ସୁପ୍ରିୟା ପ୍ରଶାନ୍ତ
ଭାଗ -୨
ପହିଲି ଦେଖା
ଶ୍ରୀ ସହ ପ୍ରଥମ ଥର ଦେଖା ହେଇଥିଲା ଆକସ୍ମିକ ଭାବେ ଗୋଟେ ସଂଗୀତ ସନ୍ଧ୍ୟାରେ। ରାଗ ଭୈରବର ଏକତାଳ ପରେ ମୁଁ ଗ୍ରୀନରୁମ ବାହାରକୁ ବାହାରି ଆସିଲି। ଓଡିଶୀ ବେଶରେ ହଠାତ୍ ଝିଅଟିଏ ଆସି ଠିଆ ହେଲା ଆଉ ମୁଁ ବହୁତ ଭଲ ଗାଇଲି ବୋଲି କହିଲା।
ଆମେ ପରେ ଏଇ ଦିନଟିକୁ ବହୁତ ମନେ ପକେଇଛୁ। ସେଦିନ ଆମେ କଣ କଥା ହେଇଥିଲୁ ତାକୁ ଅବିକଳ ମନେ ପକାଇ ଆହ୍ଲାଦିତ ହୋଇଛୁ।
“ତୁମେ କେତେ ସୁନ୍ଦର ଗାଇଲ!” ଶ୍ରୀ ଠିକ୍ ଏୟା କହିଥିଲା।
“ଧନ୍ୟବାଦ।” ମୁଁ ସଂକ୍ଷେପ ଉତ୍ତର ଦେଇଥିଲି।
“ମୋର ତେଣେ ପ୍ରସ୍ତୁତି ଡେରି ହେଉଛି, ଅଥଚ ମୁଁ ଯେମିତି ମନ୍ତ୍ରମୁଗ୍ଧ ହେଇ ଅଟକିଗଲି। ଭୈରବ ଏତେ ସୁନ୍ଦର କେହି ଗାଇଥିବା ମୁଁ ଆଗରୁ କେବେ ଶୁଣି ନଥିଲି।” ଏତିକି କହି ସେ ତର ତର ହେଇ ଚାଲି ଯାଇଥିଲା।
ସେଦିନ ତାର ବି ନାଚ ପରିବେଷଣ କରିବାର ଥିଲା। ମୁଁ କିନ୍ତୁ ଦେଖିନଥିଲି। ନିଜ ପ୍ରଶଂସା ଶୁଣି ମୁଁ ନିଶ୍ଚିତ ଭାବେ ଟିକେ ପ୍ରଫୁଲ୍ଲିତ ଅନୁଭବ କରିଥିବି, ସେକଥା ମୋର ମନେ ନାହିଁ। ତାର ମାସେ ଖଣ୍ଡେ ପରେ ମୁଁ କଳାଶ୍ରମ ଯାଇଥିଲି ଆଉ ସଂଯୋଗତଃ ସେଠି ଶ୍ରୀ ଦେଖାହେଲା। ମୁଁ ତାକୁ ଚିହ୍ନି ପାରିନଥାନ୍ତି, ସେ ଆସି ପରିଚୟ ଦେଲା।
“ସେଦିନ ତୁମର ଭୈରବ ଶୁଣିବା ପରେ ମୁଁ କେତେ ସମୟ ଭାବିଲି।”
“ତୁମକୁ ଭଲ ଲାଗିଲା?”
“କାହାକୁ ଭଲ ନ ଲାଗିବ ଯେ?”
