‘ଭୁବନେଶ୍ଵର ସାହିତ୍ୟ ପର୍ବ’ ଉଦଯାପିତ

ଭୁବନେଶ୍ଵର : ସାହିତ୍ୟ ଉନ୍ମୋଚନ କରେ, ସଂଯୋଗ କରେ ଓ ଖୋଲିଦିଏ ଯାବତୀୟ ଦ୍ଵନ୍ଦ୍ଵର ଗଣ୍ଠି । ବ୍ୟକ୍ତିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହିତ ସଂପୃକ୍ତ କରାଇବା ସହିତ ଅନ୍ଧାରରେ ଆଲୋକ ଦିଏ, ଜୀଇଁବା ଶିଖାଏ । ଏଇଭଳି ବକ୍ତବ୍ୟ ରଖି ‘ଭୁବନେଶ୍ଵର ସାହିତ୍ୟ ପର୍ବ’ର ଅତିଥିମାନେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇ ଦିନିଆ ଏହି ସଭା ଭୁବନେଶ୍ଵର ସ୍ଥିତ ସୂଚନାଭବନ ଠାରେ ଅନୁଷ୍ଠିତ ହେଉଥିଲା ଯାହା ଗତକାଲି ଉଦଯାପିତ ହୋଇଯାଇଛି ।

ଉକ୍ତ ସଭାରେ ଓଡ଼ିଶାରେ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ସାମର୍ଥ୍ୟ ଓ ସମ୍ଭାବନା, ବର୍ତ୍ତମାନ ଓଡ଼ିଆ କଥା ସାହିତ୍ୟ ଦୃଷ୍ଟି ଓ ଦିଗନ୍ତ ଉପରେ ଆଲୋଚନା ହୋଇଥିଲା । ପ୍ରଫୁଲ୍ଲ କୁମାର ମିଶ୍ର ଓ ଆଧ୍ୟାପକ ବିଶ୍ଵରଞ୍ଜନ ଏହି ସଭାରେ ଯୋଗ ଦେଇ ଉକ୍ତ ଆଲୋଚନାରେ ଭାଗ ନେଇଥିଲେ । ଏତଦବ୍ୟତୀତ ସଭାରେ ଯୋଗ ଦେଇ ଡ. ପ୍ରଦୀପ ବିଶ୍ଵାଳ, ଡ. ବୈଷ୍ଣବ ପ୍ରସାଦ ମହାନ୍ତି, ସରୋଜ ବଳ, ଭୀମ ପୃଷ୍ଟି, ଆଦିତେଶ୍ଵର ମିଶ୍ର, ଚିରଶ୍ରୀ ଇନ୍ଦ୍ରସିଂହ ଓ ଆଭାସ ବରାଳ ନିଜ ନିଜର ମତ ରଖିଥିଲେ । ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ସଭାରେ ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ପ୍ରଶାନ୍ତ ପଟ୍ଟନାୟକଙ୍କ ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂ ପ୍ରାରମ୍ଭିକ ସୂଚନା ଓ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *