ବହି: ବାବାସାହେବ: ମାଇଁ ଲାଇଫ ଉଇଥ୍ ଡ଼. ଆମ୍ବେଦକର
ମୁଳ ମରାଠି: ସବିତା ଆମ୍ବେଦକର
ମରାଠିରୁ ଇଂରାଜୀ ଅନୁବାଦ: ନଦିମ ଖାନ୍
ପ୍ରକାଶକ: ପେଙ୍ଗୁଇନ ରାଣ୍ଡମ ହାଉସ୍
ମୂଲ୍ୟ: ୫୯୯ ଟଙ୍କା

ବାବାସାହେବ ଭୀମରାଓ ଆମ୍ବେଦକର (୧୮୯୧-୧୯୫୬) ଭାରତର ପ୍ରମୁଖ ଚିନ୍ତାନାୟକମାନଙ୍କ ମଧ୍ୟରୁ ଜଣେ । ଭାରତରେ ଅସ୍ପୃଶ୍ୟତା ନିରୋଧି ଆଇନ୍ ପ୍ରଣୟନରେ, ଦଳିତ ଜାତିର ଲୋକମାନଙ୍କ ସାମାଜିକ ଉନ୍ନୟନରେ ଏବଂ ଭାରତର ସମ୍ବିଧାନ ପ୍ରଣୟନରେ ତାଙ୍କର ବଡ଼ ଭୁମିକା ଥିଲା । ଗାନ୍ଧୀ, ନେହେରୁଙ୍କ ଭଳି ତୁଙ୍ଗ ନେତାମାନଙ୍କ ସହିତ ତାଙ୍କର ପ୍ରକାଶ୍ୟ ମତବିରୋଧ, ତାଙ୍କର ବହୁ ସମର୍ଥକମାନଙ୍କ ସହିତ ବୌଦ୍ଧ ଧର୍ମ ଗ୍ରହଣ – ଇତ୍ୟାଦି ତାଙ୍କୁ ଅନେକ ବିତର୍କର କେନ୍ଦ୍ରରେ ଠିଆ କରେଇଛି ।

ସ୍ଵାଭାବିକ ଭାବେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ନେଇ ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ‘ଡ଼.ଆମ୍ବେଦକର: ଲାଇଫ ଆଣ୍ଡ ମିଶନ’ ୧୯୫୪ରେ ପ୍ରକାଶିତ ଏବଂ ଧନଞ୍ଜୟ କିର୍ଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକଟିକୁ ଆମ୍ବେଦକରଙ୍କର ପ୍ରଥମ ପୁର୍ଣ୍ଣାଙ୍ଗ ଜୀବନୀର ମାନ୍ୟତା ଦିଆଯାଏ । ଏଥିରେ ଧନଞ୍ଜୟ କିର୍ ଡ. ଆମ୍ବେଦକରଙ୍କର ଜୀବନର ପ୍ରମୁଖ ଘଟଣା ଗୁଡିକ ବର୍ଣ୍ଣନା କରିଛନ୍ତି । ତାଙ୍କର ପିଲାବେଳର ଅବସ୍ଥାରୁ ସେ କେମିତି ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣି ହେଇପାରିଲେ ତାହା ବର୍ଣ୍ଣନା କରିଛନ୍ତି । ତାଙ୍କର ସଂଘର୍ଷମୟ ଜୀବନ, ରାଜନୈତିକ ଦର୍ଶନ, ଗାନ୍ଧୀଙ୍କ ସହିତ ତାଙ୍କର ମତ ପାର୍ଥକ୍ୟ, ହିନ୍ଦୁ ଧର୍ମ ପ୍ରତି ତାଙ୍କର ମନ୍ତବ୍ୟ, ସମ୍ବିଧାନ ତିଆରି ଏବଂ ଜୀବନର ଶେଷାର୍ଦ୍ଧରେ ବୌଦ୍ଧ ଧର୍ମ ଗ୍ରହଣ ଏହି ପ୍ରମୁଖ ଘଟଣା ଗୁଡିକ ତାଙ୍କ ଜୀବନୀର ଅନ୍ତର୍ଭୁକ୍ତ ହୋଇଛି ।