“ନା, ସେମିତି ତ କେହି କୁହନ୍ତିନି!” ମୁଁ ଟିକେ କୁତ୍ରିମ ଦୁଃଖ ପ୍ରକାଶ କଲି।
“ତୁମେ କେତେ ସୁନ୍ଦର ଗୀତ ଗାଅ। ତୁମକୁ ଆଗରୁ କେହି କହି ନାହାନ୍ତି?” ସେ ଟିକେ ଆଶ୍ଚର୍ଯ୍ୟ ମିଶା ଦରଦୀ ସ୍ୱରରେ କହିଲା।
“ନା, କେହି କହିନାହାନ୍ତି।”
“ତୁମେ ସତରେ ବହୁତ ସୁନ୍ଦର ଗାଅ।” ମୋତେ ପ୍ରତ୍ୟୟ ଦେଇ ସେ କହିଲା।
ଆମେ ଦି ଜଣ କଳାଶ୍ରମ ଚାହା ଦୋକାନ ସାମ୍ନାରେ ବସି ଚାହା ପିଇଲୁ।
ସେ ବର୍ଷ ଦୁଇମାସ ସଂଗୀତ ମହୋତ୍ସବର ପ୍ରସ୍ତୁତି ପାଇଁ ମୁଁ ପ୍ରାୟ କଳାଶ୍ରମ ଯାଉଥିଲି। ଶ୍ରୀକୁ ତା ସାଙ୍ଗ ମେଳରେ ବା କେବେ ଏକୁଟିଆ ଠିଆ ହେଇଥିବାର ଦେଖେ । ସେ କିନ୍ତୁ ଆଉ କେବେ କିଛି କୁହେନି, ଖାଲି ଔପଚାରିକତାର ଚିହ୍ନା ହସଟେ ହସି ଦେଇ ତା କାମରେ ବ୍ୟସ୍ତ ରୁହେ। ଶ୍ରୀ ବି ଅଭ୍ୟାସ ପାଇଁ ସେ ଦୁଇମାସ ସେଠିକି ଆସୁଥିଲା। ଯେଉଁ କଳାକାର ଦଳଟି ବିଭିନ୍ନ ଜାଗାରେ ନୃତ୍ୟ ପରିବେଷଣ କରିବାର ଥିଲା ସେଥିରେ ସେ ଜଣେ। ତାର ଓ ପ୍ରଭାସର ଯୁଗଳବନ୍ଦୀ ନାଚ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ। ମୋର ଗୀତର ଅଭ୍ୟାସ ହେଇଥିବା ସମୟରେ ସେ ଆସି ନୀରବରେ ବସି ଶୁଣେ ଓ ମୋର ଗୀତ ଶେଷରେ ଉଠି ତା କାମରେ ଚାଲିଯାଏ। ମୁଁ ନ ଦେଖିଲା ପରି ଦେଖେ ସେ ସାଙ୍ଗମାନଙ୍କ ମେଳରେ ହସି ହସି ଯାଉଥିବ, କେବେ ନାଚ ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବ, କେବେ ତାର ଆଣ୍ଠୁ ଛୁଉଁଥିବା ବାଳ ସଜାଡୁଥିବ। ଧୀରେ ଧୀରେ ମୁଁ ଅନୁଭବ କଲି, ମୁଁ ଯେମିତି ତାକୁ ଖୋଜୁଛି। ମୁଁ ଗାଉଥିବା ବେଳେ ଦୁଇ ତିନି ଥର ସେ ଆସିଲା ନାହିଁ, ତାକୁ ନ ଦେଖି ଭାବୁଥିଲି ସେ କାହିଁକି ଆସିନି।
ଏମିତି ଦୁଇମାସ କଟିଗଲା। ଉତ୍ସବବି ବହୁ ସଫଳ ହେଲା, କରତାଳି ଓ ପ୍ରଶଂସା ଭିତରେ ଶେଷ ହେଲା। ଉତ୍ସବ ସରିବା ପରଦିନ ମୁଁ ଏକୁଟିଆ ଠିଆ ହେଇଥାଏ। ସଂଯୋଗବଶତଃ ଶ୍ରୀ ଆସିଲା।
“ତୁମ ସହ ଆଉ ଦେଖା ହେବନି।” ମୁଁ କହିଲି।
ଶ୍ରୀ ଟିକେ ଆଶ୍ଚର୍ଯ୍ୟ ହେଇଗଲା, କଣ କହିବ ବୋଧେ ବୁଝି ପାରିଲାନି।
“ତୁମ ସହ ଅନ୍ୟ କୋଉଠି ଦେଖା ହୁଅନ୍ତାନି।” ମୁଁ ଆଗ୍ରହରେ କହିଲି, “ମୁଁ ଏମିତି କାହାକୁ କୁହେନି, କେବଳ ତୁମକୁ କହୁଛି।”
ସେ ଯେମିତି ଖୁସି ହେଇଗଲା, ସେ ଖୁସିର ଉଜ୍ଜଳତା ତା ମୁହଁ, ଆଖିରେ ଏକବାରେ ଝଲସି ଉଠିଲା।
“ଜାଣିଛ, ମୁଁ ଆଜି ସକାଳୁ ଭାବୁଥିଲି, କେମିତି ସବୁ ପ୍ରସ୍ତୁତି ଏତେ କମ୍ ଦିନରେ ସରିଗଲା। ଆଉ ଏସବୁ ମୂହର୍ତ୍ତ କେବଳ ମନେ ପଡିବ।”
“ମୋର ଭ୍ରାମ୍ୟଭାଷ ନମ୍ବର ରଖ। ଯେତେବେଳେ ତୁମେ କଟକ ବା ଭୁବନେଶ୍ୱର କିଛି କାମ ପାଇଁ ଆସିବ, ମୋତେ ଜଣେଇବ।”
ସେ ଦିନ ପରେ ଦି ମାସ ଖଣ୍ଡେ ଯାଇଥିବ, ମୋତେ ଶ୍ରୀ ଫୋନ୍ କଲା। ସେ କଳାଶ୍ରମରେ କିଛି କାମ ପାଇଁ ଆସିଥିଲା। ସେଠି କାମ ସାରିବା ପରେ ଆମେ ବୁଲି ଗଲୁ। କାଠଯୋଡି କୂଳରେ ବୁଲିଲୁ। ବସିକି ନିଜ ନିଜର ସଂସାର କଥା ହେଲୁ, କିଏ କେମିତି ଏସବୁ କଥା। ସେମାନେ ତିନି ଭଉଣୀ। ପୁରୀରେ ତା ବଡ ଭଉଣୀଙ୍କ ପାଖରେ ସେ ରହେ। ସେଠି ଗୁରୁଜୀଙ୍କ କଳାନିକେତନରେ ନାଚ ଶିଖେ। ତା ଭିଣୋଇ, ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀ। ତା ବଡ ଭଉଣୀର ଦୁଇଟି ପିଲା, ସେ ସେମାନଙ୍କ ସହ ଖେଳେ। ପୁରୀ ମହାବିଦ୍ୟାଳୟରେ ସେ ଅର୍ଥନୀତି ନେଇ ସ୍ନାତକ ପଢୁଛି। ତାର ଉପର ଭଉଣୀ ଇଂଞ୍ଜିନିୟରିଂ ପରେ ଏବେ ମ୍ୟାନେଜମେଣ୍ଟ୍ ପଢୁଛି। ସେ ବି ଗୀତ ଗାଏ। ତା ବଡ ନାନୀ ହେଲା ତାର ସବୁଠୁ ପ୍ରିୟ, ତାଠୁ ପ୍ରାୟ ବାର ବର୍ଷ ବଡ। ତା ବାପାବୋଉ ସମ୍ବଲପୁରରେ ରହୁଥିଲେ। ସେଦିନ ଅପରାହ୍ନରେ ଆମେ ଚାଲି ଚାଲି କଟକର ଗଳିକନ୍ଦି ବୁଲିଲୁ। ବାରବାଟୀ ସାମ୍ନାରେ ଦହିବରା ଆଳୁଦମ୍ ଖାଇଲୁ। ତାକୁ ପୁରୀ ବସରେ ବସେଇ ଦେଇ ମୁଁ ଘରକୁ ଫେରିଲି।
ଏମିତି କଟକ ବା ଭୁବନେଶ୍ୱର ସେ ପ୍ରାୟ ଆସୁଥିଲା। ଆମେ କେତେ କଥା ହେଉ। କଥା ହଉ ହଉ କେତେବେଳେ ଘଣ୍ଟା ଘଣ୍ଟା ବିତିଯାଏ ଆମର ନିଘା ରହେନା। ସେଇ ସବୁ କଥା ଯାହାର ଆଦି ଅନ୍ତ ନଥାଏ।
“ତୁମେ କେବେଠୁଁ ନାଚ ଶିଖୁଛ?”
