ଯୁଦ୍ଧ ପରେ ସାଧାରଣ ଲୋକମାନଙ୍କ ଉପରେ କଣ ବିତେ?

ଲେଖକ: ହେରଲ୍‍ଡ ଜାହାନିର
ପ୍ରକାଶକ: ପେଙ୍ଗୁଇନ
ପୃଷ୍ଠା: ୩୮୧ । ମୂଲ୍ୟ: ୬୫୭ ଟଙ୍କା

ବର୍ତ୍ତମାନ ୟୁରୋପରେ ଯୁଦ୍ଧର ଘନଘଟା । ଆଠ ଦଶନ୍ଧିପରେ ପୁଣିଥରେ ୟୁରୋପ ମହାଯୁଦ୍ଧ ଭଳି ଯୁଦ୍ଧ ଦେଖୁୂଛି । ୟୁକ୍ରେନ୍‍ ଏବଂ ପୂର୍ବ ୟୁରୋପ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯୁଦ୍ଧର ଭୟାବହତା ସବୁଠାରୁ ଅଧିକ ପ୍ରତ୍ୟକ୍ଷ କରିଥିଲା, ଭୋଗିଥିଲା । ଆଠ ଦଶନ୍ଧି ଭିତରେ ଅନେକେ, ୟୁରୋପର ବି ଅନେକେ ସେ ଯୁଦ୍ଧର ଭୟାବହତାକୁ ଭୁଲିଗଲେଣି । କଥାରେହିଁ ଅଛି ଯେ ଲୋକଙ୍କର ସ୍ମୃତିଶକ୍ତି ଦୁର୍ବଳ । ତେଣୁ ଦୁର୍ବଳ ସ୍ମୃତି ସେ ଭୟାବହତାର ବିଭୀଷିକାକୁ ବୋଧହୁଏ ଧରିରଖି ପାରିନାହିଁ । ଆଉ ସେଥିପାଇଁ ପୁଣି ହୁଏତ ବିଶ୍ୱ ଆଉ ଏକ ଯୁଦ୍ଧର ଭୟାବହତାକୁ ଦେଖୁଛି ।

ଏ ପୁସ୍ତକରେ ଲେଖକ ହେରଲ୍‍ଡ ଜାହାନିର ଦ୍ୱିତୀୟ ମହାଯୁଦ୍ଧ ପରବର୍ତ୍ତୀ ଜର୍ମାନୀର ଅବସ୍ଥା କଥା ବର୍ଣ୍ଣନା କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଏଇ ଆଠ ଦଶକ ଭିତରେ ପୁଣି ନିଜକୁ ଏକ ସମୃଦ୍ଧ ଦେଶଭାବରେ ପ୍ରତିଷ୍ଠିତ କରିପାରିଛି । ତାର ନାଜି ଅତୀତକୁ ଭୁଲି ସେ ପୁଣି ବିଶ୍ୱର ଏକ ଆଗୁଆ ଦେଶ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଜର୍ମାନୀକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାଙ୍ଗିକି ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜର୍ମାନୀର ଲୋକମାନେ ସେ ପ୍ରାଚୀରକୁ ଭାଙ୍ଗି ଏକାଠି ହୋଇଯାଇଥିଲେ ।

ତେଣୁ ଜର୍ମାନୀକୁ ତମାମ ବିଶ୍ୱ ଏକ ଉଦାହରଣ ଭାବରେ ଦେଖିଥାଏ । କିନ୍ତୁ ବିଶ୍ୱଯୁଦ୍ଧ ଠିକ୍‍ ପରେ ପରେ, ପରାଜିତ ଜର୍ମାନୀ ଓ ଜାପାନର କି ଦଶା ହୋଇଥିଲା, ସେଠିକାର ଲୋକେ କି ଦୁଃଖ କଷ୍ଟରେ ଚଳିଥିଲେ, କେଉଁ ପ୍ରକାର ଯନ୍ତ୍ରଣା ଭୋଗିଥିଲେ ସେହିକଥା ଏ ପୁସ୍ତକରେ ରେଖାଙ୍କିତ କରାଯାଇଛି ।

