜାରରେ, ବଡ଼ ହେଉଛି ବଜାରରେ, ପ୍ରେମ, ବିବାହ, ସଂସାର ସବୁ ବଜାରରେ । ମରୁଛି ବି ବଜାରରେ । ବଜାରର ସାମଗ୍ରୀ ଦେଖୁଦେଖୁ, କିଣୁ କିଣୁ କେତେବେଳେ ସେ ନିଜେ ନିଜ ଅଜାଣତରେ ଏକ ସାମଗ୍ରୀ ହୋଇଯାଉଛି ଆଉ ଖରିଦ ବିକ୍ରି ହେଉଛି । ସ୍ନେହ, ପ୍ରେମ, ଏପରି କି ବାତ୍ସଲ୍ୟମମତା ବି ଖରିଦ ବିକ୍ରି ହେଉଛି । ଖରିଦ-ବିକ୍ରି, ଲାଭ-ଲୋକସାନର ହିସାବ କରୁ କରୁ କେତେବେଳେ ଯେ ଜୀବନ ଶେଷ ହୋଇଯାଉଛି- ସେ ନିଜେ ବି ତାହା ବୁଝି ପାରୁନି । ଏ ବିଶ୍ୱ ଆଉ ଏ ଜୀବନ ମଧୁମୟ ବି ହୋଇପାରେ- ସେ ବୋଧ ବି ଆଉ ରହୁ ନାହିଁ ।”
ଆଶା, ଆମ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷଣରେ ଆମ ପାଖରେ, ଆମ ଭିତରେ ରହିଛି । ଆଶା ନ ଥିଲେ ଜୀବନ ବି ନ ଥା’ନ୍ତା । ସଙ୍କଳନର ଶେଷ ପ୍ରବନ୍ଧଟି ‘ଆଶା ଏକ ଶକ୍ତି’ ପ୍ରବନ୍ଧରେ ଏହା ଅଧିକ ମାର୍ମିକ ଭାବେ ଉପସ୍ଥାପିତ ହୋଇଛି । “ଦର୍ଶନ କହୁଛି, ଧର୍ମ କହୁଛି, ବିଜ୍ଞାନ ମଧ୍ୟ କହୁଛି: ଆଶାରେ ଶକ୍ତି ରହିଛି । ଆମେ ଆଶା ହରେଇବା ନାହିଁ । ନିଜ ଉପରେ ବିଶ୍ୱାସ ହରାଇବା ନାହିଁ । ପରିସ୍ଥିତିର ମୁକାବିଲା କରିବା । ମନ ଯଦି ହାରିଯାଏ, ଆମେ ଶୀଘ୍ର ହାରିଯିବା । ମନକୁ ହାରିବା ପାଇଁ ଦିଅନ୍ତୁ ନାହିଁ, ସଂଘର୍ଷ କରି ଚାଲନ୍ତୁ, ଶେଷକୁ ବିଜୟ ନିଶ୍ଚୟ ଆମର ହେବ ।”
ସଙ୍କଳନର ଅନେକ ପ୍ରବନ୍ଧ ବ୍ୟାବହାରିକ ଜୀବନ ଆଧାରିତ, ଆଉ କିଛି ଆଧ୍ୟାତ୍ମ ଓ ଦର୍ଶନ ଉପରେ ପର୍ଯ୍ୟବେଶିତ, ଭାଷା କ୍ଷେତ୍ରରେ ଶବ୍ଦର ଅବମୂଲ୍ୟାୟନ ଓ ନୂତନ ଶବ୍ଦର ପ୍ରଚଳନକୁ ନେଇ ଦୁଇଟି ପ୍ରବନ୍ଧ, ଏମିତି ବିଷୟବସ୍ତୁର ବୈର୍ଣ୍ଣାଳୀ ଓ ପ୍ରସାରିତ ଦୃଷ୍ଟିକୋଣକୁ ପାଠକମାନେ ଉପଭୋଗ କରିବେ । ସମସ୍ତ ପ୍ରବନ୍ଧର ଆଉ ଏକ ବୈଶିଷ୍ଠ୍ୟ- ନାତିଦୀର୍ଘ । ସ୍ୱଳ୍ପ ଶବ୍ଦରେ ଗଭୀର ଆଲୋଚନା, ପୁଣି ହୃଦୟସ୍ପର୍ଶୀ ।
୯୦ ଦଶକରୁ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ଯାଏ ଦୀର୍ଘ ୩୦ ବର୍ଷ ଧରି ଗଦ୍ୟ ସାହିତ୍ୟରେ ଉଭୟ ଗଳ୍ପ ଓ ଉପନ୍ୟାସ ରଚନାରେ ମୃଣାଳ ଏକ ସ୍ପର୍ଦ୍ଦିତ ସ୍ୱର । ବ୍ୟଙ୍ଗ ଗଳ୍ପ ରଚନାରେ ସୁପ୍ରସିଦ୍ଧ । ବ୍ୟଙ୍ଗ ବ୍ୟତୀତ ବିଜ୍ଞାନ ଭିତ୍ତିକ ଓ ମାନବେତର ଚରିତ୍ରକୁ ନେଇ ଉପନ୍ୟାସ, ସମ୍ବାଦଭିତ୍ତିକ ସାହିତ୍ୟ, ସ୍ତମ୍ଭ ଲେଖନ ଆଦି ଅନେକ ବିଭାଗରେ ତାଙ୍କର ରଚନା ସମଗ୍ର ବଳିଷ୍ଠ । ତାଙ୍କ ପ୍ରକାଶିତ ଗଳ୍ପ ପୁସ୍ତକଗୁଡି଼ ହେଉଛି- ଓଡି଼ଶା ଓ ଅନ୍ୟାନ୍ୟ ଗଳ୍ପ(୧୯୯୧), ବୃତ୍ତ ଓ ଅନ୍ୟାନ୍ୟ ଗଳ୍ପ(୨୦୦୦), ଯମରାଜ ଛୁଟିରେ(୨୦୧୮), ଉପନ୍ୟାସଗୁଡି଼କ- ସେକ୍ରେଟାରିଏଟ୍ରେ ବାଘ(୧୯୯୫), ଭରତପୁରର ବାଘ(୧୯୯୫), ନିଆଁ(୧୯୯୭), ଶକ୍ତି(୨୦୦୦), ଶନିମନ୍ଦିର ସାମ୍ନାରେ ସାତ ଭିକାରୀ(୨୦୦୮), ଯମରାଜ ନମ୍ବର ୫୦୦୩(୨୦୧୦), କଣ୍ଢେଇ(୨୦୧୪), କୁକୁର କାହାଣୀ (୨୦୧୯) ।
ସବୁ ବିଭାଗରେ ଡ. ଚାଟାର୍ଜୀଙ୍କର ସାବଲୀଳ ବିଚରଣ । ନିକଟରେ ପ୍ରକାଶିତ ପ୍ରବନ୍ଧ ସଙ୍କଳନଟି ପାଠକଙ୍କ ମନକୁ ଛୁଇଁବ, ଦୃଷ୍ଟିକୋଣକୁ ପ୍ରସାରିତ କରିବ ଏବଂ ଚିନ୍ତା କରିବାର ଅବସର ଯୋଗାଇ ଦେବ ନିଶ୍ଚୟ ।
ଗବେଷକ, ସ୍ନାତକୋତ୍ତର ଓଡି଼ଆ ବିଭାଗ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