“ମୁଁ? କେତେ ଛୋଟ ବେଳୁ।”
ମୁଁ ତାର ନକଲ କରି କହିଲି, “କେତେ ଛୋଟ ବେଳୁ?”
“ବୋଉ କୁହେ ମୁଁ ଜନ୍ମ ହେବା ଆଗରୁ ବି ନାଚୁଥିଲି।” ଶ୍ରୀ କହି ଖିଲି ଖିଲି ହେଇ ହସିଲା। ପୁଣି କହିଲା, “ଆଉ ଗୁରୁଜୀ କୁହନ୍ତି, ମୋର ପାଦ, ଆଖି ନୁହେଁ, ରୁମ ବି ନାଚୁଥାଏ। ମୋ ବଡନାନୀ ନାଚ ଶିଖୁଥିଲା। ଗୁରୁଜୀ ତାକୁ ଶିଖେଇବାକୁ ଘରୁକୁ ଆସୁଥିଲେ। ସେ ଶିଖିବା ବେଳେ ମୁଁ ବି ସେଠି ଯେବେଠୁଁ ଠିଆ ହେବା ଶିଖିଲି, ସେବେଠୁଁ ନାଚିଲି। ମୋତେ ଦୁଇବର୍ଷ ବି ହେଇ ନଥିଲା। ଗୁରୁଜୀ କହିବେ, ମାମୁନିକୁ ମୋତେ ଆଉ ଶିଖେଇବାକୁ ପଡିବନି। ସେ ଦେଖି ଦେଖି ଶିଖିଯିବ। ନାନୀର ବାହାଘର ଶୀଘ୍ର ହେଇଗଲା। ତା ପରେ ଆମ ଘରେ ଗୁରୁଜୀ କିଛି ଦିନ ମୋତେ ଶିଖଉଥିଲେ। ନାନୀ ପୁରୀ ଆସିବା ପରେ ମୋତେ ତା ପାଖରେ ରହି କଳାନିକେତନରେ ନାଚ ଶିଖିବାକୁ ସୁବିଧା ହେବ, ସେଥିପାଇଁ ମୁଁ ଚାଲି ଆସିଲି।”
ସେ ମୋ କଥା ତା ସାଙ୍ଗ ମାନଙ୍କଠୁ ଜାଣିଥିଲା। ମୋ ନନା ଜଣାଶୁଣା ତବଲାବାଦକ ଥିଲେ। ମୋ ବୋଉ ଚାହୁଁ ନଥିଲା, ମୁଁ ପେଷାଦାର ଗାୟକ ହୁଏ। ସେଥିପାଇଁ ସେ ମୋତେ ଦୂର ବୋର୍ଡିଙ୍ଗ ସ୍କୁଲରେ ପିଲାଦିନୁ ରଖେଇଥିଲା। ସେ ଚାହୁଁଥିଲା, ମୁଁ ପଢିକି ବଡ ଚାକିରୀ କରେ, ସ୍ୱାଭାବିକ ଜୀବନଟେ ବଞ୍ଚେ। ଏଇ ଯେ ଦିନ ରାତି ଏକ, ସମୟର କିଛି ଠିକଣା ନାହିଁ, ଆଜି କାମ ମିଳିବ, କାଲିକି କିଛି ଠିକ୍ ନାହିଁ— ସେପରି ଜୀବନ ସେ ମୋ ପାଇଁ ଚାହୁଁ ନଥିଲା। ମୋ ବୋଉ ଯିବା ପରେ, ନନାଙ୍କର ଦେହ ବି ପ୍ରାୟ ଭଲ ରହୁ ନଥିଲା। ତାଙ୍କର ଦେଖାଶୁଣା, ନିଜ କାମକୁ ନେଇ ଅସନ୍ତୋଷ, ନିଜ ଅହଂର ଛୋଟ ବଡ ହଜାର ଦାବୀରେ ମୁଁ ହୁଏତ କ୍ଳାନ୍ତ ହେଇପଡିଥିଲି। ଆଉ ଶ୍ରୀ ଶାନ୍ତିର ବଳୟଟେ ନେଇ ଆସି ପହଞ୍ଚିଥିଲା। ସେ ପ୍ରଥମରୁ ହିଁ ମୋତେ ଭଲ ଲାଗୁଥିଲା। ତା ସହ କଥା ହେବାକୁ ଭଲ ଲାଗୁଥିଲା, ତାକୁ ଚିଡେଇବାକୁ ଭଲ ଲାଗୁଥିଲା।
