ରାଧାମୋହନ ଗଡ଼ନାୟକ

-୧-
ବିଷର ଜଗତେ ମୁହିଁ, ଦେଖିଅଛି
ଜୀବନର ମଧୁ!
ମଧୁରାଜ୍ୟେ ବିଷ ତୁମେ କେଉଁପରି
ସୃଜିଅଛ ବନ୍ଧୁ?
ପ୍ରୟୋଜନ ନାହିଁ ଆଉ, ଶେଷ ଏବେ
ମନ୍ଦିର ଅଧ୍ୟାୟ,
ସେଥିପାଇଁ ସୁଚତୁର ଅସ୍ତ୍ର ତୋଳି
ନେଇଚ ବିଦାୟ ।

-୨-
ତୁମରି ନାଆଁରେ ବନ୍ଧୁ ମୁଁ ଲେଖିଚି
କଳଙ୍କ-କବିତା
କେମିତି ବିଶ୍ୱାସ କଲ? ବୁଝିଲନି
ସତ୍ୟ ଅବା ମିଥ୍ୟା?
ଯା’ଲାଗି ସଳିତା ପ୍ରାଏ ବହ୍ନି ଦାହେ
ଜାଳିଚି ଜୀବନ,
ତା’ ନାଆଁରେ ମୁଁ କେମିତି କରିଥାନ୍ତି
ବକ୍ର ବିଦୂଷଣ?
-୩-
କି ଆଖିରେ କେଉଁପରି ଦେଖିଚି ମୁଁ
ଦିଗନ୍ତ, ଦୁନିଆ
ବନ୍ଧୁ ଲାଗି କେଉଁପରି ସ୍ୱଚ୍ଛ ମୋର
ସ୍ନେହାତୁର ହିଆ,
ତୁମେ ବେଶ୍‍ ଜାଣ ବନ୍ଧୁ, ମମତାରେ
ସେଇଥି ସକାଶେ
ବହୁତ କବିତା ତୁମେ ବହୁବାର
ଲେଖିଚ ମୋ ପାଶେ ।
-୪-
ପୃଷ୍ଠଭାଗେ ବହିଯାରେ ହେ ସୁହୃଦ
ଗରୁଡ଼ ସମାନ
ଗୁରୁ ଗଉରବେ ତୁମେ ମଣୁଅଛ
ଅତି ଭାଗ୍ୟବାନ ।
ଶେଷ ମୁହିଁ, ଘେନି ତାରେ ମୋର କ୍ରୋଡ଼େ
ମୋର ଫଣା ତଳେ,
ଜୀବନର ଅଭିମାନେ ଦୃପ୍ତ ମୁହିଁ
ଜନ ଜଗତରେ ।
-୫-
ତୁମେ ବେଶ୍‍ ବପୁଷ୍ମାନ୍‍ ସାପପରି
ମୁଁ ଏକ କ୍ଷୀଣାଙ୍ଗ ।
ପଥେ ପଥେ ତୁମଲାଗି ଅଯାଚିତ
ଝରୁଛି ସୌଭାଗ୍ୟ ।
ନିୟମ ଶୃଙ୍ଖଳେ ବନ୍ଧ ସମତଳ
ତୁମ ପଥ ଭୂଇଁ,
ବନ୍ଧୁର ମୋ ସରଣୀରେ ଉଚ୍ଛୃଙ୍ଖଳ
ଧୂମକେତୁ ମୁହିଁ ।
-୬-
ବୈଷମ୍ୟର ପୃଷ୍ଠଭୂମେ ମୁଁ ତୁମର
ଅଲୌକିକ ବନ୍ଧୁ
ଗରଳ ଦେଖିଲ କିଆଁ? ଦେଖିଲନି
ଏକତ୍ୱର ମଧୁ?
କେଉଁ ଶିବିରରୁ ପୁଣି ଏ ଆଡ଼କୁ
ମାରୁଅଛ ବାଣ?
ଏ ତୂଣୀରେ ଅଛି ତାର ପ୍ରତିବାଣ
ବନ୍ଧୁ ସାବଧାନ ।

ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ – ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ ।


Related Posts

Leave a Reply

Your email address will not be published. Required fields are marked *