ବହି: ‘ଦି କ୍ରୋ ଡିଡ୍‍ ନଟ ଫ୍ଲାଇ’ (ଇଂରାଜୀ)
ଲେଖକ: ସୁଧାକର ପଣ୍ଡା
ପ୍ରକାଶକ: କୁନାଲ ବୁକ୍‍ସ, ଦିଲ୍ଲୀ
ପୃଷ୍ଠା: ୧୧୨ ମୂଲ୍ୟ ୧୭୫/-

ପ୍ରଫେସର ସୁଧାକର ପଣ୍ଡାଙ୍କୁ ଜଣେ ବରିଷ୍ଠ ଅର୍ଥନୀତି ବିଶାରଦ ଏବଂ ଅର୍ଥନୀତିର ଅଧ୍ୟାପକ ଭାବରେ ସାରା ଭାରତ ଜାଣେ । ଅର୍ଥନୀତି କ୍ଷେତ୍ରରେ ବିଭିନ୍ନ ସରକାରୀ ଅନୁଷ୍ଠାନରେ ସେ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଛନ୍ତି । ରାଜ୍ୟ ଯୋଜନା ଆୟୋଗରେ ସଦସ୍ୟ ହେଇଛନ୍ତି । ସେକେଣ୍ଡ୍‍ ଷ୍ଟେଟ୍‍ ଫାଇନାନ୍ସ କମିସନର ଅଧ୍ୟକ୍ଷ ଥିଲେ । ବିଭିନ୍ନ ଦେଶକୁ ଅର୍ଥନୀତି ସମ୍ପର୍କରେ ଭାଷଣ ଦେବା ପାଇଁ ସେ ନିମନ୍ତ୍ରିତ ହୋଇଛନ୍ତି । ଗୁଜରାଟ ଇକୋନୋମିକ୍ସ ଆସୋସିଏସନର ପ୍ରଫେସର ଡି.ଟି ଲାକଡାବାଲା ସ୍ମାରକୀ ବକ୍ତୃତା ଦେଇଛନ୍ତି ଆନନ୍ଦ(ସହର)ରେ । ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ୍‍ ୟୁନିଭରସିଟିର ପ୍ରଥମ କୁଳପତି ଥିଲେ ସେ ।

କିନ୍ତୁ ପ୍ରଫେସର ସୁଧାକର ପଣ୍ଡାଙ୍କର ଆଉ ଏକ ପରିଚୟ ଅଛି । ତାହା ହେଉଛି ଜଣେ ସୃଜନଶୀଳ ଲେଖକର । ଦି କ୍ରୋ ଡିଡ୍‍ ନଟ୍‍ ଫ୍ଲାଇ ପୂର୍ବରୁ ତାଙ୍କର ଦୁଇଟି ଗଳ୍ପ ପୁସ୍ତକ ପ୍ରକାଶିତ ହୋଇଛି । ଦୁଇଟି ଯାକ ଇଂରାଜୀରେ । ‘ଦି ପପର ଆଣ୍ଡ୍‍ ଦି ପଟାଟୋ ଆଣ୍ଡ୍‍ ଅଦର ଷ୍ଟୋରିଜ’ (କୁମୁଦ ବୁକ୍‍ସ, ଦିଲ୍ଲୀ) ଏବଂ ‘ଏ ନାଇଟ୍‍ ୱିଥ୍‍ ଘୋଷ୍ଟ’ (ନବଯୁଗ ବୁକ୍‍ସ, ଦିଲ୍ଲୀ) ।

‘ଦି କ୍ରୋ ଡିଡ୍‍ ନଟ ଫ୍ଲାଇ’- ଏ ଗଳ୍ପ ସଙ୍କଳନରେ ୧୨ଟି ଗଳ୍ପ ଅଛି । ଏ ସଙ୍କଳନର ବିଶେଷ କଥା ହେଉଛି- ୧୨ଟି ଯାକ ଗଳ୍ପର କେନ୍ଦ୍ରୀୟ ଚରିତ୍ର ହେଉଛନ୍ତି ପଶୁପକ୍ଷୀମାନେ- କୁଆ, ବିଳେଇ, କୁକୁର, ଶୁଆ, ଶିଆଳ, ଇତ୍ୟାଦି ।

ପଶୁପକ୍ଷୀମାନଙ୍କୁ କେନ୍ଦ୍ରରେ ରଖି ଗପ ଲେଖିବାର ଧାରା ଭାରତୀୟ ସାହିତ୍ୟରେ ବହୁ ପ୍ରାଚୀନ। ଅନେକ ସମୟରେ ନୀତି କଥାମାନଙ୍କରେ ଜୀବଜନ୍ତୁ ପଶୁପକ୍ଷୀମାନଙ୍କ କାହାଣୀ ଜରିଆରେ ନୀତି ଶିକ୍ଷା ଦେବାର ଏକ ପ୍ରଚ୍ଛନ୍ନ ଚେଷ୍ଟା ଥାଏ। ତାକୁ ଇଂରାଜୀରେ ଫେବୁଲ ବୋଲି କୁହାଯାଏ । ପଞ୍ଚତନ୍ତ୍ରରେ ଏହି ଭଳି ଅନେକ କାହାଣୀ ରହିଛି । ପାଶ୍ଚାତ୍ୟ ସାହିତ୍ୟରେ ଇସପ୍‍ସ ଫେବଲ୍‍ ଏକ ଅତ୍ୟନ୍ତ ଜନପ୍ରିୟ କାହାଣୀ-କାଳା । ବିଶ୍ୱାସ କରାଯାଏ ଯେ ଇସପ୍‍ ଥିଲେ ପ୍ରାଚୀନ ଗ୍ରୀସ୍‍ରେ ଜଣେ କିଣା ଚାକର ଏବଂ କଥାକାର ।

ସୁଧାକର ପଣ୍ଡାଙ୍କ ଗଳ୍ପଗୁଡ଼ିକ ଫେବୁଲ ଢାଞ୍ଚାରେ ଗଢ଼ା । କାରଣ ଏଥିରେ ବେଶ୍‍ କିଛି ପଶୁପକ୍ଷୀଙ୍କ କଥା କହୁଛନ୍ତି । ତାକୁ କେନ୍ଦ୍ର କରି କାହାଣୀ ଗଢ଼ି ଉଠିଛି । କେତେକ କ୍ଷେତ୍ରରେ ସେମାନଙ୍କ ମୁହଁରେ ବି କଥା କୁହେଇଛନ୍ତି । କିନ୍ତୁ ତାଙ୍କ ଗଳ୍ପଗୁଡ଼ିକ ଫେବୁଲଠୁଁ ଗୋଟେ ଦୃଷ୍ଟିରୁ ଅଲଗା । ଫେବୁଲ୍‍ରେ ନୀତି ଶିକ୍ଷା ଦେବାର ଯେଉଁ ପ୍ରଚ୍ଛନ୍ନ ଚେଷ୍ଟାଟି ଥାଏ, ତାହା ଏଥିରେ ନାହିଁ । ସୃଜନଶୀଳ ଲେଖାରେ ତାହା ନ ରହିବା ହିଁ ଉଚିତ ବୋଲି ସାହିତ୍ୟ ବିଶେଷଜ୍ଞମାନଙ୍କର ମତ ।

ଏ ଗପଗୁଡି଼କରୁ ବେଶ୍‍ କେତୋଟିରେ ପଶୁପକ୍ଷୀମାନଙ୍କର ଜୀବନଶୈଳୀ, ଆଚାର ବ୍ୟବହାର ସହ ମଣିଷର ଆଚାର ବ୍ୟବହାର, ଜୀବନଶୈଳୀର ତୁଳନା, ସାମଞ୍ଜସ୍ୟ ଏବଂ ବୈଷମ୍ୟକୁ ଦର୍ଶାଯାଇଛି । ବେଶ୍‍ କେତୋଟି ଗପର ପ୍ରେକ୍ଷାପଟ୍ଟ ଏବଂ କାହାଣୀ ଏମିତି ଯେ ମନେ ହେବ ଯେମିତି ଆମ ଜୀବନରେ ଘଟିଛି । ଆମ ସମସ୍ତଙ୍କ ଜୀବନରେ ଏମିତି ଘଟଣା ଘଟି ବି ଥାଇପାରେ । ଆମ ଆଖି ଦେଖା, ଅଙ୍ଗେ ନିଭା ଘଟଣାକୁ ସେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ, ଭିନ୍ନ ପରିପ୍ରେକ୍ଷୀରେ ଆମ ସାମ୍ନାରେ ଉପସ୍ଥାପନ କରିଛନ୍ତି ।

ଏ ଗପଗୁଡି଼କୁ ପଢ଼ନ୍ତୁ ଏବଂ ପଶୁପକ୍ଷୀଙ୍କ ଆଖିରେ ମଣିଷ ସମାଜକୁ ଦେଖନ୍ତୁ । ହୁଏତ ଆମେ ତାହା କଲେ, ମଣିଷ ସମାଜ ଆଉ ଟିକେ ପଶୁପକ୍ଷୀମାନଙ୍କ ପ୍ରତି ସହାନୁଭୂତିଶୀଳ ହେଇପାରିବ । ଆମେ ଆଉ ଟିକେ ସେମାନଙ୍କ ପ୍ରତି ଦରଦୀ ହେଇପାରିବା ।

ଏ ଗହିର ପ୍ରାକ୍‍ଭାଷଯି ଚମତ୍‍କାର । ‘ହ୍ୱାଇ ରାଇଟ୍‍ ଅନ୍‍ ବାର୍ଡସ ଆଣ୍ଡ ଆନିମାଲ୍‍ସ’ (ପଶୁପକ୍ଷୀଙ୍କୁ ନେଇ ଲେଖିବା କାହିଁକି) ଶିରୋନାମାନରେ ଲେଖକ ପଶୁପକ୍ଷୀ ସହିତ ମଣିଷସମାଜର ନିବିଡ଼ ମାନସିକ ଯୋଗାଯୋଗର ଆବଶ୍ୟକତାକୁ ରେଖାଙ୍କିତ କରିଛନ୍ତି ।

ସୁଧାକର ବାବୁ ଇଂରାଜୀରେ ବେଶ୍‍ ସାବଲୀଳ । ତାଙ୍କର ଗପ ଲେଖିବାର ଶୈଳୀଟି ମଧ୍ୟ ବେଶ୍‍ ଭଲ । ବୈଠକୀ ମେଜାଜରେ ଗଳ୍ପ କହନ୍ତି ସେ ।

ଏ ବହିଟିର ଓଡ଼ିଆ ଅନୁବାଦ ହେଲେ ଓଡି଼ଆ ଭାଷାରେ ପଢ଼ଇବାକୁ ଅଭ୍ୟସ୍ଥ ପାଠକପାଠିକାମାନେ ବେଶି ଭଲ ଭାବରେ ଏହାର ରସକୁ ଆସ୍ଵାଦନ କରିପାରିବେ ।

Related Posts

Leave a Reply

Your email address will not be published. Required fields are marked *