ଲେଖକଙ୍କ ମତରେ ଦୁଇଟି ବିଷୟ ବହୁତ ଗଭୀର ଭାବରେ ଜର୍ମାନୀ ପ୍ରସଙ୍ଗରେ ଦେଖାଯାଇଥିଲା । ଗୋଟିଏ ହେଉଛି ନାରୀର ଭୂମିକା ଏବଂ ଦ୍ୱିତୀୟଟି ହେଉଛି ଯୁଦ୍ଧ ପରେ ପରେ କଳାବଜାରର ଭୂମିକା । ଦି୍ୱତୀୟ ବିଶ୍ୱଯୁଦ୍ଧରେ ଜର୍ମାନର ସକ୍ଷମ ପୁରୁଷମାନଙ୍କ ଭିତରୁ ଅନେକ ପ୍ରାଣ ହରେଇଥିଲେ, ଅନେକେ ଆହତ ହୋଇଥିଲେ ଏବଂ ଅନେକେ ଏ ଯୁଦ୍ଧର ବିଭୀଷିକାରେ ମାନସିକ ଭାବରେ ପଙ୍ଗୁ ହୋଇଯାଇଥିଲେ । ଯୁଦ୍ଧ ପରେ ପରେ ବିଜୟୀ ସେନାମାନଙ୍କର ଲୁଣ୍ଠନ ଓ ଅନ୍ୟାନ୍ୟ ବହୁ ପ୍ରକାର ଅତ୍ୟାଚାରର ଶୀକାର ହୋଇଥିଲେ ଜର୍ମାନର ମହିଳାମାନେ । ବିଶେଷକରି ରଷିଆନ ସୈନ୍ୟମାନଙ୍କର ଅତ୍ୟାଚାରର ଶୀକାର ହୋଇଥିଲେ । ଏ ବିଷୟଟିକୁ ହୁଏତ ଜର୍ମାନୀ ବି ପରବର୍ତ୍ତୀ ସମୟରେ ଭୂଲିଯିବାକୁ ଚାହିଁଥିଲା । ସେ ସମୟରେ ଏ ସଂପର୍କରେ ଗୋଟେ ବହି ଲେଖାଯାଇଥିଲା ଯାହା ସେ ସମୟରେ କୌଣସି ଆଲୋଡନ ସୃଷ୍ଟି କରିନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏ ପୁସ୍ତକ ଆଲୋଡନ ସୃଷ୍ଟି କରିଥିଲା । ଏ ବହିଟିରେ ସେ ସମୟରେ ଜର୍ମାନୀର ମହିଳା ମାନଙ୍କର କରୁଣ ସ୍ଥିତି ବିଷୟରେ ପ୍ରତ୍ୟକ୍ଷଦର୍ଶୀ ବହୁ ବିବରଣୀ ଦେଇଥିଲା ।

ଆଉ ଗୋଟିଏ ଯାହା ଯୁଦ୍ଧ ପରେ ପରେ ଜର୍ମାନୀରେ ଦେଖାଦେଇଥିଲା ତାହା ହେଉଛି କଳାବଜାର । ଖାଦ୍ୟ ଅଭାବବେଳେ ଖାଦ୍ୟ ଏବଂ ଅନ୍ୟାନ୍ୟ ସବୁ ସାମଗ୍ରୀର କଳାବଜାର ବଡ ବ୍ୟାପକ ଭାବରେ ବୃଦ୍ଧି ପାଇଥିଲା । ଜର୍ମାନମାନଙ୍କୁ ଅତ୍ୟନ୍ତ ଡିସ୍‍ିପ୍ଲିନଡ ବା ଅନୁଶାସିତ ଜାତିବୋଲି ଧରାଯାଏ । କିନ୍ତୁ ସେ ସମୟରେ ଜର୍ମାନମାନେ ବି ଏ କଳାବଜାରର କବଳରୁ ନିଜକୁ ମୁକୁଳେଇ ପାରିନଥିଲେ । ସମାଜ ବ୍ୟବସ୍ଥାରେ ମୂଲ୍ୟବୋଧର ଅଭାବ ବଡ ଦୃଷ୍ଟିକଟୁ ଭାବରେ ପରିଲକ୍ଷିତ ହେଉଥିଲା ।