୨୦୨୨ ଅକ୍ଟୋବରରେ ଶଶୀ ଥରୁର ଲେଖିଥିବା ‘ଆମ୍ବେଦକର ଏ ଲାଇଫ’ ପ୍ରକାଶ ପାଇଛି । ବମ୍ବେ ପ୍ରେସିଡେନସିରେ ସେତେବେଳେ ଅଷ୍ପୃଶ୍ୟ କୁହାଯାଉଥିବା ଏକ ଜାତିରେ ଏପ୍ରିଲ ୧୪, ୧୮୯୧ରେ ଆମ୍ବେଦକରଙ୍କ ଜନ୍ମଠୁଁ ଦିଲ୍ଲୀରେ ୬ ଡିସେମ୍ବର ୧୯୫୬ରେ ତାଙ୍କର ମୃତ୍ୟୁ ଯାଏ ତାଙ୍କ ଜୀବନର କାହାଣୀକୁ ମାର୍ମିକ ଭାବରେ ଲେଖିଛନ୍ତି । ଆଦ୍ୟ ଜୀବନରେ ଯେଉଁସବୁ ପ୍ରତିବନ୍ଧକ ଭିତରେ ଆମ୍ବେଦକରଙ୍କୁ ଯିବାପାଇଁ ପଡିଥିଲା, ଋଢ଼ିବାଦୀ ସମାଜର ଅନ୍ୟାୟ ଅତ୍ୟାଚାର ସବୁ ସହିବା ପାଇଁ ପଡିଥିଲା ଏବଂ କେମିତି ସେ ସବୁ ବାଧା ବନ୍ଧନକୁ ଜୟ କରି ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଏକ ଜ୍ୟୋତିଷ୍କ ଭାବରେ ଉଭା ହେଲେ ସେକଥା ଏ ବହିରେ ବର୍ଣ୍ଣନା କରିଛନ୍ତି । ତାଙ୍କ ସମୟ କାଳରେ ରାଜନୈତିକ ଏବଂ ବୌଦ୍ଧିକ ଦୁନିଆରେ ଯେଉଁ ନେତାମାନେ ଥିଲେ ସେମାନଙ୍କର ସହିତ ତାଙ୍କର ମତପାର୍ଥକ୍ୟ କଥା ମଧ୍ୟ ଏଥିରେ ରହିଛି । ସମ୍ବିଧାନ ରଚନାର କଥା ରହିଛି ।

ମୋଟାମୋଟି ଭାବରେ କହିଲେ ଏଯାବତ ଆମ୍ବେଦକରଙ୍କ ଜୀବନକୁ ନେଇ ଯେତେ ବହି ଲେଖାଯାଇଛି, ସେଥିରେ ଆମ୍ବେଦକରଙ୍କର ଜୀବନରେ ପ୍ରମୁଖ ଘଟଣା ଗୁଡିକ ଏବଂ ସେଥିରେ ତାଙ୍କର ସଂପୃ୍କ୍ତି ଓ ଭୂମିକାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଆମ୍ବେଦକରଙ୍କର ବ୍ୟକ୍ତିଗତ ଜୀବନ ଏବଂ ବ୍ୟକ୍ତି ଭାବରେ ସେ କେମିତି ଥିଲେ- ଏ ଦିଗଟି ଆଖି ଅଢ଼ୁଆଳରେ ରହିଯାଇଛି ।

‘ବାବାସାହେବ ମାଇଁ ଲାଇଫ ଉଇଥ୍ ଡ଼. ଆମ୍ବେଦକର’ ବହିଟିର ପ୍ରମୁଖ ଆକର୍ଷଣ ହେଲା ଏଇ ଦିଗଟି । ମୂଳ ମରାଠିରେ ଲିଖିତ ଏ ବହିର ଲେଖିକା ସବିତା ଆମ୍ବେଦକର ହେଲେ ଡ. ଆମ୍ବେଦକରଙ୍କର ଦ୍ଵିତୀୟା ପତ୍ନୀ । ତାଙ୍କର ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବାର ବହୁ ବର୍ଷ ପରେ ଡ. ଆମ୍ବେଦକର ତାଙ୍କୁ ବିବାହ କରନ୍ତି । ବିବାହ ପୂର୍ବରୁ ସବିତା ଆମ୍ବେଦକରଙ୍କର ନାଁ ଥିଲା ଶାରଦା କବିର । ମରାଠୀ ସାରଶ୍ୱତ ବ୍ରାହ୍ମଣ ପରିବାରର ଝିଅ । ପେଶାରେ ଡାକ୍ତର । ତାଙ୍କ ସହିତ ଡ଼. ଭୀମରାଓ ଆମ୍ବେଦକରଙ୍କର ପ୍ରଥମ ସାକ୍ଷାତ ବେଳେ ଆମ୍ବେଦକରଙ୍କ ବୟସ ୫୦ରୁ ଉର୍ଦ୍ଧ୍ଵ । ନାନା ପ୍ରକାର ରୋଗବ୍ୟାଧିରେ ଭାରାକ୍ରାନ୍ତ । ଶାରଦା କବୀର ଏବଂ ଭୀମରାଓ ଆମ୍ବେଦକର ପରସ୍ପରକୁ ଭଲ ପାଇ ବସିଲେ ଏବଂ ୧୫ ଏପ୍ରିଲ ୧୯୪୮ରେ ସେମାନଙ୍କର ବିବାହ ହେଲା । ବିବାହ ପରେ ଆମ୍ବେଦକର ତାଙ୍କର ନୂଆ ନାମକରଣ କଲେ ସବିତା ଆମ୍ବେଦକର । ଏକାନ୍ତରେ ତାଙ୍କୁ ସେ ‘ସାରୁ’ ବୋଲି ଡାକୁଥିଲେ । ୧୯୪୮ରେ ସେମାନଙ୍କ ବିବାହଠୁ ୧୯୫୬ରେ ଆମ୍ବେଦକରଙ୍କର ମୃତ୍ୟୁ ଏହି ଆଠବର୍ଷର କାଳଖଣ୍ଡରେ ସବିତା ଆମ୍ବେଦକର ତାଙ୍କ ପାଖେ ପାଖେ ଛାଇ ଭଳି ରହିଛନ୍ତି । ଏହି ଆଠ ବର୍ଷରେ ଡ଼. ଆମ୍ବେଦକର ତାଙ୍କ ଜୀବନର ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କାର୍ଯ୍ୟ ଗୁଡିକ କରିଛନ୍ତି । ସମ୍ବିଧାନର ଶେଷ ସ୍ପର୍ଶର୍ ଦେବାଠୁ ହିନ୍ଦୁ କୋଡ ବିଲ୍କୁ ତିଆରି କରିବା, ବେଶ୍ କିଛି ଗୁରୁତ୍ୱପୁର୍ଣ୍ଣ ପୁସ୍ତକ (ତା ଭିତରେ ରହିଛି ‘ବୁଦ୍ଧ ଏବଂ ତାଙ୍କ ଧର୍ମ’) ଲେଖିବାଠୁ ଲକ୍ଷ ଲକ୍ଷ ଦଳିତଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିବା – ଏ ସବୁ କାମ ରହିଛି।

୧୯୫୬ରେ ଡ଼. ଆମ୍ବେଦକରଙ୍କର ମୃତ୍ୟୁ ପରେ ଡ଼. ଆମ୍ବେଦକରଙ୍କର କେତେକ ଅନୁଗାମୀ ସବିତା ଆମ୍ବେଦକରଙ୍କୁ ପାଦପ୍ରଦୀପରୁ ହଟେଇବା ପାଇଁ ତାଙ୍କ ବିରୁଦ୍ଧରେ କୁତ୍ସା ରଟନା ଆରମ୍ଭ କରିଥିଲେ । ସେମାନେ ଏହା ମଧ୍ୟ କହିଥିଲେ ଯେ ଡ଼. ଆମ୍ବେଦକରଙ୍କର ମୃତ୍ୟୁ ପଛରେ ସବିତା ଆମ୍ବେଦକରଙ୍କର ହାତ ରହିଛି । ତେଣୁ ଅଭିମାନରେ ପାଦ ପ୍ରଦୀପରୁ ଚାଲିଯାଇଥିଲେ ସେ । କିନ୍ତୁ ୧୯୭୦ ଦଶକରେ ପୁଣି ସିଏ ଜନଜୀବନକୁ ଫେରି ଆସିଲେ । ଦଳିତ ସଂପ୍ରଦାୟର ଉନ୍ନତି ଥିଲା ତାଙ୍କ ସ୍ୱାମୀଙ୍କର ଲକ୍ଷ୍ୟ । ସେ କାମରେ ଲାଗିଥିଲେ ।

ତାଙ୍କ ଆତ୍ମ ଜୀବନୀ ‘ଡ଼. ଆମ୍ବେଦକରଚା ସାହା ଭସାତ ୧୯୯୦ରେ ମରାଠିରେ ପ୍ରଥମେ ପ୍ରକାଶିତ ହୋଇଥିଲା । ବତିଶ ବର୍ଷ ପରେ ତାର ଇଂରାଜୀ ଅନୁବାଦ ପ୍ରକାଶିତ ହେଲା: ମାଇଁ ଲାଇଫ ଉଇଥ ଡ଼ ଆମ୍ବେଦକର’ ।