“ଏତେ ଯଦି ଭଲ ଲାଗୁଥିଲା, ସେ କଥା କହିବାକୁ ଏତେ ସମୟ କାହିଁକି ଲାଗିଲା?” ସେ ଦିନେ ପଚାରିଲା।
“ମୁଁ ଭାବୁଥିଲି ଜୀବନରେ ଭଲପାଇବା ମିଳିବା ଏତେ ସହଜ ନୁହେଁ। ହୁଏତ ନିଜର ପ୍ରତିଭା ପାଇଁ ପ୍ରଶଂସା ବା ଈର୍ଷା ମିଳିବା ସହଜ, କିନ୍ତୁ ଭଲପାଇବା?”
“ଏଇଟା ଗୋଟେ କଥା!” ଶ୍ରୀ ଆଶ୍ଚର୍ଯ୍ୟ ହେଇ କହିଲା, “ମୋତେ ଲାଗେ ତୁମେ ଯେମିତି ନିଜ ଚାରିପଟେ ଅଦୃଶ୍ୟ ବାଡ ସବୁ ଦେଇଛ। ତା ଭିତରକୁ କାହାକୁ ଯିବାକୁ ଅନୁମତି ନାହିଁ। କେଜାଣି, ହୁଏତ ମୁଁ ତୁମକୁ ବୁଝିବାରେ ଭୁଲ୍ କରୁଛି। କିନ୍ତୁ ମୋତେ ତୁମେ ସେମିତି ହିଁ ମନେ ହୁଅ।”
ମୁଁ କାହା ମନରେ କାହିଁକି ଭଲପାଇବା ଜନ୍ମେଇ ପାରିବି, ସେ ବିଶ୍ୱାସ ମୋର ନଥିଲା। ଏମିତି ଯେତେ ଗୁଡିଏ ସଂପର୍କ, ସେସବୁକୁ ନେଇ ମୁଁ ଗମ୍ଭୀର ନଥିଲି। ଶ୍ରୀ ସହ ଦେଖା ହେବା ଯେମିତି ନୂଆ ଗୋଟେ ଅନୁଭବ ଥିଲା। ଆଉ ତା ପାଖରେ ମୁଁ ଉନ୍ମୁକ୍ତ ଅନୁଭବ କଲି। ସେ ମୋର ଏତେ ପ୍ରିୟ ହେଇଗଲା ଓ ମୁଁ ଯେ ତାକୁ ଭଲପାଇ ବସିବି, ସେକଥା ଭାବି ମୁଁ ବି ଆଶ୍ଚର୍ଯ୍ୟ ହେଇଯାଉଥିଲି।
ସେ ମୋର ଗୀତ ଶୁଣିବାକୁ ଭଲପାଉଥିଲା। ହୁଏତ ମୁଁ ତାର ଆଦର ଖୋଜୁଥିଲି, କିନ୍ତୁ ତାକୁ ଯେ ଭଲପାଇବି ଆଉ ତା ଭଲପାଇବା ଖୋଜିବି, ସେମିତି ତ ଭାବି ନଥିଲି। ମୁଁ ତା ପ୍ରତି ଏତେ ଦୁର୍ବଳ ହେଇ ପଡିଲି, କେମିତି କେଜାଣି ମୁଁ ତାକୁ ଭଲପାଏ ବୋଲି କହିବସିଲି। ସେତେବେଳେ ଶ୍ରୀକୁ ମୋଟେ ଉନେଇଷ ବର୍ଷ, ଆଉ ମୋତେ ଚବିଶ। ଆଉ ଶ୍ରୀ କିଛିବି ପ୍ରଶ୍ନ ନ ପଚାରି ମୋର ହେଇଗଲା। ମାସ କେଇଟାରେ ଆମେ ପରସ୍ପରକୁ ନ ଦେଖି ରହିପାରିଲୁ ନାହିଁ। ଦୂରରେ ଥିବା ସମୟରେ ଗହଳିଚହଳିରେ ଯେତେବେଳେ କଥା ହେବା ସୁବିଧା ନଥିଲା, ପରସ୍ପରର ମନ କଥା ଚିଠି ପରେ ଚିଠି ଇଲେକଟ୍ରୋନିକ୍ ଠିକଣାରେ ଲେଖି ଚାଲିଲୁ। ମୁଁ ତ ରାତିରେ ଶ୍ରୀର ଚିଠି ନପଢି ଶୋଉ ନଥିଲି। ତା ଚିଠିର ଧାଡି ସବୁ ମନେ ପକେଇବା ମୋ ଏକୁଟିଆ ବେଳର ମୁଖ୍ୟ କାମ ପାଲଟି ଗଲା।