ଏ ପୁସ୍ତକରେ ଲେଖକ କେତେଗୁଡିଏ ଅପ୍ରିୟ ପ୍ରଶ୍ନ ଉତ୍‍ଥାପନ କରିଛନ୍ତି । ପ୍ରଥମ ପ୍ରଶ୍ନ ହେଲା ହଲୋକାଷ୍ଟ ବିଷୟରେ ସମସ୍ତେ ଜାଣନ୍ତି । ଇହୁଦୀ ମାନଙ୍କୁ ନାଜୀମାନେ କେମିତି ହତ୍ୟା କରିଥିଲେ ସେ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଯୁଦ୍ଧପରେ ଜର୍ମାନୀମାନେ କିଭଳି ଅତ୍ୟାଚାରିତ ହୋଇଥିଲେ ସେ ବିଷୟରେ ବେଶି କଥା ଇତିହାସରେ ସ୍ଥାନ ପାଇନାହିଁ । ଦ୍ୱିତୀୟ କଥାଟି ହେଉଛି ଯେ କ୍ରମଶଃ ଜର୍ମାନୀରେ ବି ଏକ ଅତ୍ୟନ୍ତ କଠୋର ଦକ୍ଷିଣ ପନ୍ଥୀ ଗୋଷ୍ଠୀର ଉଦ୍ଭବ ହେଉଛି । ହିଟଲରଙ୍କର ଯେଉଁ ଧାରଣା ଓ ଅବଧାରଣାଗୁଡିକ ଥିଲା ଏହି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ସୌଜନ୍ୟରୁ ତାହା ପୁଣି ମୁଣ୍ଡ ଟେକିବାରେ ଲାଗିଛି ।
ବର୍ତ୍ତମାନ ଯେତେବେଳେ ରଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି ସେତେବେଳେ ଏ ବହିଟି ଅଧିକ ପ୍ରାସଙ୍ଗିକ ହେଇ ଉଠୁଛି । ଯୁଦ୍ଧ ପରବର୍ତ୍ତୀ ଅବସ୍ଥା କଣ, ଯୁଦ୍ଧ ବେଳେ ଏବଂ ଯୁଦ୍ଧ ପରେ ସାଧାରଣ ଲୋକମାନଙ୍କ ଉପରେ କଣ ବିତେ- ଏ ପୁସ୍ତକଟି ତାର ଏକ ମାର୍ମିକ ଚିତ୍ର ପ୍ରଦାନ କରିଛି ।

ବହି ଜଗତର ଖବର

ଶେଷ ହେଲା କୋଲକାତା ପୁସ୍ତକ ମେଳା 
ପୁସ୍ତକ ମେଳା କୋଲକାତା ପୁସ୍ତକ ମେଳା ଗତ ୧୩ ମାର୍ଚ୍ଚରେ ଶେଷ ହେଲା । ଆୟୋଜକମାନଙ୍କ ବକ୍ତବ୍ୟ ଅନୁସାରେ ଏସିଆର ବୃହତ୍ତମ ଏସିଆର ବୃହତ୍ତମ ଏ ପୁସ୍ତକ ମେଳାରେ ଏବର୍ଷ  ସିଧା କିଣା କଟା ହୋଇଛି ୨୩ କୋଟି ଟଙ୍କାର । ୪୫ବର୍ଷର ବହିମେଳା ଇତିହାସରେ ଏହା ହେଉଛି ସବୁଠାରୁ ବେଶୀ ବ୍ୟବସାୟ । ଏବର୍ଷ ଏ ବହିମେଳାରେ ଥିମ୍‍ କଣ୍ଟ୍ରି ଥିଲା ବାଂଲା ଦେଶ । ଆରବର୍ଷ ଥିମ୍‍ କଣ୍ଟ୍ରି ହେବ ସ୍ପେନ୍‍ ।

କଲର କଲର
ସଂପ୍ରତି ପ୍ରକାଶ ପାଇଛି ସ୍ୱାଗତିକା ସେଠୀଙ୍କର ଗଳ୍ପ ସଂକଳନ ‘କଲର କଲର’ । ସ୍ୱାଗତିକା ରେଭେନସା ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ଏମ୍‍ ପାଶ ପରେ ସଂପ୍ରତି ଫେସନ ଡିଜାଇନର ଭାବରେ  ନିଜକୁ ପ୍ରତିଷ୍ଠିତ କରିଛନ୍ତି । ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଜଡିତ । ସୃଜନଶୀଳ  ରଚନା ଏବଂ ହସ୍ତକଳାରେ ତାଙ୍କର ରୁଚି ରହିଛି । ତାଙ୍କର ପୁସ୍ତକ କଲର କଲରରେ ୧୬ଟି ଗଳ୍ପ ରହିଛି । ଏ ଗଳ୍ପଗୁଡିକ ବିଭିନ୍ନ ଶୈଳୀର । ସୁପ୍ତ ସାବିତ୍ରୀ, ଓଦା ବାଲି, ଖଣ୍ଡାଧାର ନାଗ ବନାମ ମଲ୍ଲୀଫୁଲିଆ ହସ, ନିଶବ୍ଦରେ ସୂର୍ଯ୍ୟାସ୍ତ, ବେରଙ୍ଗ  ପ୍ରଜାପତି, ପଳାତକର ବିକଳ୍ପ, ଆଉ ପୁଣି କେବେ  ଏ ହେଉଛି କେତୋଟି ଗଳ୍ପର ଶିରୋନାମା । ପଢ଼ନ୍ତୁ ଦେଖନ୍ତୁ କେମିତି ଲାଗୁଛି ।

++

Related Posts

Leave a Reply

Your email address will not be published. Required fields are marked *