ଏ ପୁସ୍ତକରେ ଆମ୍ବେଦକରଙ୍କର ବ୍ୟକ୍ତି ଜୀବନର ଅନେକ ଅକୁହା କଥା ଯାହା କେବେ ବି ଲୋକଲୋଚନକୁ ଆସି ନଥିଲା ତାହା ଆସିଲା । ଏ ଆତ୍ମଜୀବନୀରେ ସବିତା ଆମ୍ବେଦକର ଜଣେ ସ୍ଵାମୀ ଭାବରେ ସେ କେମିତି ଥିଲେ ସେକଥା ମଧ୍ୟ ଦ୍ଵିଧାହୀନ ଭାବରେ ବର୍ଣ୍ଣନା କରିଛନ୍ତି । ଆମ୍ବେଦକର ଜଣେ ଏମିତି ବ୍ୟକ୍ତି ଥିଲେ ଯିଏ ରୋମାଣ୍ଟିକ୍ ଚିଠି ଲେଖୁଥିଲେ, ସ୍ତ୍ରୀ କଣ ପିନ୍ଧିବେ ତାଉପରେ ମଧ୍ୟ ନଜର ରଖୁଥିଲେ, ମାଂସ ତରକାରୀ ତିଆରି କରି ପାରୁଥିଲେ, ବେହେଲା ବଜେଇବା ଶିଖିଥିଲେ, ଭାସ୍କର୍ଯ୍ୟ ତିଆରିର ଚେଷ୍ଟା କରିଥିଲେ ଶିଖୁଥିଲେ, ଡ୍ରାଇଭିଙ୍ଗ୍ ବି ଶିଖୁଥିଲେ (ଯାହା ସେ ଶେଷ ପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ) ଏସବୁ କଥା ଏ ବହିରେ ରହିଛି । ଏ ବହିରେ ଆମ୍ବେଦକରଙ୍କର ରୋଗାକ୍ରାନ୍ତ ଜୀବନ କଥା ମଧ୍ୟ ରହିଛି । ଆମ୍ବେଦକରଙ୍କର ଯେଉଁ ଘାତ ପ୍ରତିଘାତ ମଧ୍ୟରେ ଯାଉଥିଲେ ତାରଅତ୍ୟନ୍ତ ଅନ୍ତରଙ୍ଗ ବିବରଣୀ ରହିଛି ଏବଂ ଆମ୍ବେଦକରଙ୍କର ଜୀବନର ଅନ୍ଦର ମହଲର କଥା ବି ଏ ବହିରେ ରହିଛି ଯାହା ଆମ୍ବେଦକରଙ୍କୁ ଏକ ନୂଆ ଆଙ୍ଗିକ, ଆଲୋକ ଦୃଷ୍ଟିକୋଣରେ ଦେଖିବାକୁ ଏବଂ ବୁଝିବାକୁ ସାହାଯ୍ୟ କରେ ।

ନଦିମ ଖାନ୍ଙ୍କର ଅନୁବାଦ ଅତ୍ୟନ୍ତ ସାବଲୀଳ । ଏହା ପୂର୍ବରୁ ନଦିମ ଖାନ୍ ବେଶ୍ କିଛି ମରାଠି ବହିର ଇଂରାଜୀ ଅନୁବାଦ କରିଛନ୍ତି ତା ଭିତରେ ବିଶ୍ୱାସ ପାଟିଲଙ୍କ ଲେଖା ‘ପାନିପଥ‘ ଏକ ଦୀର୍ଘ ଉପନ୍ୟାସ ତାହା ମଧ୍ୟ ଅନ୍ତର୍ଭୁକ୍ତ । ଏ ବହିଟିକୁ ପଢ଼ିବାପାଇଁ ଭଲ ଲାଗୁଛି ଏହା ବିଷୟ ପାଇଁ । ବାବା ସାହେବଙ୍କୁ ଏକ ନୂଆ ଆଲୋକରେ ଦେଖିବାର ସୁଯୋଗ ଦେଇଥିବାରୁ ଏବଂ ନଦିମ ଖାନ୍ଙ୍କ ଅନବଦ୍ୟ ଅନୁବାଦ ପାଇଁ ।

ଆପଣମାନେ ଯଦି ଆମ୍ବେଦକରଙ୍କର ଜୀବନ ଦର୍ଶନ ବିଷୟରେ ଜାଣିବାପାଇଁ ଚାହାନ୍ତି ଏ ବହି ଆପଣଙ୍କ ପାଇଁ ଅବଶ୍ୟ ପାଠ୍ୟ ।

++

Related Posts

Leave a Reply

Your email address will not be published. Required fields are marked *