“ଜାଣିଛ, ସେଦିନ ଭଳି ମୁଁ ଏମିତି ମଞ୍ଚ ପଛରେ ଯାଇ କାହାକୁ କେବେ କହି ନଥିଲି। କେଜାଣି ତୁମ ଗୀତ ଶୁଣି ମୁଁ ଅଟକି ଗଲି, ବୋଧେ ଦେଖିବାକୁ ଚାହିଁଲି ତୁମେ କେମିତି କା ମଣିଷଟେ। ମୋତେ ଲାଗିଲା ଯେମିତି ଗୋଟେ ଅତି ଅନ୍ତରଙ୍ଗ ସ୍ୱର, ସେଇ ସ୍ୱରକୁ ହୁଏତ ମୁଁ କେବେ କାନରେ ଶୁଣିନଥିଲି, କିନ୍ତୁ ସବୁବେଳେ ଖୋଜୁଥିଲି। ତୁମର ସ୍ୱର ଯେମିତି ଦିଗନ୍ତ ସେପାରିରୁ ଆସୁଥିଲା, ଆଉ ମୋତେ ତା ସାଙ୍ଗରେ କାହିଁ କେତେ ଦୂରକୁ ନେଇ ଚାଲିଗଲା। କିନ୍ତୁ ତୁମ ସହ ଯେ ଏମିତି ଯୋଡି ହେଇ ଯିବି, କେବେ ତ ଭାବିନଥିଲି!”
(କ୍ରମଶଃ)
ପ୍ରତିମାସ ପ୍ରଥମ ଓ ତୃତୀୟ ଶୁକ୍ରବାରରେ ପଢନ୍ତୁ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ସୁପ୍ରିୟା ପ୍ରଶାନ୍ତଙ୍କ ଏହି ନୂତନ ଉପନ୍ୟାସ କେବଳ www.odishasahitya.com ରେ
ଭଲ ଲାଗୁଛି। ଅଭିନନ୍ଦନ।
ତେବେ ମୋବାଇଲକୁ ‘ଭ୍ରାମ୍ୟଭାଷ’ ବୋଲି କହିବା ବୋଧେ ନିହାତି ଆବଶ୍ୟକ ଭାବୁନି।
Thank you for thoughtful comments
ଭଲ ଲାଗୁଛି। ସୁନ୍ଦର ଲେଖା eagerly waiting for the next part!.
Thank you so much!
ଖୁବ୍ ଭଲ ଲାଗିଲା
So kind of you! Thank you so much.
ସୁନ୍ଦର ଲେଖାଟିଏ…. ଭ୍ରମ୍ୟାଭାଷ ଶବ୍ଦ ଟି ବେଶୀ ମଜା ଲାଗିଲା… waiting for the next part.
Thank you!
ସୁନ୍ଦର ଲେଖାଟିଏ… ଭଲ ଲାଗିଲା…waiting for the next part
Beautiful writing. Felt nice after reading.
Thank you so much!
ଖୁବ୍ ଭଲ …